ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……
ନିକଟରେ ଭୁବନେଶ୍ୱରରେ ଶେଷ ହୋଇଛି କନିଷ୍ଠ ପୁରୁଷ ହକି ବିଶ୍ୱ କପ୍ ଟୁର୍ଣ୍ଣାମେଣ୍ଟ। ପ୍ରତିଯୋଗିତାଟିର ଅନ୍ୟ କୌଣସି ବିଶେଷତ୍ୱ ଥାଉ କି ନ ଥାଉ ଏହାର ଗୋଟିଏ ଦିଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯିବ ଯେ ଏହା ସାଧାରଣ ଦର୍ଶକ ମାନଙ୍କ ଅନୁପସ୍ଥିତିରେ ଖେଳା ଯାଇଥିଲା। ଖାଲି ଏହି ଟୁର୍ଣ୍ଣାମେଣ୍ଟ କାହିଁକି ବିଶ୍ୱର କ୍ରୀଡା ଜଗତର ସବୁଠୁ ବୃହତ ଓ ପ୍ରସିଦ୍ଧ ପ୍ରଦର୍ଶନ, ଅଲିମ୍ପିକ୍ ଖେଳ ମଧ୍ୟ ଅନେକ ଦିନର ଅନିଶ୍ଚିତତାର କୁହେଳି ଭେଦ କରି ଶେଷରେ ଟୋକିଓ ଠାରେ ଅନୁଷ୍ଠିତ ହୋଇ ଯାଇଛି ଦର୍ଶକଙ୍କ ବିନା। ଭାରତୀୟ କ୍ରିକେଟର ଲୋକପ୍ରିୟ ମଉଛବ, ଆଇପିଏଲ୍ ର ଏବର୍ଷର ସଂସ୍କରଣ ତଥା ଟି-୨୦ ବିଶ୍ୱ କପ୍ (ଯାହାର ଆୟୋଜକ ଥିଲା ଭାରତ) ସମାପ୍ତ ହୋଇଛି ଭାରତ ଭୂମିରେ ନୁହେଁ, ସୁଦୂର ସଂଯୁକ୍ତ ଆରବ ଏମିରେଟ ଠାରେ। ମହାମାରୀର ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ଏହି ଯେତେ ସବୁ ବ୍ୟବସ୍ଥା। ବିନା ଦର୍ଶକ ରେ ଓ କେବଳ ଟେଲିଭିଜନରେ ପ୍ରସାରଣ ଉଦ୍ଦେଶ୍ୟରେ ମ୍ୟାଚ ସବୁ ଯଦି ଖେଳାଯାଏ ତେବେ କୋଭିଡ ଭୂତାଣୁ ପାଇଁ ପ୍ରଶସ୍ତ ଚାରଣଭୂମି ମିଳିଯିବ ନାହିଁ, ଏହା ହିଁ ଧାରଣା।
ଗ୍ୟାଲେରୀରେ ଦର୍ଶକଙ୍କ ଅନୁପସ୍ଥିତିରେ ଏତେ ନାମଜାଦା ଓ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ସବୁ ସଂଗଠିତ ହେବା ଭାରତ ପାଇଁ ସମ୍ପୂର୍ଣ୍ଣ ନୂଆ ଘଟଣା । ଦର୍ଶକ ବିନା ଯେ କୌଣସି ଖେଳ ତା’ର ସବୁ ଆକର୍ଷଣ ହରାଇ ବସେ। ଜଣେ କ୍ରୀଡା ଭାଷ୍ୟକାରଙ୍କ ମତାନୁସାରେ ବିନା ଦର୍ଶକର ମ୍ୟାଚ ବିନା ମସଲାରେ ତିଆରି ତରକାରୀ ଭଳି ସ୍ଵାଦହୀନ। ତେବେ ଉପାୟ ବା କ’ଣ?
ମହାମାରୀର ଜଟିଳ ପରିସ୍ଥିତି ସମୟରେ କ୍ରୀଡା ସଂଗଠକଙ୍କ ପାଖରେ କେବଳ ଦୁଇଟି ବିକଳ୍ପ ରହିଥିଲା। ପ୍ରଥମଟି ହେଲା ନିର୍ଦ୍ଧାରିତ ସମସ୍ତ ଖେଳକୁ ସାମୟିକ ଭାବରେ ରଦ୍ଦ କରିବା, ଅନ୍ୟଥା ଖାଲି ଷ୍ଟାଡିଅମରେ ମ୍ୟାଚ ଖେଳାଇ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ଏହାକୁ ପ୍ରଶଂସକମାନଙ୍କ ପାଖରେ ପହଞ୍ଚାଇବା। ପୁଣି ସଂକ୍ରମଣର ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରିବା ପାଇଁ ଖେଳାଳି ଓ କର୍ମଚାରୀ ମାନଙ୍କ ପାଇଁ ‘ଜୈବ ବଳୟ’ ର ବ୍ୟବସ୍ଥା କରାଯାଇଥିଲା, ଯାହା ସୁରକ୍ଷାକୁ ଆଉ ଗୋଟିଏ ସ୍ଥରକୁ ନେଇ ଯାଇଥିଲା। ଏହି କଡା ସୁରକ୍ଷାର ସାଞ୍ଜୁ ଭିତରେ ଥାଇ ଖେଳାଳି ମାନେ ଖେଳ ପ୍ରଦର୍ଶନ କରୁଥିଲେ, ଯାହାକି ଟିଭି ପ୍ରସାରଣ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚା ଯାଉଥିଲା।
ଖେଳ ରଦ୍ଦ ହେବା କିମ୍ବା ବିନା ଦର୍ଶକରେ ଅନୁଷ୍ଠିତ ହେବା, ଏହି ଦୁଇଟି ଯାକ ବିକଳ୍ପର ଗତ ଦୁଇ ବର୍ଷ ଭିତରେ ଅନେକବାର ପରୀକ୍ଷା ହେଲାଣି । ଗତ ବର୍ଷ ଭାରତ-ଦକ୍ଷିଣ ଆଫ୍ରିକା ଏକ ଦିବସିଆ ସିରିଜକୁ ରଦ୍ଦ କରା ଯାଇଥିଲା । ଆହୁରି ମଧ୍ୟ ରଦ୍ଦ ହୋଇଥିଲା ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ୍ ମଧ୍ୟରେ ଚାଲିଥିବା କ୍ରିକେଟ ସିରିଜ। ଆମେରିକାରେ ବାସ୍କେଟବଲ ଖୁବ ଲୋକପ୍ରିୟ, କିନ୍ତୁ ବର୍ଷେ ତଳେ ଛୋଟ ବଡ଼ ସମସ୍ତ ଟୁର୍ଣ୍ଣାମେଣ୍ଟକୁ ବନ୍ଦ କରି ଦିଆ ଯାଇଥିଲା। ସୁନାମଧନ୍ୟ ବାସ୍କେଟବଲ ତାରକାମାନେ ପ୍ରଶଂସକଙ୍କ ଅନୁପସ୍ଥିତିରେ ମ୍ୟାଚ ଖେଳିବେ ନାହିଁ ବୋଲି ଓହରି ଯାଇଛନ୍ତି। ଏହାଛଡା ସାରା ବିଶ୍ୱରେ ଦ୍ଵିତୀୟ ମହାଯୁଦ୍ଧ ପରଠୁ କେବେବି ବନ୍ଦ ହୋଇ ନଥିବା କ୍ରୀଡା ଗୁଡିକ ଗୋଟିଏ ପରେ ଗୋଟିଏ ରଦ୍ଦ ଘୋଷିତ ହୋଇଛି। ଟେନିସ୍ରେ ନାମଜାଦା ଗ୍ରାଣ୍ଡ୍ ସ୍ଲାମ୍ ଟୁର୍ଣ୍ଣାମେଣ୍ଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆ ଯାଇଥିଲା ବର୍ଷେ ତଳେ।
