Latest Odisha News

ସାର୍ ବାଥରୁମରେ

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… 

ବଡ ବଡିଆ ମାନେ ତାଙ୍କ ପଦ ମର୍ଯ୍ୟାଦା ବଜାୟ ରଖିବା ପାଇଁ ମଳି ମୁଣ୍ଡିଆଙ୍କୁ ଅନେକ ପ୍ରକାର ପ୍ରତିଶୃତି ଦେଇ ଥାନ୍ତି। ସବୁ ପ୍ରତିଶୃତି ତ ରଖି ହୁଏନି, ତଥାପି ଜନତାର ସେବକ ଓ ପ୍ରଶାସକ ମାନଙ୍କୁ ରାଜନୈତିକ ଦୃଷ୍ଟିକୋଣରୁ ଅଥବା କ୍ରମବର୍ଦ୍ଧିଷ୍ଣୁ ଚାପକୁ ଲାଘବ କରିବା ପାଇଁ ଏହାର ସାହାରା ନେବାକୁ ପଡିଥାଏ। ପ୍ରତିଶୃତି ଦେଇ ଥରେ ରାଜଧାନୀରେ ପହଞ୍ଚିଗଲେ କଥା ସରିଲା, ଆପେ ବଞ୍ଚିଲେ ବାପର ନାଁ। ହେଲେ ମଳି ମୁଣ୍ଡିଆର ମୁଣ୍ଡରେ ଏ ରହସ୍ୟ ବୁଝିବାକୁ ଏତେ ଭେଜା କାହିଁ ? ସେ ଧରିନିଏ ନେତା ଓ ତନ୍ତ୍ରୀଙ୍କ କଥାକୁ ବେଦର ଗାର ସଦୃଶ। ଦାବି ପୂରଣ ନ ହେଲେ ସେ ଯାଇ ପହଞ୍ଚିଯାଏ ରାଜଧାନୀରେ, ପ୍ରତିଶୃତି ଦାତାଙ୍କ ଉଆସ ଆଗରେ କିମ୍ବା ସଚିବାଳୟରେ। ସୁରକ୍ଷା କର୍ମୀଙ୍କ ଦୂର ଦୂର ମାର ମାର ଯୋଗୁଁ ସାକ୍ଷାତ କରିବା ସଫଳ ହୁଏନା। ତେଣୁ ରାଜଧାନୀରେ ମୁଣ୍ଡ ଗୁଞ୍ଜିଥିବା ସ୍ଥାନକୁ ଫେରି ଯାଇ ଫୋନ କରି ଯୋଗାଯୋଗ କରିବାକୁ ଚେଷ୍ଟା କରେ। ସେ ଚେଷ୍ଟାରେ କିନ୍ତୁ ସେ ସବୁଥର ବିଫଳ ହୁଏ, କାରଣ ଆର ପାଖରୁ ଉତ୍ତର ମିଳେ, “ସାର୍ ବାଥରୁମରେ” କିମ୍ବା “ପୂଜା ଘରେ”। ଶେଷରେ ବିଫଳ ମନୋରଥ ହୋଇ ମଳି ମୁଣ୍ଡିଆ ଗାଁକୁ ଫେରି ଯାଏ ଓ ଆଉ କିଛି ନୂଆ  ପ୍ରତିଶୃତିକୁ ଅପେକ୍ଷା କରେ।

ପୁଣି ସାପ ମରିବନି କି ବାଡ଼ି ଭାଙ୍ଗିବନି ନ୍ୟାୟରେ ଜଣେ ପୁରୁଣା ନେତା ଏକ ଅଭିନବ ଉପାୟ ଉଦ୍ଭାବନ କରିଥିଲେ। ନିର୍ଦ୍ଧାରିତ ସମୟରେ ସେ ପ୍ରାର୍ଥନକାରୀକୁ ତାଙ୍କ ପାଖକୁ ଆସିବାକୁ ଦେଉଥିଲେ ଓ ଧର୍ଯ୍ୟଭରେ ଗୁହାରି ଶୁଣୁଥିଲେ। ତାଙ୍କ ଟେବୁଲରେ କଳା ଓ ନାଲି ରଙ୍ଗର ଦୁଇଟି ଟେଲିଫୋନ୍ ରହୁଥିଲା ଓ ସେ ପ୍ରାୟତଃ ନାଲି ଟେଲିଫୋନ୍ ଉଠାଇ ଆବେଦକାରୀର କାମ କରିଦେବା ପାଇଁ ନିଜର ଅଧସ୍ତନକୁ ନିର୍ଦ୍ଦେଶ ଦେଉଥିଲେ। ଆବେଦକାରୀ ନେତାଙ୍କ ବଦାନ୍ୟତା ଦେଖି ଭାବବିହ୍ଵଳ ହୋଇ ପଡୁଥିଲା ଓ ନିଶ୍ଚିନ୍ତରେ ନିଜ ଗାଁକୁ ଫେରି ଯାଇ ନେତାଙ୍କ ଲୋକପ୍ରିୟତା ବଢାଇବା ପାଇଁ ଦୃଢ ପରିକର ହେଉଥିଲା। ବିଚରା କଣ ଜାଣିଥିଲା ଯେ ସାର୍ ଯେଉଁ ନାଲି ଫୋନ୍ ମାଧ୍ୟମରେ ତା ବିଷୟରେ ଅଧସ୍ତନକୁ ବୁଝାଇ କହିଥିଲେ ସେ ଫୋନ୍ ର ଛିଣ୍ଡା ତାର ଲମ୍ବି ଥିଲା ଟେବୁଲ ତଳ ପର୍ଯ୍ୟନ୍ତ?

କିନ୍ତୁ “ସାର୍ ବାଥରୁମରେ” ଆଦି ଚାଲ୍ ଆଜି ମୋବାଇଲ୍ ଫୋନ ଯୁଗରେ ପୁରୁଣା ହୋଇ ଗଲାଣି। ମୋବାଇଲ୍ ଫୋନକୁ ଧରିବ ଯିଏ ଆସୁଥିବା କଲ୍ ମଧ୍ୟ ଗ୍ରହଣ କରିବ ସିଏ। ତେଣୁ ଆପଣ ଯଦି ଭାବୁଥିବେ ଆଜିର ମୋବାଇଲ୍ ଯୁଗରେ ନେତା ଓ ପ୍ରଶାସକ ମାନେ ଜନତାର ଅଳି ଅର୍ଦ୍ଦଳି ଶୁଣିବାକୁ ବାଧ୍ୟ, ତେବେ ଆଉଥରେ ଭାବି ଦେଖନ୍ତୁ। ପ୍ରଥମେ ତ କୌଣସି ଅଯାଚିତ କଲ୍ ବାରମ୍ବାର ଆସିଲେ ସେ ନମ୍ବର ଟିକୁ ସବୁଦିନ ପାଇଁ ବ୍ଲକ କରିଦେଲେ ସବୁ ଦିନ ପାଇଁ କଥା ସରିଲା। ତା ଛଡା କଲ୍ କାହାର ଜାଣି ନ ପାରିଲେ ନ ଉଠାଇବା ଶ୍ରେୟସ୍କର। ପରେ ଯଦି ନିହାତି ଦରକାର ପଡେ କହି ହେବ, ମୁଁ ମିଟିଂରେ ଥିଲି ଅବା ଆଉ ଏକ ଫୋନରେ ଥିଲି।

ଯଦି ବଡ ବଡିଆ ଅପ୍ରୀତିକର ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଏମିତି ବିନା ଦ୍ଵିଧାରେ ମିଛର ସାହାରା ନେଇ ପାରୁଛନ୍ତି ତେବେ ଆମେ ସର୍ବ ସାଧାରଣ ପଛରେ ପଡିବୁ କିଆଁ ? ଆମେ ବି ମୋବାଇଲ ଫୋନ୍ ଓ ସାମାଜିକ ଗଣ ମାଧ୍ୟମ ଜରିଆରେ ଯେତେ ଚାଲବାଜି ସମ୍ଭବ ସବୁ ପ୍ରୟୋଗ କରିବୁ। ଅଧିକାଂଶ ସମୟରେ ଭିଡ ରାସ୍ତାରେ ହେଲମେଟ ତଳେ ମୋବାଇଲ ଜାକି କଥା କହୁଥିଲେ ମଧ୍ୟ ଯାହାର କଲ୍  ପସନ୍ଦ ନ ହେଲା ତାକୁ କହିବୁ “ଗାଡି ଚଲଉଥିଲି ତ।” ଯଦି କାହା ପାଖରୁ ଛପିବାର ଅଛି ତେବେ ତା ନମ୍ବରକୁ ବ୍ଲକ କରିଦେବୁ କିମ୍ବା ନିଜର ନମ୍ବର ବଦଳାଇଦେବୁ। ଆଜି କାଲି ତ ଅଳ୍ପ ବା ବିନା ଖର୍ଚ୍ଚରେ ସିମ ଯାହାକୁ ଯେତେ।

