ପଶୁ ଓ ରାଜନୀତି

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……

ନିକଟରେ ଓଡ଼ିଶାର ଉପବାଚସ୍ପତି ଏକ ସମାବେଶରେ କହି ପକାଇଲେ ରାଜ୍ୟର ମୁଖ୍ୟମନ୍ତ୍ରୀ କୁଆଡେ ସାଢେ ଚାରି କୋଟି ଓଡ଼ିଆଙ୍କ ଠାକୁର। ଅବଶ୍ୟ ନିଜ ଦଳର ସର୍ବେସର୍ବାଙ୍କୁ ମହିମା ମଣ୍ଡିତ କରିବାର ପ୍ରବଣତା ତାଙ୍କର ସ୍ୱାଭାବିକ, ହେଲେ ତାଙ୍କ ବର୍ଣ୍ଣନା ବିବାଦକୁ ଟାଣି ହୋଇଗଲା ଯେତେବେଳେ ସେ ସମନିଃଶ୍ୱାସରେ ବିରୋଧୀଙ୍କୁ କୁକୁର ବୋଲି ଆକ୍ଷେପ କରି ପକାଇଲେ। ଉପବାଚସ୍ପତି କ୍ଷମା ନ ମାଗିଲେ ବିରୋଧୀ ରାସ୍ତାକୁ ଓହ୍ଲାଇବାର ଧମକ ଦେଲେଣି।

ରାଜନୀତିର ଚକଚକିଆ, ଲାଭପ୍ରଦ ଆଉ ସୁରକ୍ଷିତ ପରିସର ଭିତରକୁ ଧସେଇ ପଶିବା ପାଇଁ ଆଜି ସବୁ ଗୋଷ୍ଠୀ ଓ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କ ଇଚ୍ଛା। ଖାଲି ଇଚ୍ଛା ତ ନୁହେଁ ରୀତିମତ କସରତ ଆଉ ଚକ୍ରାନ୍ତ। ସବୁ କିସମର ମଣିଷର ଇଚ୍ଛା ଯେନ ତେନ ପ୍ରକାରେଣ ରାଜନୀତି ବୈତରଣୀରେ ଝାମ୍ପ ଟିଏ ମାରି ନଦୀ ପାର ହୋଇଗଲେ ପୁରୁଷ ପୁରୁଷ ଧରି ଭବିଷ୍ୟତ ସୁରକ୍ଷିତ ହୋଇ ପାରନ୍ତା।

ଆଜିର ମଣିଷର ରାଜନୀତି-ପ୍ରବେଶର ଏହି ଅଦମ୍ୟ ଇଚ୍ଛାର ଠିକ ବିପରୀତ ପାଖରେ ଦଳେ ଏମିତି ଭାଗ୍ୟହୀନ ବି ରହିଛନ୍ତି ଯାହାଙ୍କୁ କୌଣସି ଉତ୍ସାହ ବା ପ୍ରଚେଷ୍ଠା ନ ଥାଇ ମଧ୍ୟ ରାଜନୀତିର ଚକ୍ରବ୍ୟୁହ ଭିତରକୁ ଜୋର ଜବରଦସ୍ତ ଟଣା ହେଉଛି। ହଁ ଆଜ୍ଞା, ମୁଁ ଆମର କିଛି ଜଣାଶୁଣା ପଶୁ ପକ୍ଷୀଙ୍କ କଥା କହୁଛି ଯେଉଁମାନେ ମଣିଷର କୁଟିଳ ରାଜନୀତି ଭିତରକୁ ଅନିଚ୍ଛା ସତ୍ତ୍ୱେ ପଶି ଆସିଛନ୍ତି। ରାମାୟଣ, ମହାଭାରତ ସମୟରୁ ଏହି ପଶୁ ପକ୍ଷୀଙ୍କୁ ନେଇ ରାଜନୀତିର ଅୟମାରମ୍ଭ। ରାମାୟଣରେ ବାନର ରାଜା ବାଳି ବଧଠୁଁ ଆରମ୍ଭ କରି ମହାଭାରତରେ ଧର୍ମବୀର ଯୁଧିଷ୍ଠିରଙ୍କ ମୃତ ହସ୍ତୀ ଅଶ୍ଵତ୍ଥମା କୁ ନେଇ ଅର୍ଦ୍ଧସତ୍ୟର ରାଜନୀତି, ଏମିତି କେତେ ଦୃଷ୍ଟାନ୍ତ ସବୁ ରହିଛି।

