Latest Odisha News

BREAKING NEWS

ସମ୍ବିତ ପାତ୍ରଙ୍କ ଇଚ୍ଛା: ପୁରୀରେ ଶଙ୍ଖ ଫୁଟୁ !

ଭୁବନେଶ୍ୱର : ପୁରୀରୁ ବିଜେପି ଲୋକସଭା ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ରଙ୍କ ଇଚ୍ଛା ‘ପୁରୀରେ ଶଙ୍ଖ ଫୁଟୁ’ । ଏକଥା ଆମେ କହୁନୁ, ଏଭଳି କିଛି ବ୍ୟକ୍ତବ୍ୟ ଖୋଦ୍ ସମ୍ବିତଙ୍କ ମୁହଁରୁ ବାହାରିଛି । ଗଣମାଧ୍ୟମ ଆଗରେ ଏଭଳି ଇଚ୍ଛା ପ୍ରକାଶ କରିଛନ୍ତି ସମ୍ବିତ ।

ପୂର୍ବରୁ ପୁରୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ମୋଦି ପ୍ରାର୍ଥୀ ହେବା ପାଇଁ ଚର୍ଚ୍ଚା ହେଉଥିବାବେଳେ ଦଳ କିନ୍ତୁ ମୋଦିଙ୍କ ବଦଳରେ ସମ୍ବିତଙ୍କୁ ପ୍ରାର୍ଥୀ କରିଛି । ପ୍ରାର୍ଥୀତ୍ୱ ଘୋଷଣା ହେବା ପରେ ନିଜର ନିର୍ବାଚନୀ ପ୍ରଚାରର କରିବା ସମୟରେ ଗଣମାଧ୍ୟମ ଆଗରେ ଏଭଳି କିଛି ବୟାନ ରଖିଛନ୍ତିି ସମ୍ବିତ ।

ଏହି ବୟାନ ପାଇଁ ତାଙ୍କୁ ଅନେକ ଶରବ୍ୟର ଶିକାର ହେବାକୁ ପଡିଛି । ଗଣମାଧ୍ୟମକୁ ଦେଇଥିବା ଏହି ବୟାନଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଅନେକ ବ୍ୟକ୍ତି କମେଣ୍ଟ ମଧ୍ୟ କରିଛନ୍ତି । ଯଦିଓ ସମ୍ବିତଙ୍କ ମୁଖରୁ ଦଳୀୟ ଚିହ୍ନ ପଦ୍ମ ବଦଳରେ ଶଙ୍ଖ ଫୁଟୁ ବୋଲି ଭୁଲରେ ବାହାରିଛି । ତେବେ ଏଭଳି ରୋଚକ ବାକ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

ସମ୍ବିତ ତାଙ୍କ ବୟାନରେ କହିଛନ୍ତି “ପୁରୀରୁ ଅପରାଧ ହଟୁ, ଗୁଳି ଓ ବନ୍ଧୁକ ଫୁଟିବା ବନ୍ଦ ହେଉ ଏବଂ କେବଳ ଶଙ୍ଖ ଫୁଟୁ” ବୋଲି ସେ କୁଆଡେ ଜଗନ୍ନାଥଙ୍କ ଆଗରେ ପ୍ରତିଜ୍ଞା କରିଛନ୍ତି । ଜାତୀୟ ଗଣମାଧ୍ୟମ ଆଗରେ ବିଜେପିର ଏହି ମୁଖପାତ୍ର ଜଣକ ନିଜର ବୟାନ ବାଜି ଦ୍ୱାରା ବିରୋଧିଙ୍କ ମୁହଁ ବନ୍ଦ କରୁଥିବାବେଳେ ତାଙ୍କ ମୁହଁରୁ କିଭଳି ଭୁଲ୍ କଥା ବାହାରିଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ହୁଏତ୍ ସମ୍ବିତ ବାବୁ ଟିକେଟ୍ ପାଇବା ପରେ ବୋଧେ ନିର୍ବାଚନୀ ମଇଦାନରେ ଅଧିକ ଉତ୍ସାହିତ ହୋଇ ପଡିଛନ୍ତି । ତେଣୁ ତାଙ୍କ ପାଟିରୁ ନିଜ ଦଳୀୟ ଚିହ୍ନ ପଦ୍ମ ବଦଳରେ ବିଜେଡିର ଚିହ୍ନ ଶଙ୍ଖ ବାହାରି ପଡିଛି ।

ତେବେ ମହାପ୍ରଭୁ ଜଗନ୍ନାଥ ତାଙ୍କର ମନସ୍କାମନା ପୂର୍ଣ୍ଣ କରୁଛନ୍ତି କି ନାହିଁ ତାହା ମେ ୨୩ରେ ଜଣାପଡିବ । ସେହିଦିନ ହିଁ ସ୍ପଷ୍ଟ ହେବ ଯେ ପୁରୀରେ ଶଙ୍ଖ ବାଜିବ ନା ପଦ୍ମ ଫୁଟିବ ।

Leave A Reply

Your email address will not be published.