ଏ ତ ଗଲା ମୋବାଇଲ ଫୋନର କଥା, ସାମାଜିକ ଗଣ ମାଧ୍ୟମରେ ବି ମିଛର ସ୍ରୋତ ବହୁଛି ଅନବରତ। ନିଜ ସ୍ଵାର୍ଥ ପାଇଁ ହେଉ ବା ମଜା ପାଇଁ ଅନ୍ୟକୁ ଭୁଆଁ ବୁଲେଇବା ଉଦ୍ଦେଶ୍ୟରେ ହେଉ, ଯିଏ ଯାହା ପାରିଲା ଲେଖିଲା। କିଏ କାହାକୁ ପିଲାଚୋର କହି ମୃତ୍ୟୁ ମୁଖକୁ ଠେଲିଲାଣି ତ କିଏ ପୁଣି ଧର୍ମ ନାମରେ ମିଛ ଗୁଜବ ରଟନା କରି ଦଙ୍ଗା ସୃଷ୍ଟି କଲାଣି। ଆଉ ପୁଣି ଶଠତା ଅବଲମ୍ବନ କରି ମୋବାଇଲ ଫୋନ୍ ମାଧ୍ୟମରେ କିଏ କାହାର ବ୍ୟାଙ୍କ ଖାତା ସମ୍ବନ୍ଧୀୟ ଗୁପ୍ତ ତଥ୍ୟ ମାନ ହାତେଇ ତାର ସାରା ଜୀବନର ସଞ୍ଚୟକୁ ଲୁଟ କଲାଣି। ଲଟେରୀ ଜିତିବାର ଥୋପ ଗିଳେଇ କିଏ କାହାର ମେଞ୍ଚେ ମାରି ନେଲାଣି। ଏ ସବୁ ଖବର ଆଜିର ଖବରକାଗଜମାନଙ୍କରେ ନିତି ଦିନିଆ ଘଟଣା । ତଥାପି ଲୋଭ ସମ୍ବରଣ କରି ନ ପାରି ଜନତା ପ୍ରବଞ୍ଚନାର ଶିକାର ହୋଇଚାଲିଛି।

ମୋବାଇଲ ଓ ସାମାଜିକ ଗଣମାଧ୍ୟମରେ ମିଛ ଓ ଶଠତାର ଏତେ ପ୍ରାଦୁର୍ଭାବ କାହିଁକି ? କାରଣ ଯାହା ବି ହୋଇ ଥାଉ ପଛେ ୟାର ଦୃତ ପ୍ରସାର ପଛରେ ଏକ ମନସ୍ତତ୍ଵିକ ଦିଗ ଯେ ରହିଛି ତାହା ଅଗ୍ରାହ୍ୟ କରି ହେବ ନାହିଁ। ମନୋବିଜ୍ଞାନୀ ମାନେ କହନ୍ତି ମରଣାସ୍ତ୍ର ହାତ ପାଖରେ ଥିଲେ ଅଧିକ ହିଂସାକାଣ୍ଡ ସଂଗଠିତ ହୋଇଥାଏ। ଏଣୁ ମୋବାଇଲର ସହଜ ଉପଲବ୍ଧି ନିଶ୍ଚୟ ମିଛ ପ୍ରବଣତା କୁ ତ୍ୱରାନ୍ୱିତ କରୁଛି।

(ମୋବାଇଲ: ୯୪୩୭୦୮୯୬୫୫)

Comments are closed.