ପୃଥିବୀର ଆଗୁଆ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ଦୁଇ ପ୍ରଧାନ ରାଜନୈତିକ ଦଳ, ଯଥା ରିପବ୍ଲିକାନ ଓ ଡେମୋକ୍ରାଟ ଦଳ ଗୁଡିକର ଚିହ୍ନ ଯଥାକ୍ରମେ ଗଧ ଆଉ ହାତୀ। ଉନବିଂଶ ଶତାବ୍ଦୀରୁ ରହିଆସିଥିବା ଏହି ପଶୁ ଚିହ୍ନ ଗୁଡିକ ବାଛିବା ପଛରେ ବି ରହିଛି ସେ ସମୟର ରାଜନୀତି। ଆମ ଭାରତରେ ମଧ୍ୟ ଗାଈ ବାଛୁରି, ଯୋଡା ବଳଦ, ସିଂହ ଇତ୍ୟାଦି ପ୍ରାଣୀ ବେଳେବେଳେ ଦଳ ମାନଙ୍କର ନିର୍ବାଚନୀ ସଙ୍କେତ ହୋଇ କେତେ ବିତର୍କ ଓ ସମାଲୋଚନାର ଶରବ୍ୟ ହୋଇ ଥାଆନ୍ତି।

ପୁଣି ଅନେକ ସମୟରେ ଏହି ନିରୀହ ପ୍ରାଣୀ ଗୁଡାକଙ୍କ ନାଁ କୁ ମାଧ୍ୟମ କରି ରାଜନୈତିକ ହଟ୍ଟ ଚମଟ ସୃଷ୍ଟି ହେବାର ନଜିର ମଧ୍ୟ ରହିଛି। ମହାଭାରତରେ ଧର୍ମ ଦେବତା ଗୋଟିଏ କୁକୁର ରୂପରେ ସିନା ଧର୍ମରାଜ ଯୁଧିଷ୍ଟିରଙ୍କୁ ସ୍ଵର୍ଗକୁ ବାଟ କଢାଇ ନେଇ ଥିଲେ, ହେଲେ ଆଧୁନିକ ଭାରତରେ ସେହି କୁକୁର, ନେତା ମାନଙ୍କର ନିଜ ନିଜର ପ୍ରତିଦ୍ଵନ୍ଦ୍ଵୀ ମାନଙ୍କୁ ନିଚା ଦେଖାଇବାର ଓ ଅପମାନିତ କରିବାର ଗୋଟିଏ ଆୟୁଧ ବନି ଗଲାଣି। ଓଡିଶା ଉପବାଚସ୍ପତିଙ୍କ ଉପର ବର୍ଣ୍ଣିତ ଉକ୍ତି ଏହାର ସଦ୍ୟତମ ଉଦାହରଣ, ହେଲେ ଭାରତୀୟ ରାଜନୀତିରେ କୁକୁର ଜାତିକୁ ନେଇ ରାଜନୈତିକ ଝଡ଼ ଅନେକ ଥର ବୋହିସାରିଛି।

ଭାରତୀୟ ରାଜନୀତିରେ ଜଣେ ପୁରୁଖା ନେତା କଂଗ୍ରସ ଦଳର ଦିଗବିଜୟ ସିଂହ ତାଙ୍କର ଅନେକ ବିତର୍କିତ ବକ୍ତବ୍ୟ ପାଇଁ ବହୁ ସମୟରେ ଚର୍ଚ୍ଚାରେ ଥାଆନ୍ତି। ମଧ୍ୟ ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଥିବା ସମୟରେ ରାଜ୍ୟର ଅନ୍ୟତମ ବରିଷ୍ଟ ନେତା ଅର୍ଜୁନ ସିଂହଙ୍କ ସହ ତାଙ୍କର ଛକା ପଞ୍ଝା ଲାଗି ରହିଥାଏ। ଏମିତି ଗୋଟିଏ ବିଷମ ମୂହୁର୍ତ୍ତ ରେ ସାମ୍ବାଦିକ ମାନେ ତାଙ୍କର ଭବିଷ୍ୟତ ପନ୍ଥା ବିଷୟରେ ପ୍ରଶ୍ନ କଲାରୁ ଦିଗବିଜୟ କହି ପକାଇଲେ, “ମୋର ପ୍ରଥମ କାମ ହେଲା ମୋର ପାଦ ଏଡିକୁ କାମୁଡା କୁକୁର ମୁହଁରୁ ବଞ୍ଚାଇବା। ତା’ ପରେ ଯାଇଁ ଯୋଉ କଥା।”

