Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୩

ଫୁଲା ଫାଙ୍କିଆ ମୁଁ ତାସ୍ ଖେଳ, ପଶାଖେଳରେ ମାତି ସମୟ ବିତେଇ ଦେଉଥିଲି।ବହି ପଢିବାର ନିଶା ଥିଲା। ପହଁରିବାକୁ ଭଲ ଲାଗୁଥିଲା। କିନ୍ତୁ, ବାପାଙ୍କ କାମ ସମ୍ଭାଳିବାକୁ ଆଦୌ ଇଚ୍ଛା ହେଉନଥିଲା। ଟିକିଏ ବି ଆଗ୍ରହ ନଥିଲା। ଦିନେ ସାଙ୍ଗମାନେ କହିଲେ ବଣଭୋଜି କରିବା। ସତରେ ଆମେ ସମସ୍ତେ ରାନ୍ଧୁଣିଆ ଜଗୁଭାଇନା ସହିତ ସମସ୍ତ ସାମଗ୍ରୀ ଧରି ବଣକୁ ଗଲୁ। ମଜା ବହୁତ ହେଲା। ଆଜି ଆଉଥରେ ମନେ ପଡିଗଲା ମିଥିଳା କଥା। ଜମା ଭଲ ଲାଗିଲାନି। ଖାଁ ଖାଁ ଲାଗିଲା ସମସ୍ତଙ୍କ ସହ ରହିବାପରେ ବି। ଫେରି ଆସିବାକୁ ମନ ହେଲା। ମନର ମାଲିକ ଥିଲି ମୁଁ, ଫେରିବା କହିଲେ ସମସ୍ତେ ମୋ’ ସହିତ।

ବାଟରେ ଦେଖାହେଲା ଦଳେ ଡାକୁ, ନୂଆବୋହୂ ଓ ମୁରବୀ ଶ୍ରେଣୀୟ ଦୁଇତିନିଜଣଙ୍କ ସହିତ । ଆମେ ବୁଝିଗଲୁ ସବୁକିଛି । ଘମାଘୋଟ ଲଢେଇ ହେଲା। କ୍ଷତାକ୍ତ, ରକ୍ତାକ୍ତ ହେଲେ ବି ଆମେ ଜିତିଲୁ। ଜାଣିଲି ପାଲିଙ୍କି ସହ ଅନ୍ୟାୟ ହୋଇଚି। ଶ୍ବଶୁରଘର ଲୋକେ ନେବେନି, ଯିବ କୁଆଡେ ଜଙ୍ଗଲ ଭିତରେ ନୂଆବୋହୂ ।କିଛି ନ ବୁଝି କହିଲି, ଚାଲ ଆମ ଘରକୁ।ଖବର ଗଲା ତା’ ବାପଘରକୁ।ଯାହା ଜଣାଗଲା ଏଇ ତିତିକ୍ଷା ନାମଧାରୀ ଝିଅଟି ଘରର ଇଚ୍ଛା ବିରୁଦ୍ଧରେ ବିବାହ କରିଥିଲା ମନ ପସନ୍ଦର ପିଲାକୁ। ସେ ସମୟର ଦୁଃସାହସିକ ପଦକ୍ଷେପ ଏହା। ସେମାନେ ଦାୟିତ୍ବମୁକ୍ତ ହୋଇଗଲେ, ନାଁଟିଏ କହି। ମୁଁ ଜାଣିଲି, ଭଲ ଘରର ସାହସୀ ଝିଅ ସେ। ଥାଉ ଆମ ଘରେ, ଅନେକ ବଖରା ଖାଲି ପଡିଥିଲା, କୌଣସି ଗୋଟିଏରେ ରହିଯାଉ । ବାପାଙ୍କୁ ଜମା ଭଲ ଲାଗିଲାନି ମୋର ଏ ନିଷ୍ପତ୍ତି। ଭାବୁଥିଲି, ରାଗିବ ଶ୍ବେତପଦ୍ମା । ସେ କିନ୍ତୁ, ଖୁସି ହେଲା ବହୁତ । ବନ୍ଧୁତା କଲା। ମୁଁ ଆଶ୍ବସ୍ତ ହେଲି।

