ଉତ୍କଳମଣିଙ୍କ ଜୟନ୍ତୀ ଉପଲକ୍ଷେ ……..
ବିଶ୍ୱହିତେ ଦୀନ, ଦୁଃଖୀ, ରଙ୍କୀର ଆଖି ଲୁହ ଯାହାଙ୍କୁ ବ୍ୟଥା ମୂର୍ଚ୍ଛିତ କରେ, ଦଧିଚୀ ଭଳି ଯେ ଆତ୍ମବଳୀ ଦେଇଥିଲେ, ସେ ହେଉଛନ୍ତି ଉତ୍କଳର ଚଳନ୍ତି ଦେବତା, ଦୀନ ଦରିଦ୍ରର ବନ୍ଧୁ ଉତ୍କଳରମଣି ଗୋପବନ୍ଧୁ ଦାସ । ସେ ଉତ୍କଳର ଗର୍ବ ଓ ଗୌରବର ପ୍ରତୀକ, ଉତ୍କଳର ଧର୍ମପଦ। ଦେଶ ଓ ଜାତିର ସେବା ଥିଲା ତାଙ୍କ ଜୀବନର ଦେବ ପୂଜା । ମାନବ ସେବା ହିଁ ମାଧବ ସେବା ତାଙ୍କ ଜୀବନର ବ୍ରତ, ଦୃଢ ସଂକଳ୍ପ ପାଲଟି ଥିଲା । ସେ ଥିଲେ ପ୍ରେମ କରୁଣାର ଅବତାର । ତାଙ୍କ ହୃଦୟ ଥିଲା ଅତି କୋମଳ, ଅନ୍ୟର ଦୁଃଖ କଷ୍ଟ ଦେଖି ସେ ଶିଶୁଟି ଭଳି କାନ୍ଦି ଉଠୁଥିଲେ । ବ୍ୟସ୍ତ ବିବ୍ରତ ହୋଇ ଉଠୁଥିଲା ତାଙ୍କର ଦରଦୀ ହୃଦୟ । ସେହି ମହାନ୍ ବ୍ୟକ୍ତିଟି ପରିଣତ ହୋଇଥିଲେ ଏକ ମହାନ୍ ଅନୁଷ୍ଠାନରେ ।
“ବ୍ୟକ୍ତି ବିଶେଷର ତ୍ୟାଗ ବଳରେ ଜାତୀୟତାର ଶକ୍ତି ପରିପୁଷ୍ଠ ହୁଏ ।” ଏହା ଥିଲା ତାଙ୍କ ହୃଦୟର ବାଣୀ । ଯାହାର ଫଳ ସୂରୂପ ଦେଶ ସେବାକୁ ଜୀବନର ପରମବ୍ରତ ରୂପେ ଗ୍ରହଣ କରି ସରକାରୀ ଚାକିରୀ ଛାଡି ଜନ କଲ୍ୟାଣ ସେବାରେ ନିଜକୁ ଉତ୍ସର୍ଗ କରି ଦେଇଥିଲେ । ମହାତ୍ମା ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପରାଧିନ ଭାରତର ମୁକ୍ତି ପାଇଁ ଆପ୍ରାଣ ସହଯୋଗ କରିଥିଲେ । ସେଥିଲାଗି ତାଳ ତମାଳଘେରା ସତ୍ୟବାଦୀ ଛୁରୀଅନା କୁଞ୍ଜରେ ଗୋପବନ୍ଧୁ ପ୍ରତିଷ୍ଠା କରିଥିଲେ ଏକ ଆଦର୍ଶ ବକୁଳ ବନବିଦ୍ୟାଳୟ, ତାଙ୍କର ଲୀଳା ଭୂମି, କର୍ମଭୂମି, ସାଧନାର ଗୁପ୍ତ ବୃନ୍ଦାବନ । ତାଙ୍କର ଦେଶ ପ୍ରାଣ, ଜାତିପ୍ରାଣ, ବିଶ୍ୱପ୍ରାଣ ମୂରଲୀ ମୂର୍ଚ୍ଛନାରେ ଆକୃଷ୍ଠ ହୋଇ ଯେଉଁମାନେ ଶିକ୍ଷକତାକୁ ଜୀବନର ପରମ ସୌଭାଗ୍ୟ ଭାବେ ବାଛିନେଇ କର୍ମ ନୀଡ଼ ରଚନା କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ପଣ୍ତିତ ନୀଳକଣ୍ଠ , ପଣ୍ତିତ ଗୋଦାବରୀଶ ଓ ଆଚାର୍ଯ୍ୟ ହରିହର ।