କୁକୁର ଜାତି ପୁଣି ରାଜନୀତିର କନ୍ଦଳର ଅଂଶ ହୋଇଗଲା ଯେତେବେଳେ ଦେଶର ଦୁଇଜଣ ବରିଷ୍ଠ କଂଗ୍ରସ ନେତାଙ୍କୁ ଇଙ୍ଗିତ କରି ଆଉ ଜଣେ ନେତା କହିପକାଇଲେ ଯେ ସେମାନେ ପୋଷା କୁକୁର ଭଳି କୁଆଡେ ଦଳର ନେତ୍ରୀଙ୍କର ପଦ ଲେହନ କରନ୍ତି। ଅପମାନ ଓ କ୍ରୋଧରେ ଜର୍ଜ୍ଜରିତ ହୋଇ ନେତା ଦ୍ୱୟ, ବ୍ୟକ୍ତବ୍ୟ ରଖିଥିବା ନେତାଙ୍କୁ ଆକ୍ଷେପ କରି ଅନୁରୂପ ମନ୍ତବ୍ୟ ମାନ ଦେଇ ପକାଇଲେ। ଚାଲିଲା କିଛିଦିନ କାଦୁଅ ଫୋପଡା ଫୋପଡି।

ପୁଣି ବୁଦ୍ଧିଆ ନେତା ଶଶୀ ଥରୁରଙ୍କ ବିବାଦ ପୂର୍ଣ୍ଣ “ଗୋରୁ ଗାଈ ଶ୍ରେଣୀ” ମନ୍ତବ୍ୟ ଟିକୁ ଭୁଲିବ ବା କିଏ? ଅତ୍ୟନ୍ତ ବିଳାସ ବ୍ୟସନରେ ଜୀବନ ବିତାଉଥିବା ଏହି ନେତାଙ୍କ ପାଇଁ ବିମାନରେ ସାଧାରଣ ଶ୍ରେଣୀରେ ଯାତ୍ରା କରିବା ଥିଲା କଷ୍ଟଦାୟକ, ତେଣୁ ସେ ବିରକ୍ତି ଭରେ ସାମାଜିକ ମାଧ୍ୟମରେ ଏହି ଶ୍ରେଣୀକୁ ନାମିତ କରିଦେଲେ “ଗୋରୁ ଗାଈଙ୍କ ଶ୍ରେଣୀ” ବୋଲି। ବାସ, ସେତିକିରେ ତ ବିରୋଧୀ ଦଳ ଖପ୍ପା। କହିଲେ ସେ କୁଆଡେ ମଧ୍ୟମ ଓ ନିମ୍ନ ବର୍ଗର ଭାରତୀୟ ମାନଙ୍କୁ ଏମିତି କହି ଅପମାନ ଦେଇଛନ୍ତି, ଏଣୁ କ୍ଷମା ମାଗନ୍ତୁ।

ମୋର ପଶୁ ପକ୍ଷୀଙ୍କୁ ନେଇ ଏତେ ସବୁ ବିତର୍କ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଲା ଏହା ଦର୍ଶାଇବାକୁ ଯେ, ଘଟନା ଯେତେ ସଙ୍ଗୀନ ହେଲେ ବି ପ୍ରାଣୀ ସମୂହ ଯେଉଁ ତିମିରେ କୁ ସେହି ତିମିରେ। ତାଙ୍କର ସରଳତା, ବିଶ୍ଵସ୍ତତା ଓ ନିସ୍ଵାର୍ଥପରତା ଯେମିତି ଥିଲା ସେମିତି ରହିଛି। ଏଥିରେ ଲେଶ ମାତ୍ର ପ୍ରଭାବ ପକାଇ ପାରିନି ମଣିଷର କୁଟିଳ ରାଜନୀତି। ମଣିଷ ଏହି ନିରୀହ ପ୍ରାଣୀ ମାନଙ୍କୁ ଯେମିତି ଚାହିଁଛି ସେମିତି ଅତ୍ୟାଚାର କରିଛି ଯୁଗ ଯୁଗ ଧରି। ତେଣୁ ଯଦି କ୍ଷମା ମାଗିବା କଥା ତେବେ ବରଂ ସେହି ପଶୁ ଜାତିକୁ ମାଗିବା ଦରକାର ଯେଉଁମାନଙ୍କର ସରଳତାର ସୁଯୋଗ ନେଇ ତାଙ୍କୁ ରାଜନୀତି ପରିସରକୁ ଟାଣି ଆଣି ଉପହାସ କରା ଯାଉଛି ଥରକୁ ଥର।

(ମୋବାଇଲ: ୯୪୩୭୦୮୯୬୫୫)