Latest Odisha News

ହସ୍ତଶିଳ୍ପୀଙ୍କ କର୍ମଶାଳା ‘ଚଉପାଲ୍‌’ ଆୟୋଜିତ

ଭୁବନେଶ୍ୱର : ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ବସ୍ତ୍ର ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଆନୁକୂଲ୍ୟରେ ସ୍ଥାନୀୟ ନୂଆଗାଁ (ମଳିପଡ଼ା) ମୃତ୍ତିକା କାରିଗର ସମବାୟ ସମିତି କର୍ମଶାଳା ପ୍ରକୋଷ୍ଠରେ ଚଉପାଲ କାର୍ଯ୍ୟକ୍ରମ ଶୀର୍ଷକରେ, ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ୱାଲ୍‌ଡ଼ ଆକ୍ଟର ସମ୍ପାଦକ ବିପିନ ବିହାରୀ ସାହୁ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିକାଶ ଆୟୁକ୍ତ ହସ୍ତଶିଳ୍ପର ବରିଷ୍ଠ ସହାୟକ ଅଶୋକ କୁମାର ହୋତା ମୁଖ୍ୟ ଅତିଥି ଭାବରେ ଏବଂ ନିର୍ମଳା ବିକାଶ ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଦିଲ୍ଲୀପ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ତାଳପତ୍ର ଖୋଦେଇ ଶିଳ୍ପୀ କାଳୀଚରଣ ପଟ୍ଟନାୟକ ଏବଂ ଟେରାକୋଟା ଶିଳ୍ପୀ ମନ୍ଦର ରଣାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

୫୦ରୁ ଉର୍ଦ୍ଧ୍ୱ ହସ୍ତଶିଳ୍ପୀ ଯୋଗଦେଇଥିବା ଏହି କର୍ମଶାଳାରେ , ସରକାର ଏବଂ ଶିଳ୍ପୀମାନଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ସ୍ଥାପନ କରିବା, ବିଭିନ୍ନ ପରିଯୋଜନା ଏବଂ ବିଭିନ୍ନ ସ୍କିମ୍ ବିଷୟରେ ଜଣାଇବା, କାରିଗର ପରିଚୟ ପତ୍ର ପ୍ରଦାନ କରିବା, ଦକ୍ଷତା ବୃଦ୍ଧି ତାଲିମ, ବିପଣନ ଦକ୍ଷତା ବୃଦ୍ଧି, କେତ୍ରାମାନଙ୍କ ମନ ପସନ୍ଦର ଜିନିଷ ତିଆରି କରି ଉପଯୁକ୍ତ ସାମଗ୍ରୀକୁ ବିଦେଶକୁ ରପ୍ତାନୀ କରାଯାଇ ଚଉପାଲ ମାଧ୍ୟମରେ ପ୍ରତ୍ୟେକ ହସ୍ତଶିଳ୍ପୀଙ୍କ ନିକଟରେ କିପରି ପହଞ୍ଚି ପାରିବ, ସେ ବିଷୟରେ ଆଲୋଚନା କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଟେରାକୋଟା ଶିଳ୍ପୀ ତରୁଣ ତପନ ସାହୁ, ଗଦାଧର ରଣା, ବିକାଶ ଆୟୁକ୍ତର ୟୁଡ଼ିସି ଶ୍ରୀ ଅମର ମିଶ୍ର ଏବଂ ୱାଲ୍‌ଡ଼ ଆକ୍ଟର କର୍ମୀ ଜ୍ୟୋତିରଞ୍ଜନ ସାହୁ , ଅଶୋକ କୁମାର ସାହୁ, ରାମାନୁଜ ବଇରୀଗଞ୍ଜନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ଏବଂ ପରିଶେଷରେ ମୃର୍ତ୍ତିକା ସଂଘର ସଭାପତି ସଞ୍ଜୟ ମୁଦୁଲି ସମସ୍ତ ଅତିଥି ଓ କାରିଗରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.