ଜିଅନ୍ତେ ନଦେଲି ତୁଣ୍ଡେ

ସୁଧାଂଶୁ କୁମାର ତ୍ରିପାଠୀ 

ଭ୍ରମରେ ଭ୍ରମିଲି ଭୂଲୋକ ଭିତରେ
ଭୁଲିଯାଇ ଭଲ ମନ୍ଦ
ଭେଣ୍ଡା ହେଲା ଦିନୁ ଭଣ୍ଡାଇ ମୁଁ ଦେଲି
ପିତାମାତା ହେଲେ ଗନ୍ଧ।।

ପ୍ରତିମା ପୂଜିଲି ପ୍ରତିଦିନ ଯାଇ
ପ୍ରାରବ୍ଧେ ଫଳିବ ଫଳ
ପାସୋରି ଦେଲି ମୁଁ ପାଳିଥିଲା ମାଁ
ଅନ୍ତରୁ ନିଗାଡି ବଳ।।

ବାସହରା କଲି ବାପାଙ୍କୁ ମୋ’ହର
ବିକଳେ କାନ୍ଦିଲେ ଦାଣ୍ଡେ
ବୁଦ୍ଧି ଶୁଦ୍ଧି ସବୁ ବାମ ହେଲା ମୋରେ
ଜିଅନ୍ତେ ନଦେଲି ତୁଣ୍ଡେ।।

ଚାରିଧାମେ ଯାଇ ଚତୁଃବର୍ଗ ଚିନ୍ତି
ଚଳୁ କଲି ଗଙ୍ଗା ଜଳେ
ଚଳନ୍ତି ପ୍ରତିମା ଚଳି ନପାରନ୍ତି
କ୍ଷୁଧାରେ ଅନ୍ତର ଜଳେ।।

ପୁତ୍ ନାମ ନର୍କୁ ପାରି ହେବା ପାଇଁ
ପାଳିଥିଲା ମା’ ପୁଅ
ପୁତ୍ର ପାଶୋରିଲା ପିତା ମାତାଙ୍କୁ ଯେ’
ପିତା ଲାଗେ ପିତା ସ୍ନେହ।।

ଅନୁତାପେ ଆଜି ଅବିରତେ ଅଶ୍ରୁ
ଅଜାଡୁଛି ଆଖି କୋଣୁ
ପିତାମାତା ଦୁହେଁ ଶ୍ରେଷ୍ଠ ଏ ଜଗତେ
ଭୁଲିଯିବା ନାହିଁ ମନୁ।।