Latest Odisha News

BREAKING NEWS

ବିଜେପି ଛାଡ଼ିଲେ ବରିଷ୍ଠ ନେତା ସୁବାସ ଚୌହାନ

ବରଗଡ଼: ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ଶାଖାର ଉପ ସଭାପତି ସୁବାସ ଚୌହାନ ଦଳରୁ ମଙ୍ଗଳବାର ଦିନ ଇସ୍ତଫା ପ୍ରଦାନ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟତା ପଦରୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି ।

ସୁବାସ ଚୌହାନ ତାଙ୍କର ଇସ୍ତଫା ପତ୍ର ପାର୍ଟି ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି ।

ବରଗଡ଼ ଲୋକସଭା ଆସନରେ ସେ ବିଜେପି ଟିକଟରେ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ । ତାଙ୍କୁ ଟିକଟ ଦିଆ ନଯିବାରୁ ସେ ଅସନ୍ତୁଷ୍ଟ ରହିଥିଲେ । ଗତ ୨୦୧୪ ଲୋକସଭା ନିର୍ବାଚନରେ ସେ ବରଗଡ଼ ଆସନରେ ବିଜେପି ଟିକଟରେ ପ୍ରାର୍ଥୀ ହୋଇ ଦଳ ପକ୍ଷରୁ ସର୍ବାଧିକ ଭୋଟ ହାସଲ କରିପାରିଥିଲେ, ମାତ୍ର ଅଳ୍ପ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀଙ୍କ ନିକଟରୁ ପରାଜୟ ବରଣ କରିଥିଲେ ସୁବାସ ।

ଦଳୀୟ ନେତୃତ୍ୱ ପ୍ରତି ଅସନ୍ତୋଷ ପ୍ରକାଶ କରିବା ସହିତ ସେ କହିଛନ୍ତି, ଗତଥର ବରଗଡ଼ ଲୋକସଭା ଆସନରେ ଅଳ୍ପକେ ବିଜେଡ଼ି ପ୍ରାର୍ଥୀଙ୍କ ନିକଟରୁ ପରାସ୍ତ ହୋଇଥିଲେ ମଧ୍ୟ ନିଜ ଦଳର କିଛି ନେତାଙ୍କ ଯୋଗୁଁ ସେ ପରାଜୟ ବରଣ କରିଥିଲେ । “ଏଥର କିନ୍ତୁ ମୋତେ ବରଗଡ଼ ଲୋକସଭା ଆସନରେ ଛିଡ଼ା ହେବା ଲାଗି ସୁଯୋଗ ମଧ୍ୟ ମିଳିଲା ନାହିଁ, ମୋ ପ୍ରାର୍ଥୀତ୍ୱକୁ ଗ୍ରହଣ ନକରି ମୋତେ ଟିକଟ ଦେବାରୁ ବଞ୍ଚିତ କରାଗଲା,”ବୋଲି କହିଛନ୍ତି ସୁବାସ ଚୌହାନ ।

ସେ ୨୦୧୪ ଲୋକସଭା ନିର୍ବାଚନରେ ବରଗଡ଼ ଆସନରେ ପ୍ରତିଦ୍ୱନ୍ଦିତା କରି ବିଜେଡ଼ିର ପ୍ରଭାସ ସିଂହଙ୍କ ଠାରୁ ୧୧, ୧୭୮ଟି କମ୍ ବ୍ୟବଧାନ ଭୋଟରେ ପରାସ୍ତ ହୋଇଥିଲେ ।

ଚୌହାନ ଗଣମାଧ୍ୟମକୁ କହିଛନ୍ତି, ବିଜେପି ଆପଣେଇ ନେଇଥିବା ନିର୍ବାଚନ ରଣନୀତି ଠିକ୍ ନୁହେଁ, ଏଥିରୁ ବିଜେପି ବିଶେଷ ଫାଇଦା ପାଇପାରିବ ନାହିଁ । “ଆଡ଼ମ୍ବର ସହକାରେ ନିର୍ବାଚନ ପ୍ରଚାର କରି କିମ୍ବା ଉଜ୍ଜଳା ଗ୍ୟାସ ବଣ୍ଟନ କରି ଆପଣ ନିର୍ବାଚନ ଜିତିପାରିବେ ନାହିଁ,” ବୋଲି ସେ କହିଛନ୍ତି ।

ତାଙ୍କୁ ଟିକଟ ନଦେବାରୁ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପରେ କ୍ଷୁବ୍ଧ ରହିଥିବା ମଧ୍ୟ ସୋସିଆଲ୍ ମିଡ଼ିଆରେ ପ୍ରକାଶ କରିଛନ୍ତି ।

“ମୁଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବରେ ଦୀର୍ଘ ୩୦ ବର୍ଷ ଧରି ରାଷ୍ଟ୍ରସେବା କରିବାର ସୁଯୋଗ ପାଇଛି ।ପରେ ବିଜେପିରେ ଯୋଗଦାନ କରି ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ ।ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି । ବିଜେପି କୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ ଲୋକସଭା ବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ବରଗଡ଼ ଲୋକସଭା ଟିକଟ କାଟି ଦିଆଗଲା ।ଜନସାଧାରଣଙ୍କ ଭିତରେ ଏହାର ତୀବ୍ର ପ୍ରତିକ୍ରିୟା ତଥା ସମାଲୋଚନା ହେଲା ।ପାର୍ଟିର ବରିଷ୍ଠ ନେତାମାନେ ମୋର କାର‌୍ୟ୍ୟକର୍ତା ତଥା ଜନତାଙ୍କୁ ଧମକ ଚମକ ଦେଲେ ।କିନ୍ତୁ ଅପମାନର ସୀମା ଟପିଗଲା ।
ଯାହାବି ହେଉ ପାର୍ଟି ଚାପର ବଶବର୍ତ୍ତୀ ହୋଇ ମତେ ପ୍ରଦେଶର ଉପସଭାପତି ଦାୟିତ୍ୱ ଦେଲା ଏବଂ ବିଜେପୁର ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିର୍ଦ୍ଦେଶ ଦେଲା । କିନ୍ତୁ ବିଜେପୁର ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢ଼ୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତ୍ତଶାଳୀ,ଶକ୍ତିଶାଳୀ ଲୋକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି ।କିନ୍ତୁ ଫଳ ଓଲଟା ହେଲା ।ଏହା ପଶ୍ଚିମ ଓଡିଶାର ଅବିସି ସମାଜ ପ୍ରତି ଘୋର ଅପମାନ ସଂଗଠନ ରେ ଅଛି ରହିବି ଓ ଲୋକଙ୍କ ସେବା କରିବି ମୋ ପ୍ରତି ଅତୁଟ ବିଶ୍ୱାସ ରଖିଥିବା ପଶ୍ଚିମ ଓଡ଼ିଶା ବାସୀଙ୍କୁ କୃତଜ୍ଞତା ଜଣାଉଛି ।”

ବରଗଡ଼ ଅଞ୍ଚଳର ଲୋକପ୍ରିୟ ବିଜେପି ନେତା ସୁବାସ ଚୌହାନ ଧର୍ମେନ୍ଦ୍ରଙ୍କୁ ମଧ୍ୟ କ୍ଷୁବ୍ଧ ହୋଇ ପ୍ରସ୍ତାବ ଦେଇଛନ୍ତି ଯେ, ବିଜେପୁର ଆସନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢୁଛନ୍ତି ଏବଂ ଧର୍ମେନ୍ଦ୍ର ପ୍ରଧାନ ବିତ୍ତଶାଳୀ ଓ ଶକ୍ତିଶାଳୀ ବ୍ୟକ୍ତି ହୋଇଥିବା ଯୋଗୁଁ ସେ ବିଜେପୁରରେ ନବୀନଙ୍କ ବିରୋଧରେ ନିର୍ବାଚନ ଲଢିବା ଆବଶ୍ୟକ । ଅବଶ୍ୟ ସୁବାସଙ୍କୁ ନବୀନଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ବିଜେପି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା, ମାତ୍ର ସେ ଏଥିରେ ଆଦୌ ରାଜି ହୋଇନଥିଲେ । ଯେହେତୁ ସୁବାସ ଚୌହାନ ଦୀର୍ଘ ୫ ବର୍ଷ ଧରି ଦଳର ତୃଣମୂଳସ୍ତରରେ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟ କରିଆସିଛନ୍ତି ତେଣୁ ସେ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଆଶାୟୀ ଥିଲେ ।

ବିଜେପି ନେତା ସୁବାସ ଚୌହାନଙ୍କ ପରି ନେତାଙ୍କୁ ଟିକଟ ଦିଆ ନଯିବା ଯୋଗୁଁ ଅନେକ ବିଜେପି ନେତାଙ୍କ ସମେତ ବରଗଡ଼ ଜନସାଧାରଣଙ୍କୁ ବିସ୍ମିତ କରିଛି । ହୁଏତ ସୁବାସଙ୍କ ପରି ନେତା ଲୋକସଭା ଜିତିଗଲେ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାବମୂର୍ତ୍ତି ଏବଂ ପତିଆରା କ୍ଷୁର୍ଣ୍ଣ ହୋଇଯିବ ସେଥିଲାଗି ତାଙ୍କ ଟିକଟ କଟିଯାଇନାହିଁ ତ ବୋଲି ଏବେ ସାଧାରଣରେ ଆଲୋଚନା ହେଉଛି । କେବଳ ସୁବାସ ଚୌହାନ ନୁହଁନ୍ତି ତାଙ୍କପରି ଅନେକ ବିଜେପି ନେତା ଯିଏକି ବିଧାନସଭା ନିର୍ବାଚନ ଲଢିବା ଲାଗି ଆଶାୟୀ ଥିଲେ ସେମାନଙ୍କୁ ଏଥର ଟିକଟ ଦିଆଯାଇନାହିଁ ।

ଏହାର ଫଳସ୍ୱରୂପ ଅସନ୍ତୁଷ୍ଟ ବିଜେପି ନେତା ତଥା ବିଜେପି କର୍ମୀମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଏବଂ ନିଜ ନିଜ ନିର୍ବାଚନ ମଣ୍ଡଳୀର ପାର୍ଟି କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ ।

ବାସୁଦେବପୁର ହେଉ କି ଭୁବନେଶ୍ୱର ଏକାମ୍ର ବିଧାନସଭା ନିର୍ବାଚନ ଆସନ ହେଉ ଏହିସବୁ ସ୍ଥାନରେ ବିଜେପିର ଅନ୍ତଦ୍ୱର୍ନ୍ଦ୍ୱ ପଦାରେ ଜଣାପଡ଼ିଗଲା ।

Leave A Reply

Your email address will not be published.