ହାପି ବାର୍ଥ ଡେ’- ଦୂରଦର୍ଶନ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ : ପଲିଟିକସ ଫଲିଟିକସ…

ଦୂରଦର୍ଶନର କାହାଣୀ ସତେ ଯେମିତି ପୁରୁଣା କ୍ଲିପ୍ ଲଗା ଆଲ୍‌ବମ୍‌ର କଳାଧଳା ଅଭୁଲା ଜହ୍ନରାତିର ସ୍ମୃତି ପରି । ଦୂରଦର୍ଶନରେ ‘ରାମାୟଣ’ ଧାରାବାହିକ ପ୍ରସାରଣ ସମୟରେ ରାସ୍ତାଘାଟରେ ଯେଉଁ କେତୁଟା ଗାଡ଼ି ମଟର ଚାଲୁଥିଲା, ସେତକ ବନ୍ଦ ହୋଇଯାଉଥିଲା । ନଈ ଆରପାରିରେ ଆମ ଗାଁକୁ ଯିବା ବି ଥିଲା ବେଶ ମୁସ୍କିଲ୍ । କାରଣ- ଘାଟିଆ ଡଙ୍ଗା ଓ କାତ ଛାଡ଼ି ଦେଇ ‘ରାମାୟଣ’ କି ‘ମହାଭାରତ’ ଦେଖିବାକୁ ଯାଉଥିଲା । ସେଥିରେ ଅଭିନୟ କରିଥିବା କଳାକାରମାନେ ବି ଆମ ସ୍ମୃତିରେ ଏକରକମ ଜୀବନ୍ତ ଭଗବାନ । ପରକୁ ପର ଯେତେ ରାମାୟଣ ମୁଁ ଦେଖିଛି, ସିନେମାରେ କିମ୍ବା ଅଲଗା ମାଧ୍ୟମରେ, ସବୁଦିନେ ମନେ ପଡ଼େ ରାମାୟଣର ରାମଚନ୍ଦ୍ର ମାନେ ଅରୁଣ ଗୋଭିଲ୍ ।

ସିନେମାର ବଲିଉଡ଼୍ ବଜାର କିମ୍ବା ୧୯୯୧ରେ ସାଟେଲାଇଟ୍ ଚାନେଲ୍ ଆସିବା ପୂର୍ବରୁ ଦୂରଦର୍ଶନ ହିଁ ଥିଲା ସାରା ପରିବାରଟା ପାଇଁ ଖବର, ମନୋରଂଜନ, ଇତିହାସ, ଭୂଗୋଳ, ସାହିତ୍ୟ-ସବୁ ଜାଣିବାର ଗୋଟାଏ ଦେଖଣା ମାଧ୍ୟମ । ବୁନିୟାଦ୍‌, ନୁକ୍କଡ଼, ହମ୍‌ଲୋଗ୍‌, ୟେହ ଜୋ ହୈ ଜିନ୍ଦେଗୀ, ଭାରତ ଏକ୍ ଖୋଜ୍‌, ଦି ସୋର୍ଡ଼ ଅଫ୍ ଟିପ୍ ସୁଲତାନ୍‌, ଚିତ୍ରହାର, ରଙ୍ଗୋଲି, ଏକ୍ ସେ ବଢ୍‌କର୍ ଏକ୍‌, ଦେଖ୍ଭା ଇ ଦେଖ୍‌, ବ୍ୟୋମକେଶ ବକ୍ସି, ଚନ୍ଦ୍ରକାନ୍ତା, ତେହକିକାତ୍‌, ସୁରଭି, ଗୁଲ୍ ଗୁଲ୍‌ଶନ୍ ଗୁଲ୍‌ଫାମ୍‌, ଉଡ଼ାନ୍‌, ମାଲ୍‌ଗୁଡ଼ି ଡେଜ୍‌….ଏମିତି ଆହୁରି ଅନେକ କାର୍ଯ୍ୟକ୍ରମ ଆମକୁ ଦେଇଥିଲା ଦୂରଦର୍ଶନ, ଯାହା ତାହାର ଲୋକପ୍ରିୟତାକୁ ପୁରୁଣା ଦିନରେ ସର୍ବାଧିକସ୍ତରରେ ପହଁଚାଇ ଥିଲା ।

ଠିକ୍ ୫୩ ବର୍ଷ ତଳେ ୧୯୫୯ ମସିହା ସେପ୍ଟେମ୍ବର ୧୫ ତାରିଖ ନୂଆଦିଲ୍ଲୀର ଗୋଟେ ଛୋଟିଆ ଟ୍ରାନ୍‌ସମିଟର୍‌କୁ ନେଇ ଓ ଗୋଟେ ଉଠା ଷ୍ଟୁଡ଼ିଓରୁ ଆତ୍ମପ୍ରକାଶ କରିଥିଲା ଦୂରଦର୍ଶନ । ୧୯୬୫ ମସିହାରୁ ଏହା ଅଲ୍ ଇଣ୍ଡିଆ ରେଡିଓ ସାଙ୍ଗେ ମିଶି ସବୁଦିନିଆ ଛୋଟମୋଟ କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭ କରିଥିଲା । ତା’ର ସାତ ବର୍ଷ ପରେ ଦୂରଦର୍ଶନର ବିସ୍ତାର ଆରମ୍ଭ ହୋଇଥିଲା । ପ୍ରସାରଣ ବଢି ଯାଇଥିଲା ସେତେବେଳକାର ବମ୍ବେ ଆଉ ଅମୃତସରକୁ (୧୯୭୨) ।