ବିଂଶ ଶତକର ପ୍ରାରମ୍ଭରେ ଉତ୍କଳର ଜାତୀୟ ଜୀବନରେ ଜୀବନକୁ ଉତ୍ସର୍ଗକୃତ କରିବାର ଭୀଷ୍ମ ଶପଥ ଏମାନେ ନେଇଥିଲେ । ଫଳତଃ ଓଡ଼ିଆ ସାହିତ୍ୟ ଇତିହାସରେ ସୃଷ୍ଟି ହେଲା ସତ୍ୟବାଦୀ ଯୁଗ । ସତ୍ୟବାଦୀ ଯୁଗ ହେଲା ଜାତୀୟବାଦୀ ଯୁଗ । ସେହି ଅମୃତମୟ ସମୟରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ହୋଇଉଠିଥିଲା ଉଗ୍ର । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ବନବିଦ୍ୟାଳୟ ଥିଲା ଏକ ନୂତନ ମଣିଷ ତିଆରି କାରଖାନା । ସେବା ଓ ତ୍ୟାଗ ଥିଲା ଏହି ଚେତନାର ମୂଳମନ୍ତ୍ର । ଜାତୀୟ ଚେତନା ଥିଲା ଏହାର ମୂଳ ଲକ୍ଷ୍ୟ । ସମାଜ ସଂସ୍କାର ମନୋବୃତ୍ତି, ଜାତୀୟତା, ଦେଶପ୍ରୀତି, ଜନସେବା ଓ ଗଣଚେତନା ଥିଲା ସତ୍ୟବାଦୀ ସାହିତ୍ୟ ସୃଷ୍ଟିର ଉପାଦାନ ।
ଗୋପବନ୍ଧୁ ଥିଲେ ସେହି ସାହିତ୍ୟର କ୍ରାନ୍ତିକାରୀ ପ୍ରତିଭା । ସେ ବିଶ୍ୱବନ୍ଧୁ, ତ୍ୟାଗବୀର, ଆଦର୍ଶ ଶିକ୍ଷକ, ଅନୁପମ ଜନସେବକ, ବିଚକ୍ଷଣ ସଂସ୍କାରକ, ନିରପେକ୍ଷ ସୁସମ୍ପାଦକ , ପରମ ଦେଶଭକ୍ତ, କର୍ମଯୋଗୀ, ଦାନବୀର, ଜାତୀୟବାଦୀ କବି, ଖ୍ୟାତସମ୍ପନ୍ନ ପ୍ରାବନ୍ଧିକ, ଓଡିଆ ଜାତିର ଗର୍ବ ଓ ଗୌରବର ପ୍ରତିକ । ଜାତିପ୍ରାଣତାର ଥିଲେ ନମସ୍ୟ ସାଧକ । ଦେଶ ଓ ଜାତିକୁ ପ୍ରାଣଭରି ଭଲପାଇ ଆସୁଥିବା ଗୋପବନ୍ଧୁଙ୍କ ପାଖରେ ନଥିଲା ସଂକୀର୍ଣ୍ଣତା । ଥିଲା ସମଗ୍ର ଭାରତୀୟ ଭାବନା, ବିଶ୍ୱଭ୍ରାତୃତ୍ୱ ଓ ବିଶ୍ୱଭାବନାର ବ୍ୟକ୍ତିତ୍ୱ । ସେ ଥିଲେ ଦରଦୀ, ମରମୀ ମଣିଷଟିଏ । ଛିନ୍ନମସ୍ତା ଉତ୍କଳର ଦୁଃଖ ଦୁର୍ଦ୍ଦଶା ତାଙ୍କ ଚକ୍ଷୁରେ ସୃଷ୍ଟି କରୁଥିଲା ଲୁହର ଶ୍ରାବଣ । ସ୍ୱାଧିନତା ସଂଗ୍ରାମରେ ଯୋଗଦେଇ ବହୁବାର କାରାବରଣ କରିଛନ୍ତି । ସେ ଥିଲେ ଉତ୍କଳୀୟ ସଂସ୍କୃତି ପରମ୍ପରାର ମୁଗ୍ଧ ଉପାସକ ।
ଉତ୍କଳ ସମ୍ମିଳନୀ ଥିଲା ତାଙ୍କ ଜୀବନର ଏକ ବଳିଷ୍ଠ ମାଇଲ୍ ଖୁଣ୍ଟ । ଉତ୍କଳର ପୂର୍ବଗୌରବ ଫେରାଇ ଆଣିବା ପାଇଁ ସେ ସନ୍ୟାସୀ ଭଳି ଦେଉଥିଲେ ପବିତ୍ରତାର ଉଦ୍ବୋଧନ । କେବଳ ସେ ଓଡ଼ିଆ ଜାତିର ବିପର୍ଯ୍ୟୟ ଲକ୍ଷ୍ୟକରି ଦୀର୍ଘଶ୍ୱାସ ପକାଇ ବ୍ୟଥା ଅନୁଭବ କରୁଥିଲେ ନୁହେଁ, ବରଂ ବ୍ୟଥିତ ହୃଦୟରେ ଜାତିର ସୌର୍ଯ୍ୟ, ବୀର୍ଯ୍ୟ ଓ ସାମର୍ଥକୁ ସୁଦୃଢ କରିବାକୁ ଅହର୍ନିଶି ପ୍ରଚେଷ୍ଟା ଜାରି ରଖିଥିଲେ । ପଣ୍ତିତ ଗୋଦାବରୀଶଙ୍କ ଭାଷାରେ- “ତାଙ୍କ ବସାଘର ଅଗଣାରେ ବାଡିଖେଳ, ଦଣ୍ତ କସରତ ଓ ଜାପାନୀ ନିଉଜ୍ ଟିସ୍କ ପ୍ରତିଦିନ ହୁଏ । ମାଟ୍ ସିନ, ଗାରିବାଲଡି ପ୍ରଭୃତିଙ୍କ ଜୀବନୀ ଓ ଫରାସୀ ରାଷ୍ଟ୍ର ବିପ୍ଳବର ଇତିହାସ ଗଢାଯାଏ ।”
ଗୋପବନ୍ଧୁ ଭାରତ ସ୍ୱାଧିନତା ସଂଗ୍ରାମ ପାଇଁ ଗୋଟିଏ ବିଶାଳ ଯୁବ ବାହିନୀ ଗଢିବାକୁ ଯେଉଁ ଓଜ୍ଜସ୍ୱୀନୀ ବକୃତା ଦେଉଥିଲେ ତାହା ପରୋକ୍ଷ ଭାବରେ ଭାରତର ମୁକ୍ତି ସଂଗ୍ରାମ ଲାଗି ଅଭିପ୍ରେତ ଥିଲେହେଁ ପ୍ରତ୍ୟକ୍ଷ ଭାବରେ ତାହା ମୁଖ୍ୟତଃ ଓଡିଶାର ଏକତ୍ରୀ କରଣ ଓ ଓଡିଆ ଜାତିର ବିକାଶ ପାଇଁ ଉଦ୍ଦିଷ୍ଟ ଥିଲା । ସେଥିପାଇଁ ସେ ତାଙ୍କର ବନ୍ଧୁମାନଙ୍କୁ ଇତିହାସର ବିପ୍ଳବୀ ବାଣୀ ଶୁଣାଇ ଉତ୍ସାହିତ କରିବାର ବିଧିବଦ୍ଧ ଭାବେ ଯୋଜନା ପ୍ରସ୍ତୁତ କରୁଥିଲେ ।
ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ ସାହିତ୍ୟ ମଧ୍ୟରେ ସେଭଳି କୌଣସି ପାର୍ଥକ୍ୟ ନଥିଲା । ତାଙ୍କ ଜୀବନଧାରା ଓ ବ୍ୟକ୍ତିତ୍ୱର ଆଦର୍ଶ ତାଙ୍କ ସାହିତ୍ୟରେ ଯଥାର୍ଥ ପ୍ରତିଫଳିତ ହେଉଥିଲା । ଦୁଃଖୀମାନଙ୍କ ପାଇଁ ହୃଦୟ ଯେତିକି କୋମଳ, ଅନ୍ୟାୟ ଅତ୍ୟାଚାରୀଙ୍କ ପାଇଁ ସେତିକି କଠୋର ଥିଲେ । ଅନ୍ୟାୟ ସହ କୌଣସି ପରିସ୍ଥିତିରେ ସେ ସାଲିସ୍ କରିବାକୁ ପ୍ରସ୍ତୁତ ନଥିଲେ । ସେ ଥିଲେ ନିର୍ଭୀକ ଓ ସ୍ୱାଭିମାନୀ । ମାନବ ସେବାରେ ଅନୁପ୍ରାଣିତ ହୋଇ ଜାତି ବର୍ଣ୍ଣ ନିର୍ବିଶେଷରେ ସେ ଜନଗଣଙ୍କ ସେବା ବନ୍ୟା, ଦୁର୍ଭିକ୍ଷ ସମୟରେ ଯେଭଳି ସାହାଯ୍ୟ କରିଛନ୍ତି, ତାହା ଜନଗଣଙ୍କୁ ବିସ୍ମିତ କରିଛି । ତେଣୁ ତାଙ୍କ ସାହିତ୍ୟ ହେଉଛି ଦେଶପ୍ରାଣ ଓ ମାନବିକ ସମ୍ବେଦନଶୀଳ । ତାଙ୍କ ଲିଖିତ ସାହିତ୍ୟ ଜାତିପ୍ରୀତି, ବିଭୁପ୍ରୀତି ଓ ସଂସ୍କୃତିପ୍ରୀତିର ଏକ ଏକ ପୁଷ୍କର ପରିପ୍ରକାଶ ।
ଗୋପବନ୍ଧୁଙ୍କ ସାହିତ୍ୟିକ କୃତିଗୁଡିକ ଭିତରେ ଅବକାଶ, କାରାକବିତା, ବନ୍ଦୀର ଆତ୍ମକଥା, ଧର୍ମପଦ, ନଚିକେତା, ଗୋମହାତ୍ମ୍ୟ ପ୍ରଭୃତି କାବ୍ୟ/କବିତା ସଂକଳନ ସହ ଗଦ୍ୟ ସାହିତ୍ୟ ଗୋପବନ୍ଧୁ ରଚନାବଳୀ , ସମାଜ’ର ସମ୍ପାଦକୀୟ ଓ ଲେଖା ସହ ‘ସତ୍ୟବାଦୀ’ ମାସିକ ପତ୍ରିକାର ସମ୍ପାଦକୀୟ ଲେଖାରୁ ତାଙ୍କର ପ୍ରଜ୍ଞା ମାନସର ପରିଚୟ ମିଳେ । ବିଭିନ୍ନ ପ୍ରସଙ୍ଗରେ ପ୍ରକାଶିତ ଶିକ୍ଷା ସମ୍ମିଳନୀ, ଲୌକିକ ସାହିତ୍ୟ, ବିବାହର ଅର୍ଥପ୍ରସଙ୍ଗ, ସ୍ତ୍ରୀ ଶିକ୍ଷା, ପ୍ରାଥମିକ ଶିକ୍ଷା, ଲୋକଶିକ୍ଷା, ଜାତୀୟ ଶିକ୍ଷା, ଭାଷା ଓ ଜାତୀୟତା ଆଦି ବିଭିନ୍ନ ପ୍ରବନ୍ଧ ଗୁଡିକରେ ତାଙ୍କ ପ୍ରତିଭା ଉତ୍କର୍ଣ୍ଣ ଅନୁଭବ କରିହୁଏ । ପ୍ରବନ୍ଧ ଗୁଡିକରେ ସ୍ୱରାଜ୍ୟ ଆନ୍ଦୋଳନ, ଐତିହ୍ୟ, ପରମ୍ଫରା, ଶିକ୍ଷା, ଧର୍ମ, ଜାତୀୟତା ଓ ପଲ୍ଲୀପ୍ରାଣତାର ଚିତ୍ର ଚିତ୍ରାୟିତ ହୋଇଛି ।