ଆମ ବିବାହର ଚାରି ପାଞ୍ଚ ମାସ ପରେ ଶ୍ବେତା ଏକ ବର୍ଷୁକୀ ଅନ୍ଧାର ରାତିରେ ପୂର୍ଣ୍ଣାଙ୍ଗ ଝିଅଟିଏ ଜନ୍ମଦେଲା। ମାତ୍ର କିଛି ସମୟର ସେବା ପରେ ନିଜ କୋଠରୀ ଭିତରେ ନିଜକୁ ରଖି ଅସୁସ୍ଥତା ପ୍ରକାଶ କଲା। ଜ୍ବର,ଝାଡା, ଦେହବିନ୍ଧାର ବାହାନାନେଇ ବିଶ୍ରାମ ନେବା ଆରମ୍ଭ କଲା। ଏସବୁ ବାପାଙ୍କୁ ଓ କଥା ବାହାରକୁ ନଯିବାର ବାହାନାଥିଲା । ମୁଁ ସବୁ ଜାଣିଥିଲି। କ୍ଷମା ଦେଇଥିଲି ବୋଲି ସେ ରହିପାରିଥିଲା ଆମ ଘରେ, ମୋ ସାଙ୍ଗରେ। ସେ ଭୟ ପାଇଥିଲା , ତା’ର ଅନୈତିକ ଚପଳାମି କାମ ପାଇଁ।  ମୁଁ ତାକୁ କଥା ଦେଇଥିଲି ଗୋପନ ରଖିବି ସବୁ ବୋଲି। ଅଥଚ ସେ ଭରସି ପାରିଲାନି ମୋତେ। ହାୟ! ଏବେ ଭାବୁଚି ସେଦିନ ମୁଁ ଭୁଲ ନିଷ୍ପତ୍ତି ନେଇଥିଲି, ରେ । ନା, ସେ ନିରୀହ ତିତିକ୍ଷା ଉପରେ ଲଦିଦେଲା ସବୁତକ ମିଛ। ଆରୋପ ଲଗେଇ ତା’କୁ ଘରୁ ବାହାର କରିଦେବାକୁ କହିଲା। ସେପଟେ ଓଜାଡି ଦେଇଥିଲା ଝିଅଟି ସହିତ ଗହଣା, ଟଙ୍କା ଲୁଗାପଟା ତା’ ଅଣ୍ଟିରେ। ଧୋକା ଥିଲା ନା ଧକ୍କା, ବୁଝିବା ବେଳକୁ ମୁଁ ଉଦ୍ଦଣ୍ଡ ନାଚୁଥିଲି।

ମିଥିଳା ଦିଶିଲା ସବୁଦିଗରୁ ମୋତେ। ଏପଟେ ଛୋଟ ଝିଅ ସହିତ ତିତିକ୍ଷା ଯିବ କୋଉଠିକୁ, ଭାବି ପାରିଲିନି ବୋଲି ଯାହାଥିଲା ମୋ’ ପାଖରେ ଧରି ପାଲିଙ୍କି ସହିତ ଏଇଠିକୁ ନେଇଆସିଲି ଦୁହିଁଙ୍କୁ। ବାପାଙ୍କୁ ଅସହ୍ୟ ହେଲା ମୋ’ର ଏ କଥା। ବୋହୂ ନାମରେ ସବୁ ସମ୍ପତ୍ତି କରିଦେଇ ସେ ପଳେଇଲେ ବାରଣାସୀ। ଆଉ ଫେରି ନାହାଁନ୍ତି କି ଖୋଜି ନାହାଁନ୍ତି ମୋତେ। ମୁଁ ବି ଖବର ରଖିନି ସେମାନଙ୍କର।
ଶ୍ବେତା ଅନେକ ସମ୍ପତ୍ତି ବିକ୍ରିକରି ଏଇଠି ଜମା ଦେଇଥିଲା ଲକ୍ଷ୍ମୀଦେବୀଙ୍କୁ। ମୁଁ ଧରିନି ସେସବୁ କି ଦେଖାକରିନି ତା’ ସହିତ ସେଦିନରୁ।କିଛି ଆଉ ଜାଣେନି। ସେଦିନରୁ ତ ଏଇଠି।

ଜବା ପଚାରିଦେଲା ଝିଅଟି ଏବେ ଏଇଠି ଅଛି ….। ହସିଲେ ଦାଦାଭାଇ, ବୁଝି ପାରିଲୁନି । ତିତିକ୍ଷା ଡାକିଲା ଦାଦାଭାଇ, ସେଦିନରୁ ସମସ୍ତେ ଡାକିଲେ ସେଇ ନାଁରେ। ହଁ ରେ, ଜାଣୁ ତିତିକ୍ଷା ନାମଧାରୀ ଆଉ ଏଇଠି କେହି ନାହିଁ। ସ୍ଥାନ ବଦଳିଲା ତ ନାମ ବି ବଦଳିଗଲା। ଦେଖ, ଜୀବନ କୋଉଠି ନେଇ କୋଉଠି ଥୋଇଲା। ହୁଏତ ଏଇଠିକୁ ନ ଆଣିଥିଲେ ସେ ଝିଅ ଓ ପାଳିତା ମାଆ କୋଉଠି ନା କୋଉଠି ରହିଥାଆନ୍ତେ। ଯେମିତି ହେଉ ପେଟ ପୋଷିଥାଆନ୍ତେ। ଏଇଠି ତ ଜୀବନ୍ମୃତ ସମସ୍ତେ। ଆଖି ଆଗରେ ଖୁମ୍ପି ପକଉଛନ୍ତି, ଝାମ୍ପି ନେଉଛନ୍ତି…. କ’ଣ କରିବି, ଭୁଲ୍ ତ କରିଚି ଯୁବସୁଲଭ ଚପଳାମିରେ। ମୋ’ର ନିଷ୍ପତ୍ତି ସବୁବେଳେ ସମୟ ସହିତ ବେଖାପ ହେବାଦେଖି ନୀରବ ମୁଁ ଅନେକ ଦିନରୁ।

