Latest Odisha News

BREAKING NEWS

କବିତା : ଆ, ଗୋଟେ କବିତା ଲେଖିବା

ସୁମିତା ଚାରୁଦର୍ଶିନୀ ବେହେରା 

ଆ, ଗୋଟେ କବିତା ଲେଖିବା
ଯେଉଁଠି ନ ଥିବ ଜହ୍ନଦାହର କଥା
ବେଳାତଟେ ବିବଶତା ମଥା ପିଟିବାର କଥା
ଅବା ଟୁକୁଡା ହୃଦୟର ବ୍ୟଞ୍ଜନା
ଘନଘୋର କଳାବାଦଲର ଚଞ୍ଚକତା
ଅବା ପ୍ରାଚୁର୍ଯ୍ୟ ର ପୋଷାକରେ
ଅନାହାରୀ ପ୍ରେମର ଗାଥା
ବରଂ ଥିବ ସେଠି ଫୁଲ ପାଖୁଡ଼ା ର କୋମଳତା
ସଂକଳ୍ପ ର ବାସ୍ତବତା
ମହାଶୂନ୍ୟ ର ଅଖଣ୍ଡ ଧୈର୍ଯ୍ୟ
ଆଉ ଏ ସବୁ ଭିତରେ ଅତୀନ୍ଦ୍ରିୟ ପ୍ରେମର ସତ୍ତା ।

ଆ, ଗୋଟେ କବିତା ଲେଖିବା
ଯେଉଁଠି ନ ଥିବ ଉନ୍ମୁକ୍ତ ପବନର ନୃଶଂସତା
ଉପଦଂଶରେ ପୀଡିତ ମଣିଷର ବ୍ୟଥା
ଝାଉଁଳା ଲତା ଓ ଖଣ୍ଡିତ ବୃକ୍ଷର ବେଦନା
ବରଂ ଥିବ ନକ୍ଷତ୍ର, ସୂର୍ଯ୍ୟ,ନଦୀ, ପାହାଡ଼ ର ମେଳ
ମମତାମୟୀ ପୃଥ୍ୱୀର ମନ୍ତ୍ରମୁଗ୍ଧ ମହକ
ତୋ ସବୁଜ ସ୍ୱପ୍ନର ସଜପଣ
ଓ ମୋ ଅବଶିଷ୍ଟ ବିବିଧବର୍ଣ୍ଣ ଜୀବନ ।

ଆ, ଗୋଟେ କବିତା ଲେଖିବା
ଯେଉଁଠି ଥିବ ବିସ୍ତୃତ ବିଶ୍ୱାସର ମହାନତା
ଶୀତ ସନ୍ଧ୍ୟାର ସାନ୍ଦ୍ର ଆକାଶ
କୁନି ପିଲାଙ୍କ ଦୁଷ୍ଟ ହସର ମାଦକତା
ଅନ୍ୱେଷଣ ର ଅନାହୂତ ସ୍ୱପ୍ନ ବିଭୋର ପାହାଡୀ ଝରଣା
ଓ ମାଟିକୁ ଜାବୁଡି ବଞ୍ଚିଥିବା ଦଳେ ପକ୍ଷୀର ଆତ୍ମକଥା ।

 

Leave A Reply

Your email address will not be published.