ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୩
ଶୀତଦିନିଆ କାଲୁଆ ପବନକୁ ଖାତିର ନକରି ଆଖୁ ବୋଝେଇ ଶଗଡ ଗାଡି ନେଇ ଯାଉଥିବା ମଙ୍ଗଳୁ, ପରଭା, ଚଇତନ, ପରଶୁ ଇତ୍ୟାଦି ଛୋଟ ଅମୃତାକୁ ଗେଟ୍ ପାଖରେ ଦେଖିଲେ କିଛି ଆଖୁ ଗେଟ ଡିଆଁଇ ଭିତରକୁ ଫିଙ୍ଗି ଦିଅନ୍ତି। ସତେ ଯେମିତି ସେ ଛିଡା ହୋଇଥାଏ ସେସବୁ ଖାଇବା ପାଇଁ। ମାଆ ପରିଷ୍କାର ଭାବରେ ଧୋଇ,ଛୋଟଛୋଟ ଖଣ୍ଡରେ କାଟିଦିଏ, ବହୁତ ଭଲଲାଗେ ତାକୁ ଖାଇବାକୁ। ବେଶି ଖାଇଲେ ଜିଭ କଟିଯାଏ, ସବୁ ବିସ୍ବାଦ ହୁଏ।
ଆଖୁପେଡା ଓ ରନ୍ଧା ଜାଗାକୁ ଯିବା ପାଇଁ ବାପା ଡାକନ୍ତି। ବହି ପାଠକୁ ସାମ୍ନାରେ ଦେଖିବାର ନିଆରା ଅନୁଭୂତି …ପ୍ରାକ୍ଟିକାଲ କ୍ଲାସ। ବଡ କେନ, ଯାହା ପାଦ ପାଖକୁ ଲାଗିଯିବା ଭଳି ହୁଏ ତା’କୁ ଧରି ବାପ ଝିଅ ଯାଆନ୍ତି। ଯିଏ ଗଲେ ସେଠାରେ ଆଖୁରସ ଫ୍ରିରେ ପିଆନ୍ତି ବଡ ଆଦର ସହକାରେ। ବଡ ଚୁଲିରେ ବହୁତ ବଡ କରେଇରେ ଦୋରୁଅ ରନ୍ଧା ଯାଉଥାଏ। ବଡ ଖଣତିରେ ଘାଣ୍ଟୁଥିବେ ଅନବରତ। ଫେଣ ଯେ ଫେଣ …,ଧାସ ଯେ ଧାସ… ଟକଟକ ଫୁଟୁଥିବା ବାମ୍ଫଉଠା ଫିକା କଳା ପାଣିରୁ ମୁନ୍ଦାଏ ଦିଅନ୍ତି କେନରେ, ଘରକୁ ନେଇଯିବା ପାଇଁ । ପିଠା ହବ, ଟିକିଏ କଳା ଦିଶିବ, ଚଳେ ସେସବୁ ସମସ୍ତଙ୍କର। ପାଖକୁ ତ ଯାଇ ହୁଏନି , ନିଆଁ ଧାସ ବାଧେ, ତା’ଛଡା ବଡ ନିଷ୍ଠାରେ କରନ୍ତି କାମ, ଗୁଡ ଯାହା ଆମ ପଞ୍ଚାମୃତର ଏକ ଅଙ୍ଗ, ସବୁ ପୂଜାରେ ଦରକାର ଯେ! ବଡ ନୀତିନିୟମ ମାନି କରନ୍ତି ..।
ସମସ୍ତଙ୍କ ହାତରେ ଗୁଡ ସମାନ ଭାବରେ ହୁଏନା, ବଂଶାନୁକ୍ରମେ ଜଣେ ଜଣକୁ ଶିଖାଏ, ଏ ପ୍ରକ୍ରିୟା ଚାଲିଥାଏ। ପ୍ରଣାଳୀ ଅନୁସରିତ ହେଉଥାଏ। ବଡବଡ କୁନ୍ତରେ ଗୁଡକୁ ଢାଳି ଭର୍ତ୍ତିକରି ମୁହଁରେ ନଡିଆ ଷଢେଇ ଦେଇ କୁଟା ରଖି ମାଟିର ପ୍ରଲେପ ଦେବାପରେ ଶଗଡଗାଡିରେ ବୁହାହୁଏ ଘରକୁ ସେସବୁ। ଅକ୍ଳାନ୍ତ ପରିଶ୍ରମ ପରେ ଚାଷୀ ନିଃଶ୍ବାସ ଟିକିଏ ନିଏ। ପୁଣି ବିକ୍ରୀ ପାଇଁ ଲାଗେ କିଛି ଦିନ। କେବେ ଆଖୁ ବଦଳରେ ତ ପୁଣି କେବେ ବାପା ମୁଲେଇକି କିଣନ୍ତି ଗୁଡକୁନ୍ଦା। ଛୋଟ ମୁଣ୍ଡରେ କୋଉପଶେ ଏ କଥା। ବର୍ଷସାରା ପାଇଁ ସାଇତା ଯାଏ। ବନ୍ଧୁ ବାନ୍ଧବଙ୍କ ଘରକୁ ପଠାଯାଏ। ନୂଆଗୁଡର କି ବାସ୍ନା। ଗରମ ଗରମ ଚକୁଳି ଉପରେ ଘିଅଟିକିଏ ଦେଇ ପାଣିଆ ଗୁଡରେ ବୁଡେଇ ଖାଇବା ମଜା ଅଲଗା ସତରେ। ଆଉ ତଳେ ବସିଥିବା ଚିନିଭଳି ଜିନିଷ… ଓହୋ..