ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ ……
ଧୂଳିଆ ବାବା ଓରଫ ବାନ୍ଦର ଦାସ ମହନ୍ତ ମହାରାଜଙ୍କ ବିଷୟରେ ଫକୀରମୋହନ ଲେଖିଛନ୍ତି, “ଦିପହର ଧୂପରେ ଠାକୁରଙ୍କ କତିରେ ଭୋଗ ଲାଗେ। ମହନ୍ତ ମହାରାଜ ତେତିକି ସେବା କରନ୍ତି। ଆଉ ତୋଳାଏ ଆପୁ; ପାଏ ଗଞ୍ଜେଇ ଖଞ୍ଜା। ଦିନ ରାତି ଗଞ୍ଜେଇ ଚିଲମ ହାତରୁ ଛୁଟଣ ନ ଥାଏ। ଆଖି ଯୋଡ଼ିକ ସାନ ସାନ ସିନ୍ଦୂର ବିନ୍ଦୁ ପରି ଲାଲ। ସବୁବେଳେ ମିଞ୍ଜି ମିଞ୍ଜି କରି ଚାହାଁନ୍ତି । ତାଙ୍କ ଗଞ୍ଜେଇ ଚିଲମଟା ହାତେ ଲମ୍ବ। ଦଶ ପନ୍ଦର ଜଣ ଭକତ-ଚେଲା ସବୁବେଳେ ବେଢ଼ି ବସିଥାନ୍ତି। ଗଞ୍ଜେଇଟିପା କାମ ପାଞ୍ଚ ଛ’ ଜଣଙ୍କ ହାତରେ ଲାଗିଥାଏ।”
କେବଳ ଫକୀରମୋହନ କାହିଁକି, ପୁରୁଣା ସମୟର ଯେ କୌଣସି କାହାଣୀ ବା ସାମାଜିକ ଜୀବନର ବର୍ଣ୍ଣନା ଭିତରକୁ ଗଞ୍ଜେଇ ପ୍ରସଙ୍ଗଟି ନିଶ୍ଚୟ ପଶି ଆସିଥିବ। ଓଡ଼ିଆ ସମାଜର ବିଭିନ୍ନ ବର୍ଗଙ୍କ ଭିତରେ ଗଞ୍ଜେଇର କଦର କେତେ ଥିଲା ତାହା ଅଷ୍ଟାଦଶ ଶତାବ୍ଦୀରେ ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ରଚିତ ‘ମୋଗଲ ତାମସା’ ପଢିଲେ ଜଣାପଡେ। ତତ୍କାଳୀନ ସମାଜର ନିମ୍ନ ବର୍ଗ ଯଥା ଭେସ୍ତି, ଚଉଡା, ଝାଡୁଵାଲା ଓ ହୁକାବଲା ସମସ୍ତେ ଥିଲେ ଗଞ୍ଜେଇ ତଥା ଅନ୍ୟାନ୍ୟ ନିଶା ଦ୍ରବ୍ୟର କବଳରେ। ଜନୈକ ଝାଡୁଵାଲା ନିଜର ନିଶା ଅଭ୍ୟାସକୁ ବର୍ଣ୍ଣନା କରି ଗାଉଛି, “କୋନ ବୋଲାୱେ ଝାଡୁବାଲା ଓ ଲାଲା, ମେଁ ତୋ ହୁଁ ବୁନିୟାଦ ଵାଲା, ମଦ ତାଡି ମେଁ ଗାଞ୍ଜା ଖାୟା, ଭାଙ୍ଗ ଟୁବି ଚଣ୍ଡ ପିୟା।”
