ପୁରୀ : ଆଗକୁ ଆସୁଛି ଦୁର୍ଗାପୂଜା । କୋଭିଡ ମହାମାରୀ ଭିତରେ ଦୁର୍ଗାପୂଜାକୁ କିପରି ଶୃଙ୍ଖଳିତ ଭାବେ ଆୟୋଜନ କରାଯିବ ସେନେଇ ଗୁରୁତ୍ବ ଦେଇଛନ୍ତି ସରକାର । ଏହି କ୍ରମରେ ଦୁର୍ଗାପୂଜାକୁ ନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ଗାଇଡ଼ ଲାଇନ ଜାରି ହେବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇଛି । ପୂଜା ମଣ୍ଡପ ତିନି ପାର୍ଶ୍ବ ବନ୍ଦ ରଖାଯିବ ଏବଂ ସମ୍ମୁଖ ପାର୍ଶ୍ବ ପରଦା ଦ୍ବାରା ଢଙ୍କାଯିବ । ଏହାସହ କୌଣସି ଡାକବାଜି ଯନ୍ତ୍ର, ଶୋଭାଯାତ୍ରା, ଭୋଜିଭାତ, ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ଭକ୍ତଙ୍କୁ ମଣ୍ଡପ ନିକଟରେ ପୂଜା ଓ ଦର୍ଶନ ଉପରେ କଟକଣା ଲାଗୁ ହୋଇଛି ।
ସେହିପରି ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ପୂଜକଙ୍କ ସମେତ କେବଳ ୭ ଜଣ କର୍ମକର୍ତ୍ତାଙ୍କୁ ପୂଜା ମଣ୍ତପ ନିକଟରେ ରହିବାକୁ ଅନୁମତି ଦିଆଯିବ । ପ୍ରତ୍ୟେକଙ୍କୁ ପରିଚୟ ପତ୍ର ପ୍ରଦାନ ବ୍ୟବସ୍ଥା ସହ ମଣ୍ତପ ନିକଟରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ପ୍ରତ୍ୟେକ ମଣ୍ତପରେ ସଫେଇ ସହ ଆବଶ୍ୟକ ସ୍ଥଳେ ଆଲୋକିକରଣ ବ୍ୟବସ୍ଥା କରାଯିବ । ମଙ୍ଗଳାଘାଟ ନିକଟରେ ବିସର୍ଜନ ପାଇଁ କୃତ୍ରିମ ପୋଖରୀ ପାଖରେ ଆବଶ୍ୟକୀୟ ବନ୍ଦୋବସ୍ତ କରାଯିବ ବୋଲି ପୌରସଂସ୍ଥା ନିର୍ବାହୀ ଅଧିକାରୀ କହିଛନ୍ତି ।
ସେହିପରି ପରମ୍ପରାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସମ୍ମୁଖରେ ଗୋଷାଣୀ ଯାତ୍ରା ବେଳେ ଦେବ ସଭାକୁ ଅନୁମତି ଦିଆଯାଇଛି । ପ୍ରତ୍ୟେକ ପୂଜା ମଣ୍ତପ ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବାକୁ ସଂପୃକ୍ତ ଥାନ ଅଧିକାରୀ ମାନଙ୍କୁ କୁହାଯାଇଛି । ପୂଜା ମଣ୍ଡପ ପାଇଁ ପୌରସଂସ୍ଥା ଅଞ୍ଚଳରେ ଉପ ଜିଲ୍ଲାପାଳ ଏବଂ ଅନ୍ୟ ଅଞ୍ଚଳରେ ସଂପୃକ୍ତ ତହସିଲଦାର ଅନୁମତି ପ୍ରଦାନ କରିବେ । ପୂଜା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କୋଭିଡ ଗାଇଡ଼ ଲାଇନ କଡାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛି ।
Comments are closed.