୧୯୭୫ ମସିହା ପର୍ଯ୍ୟନ୍ତ ଦେଶର ମାତ୍ର ସାତଟି ସହରର ଲୋକେ ହିଁ ଦେଖୁଥିଲେ ଦୂରଦର୍ଶନ ନାମକ ଅଜବ ଜିନିଷକୁ । ୧୯୮୨ ମସିହାରେ ଦୂରଦର୍ଶନ ଆରମ୍ଭ କରିଥିଲା ଜାତୀୟ ପ୍ରସାରଣ କାର୍ଯ୍ୟକ୍ରମ । ୧୯୬୭, ଜାନୁଆରୀ ୨୬ରୁ ଦୂରଦର୍ଶନରେ ପ୍ରସାରଣ ଆରମ୍ଭ ହୋଇଥିବା ‘କୃଷି ଦର୍ଶନ’ ହେଉଛି ଆମ ଦେଶର ସର୍ବାଧିକ ଦିନ ଚାଲିଥିବା କାର୍ଯ୍ୟକ୍ରମ ।

ଯେଉଁ ବର୍ଷ ଜାତୀୟ ପ୍ରସାରଣ ଆରମ୍ଭ ହେଲା, ଯୋଗକୁ ସେଇ ବର୍ଷ ହିଁ ରଙ୍ଗୀନ ଟେଲିଭିଜନ୍ ଆସି ଯାଇଥିଲା । ୧୯୮୨ ମସିହାର ସ୍ୱାଧିନତା ଦିବସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଅଭିଭାଷଣ ପ୍ରସାର କରିଥିଲା ଦୂରଦର୍ଶନ । ଏକାବର୍ଷ ନୂଆଦିଲ୍ଲୀ ଆୟୋଜନ କରିଥିଲା ଏସିଆନ୍ ଗେମ୍‌ସ । ଆଉ ତା’କୁ ପ୍ରସାରଣ କରି ଦୂରଦର୍ଶନ ଲୋକପ୍ରିୟତାର ସିଡ଼ି ଚଢିବାକୁ ଆରମ୍ଭ କରିଥିଲା । ପରକୁ ପର ଆସିଥିଲା ଅଭୁଲା ଧାରାବାହିକର ଲମ୍ବା ଧାଡ଼ି, ‘ସୁରଭି’ ପରି ସାଂସ୍କୃତିକ କାର୍ଯ୍ୟକ୍ରମର ପସରା ଏବଂ ‘ଚିତ୍ରହାର’ରେ ଚିର ସବୁଜ ଗୀତର ସୁର । ଯାହା ଦୂରଦର୍ଶନର ସ୍ଥାନକୁ ପ୍ରତିଟି ଭାରତୀୟଙ୍କ ଛାତିରେ ସ୍ୱତନ୍ତ୍ର କରି ଦେଇଥିଲା ।

ଏବେ ୨୧ଟି ଚ୍ୟାନେଲ୍‌କୁ ବଢି ସାରିଛି ଦୂରଦର୍ଶନର ପରିସୀମା । ପାଖାପାଖି ୪୬ଟି ନିୟମିତ ଷ୍ଟୁଡ଼ିଓରୁ କାର୍ଯ୍ୟକ୍ରମ ସୁଟିଂ ହେଉଛି ଓ ପ୍ରସାରିତ ହେଉଛି । ୨୧ଟି ଚ୍ୟାନେଲ୍ ମଧ୍ୟରୁ ଦୁଇଟି ହେଉଛି ଜାତୀୟ- ଯଥା ଦୂରଦର୍ଶନ (ନେସ୍‌ନାଲ୍‌) ଏବଂ ଦୂରଦର୍ଶନ (ନିଉଜ୍‌) । ସେମିତି ଆଉ ଗୋଟେ ଚ୍ୟାନେଲ୍ ଦୂରଦର୍ଶନ (ସ୍ପୋର୍ଟସ୍‌) କେବଳ ଖେଳ ପାଇଁ ଉଦ୍ଦିଷ୍ଟ । ଏଇ ଚ୍ୟାନେଲ୍‌ର ବିଶେଷତା ହେଉଛି- କବାଡ଼ି, ଖୋ ଖୋ ଆଦି ଗ୍ରାମାଞ୍ଚଳ କ୍ରୀଡ଼ା ମଧ୍ୟ ଏଥିରେ ପ୍ରସାରିତ ହୋଇଥାଏ, ଯାହା ଅଲଗା ସାଟେଲାଇଟ୍ ସ୍ପୋର୍ଟସ୍ ଚ୍ୟାନେଲ୍‌ରେ ଆଦୌ ସ୍ଥାନ ପାଇ ନଥାଏ । ଏହାଛଡ଼ା ସଂସଦର କାର୍ଯ୍ୟକ୍ରମର ସିଧାପ୍ରସାରଣ ପାଇଁ ସ୍ୱତନ୍ତ୍ର ଚ୍ୟାନେଲ ରହିଛି । ନଭେମ୍ବର ୩, ୨୦୦୩ ମସିହାରେ ଆରମ୍ଭ ହୋଇଥିଲା ଦୂରଦର୍ଶନ (ନିଉଜ୍‌) । ଏହି ଚ୍ୟାନେଲ୍ ୨୪ ଘଣ୍ଟିଆ ଖବର ପ୍ରସାରଣ କରି ଆସୁଛି ।