ଖେଳ ରଦ୍ଦ କରିବା ବା ଘୁଞ୍ଚାଇ ଦେବା ଗୋଟିଏ ବିକଳ୍ପ ହେଲେ ଅନ୍ୟ ବିକଳ୍ପଟି ହେଲା ବିନା ଦର୍ଶକର ଟୁର୍ଣ୍ଣାମେଣ୍ଟକୁ ଆଗେଇ ନବା। ଏମିତି ପରିସ୍ଥିତିର ମୁକାବିଲା କରିବାକୁ ହେଲେ ପ୍ରଥମେ କ୍ରୀଡା ଓ ଦର୍ଶକର ସମ୍ପର୍କକୁ ବୁଝିବାକୁ ହେବ। ଦର୍ଶକ କ’ଣ କେବଳ ଟିକଟ କିଣି ଗ୍ୟାଲେରୀ ଭରିବାର ଏକ ମାଧ୍ୟମ ନା ଖେଳର ଗତି ଓ ପ୍ରଗତିରେ ତା’ର କିଛି ଅଲଗା ଭୂମିକା ରହିଛି ? ଫୁଟବଲ ଓ କ୍ରିକେଟ ଇତ୍ୟାଦି ଖେଳରେ ଅନେକ ଉଦାହରଣ ରହିଛି ଯାହା ପ୍ରମାଣିତ କରେ ଯେ ଦର୍ଶକ ଓ ପ୍ରଶଂସକଙ୍କ ବହୁଳ ମାତ୍ରାରେ ଉପସ୍ଥିତି ଓ ଆଚରଣ, ଖେଳାଳି ମାନଙ୍କର ପ୍ରଦର୍ଶନକୁ ପ୍ରଭାବିତ କରିଥାଏ ।
ହୁଏତ ସେଇଥିପାଇଁ ନିଜ ଦେଶର ଦର୍ଶକଙ୍କ ସାମ୍ନାରେ ଖେଳିବାରେ ଘରୋଇ ଟିମକୁ ସହାୟକ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ପ୍ରଶଂସକଙ୍କ କରତାଳି ଓ ଚିତ୍କାରରେ ଘୋ ଘୋ ହେଉଥିବା ଷ୍ଟାଡିଅମ୍ ସତେ ଯେମିତି ଖେଳାଳି ମନରେ ଏକ ଯାଦୁ ସଞ୍ଚାର କରେ ଓ ସେ ନିଜ ଆତ୍ମବିଶ୍ୱାସକୁ ବି ଅତିକ୍ରମ କରି ଅଧିକ କିଛି ପ୍ରଦର୍ଶିତ କରି ପକାଏ। ସେଇଥି ପାଇଁ ତ ଶତକଟିଏ ମାରି ସାରିବା ପରେ ସାରା ଷ୍ଟାଡିଅମ୍ ଗୁଞ୍ଜରିତ ହେଇ ଉଠିଲେ ବାଟସମ୍ୟାନ ଦର୍ଶକଙ୍କୁ ନିଜ ହୃଦୟରୁ ଧନ୍ୟବାଦ ଜଣାଏ ବ୍ୟାଟ ଉପରକୁ ଟେକି । ଆଉ ଫୁଟବଲର ଷ୍ଟ୍ରାଇକର କଠିନ ଗୋଲଟିଏ ସ୍କୋର କଲାପରେ ଦଉଡି ଯାଏ ନିଜ ପ୍ରଶଂସକଙ୍କ ଷ୍ଟାଣ୍ଡ୍ ସାମନାକୁ, ସେମାନଙ୍କୁ ନିଜର ସଫଳତାର ଶ୍ରେୟ ଦେବା ପାଇଁ ।
ଦର୍ଶକ କଟକଣା ଆରମ୍ଭ ସମୟରେ ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ୍ ମଧ୍ୟରେ ଖେଳା ଯାଇଥିବା ଏକ ଦର୍ଶକ ବିହୀନ ମ୍ୟାଚର ଅଭିଜ୍ଞତା ବର୍ଣ୍ଣନା କରିବାକୁ ଯାଇ ଜଣେ ଖେଳାଳି କହିଥିଲେ ଯେ ତାଙ୍କ ଅନୁଭୂତି ଥିଲା ସମ୍ପୂର୍ଣ୍ଣ ଅଦ୍ଭୁତ । ମ୍ୟାଚ ବେଳେ ଅନ୍ୟ ଖେଳାଳିଙ୍କ ସହ କଥାବାର୍ତ୍ତା କଲାବେଳେ ଉଚ୍ଚାରିତ ଶବ୍ଦଗୁଡିକ ଜୋରରେ ପ୍ରତିଧ୍ଵନିତ ହେଉଥିଲା। ଏ ଖେଳ ତାଙ୍କୁ ପୂରା ପୂରି ଏକ ଅଲଗା ରାଇଜକୁ ଟାଣି ନେଇଯାଇଥିଲା।
ବାସ୍ତବିକ ଦର୍ଶକ ବିହୀନ କ୍ରୀଡା ଆମ ସମସ୍ତଙ୍କୁ ଏକ ନୂତନ ବାସ୍ତବତା ସହିତ ପରିଚିତ କରାଇ ଦେଇଛି।
(ମୋବାଇଲ- ୯୪୩୭୦୮୯୬୫୫)
Comments are closed.