ତା’ ସ୍ବାଦ ମନରୁ ଲିଭୁନି ..। ଗୁଡ ଆରିସା କି ତିଳଉ ବନେଇବା ପାଇଁ ଗୁଡ ପାଗ ବେଳର ଅଠାରୁ ଟିକିଏ ମିଳିଗଲେ ସ୍ବର୍ଗସୁଖ ମିଳିଯାଉଥିଲା ଯେମିତି। ବିଶୁଗୁଡିଆ ଘରକୁ ଧାଆଁନ୍ତି କିଛି ପିଲା ସେଇ ଲୋଭରେ। ଚକଲେଟର ବାପ ସିଏ, ପିଲାଙ୍କର ଅତି ପ୍ରିୟ, ଅଠାଅଠା, କୁଡୁକୁଡୁ। କାଶକଫକୁ ପୁରୁଣା ଗୁଡ, ଘଡିରେ ରଖି ଶିକା ଉପରେ ଟେକା ହୋଇଥାଏ। ଆଖୁ ଦୋରୁଅରେ ପୁଣି ହୁଏ ଏଣ୍ଡୁରୀ …ଅଡୁଆତଡୁଆ ଆଜି ଏସବୁ …କୋଉଠି ଆରମ୍ଭ କୋଉଠି ଶେଷ…।
ବଡ ବଡ ଆଖିରେ ଡବଡବ ଚାହିଁ ଶୈଳଜା କୁହେ କିଛି ବୁଝିପାରୁନି ପାଠ। ପଢା ସମୟରେ ଆକାଶରେ ପକ୍ଷୀ, ଗଛରେ ଗୁଣ୍ଡୁଚି, ମେଘରେ ସୂର୍ଯ୍ୟଙ୍କ ଲୁଚକାଳି…କିଛି ଧରେନି ମୁଣ୍ଡରେ। କେତେ ଗାଳିମାଡ ଖାଏ ଯେ ,ବେପାରୀ ମପେଇନେଲା ଭଳି ତା’କୁ କାଟେନା ଯେମିତି କିଛି ।
ହଜିଗଲା ନା ସରିଗଲା ପିଲାଦିନ। କମାରଶାଳର ବିଲୁ ଦିଶୁନଥିଲା କି, ଭାତିର ଡହଡହ ନାଲି ଲୁହାକି ଅଙ୍ଗାର ଆକୃଷ୍ଟ କରୁନଥିଲା ଆଉ। ଶ୍ରେଣୀରେ ପ୍ରଥମ ହେବାର ଅଭ୍ୟାସ ହେଉ ବା ସେ ନିଶା ହେଉ, ଟାଣିନେଉଥିଲା ଉପରକୁ,ଉପରକୁ, ଅନେକ ଉପରକୁ। ସାର୍, ଦିଦିମାନଙ୍କର ଅକୁଣ୍ଠ ଶ୍ରଦ୍ଧା ଆଗେଇ ନେଉଥିଲା ପାହାଚ ପରେ ପାହାଚ। ମେଧା ଅନ୍ବେଷଣ ପ୍ରତିଯୋଗିତାରେ ପ୍ରଥମ ହେଉଥିବା ଅମୃତା ଭାବିବାକୁ ସମୟ ପାଉନଥିଲା ଆଉ। ସ୍କୁଲରେ ସାର କି ଦିଦି ଅସହାୟ ଭାବିବାକୁ ଦେଉନଥିଲେ ଜମା । ଅଲୋଡା, ଅଖୋଜା କହୁ କିଏ, ଅଶୁଣା କଲେ ହେଲା ସେସବୁ। ବାପା ଏବେ ଆଉ ଘରକୁ ଆସୁନଥିଲେ ପ୍ରାୟ। ସ୍ମୃତିରେ ଚିର ଉଜ୍ଜ୍ବଳ ସେ। ଖେଳ ଓ ପାଠର ମଧୁର ସମନ୍ବୟ ରକ୍ଷାକରି ସେ ଧାଉଁଥିଲା କେବଳ। ଆଜି ସେସବୁ ତା’ ଜିତାପଟର ନେପଥ୍ୟ କାହାଣୀ।
ନାକକାନ୍ଦୁରୀ, ଆଉଳି ଶୈଳଜା ଆଜି ଯାଇ କୋଉଠି ହେଲାଣି । ଶ୍ରେଣୀରେ ପ୍ରଥମ ହେଉଥିବା, ପିଠିରେ ଉଜ୍ଜ୍ବଳ ଭବିଷ୍ୟତକୁ ବୋହି ଆଣୁଥିବା ଅମୃତା ଏଇଠି ଏମିତି ପଡିରହିଛି। ସମୟର ଖେଳ ଏସବୁ, ନାଃ, ବରଂ ସମୟ ବିରୁଦ୍ଧରେ ଇସ୍ତାହାର … । ଗଡିଯାଇଥିବା ପାଣି, ହଜିଯାଇଥିବା ଅତୀତ, ସମାଧି ପାଇଥିବା ସ୍ବପ୍ନକୁ ଖୋଳି ବାହାର କରି ସମୟ ସହ ତାଳଦେଇ ଚାଲିବାକୁ ପଡିବ। ହବ ହବ ସବୁଠିକ୍ ହବ। ଦିଗ ପରିବର୍ତ୍ତନ ହବ ସମୟର , ପୁଣି ପୂବେଇ ବହିବ। ଜୀବନର ହୁଲିଡଙ୍ଗା ଭାସି ଭାସି କୁଳ କିନାରା ପାଇବ।
କ୍ରମଶଃ …