ତେବେ ପ୍ରସାରଣ ଆଉ ଲୋକପ୍ରିୟତାର ବିଶାଳ ପରିଧି ଭିତରେ ଦୂରଦର୍ଶନ ବିବାଦଠାରୁ ବିଶେଷ ଦୂରେଇ ପାରି ନାହିଁ । ବର୍ତ୍ତମାନ ପ୍ରସାରଭାରତୀ ଯାହା ସରକାରୀ ଭାଷାରେ ସ୍ୱୟଂଶାସିତ, ତାହା ଦୂରଦର୍ଶନ ଏବଂ ଆକାଶବାଣୀ (ଅଲ୍ ଇଣ୍ଡିଆ ରେଡିଓ)ର ପରିଚାଳନା ସଂସ୍ଥା ଭାବେ କାର୍ଯ୍ୟ କରୁଛି । କିନ୍ତୁ ସରକାରୀ ସରହଦ୍ ଭିତରୁ ଦୂରଦର୍ଶନ କେବେ ବି ବାହାରି ଆସି ପାରିନାହିଁ । ଯାହା ପରୋକ୍ଷରେ ପ୍ରଭାବିତ କରିଛି ଦେଶର ସବୁଠାରୁ ବଡ଼ ଗଣମାଧ୍ୟମକୁ । ସେମିତି ସାଟେଲାଇଟ୍ ଯୁଗରେ ଯେତେବେଳେ ଧାରାବାହିକ ଓ ରିଅଲିଟି ସୋ’ ଆମ ସମୟକୁ କବ୍‌ଜା କରି ପକେଇଛି, ସେତେବେଳେ ଦୂରଦର୍ଶନ ବଜାର ଚାହିଦା ଅନୁସାରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପାରୁନି । ବରଂ ପାରମ୍ପରିକ ଏବଂ ପୁରୁଣା ଢଙ୍ଗରେ ବନ୍ଧା ପଡ଼ି ଯାଇଛି ବୋଲି ଚର୍ଚ୍ଚା ବଢେ । ତେଣୁ ଏହାର ଦର୍ଶକଙ୍କ ସଂଖ୍ୟା ଆତଙ୍କଜନକ ଭାବେ କମି ଯାଇଛି ।

ସାଟେଲାଇଟ୍ ଯୁଗରେ ଏବେ ହୁଏତ ଆମ ପାଖରେ ଦୂରଦର୍ଶନ ପାଇଁ ସମୟ ଆଉ ନାହିଁ । ଟିଭି ରିମୋଟ୍‌ରେ ଚ୍ୟାନେଲ୍ ଫଟାଫଟ୍ ଦଳାଇଲା ବେଳେ ତଥାପି ଆମ ହାତ ବେଳେ ବେଳେ ଦୂରଦର୍ଶନ ପାଖେ ରହିଯାଏ । କାରଣ- ପୁରୁଣା ସ୍ମୃତି ସେଇଠି ଆମକୁ ଅଟକେଇ ଦିଏ। ଦୂରଦର୍ଶନର ଲୋକପ୍ରିୟ ଧାରାବାହିକ ବର୍ତ୍ତମାନ ବି ବେଳ ଅବେଳରେ ଅଲଗା ଚ୍ୟାନେଲ୍‌ରେ ଆସିଲେ ମନ ଭିତରେ କୋଉଠି ନା କୋଉଠି ମାଲ୍‌ଗୁଡ଼ି ସହର ସ୍ମୃତିରେ ସତେଜ ହୋଇଉଠେ । ତେବେ ୬୩ ବର୍ଷର ଲମ୍ବା ରାସ୍ତାରେ ଯେତେବେଳେ ଭାରତୀୟଙ୍କ କଳ୍ପନାରେ ଯିଏ ଡେଣା ଲଗେଇ ଦେଇଥିଲା, ବାସ୍ତବ ଚରିତ୍ର କରି ଆମ ସାମ୍ନାରେ ଠିଆ କରିଥିଲା ଏବଂ ରଙ୍ଗ ଦେଇଥିଲା- ସେଇଟି ହେଉଛି ଦୂରଦର୍ଶନ ।