ତ୍ରିନାଥ ମେଳା ଠାକୁରଙ୍କ ଉଦ୍ଦେଶ୍ୟରେ ଗଞ୍ଜେଇ ଉତ୍ସର୍ଗ ଓ ଗାଁ ସହର ସବୁଆଡେ ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଖଞ୍ଜଣୀ ଭଜନ ସହ ଗଞ୍ଜେଇ ସେବନ ତ ଆମର ଏଠିକାର ସାଧାରଣ କଥା। ଏମିତି ପୁରୁଣା ପରମ୍ପରା ବହନ କରୁଥିବା ଓଡ଼ିଶାର ଗଞ୍ଜେଇ ଓ ଭାଙ୍ଗ ସତେଯେମିତି ତାଙ୍କର ନ୍ୟାଯ୍ୟ ସ୍ୱୀକୃତି ହାସଲ କଲେ ବିଗତ ଏକ ବର୍ଷ ଭିତରେ ଘଟିଯାଇଥିବା ଦୁଇଟି ଘଟଣା ପରେ। ଏବେ ସବୁଆଡେ ଓଡିଶା ଗଞ୍ଜେଇ (ଇଂରାଜୀରେ କାନାବିଶ, ଚଳନ୍ତି ଭାଷାରେ ଉଇଡ ବା ଗ୍ରାସ) ର ଡାକହାକ। ଏ ସ୍ୱୀକୃତି ତ ଆଉ ଇଆଡୁ ସିଆଡ଼ୁ ମିଳିନି, ମିଳିଛି ସିଧା ବଲିଉଡରୁ, ଯେଉଁ ତାରକା ଶୋଭିତ ନଭମଣ୍ଡଳ ଉପରେ ସମସ୍ତଙ୍କର ଆଖି। ପ୍ରଥମ ଝଲକଟି ମିଳିଥିଲା ବର୍ଷକ ତଳେ ଆତ୍ମହତ୍ୟା କରିଥିବା ନୂଆ ତାରକା ସୁଶାନ୍ତ ସିଂ ରାଜପୁତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତୀ ତାଙ୍କର ଜଣେ ବନ୍ଧୁଙ୍କୁ ପଠାଇଠିଥିବା ଏକ ସନ୍ଦେଶରୁ। ୨୦୧୭ ମସିହାର ଏହି ବାର୍ତ୍ତାରେ ରିଆ ଲେଖିଥିଲେ, “ଭୁବନେଶ୍ୱର ହେଲା ଅସଲି ଜାଗା, ସେଠାକାର ଉଇଡ ସର୍ବୋତ୍ତମ।“ ଅନୁଭବୀ ଆସ୍ୱାଦନକାରୀଙ୍କ ପାଖରୁ ଏପରି ସନନ୍ଦ ପତ୍ର ପାଇବା କିଛି କମ କଥା ନୁହେଁ । ଆଉ ଏପରି ନାମୀ ଦାମୀ ସ୍ଥାନରୁ ପ୍ରଶଂସା ଓଡିଶା ଗଞ୍ଜେଇକୁ ଏବେ ଯେମିତି ଲୋକପ୍ରିୟତାର ଚରମ ଦେଶରେ ପହଞ୍ଚାଇ ଦେଇଛି। ଏହା ଆଜି ସାମାଜିକ ଗଣମାଧ୍ୟମରେ ଓଡ଼ିଶାର ଏହି ଚିଜଟି ବିଷୟରେ ସରଗରମ ଆଲୋଚନାରୁ ଜଣାପଡେ। ପୁଣି ଖବରରେ ସବୁବେଳେ ରହିଛି ଓଡ଼ିଶାର ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚାଲାଣ ଓ ଜବତର ଖବର।
ହେଲେ ନିକଟରେ ଚହଳ ସୃଷ୍ଟି କରିଥିବା ଶାହରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟାନର କ୍ରୁଜ ଭିତରେ ନିଶା ପାର୍ଟିର ଖବର ଓଡ଼ିଶାର ଗଞ୍ଜେଇକୁ ପୁଣି ଦେଇଛି ନୂଆ (କୁ)ଖ୍ୟାତି। ଓଡ଼ିଶାର ଦୁଇଜଣ ଯୁବକଙ୍କ ଏହି କେଳେଙ୍କାରୀରେ ସମ୍ପୃକ୍ତି ଓ ଗିରଫଦାରୀ ସୂଚନା