ନୂଆଦିଲ୍ଲୀ : ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ବଡ଼ ଦାୟିତ୍ୱ । ବୈଜୟନ୍ତ ପଣ୍ଡାଙ୍କୁ ଜାତୀୟ କ୍ୟାଡେଟ୍ କର୍ପସ୍ ବା ଏନସିସି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ ।
ଏନସିସିକୁ ଅଧିକ ପ୍ରାସଙ୍ଗିକ କରିବା ଲକ୍ଷ୍ୟରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଏକ ବୃହତ ପଦକ୍ଷେପ ନେଇଛନ୍ତି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଏହାର ଅଧ୍ୟକ୍ଷ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି । ଏହି ୧୫- ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟିରେ ବୈଜୟନ୍ତ ପଣ୍ଡାଙ୍କ ସମେତ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି, ବିନୟ ସହସ୍ରବୁଦ୍ଧେ, ଅବସରପ୍ରାପ୍ତ ମେଜର ଜେନେରାଲ ଆଲୋକ ରାଜ, ଅବସରପ୍ରାପ୍ତ କର୍ଣ୍ଣେଲ ରାଜ୍ୟ ବର୍ଦ୍ଧନ ସିଂ ରାଠୋଡ଼, ଆନନ୍ଦ ମହିନ୍ଦ୍ରା, ସଂଜୀବ ସାନୟାଲ, ପ୍ରଫେସର ବସୁଧା କାମତ, ପ୍ରଫେସର ନଜମା ଅଖତର, ଆନନ୍ଦ ସାହା, ମିଲିନ୍ଦ କାମ୍ବଲେ, ଦେବିକା ଭଣ୍ଡାରକର, ଋତୁରାଜ ସିହ୍ନା, ମୁକୁଲ କନିତ୍କାର, ମୟଙ୍କ ତିୱାରୀ ପ୍ରମୁଖ ସଦସ୍ୟ ଅଛନ୍ତି ।
ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବିଶେଷଜ୍ଞ କମିଟି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀକୁ ସଶକ୍ତିକରଣ କରିବା ସହ ରାଷ୍ଟ୍ର ନିର୍ମାଣ ଓ ରାଷ୍ଟ୍ରର ଉନ୍ନତିରେ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ ମାନଙ୍କର ବିଭିନ୍ନ କ୍ଷେତ୍ରରେ ଯୋଗଦାନକୁ ସକ୍ରିୟ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ସରକାରଙ୍କୁ ସୁପାରିଶ କରିବେ । ନୂତନ ଦାୟିତ୍ବ ମିଳିବା ପରେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବୈଜୟନ୍ତ ପଣ୍ଡା । ନୂଆ ଦାୟିତ୍ୱ ମିଳିବା ପରେ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଯୁବ ସଶକ୍ତୀକରଣ, ରାଷ୍ଟ୍ର ନିର୍ମାଣ ଏବଂ ରାଷ୍ଟ୍ରୀୟ ଏକତା ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଏନସିସିରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ଆକାର ନେଉଛି । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ତଥା ସମ୍ମାନସ୍ପଦ ଦାୟିତ୍ୱ ଦେଇଥିବାରୁ ସମର୍ଥକମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Comments are closed.