ଉତ୍କଳମଣି ଗୋପବନ୍ଧୁ ପ୍ରବନ୍ଧ ରଚନା କ୍ଷେତ୍ରରେ ଯେତିକି ସିଦ୍ଧହସ୍ତ, କାବ୍ୟ କବିତା ସର୍ଜନା କ୍ଷେତ୍ରରେ ସେଭଳି ସଫଳ ସାଧକ ଥିଲେ । ତାଙ୍କ ସାହିତ୍ୟ ସମନ୍ୱୟଧର୍ମୀ ସାହିତ୍ୟ ଯେଉଁଥିରେ କଳାଧର୍ମ ଅପେକ୍ଷା ଜୀବନ ଧର୍ମ ଉପରେ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି । କର୍ମ, ସେବା, ତ୍ୟାଗ, ଆଦର୍ଶ, ମାନବବାଦ ଓ ଅସଂପନ୍ନ ପ୍ରତିଭା ତାଙ୍କର କାବ୍ୟ ପ୍ରତିଭାକୁ ଉର୍ଜସ୍ୱଳ କରିପାରିଛି । କଳ୍ପନା ଓ ଅନୁଭୂତିର ପ୍ରତିଟି କଳାତ୍ମକ ଦିଗ ସ୍ୱଦେଶ ପ୍ରୀତି, ମାନବ ପ୍ରୀତି ଓ ବିଶ୍ୱ ପ୍ରୀତିର ଜୀବନାଦର୍ଶରେ ସଂଯୁକ୍ତ ଓ ନିୟନ୍ତ୍ରିତ ହୋଇଉଠିଛି । ` ଅବକାଶ ଚିନ୍ତା’ ଗୋପବନ୍ଧୁଙ୍କ କାବିକ୍ୟ ପ୍ରତିଭାର ଏକ ଉତ୍କର୍ଷ କାବ୍ୟ । ଏଥିରେ ତାଙ୍କର ଗୀତିମୟ ଭାବୋଚ୍ଛ୍ୱାସ ସହ ତାରୁଣ୍ୟ ପ୍ରାଣର ଆବେଗପୂର୍ଣ୍ଣ ଅଭିବ୍ୟକ୍ତିର ପ୍ରତିଫଳନ ଘଟିଛି । ସଂକଳନଟିରେ ଈଶ୍ୱରପ୍ରୀତି, ଜାତୀୟତା, ଉତ୍କଳଭାବନା ଓ ସୌନ୍ଦର୍ଯ୍ୟବୋଧ ପ୍ରକାଶିତ । `ରେଳ ଉପରେ ଚିଲିକା ଦର୍ଶନ, କୋକିଳ, କାଠଯୋଡି ତୀରରେ ସାଂୟକାଳ, କାଠଯୋଡିତିରେ ଚନ୍ଦ୍ରାଲୋକ, କଟକରେ ଶିଳାସେତୁ, ଖଣ୍ତଗିରି ଶିଖରେ, ଗୋଟିଏ କାଙ୍କଣ ଗଛ, ଅନାଥ କଳିକା, ଶିବରାତ୍ରୀ, ନୀରବ ଗ୍ରୀଷ୍ମେ ଆଦି କବିତା ଗୁଡିକ ବିଭୃବୋଧ, ଜାତୀୟତା, ଆଧ୍ୟାତ୍ମିକତା, ମାନବ ବନ୍ଦନା, ପ୍ରକୃତି ପ୍ରାଣତାର, ଜୀବନ ଦର୍ଶନ, ବ୍ୟକ୍ତିପୂଜା ଆଦି ଆବେଗ ପ୍ରବଣତାରେ ପରିପୂର୍ଣ୍ଣ ହୋଇ ପାରିଥିବା ବେଳେ, କାରାକବିତା ସଂକଳନରେ ରଚିତ କବିତା ନିତ୍ୟଧାମ, ନୀଳାଚଳ, ପିତୃପକ୍ଷ ତର୍ପଣ, ବନ୍ଦୀରସାନ୍ଧ୍ୟ ଅନୁଚିନ୍ତା, ବିଶ୍ୱମିଳନ ଚିତ୍ର ଆଦି କବିତାରେ ସ୍ୱଦେଶ ଚିନ୍ତା ଓ ଜାତୀୟତାର ପରିପ୍ରକାଶ ଘଟିଛି । ବନ୍ଦୀର ଆତ୍ମକଥା କବିତାରେ-