ମିଥିଳାର ସାମ୍ରାଜ୍ୟରେ ସାଧାରଣ ପ୍ରଜାଟିଏ କେବଳ। ଏ ଜନ୍ମରେ ଆଉ ସୁଧାରି ହେବନିରେ ଭୁଲତ୍ରୁଟି। ଯଦି ଆଗାମୀ ଜନ୍ମ ବୋଲି କିଛିଥାଏ, ଟିକି ଝିଅ ମୋତେ ହିଁ ବାପା ଡାକୁ ବୋଲି କାମନା କରିବି। କୁହୁଳୁଥିବା ମନଟିଏ କିଭଳି କଷ୍ଟପାଏ, ଅନୁଭବୀ କହିବ କେବଳ।ଛାତିଚିରି ଦୀର୍ଘଶ୍ବାସ ବାହାରିଗଲା ତାଙ୍କର ,ମୁଁ ଜବା ଆଉ କରେ କ’ଣ। ପାଣି ଟିକିଏ ପିଇବାକୁ ଦେଲି।

ପ୍ରଗଳ୍ଭ ହେଉଥିଲେ ଦାଦାଭାଇ। ଏଇଠୁ ମୁଁ ଶିଖିଲି ସାଜ ବଜେଇବା ଓସ୍ତାଦଙ୍କଠାରୁ । ପୁଣି ଶିଖିଲି କଥକ। ପେଟ ପାଇଁ କାମ ଦରକାର। ବସି ଖାଇଲେ କିଏ ଭଲ ପାଇବ ଯେ। ବାପାଙ୍କ କଥା ମନେ ପଡେ ଏମିତି ଭାବରେ। କିଛି କର କହିଲେ ଅଶୁଣା କରୁଥିବା ମୁଁ, ସମୟକୁ ଠିକ୍ ଭାବରେ ଉପଯୋଗ କରୂଥିଲି। ଚିନ୍ତା ,ଭାବନାକୁ ଫିଙ୍ଗି ଦିନରାତି ସମସ୍ତଙ୍କୁ ନେଇ ଚଳୁଥିଲି। ପାଠ ସହିତ ନାଚ ,ଗୀତ ଶିଖାଉଥିଲି। ଏଇଟା ଘର ହୋଇଗଲା। ଆଉ ସମସ୍ତେ ମୋ’ ନିଜର ସେଦିନରୁ। ଚିହ୍ନିଲି ଜୀବନକୁ,ବୁଝିଲି ଜୀବନପଥକୁ। ସମସ୍ତଙ୍କୁ ଯଥାସାଧ୍ୟ ଗଢିଲି ମଣିଷ ପଣିଆର ଛାଞ୍ଚରେ। ଏବେ ତ ଛାଡି ଯିବାର ବେଳ ପହଞ୍ଚିଲାଣି। ଆଉ ଭାବିଲେ କିଛି ହବନି।

ଏ ଜବା,ତୁ ଶୋଇଗଲୁ ନା କ’ଣ?  ଅନା, ଟିକେ ମୋତେ। ଜବା ନୀରବରେ ଲୁହଢାଳୁଥିଲା ଖାଲି ତଳକୁ ମୁହଁ ପୋତି। ପ୍ରିୟ ମଣିଷ ଏମିତି କହିପାରେ ନିଜକୁ। କି ସାହସ, କି ଦମ୍ଭ,କି ସ୍ବୀକାରୋକ୍ତି.. । କୋହ,ଲୁହରେ ଫେଣ୍ଟି ହୋଇ ସେ ଗାଇଲେ , ଭୁଲ ମେରି ଛୋଟିସି
ଭୁଲ ଯାଓ ମାତା
ୟେସେ କୋଇ ଆପନୋସେ
ରୁଠ୍ ନେହିଁ ଯାତା…
ରୁଠ୍ ଗେୟାହୁଁ ତ ମୁଝେ ପାସ ବୁଲାଲେ
ଗଲେସେ ଲଗାଲେ
କି ଔର ମେରା କୋଇ ନେହିଁ ….
ଜବା ପାଳିଧରିଲା ଏଥର, ପିଲାଦିନୁ ଶୁଣି ଶୁଣି ବଡ ହୋଇଚି ଯେ…
ମାଆ,ମୁଝେ ଆପନେ ଆଞ୍ଚଲ ମୈଁ ଛୁପାଲେ
ଗଲେସେ ଲଗାଲେ
କି ଔର ମେରା କୋଇ ନେହିଁ …।

ଦାଦାଭାଇଙ୍କ ଗଳାରେ ବେଢିଥିଲା ଜବାର ହାତ,ଆଉ ସେ ସାଉଁଳେଇ ଦେଉଥିଲେ ତା’ ମୁଣ୍ଡ, ଝରୁଥିଲା ଲୁହ ଦୁହିଁଙ୍କର। ନିରୋଳା ସେ ସମୟ, ଦୁହେଁ ଦୁହିଁଙ୍କ ପାଖରେ ଅନାବିଳ ସ୍ନେହରେ ବନ୍ଧା ପଡିଥିଲେ ଯାହା।

Comments are closed.