Latest Odisha News

କଳାହାଣ୍ଡିରେ ମାତିଛନ୍ତି ନକଲି ମାଷ୍ଟର, ଧରାପଡିଲେ ୧୨ଜଣ

କଳାହାଣ୍ଡି: ସରିଲା କଳାହାଣ୍ଡି ଜିଲ୍ଲାର୧୩ଟି ବ୍ଲକର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସାର୍ଟିଫିକେଟ୍ ଯାଂଚ ପ୍ରକ୍ରିୟା । ଓ.ଟି.ଇ.ଟି ସାର୍ଟିଫିକେଟ୍ ଯାଂଚ ସମୟରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ । ଜଣେ କି ଦୁଇଜଣ ନୁହେଁ ବରଂ ନକଲି ମାଷ୍ଟର ଭାବେ ସାମ୍ନାକୁ ଆସିଛି ୧୨ ଜଣ ଶିକ୍ଷକଶିକ୍ଷୟତ୍ରୀଙ୍କ ନାମ ।

ସାର୍ଟିଫିକେଟ ଯାଂଚ ସମୟରେ ୧୯ଟି ସାର୍ଟିଫିକେଟ୍ ସନ୍ଦେହ ଘେରକୁ ଆସିଥିଲା । ଫଳରେ ସେଗୁଡିକର ବୈଧତା ଜାଣିବା ପାଇଁ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡକୁ ପଠାଯାଇଥିଲା । ସେଥିମଧ୍ୟରୁ ୧୨ଟି ଓ.ଟି.ଇ.ଟି ସାର୍ଟିଫିକେଟ୍ ଜାଲ୍ ବୋଲି ଜଣାପଡିଥିଲା । ଏହି ସମସ୍ତ ସାର୍ଟଫିକେଟକୁ କେତେକ ଶିକ୍ଷକଶିକ୍ଷୟତ୍ରୀ ସିଧାସଳଖ ଦାଖଲ କରିଥିଲେ । ଆଉ କିଛି ରେଗୁଲାର୍ ପୋଷ୍ଟ ପାଇଁ ଦାଖଲ କରି ଚୁପ୍ ବସିଥିଲେ ।

୧୨ଟି ଜାଲ ସାର୍ଟିଫେଟ୍ ମଧ୍ୟରୁ ଭବାନୀପାଟଣାରୁ ଗୋଟିଏ, ଏମ୍‌. ରାମପୁରରୁ ୨ଟି, ଜୁନାଗଡରୁ ଗୋଟିଏ, କଲମପୁରରୁ ଗୋଟିଏ, ଥୁଆମୂଳ ରାମପୁରରୁ ୩ଟି ଓ କର୍ଲାମୁଣ୍ଡାରୁ ୨ଟି ସାର୍ଟିଫିକେଟ୍ ଦାଖଲ ହୋଇଥିବା ସୂଚନା ରହିଛି । ଶିକ୍ଷା ବିଭାଗ ନକଲି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ପରିଚୟ ଗୋପନ ରଖିଛି । ସେମାନଙ୍କୁ ଗୋଟିଏ ମାସ ସମୟ ଦିଆଯିବ । ଜାଲ୍ ସାର୍ଟିଫିକେଟ୍ ଦାଖଲ କରିବା ନେଇ ତାଙ୍କ ବିରୋଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ବୋଲି କାରଣ ଦର୍ଶାଅ ନୋଟିସ୍ ଦିଆଯିବାକୁ ନିଷ୍ପତ୍ତି ହୋଇଛି । କାରଣ ଦର୍ଶାଅ ନୋଟିସ୍ ପରେ ନକଲି ମାଷ୍ଟରଙ୍କ ଉତ୍ତରକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି ।

ଗତ କିଛି ମାସ ଧରି ଜିଲ୍ଲାରେ ନକଲି ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଯାଂଚ ପ୍ରକ୍ରିୟାରେ ଅବହେଳା ଯୋଗୁଁ ଡି.ଇ.ଓ ଏବଂ ବି.ଇ.ଓଙ୍କ ଦରମା ବନ୍ଦ ଲାଗି ଟ୍ରେଜେରୀକୁ ମଧ୍ୟ ନିର୍ଦ୍ଦେଶ ମିଳିଥିଲା । ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଲାରେ ସାର୍ଟିଫିକେଟ୍ ଯାଂଚ ପ୍ରକ୍ରିୟା ଶେଷ ହୋଇଛି । ହେଲେ କେଉଁ ନୀତିନିୟମକୁ ଭିତ୍ତି କରି ଯାଂଚ କରାଯାଇଛି ତାହା ସ୍ପଷ୍ଟ ହୋଇପାରିନି । ଏବେ ବି କିଛି ନକଲି ମାଷ୍ଟର ଯାଂଚ ପ୍ରକ୍ରିୟାରୁ ବର୍ତ୍ତି ଯାଇଥିବା ଆଲୋଚନା ଜୋର ଧରିଛି ।

Leave A Reply

Your email address will not be published.