“କାତରତା ସିନା କାପୁରୁଷ ପଣ
ବୀର ମାରେ ଅବା ମରେ କରି ରଣ
ପଛଘୁଞ୍ଚା ନାହିଁ ବୀରର ଜାତକେ
ନମରେ ସେ କେବେ ପରାଣ ଆତଙ୍କେ ।”
କବିଙ୍କ ଉତ୍ସର୍ଗୀକୃତ ଜୀବନ ପରିଚୟ ମିଳେ-
“ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲିଯାଆନ୍ତୁ ପିଠିରେ
ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ
ପୂରୁ ତହିଁ ପଡ଼ି ମୋର ମାଂସ ହାଡ ।”
‘ବନ୍ଦୀର ଆତ୍ମକଥା’ ଖଣ୍ତକାବ୍ୟରେ କବି ବନ୍ୟା ଦୃର୍ଗତଙ୍କ ପ୍ରସଙ୍ଗ ଠାରୁ ଆରମ୍ଭ କରି ସରଳ ଗ୍ରାମବାସୀଙ୍କ କଥା, ବନ୍ଦୀର ମାନସିକ ପ୍ରତିକ୍ରିୟା ଓ ଆକୁଳତା, ସ୍ୱରାଜ୍ୟ ଚିନ୍ତା ଓ ବିଶ୍ୱ ଜନପ୍ରୀତିର ବାର୍ତ୍ତା ଦେଇଛନ୍ତି । ସେଭଳି ତାଙ୍କ ରଚିତ ଧର୍ମପଦ ଗାଥା କାବ୍ୟରେ କିମ୍ବଦନ୍ତୀ ସହ ଭରପୂର ଇତିହାସ ବାରଶ ବଢେଇ, ବିଶୁ ମହାରଣା, କୋଣାର୍କ, ନରସିଂହ ଦେବ, ଧର୍ମପଦର କାହାଣୀ ଦେଶପ୍ରେମ, ଜାତୀୟତା, ଉତ୍କଳୀୟତା ଭାବଦର୍ଶନ ସହ ମାତୃହୃଦୟର କାରୁଣ୍ୟବୋଧକୁ ଉପଲବ୍ଧି କରିହୁଏ । ନଚିକେତା କାବ୍ୟଟି ତାଙ୍କର କଠୋପନିଷଦର ଉପଖ୍ୟାନକୁ ଭିତ୍ତିକରି । ଋଷି ବାଜସ୍ରବା ଯମକୁ ନଚିକେତା ଦାନ ଓ ନଚିକେତା ଯମଠାରୁ ବରପ୍ରାପ୍ତି ପ୍ରସଙ୍ଗର ଚମତ୍କାର ବର୍ଣ୍ଣନା । ତ୍ୟାଗପୂତ ଜୀବନର ମହନୀୟତା ଚିତ୍ରଣସହ ଆଧ୍ୟାତ୍ମିକ ଚିନ୍ତାଚେତନା ପରିପ୍ରକାଶ ଘଟିଛି । ଗୋପବନ୍ଧୁଙ୍କ ଅନ୍ୟତମ କାବ୍ୟ `ଗୋ ମହାତ୍ମ୍ୟ’ । ବିଶେଷତଃ ନଚିକେତା କାବ୍ୟରେ ପ୍ରକାଶ ପାଇଥିବା `ଗୋ’ଜାତି ପ୍ରତି ଶ୍ରଦ୍ଧାର ଶ୍ରଦ୍ଧାପୂର୍ଣ୍ଣ ଭେଟି ହେଉଛି କବିଙ୍କ `ଗୋ ମହାତ୍ମ୍ୟ’ । ହିନ୍ଦୁମାନଙ୍କ କାମଧେନୁ, ଗୋମାତା ରୂପେ ପୂଜିତ । ଏଥିରେ ଆର୍ଯ୍ୟ ଚେତନାର ସଂଜାତ ଘଟିଛି । ଜଗନ୍ନାଥପ୍ରାଣା କବିଗୋପବନ୍ଧୁଙ୍କ ମତରେ ଜଗନ୍ନାଥ ହେଉଛନ୍ତି ଉତ୍କଳର ସର୍ବମୟ କର୍ତ୍ତା-“ଭାରତର ପ୍ରତି ବୃକ୍ଷ କଳ୍ପବଟ, ପ୍ରଭୃ ଜଗନ୍ନାଥ ସର୍ବତ୍ର ପ୍ରକଟ,” ଅବା “ଉତ୍କଳେ ନେତା ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱଂୟ ନାରାୟଣ ।” ଜଗନ୍ନାଥ ଧର୍ମ ସଂସ୍କୃତି ଥିଲା ତାଙ୍କ ଜୀବନବେଦ । ଜୀବନର ମୂଲ୍ୟ କେବଳ କର୍ମ ଦ୍ୱାରାହିଁ ନିହିତ ବୋଲି ସେ ବୁଝିଥିଲେ । “ମାନବ ଜୀବନ ନୁହଁଇ କେବଳ, ବର୍ଷ-ମାସ-ଦିନ ଦଣ୍ତ । କର୍ମେ ଜୀଏଁ କର୍ମ ଏକା ତାର, ଜୀବନର ମାନ ଦଣ୍ତ ।”
ସତ୍ୟବାଣୀ ଚେତନାରେ ଉଦ୍ବୁଦ୍ଧ ଗୋପବନ୍ଧୁ ବାରମ୍ବାର କହୁଥିଲେ-“ଦେଶାନୁରାଗ ବିଶ୍ୱପ୍ରୀତିର ବିରୋଧି ନୁହେଁ , ବରଂ ବିଶ୍ୱପ୍ରୀତିହୀନ ପ୍ରାଣରେ ଜାତୀୟତା ଏବଂ ସ୍ୱଦେଶବାତ୍ସଲ୍ୟ ଅସମ୍ଭବ ।” ବରଂ ବିଶ୍ୱହିତ ପାଇଁ ହିନ୍ଦୁର ପ୍ରତିରକ୍ତ ବିନ୍ଦୁ ଉଦ୍ଦିଷ୍ଟ ବୋଲି ଦର୍ଶାଇଛନ୍ତି-
“ନିଜ ସ୍ୱାର୍ଥ ପାଇଁ ଜାତ ନୁହେଁ ହିନ୍ଦୁ,
ବିଶ୍ୱହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ ।”
ବିଶ୍ୱପ୍ରୀତି, ଜାତିମୁକ୍ତି ପାଇଁ ଜାତୀୟ ମହାଯଜ୍ଞରେ ନିଜକୁ ଆହୂତି ଦେଇଥିବା ମାନବବାଦୀ ଯୁଗଜନ୍ମା, ଯୁଗଜୟୀ, ଯୁଗପୁରୁଷ, ଉତ୍କଳର ମଣି, ଦୀନ ଦରିଦ୍ରଙ୍କ ନାରାୟଣ, ଗଣ-ମାନସ-ବିତାନର ଚଳନ୍ତି ଉପାସ୍ୟ ଦେବତା, ଜାତିପ୍ରାଣ ପୁଣ୍ୟଶ୍ଳୋକ ଗୋପବନ୍ଧୁ ଦାସ ଯୁଗେ ଯୁଗେ ଏଜାତିର ପ୍ରାତଃ ସ୍ମରଣୀୟ, ଚିରନମସ୍ୟ ହୋଇ ରହିଥିବେ ।
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ-୪
ଦୂରଭାଷ : ୯୪୩୭୭ ୪୦୧୮୦
ଇ ମେଲ : Laxmansahoo9040@gmail.com