ଦେଉଛି ଏହି ନିଶାର ଚେର କେତେ ଗଭୀରକୁ ଗଲାଣି। ଗଞ୍ଜେଇ ଭାଙ୍ଗ ଓଡ଼ିଶାରେ ପୁରୁଣା ଧାର୍ମିକ ଓ ସାଂସ୍କୃତିକ ସଂଯୋଗ ହେତୁ ଗ୍ରାହ୍ୟତା ଓ ନିଷିଦ୍ଧତାର ଫେଣ୍ଟାଫେଣ୍ଟି ଏକ ଧୂସର ଇଲାକାରେ ରହିଆସିଛନ୍ତି। ଏହି ଦ୍ୱନ୍ଦ୍ୱ ଭିତରେ କିନ୍ତୁ ନିଶା କାରବାରର ତୀବ୍ରତା ଭାଙ୍ଗ ଗଞ୍ଜେଇଙ୍କୁ କାହିଁ କେତେ ପଛରେ ପକାଇ ଅନ୍ୟାନ୍ୟ ଭୟଙ୍କର ନିଶା ଉପାଦାନ ଆଡକୁ ବ୍ୟାପି ଗଲାଣି। ଅସଲି ବିପଦ ସେଇଠି, ଏ ବିପଦ କେବଳ ଭାଙ୍ଗ ଗଞ୍ଜେଇରେ ସୀମିତ ନୁହେଁ।
ଗଞ୍ଜେଇ ଉତ୍ପାଦନ ଓ ଏହାର ବିତରଣ ନିଷିଦ୍ଧ ଘୋଷିତ ହେବାର ଦେଢ଼ ଶହ ବର୍ଷ ହେଲାଣି। ବ୍ରିଟିଶ ରାଜତ୍ୱ କାଳରେ ଏକ କମିଶନ ବସାଯାଇ, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ନ୍ୟାୟିକ କ୍ଷେତ୍ରର ଜ୍ଞାନୀ ବ୍ୟକ୍ତି ମାନଙ୍କ ଛଡ଼ା ଏହାକୁ ବ୍ୟବହାର କରୁଥିବା ଦିନମଜୁରିଆ, ସାଧୁ ଓ ଫକୀର ଇତ୍ୟାଦି ବିଭିନ୍ନ ବର୍ଗର ଶହ ଶହ ଲୋକଙ୍କ ମତାମତ ଭିତ୍ତିରେ ଏ ଗୁଡିକୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ସେହି ଦିନଠୁ ଏହି ବାରଣ ବଳବତ୍ତର ରହିଛି, କିଛିଟା କୋହଳତା ସହିତ। ହେଲେ ଏତେବର୍ଷର ନିୟମ ତଥା ଧରପଗଡ଼ ସତ୍ତ୍ୱେ ଏହାର ବ୍ୟବହାର ଓ ବ୍ୟବସାୟ ବଢିଚାଲିଛି। ତେଣୁ ସମୟ ଆସିଛି ଏହାକୁ କେବଳ ନିୟମର କବ୍ଜା ଭିତରେ ଛାଡି ନ ଦେଇ ଏହାର ସାମାଜତାତ୍ତ୍ୱିକ ସମାଧାନ ଖୋଜିବାର।
ଅନେକ ଜ୍ଞାନୀ ବ୍ୟକ୍ତି କହିଲେଣି କୁଆଡେ ଗଞ୍ଜେଇକୁ ନିଷିଦ୍ଧ ଘୋଷଣା କରିବା ମୂଳରୁ ଉଚିତ ନ ଥିଲା। ବ୍ରିଟିଶ ରାଜତ୍ଵର ଏହି ନିୟମ ଲାଗୁ କରିବା ପଛରେ ଥିଲା ଏକ ସ୍ୱାର୍ଥପର ବ୍ୟବସାୟିକ ଅଭିସନ୍ଧି। ଗଞ୍ଜେଇ ଭାରତର ବହୁ ପୁରୁଣା ମହୌଷଧି। ତା’ ଛଡା ଗଞ୍ଜେଇ ଗଛର ଫୁଲ, ଫଳ ଓ ପତ୍ର, କପଡା ଓ କାଗଜଠୁ ଆରମ୍ଭ କରି ଅନ୍ୟାନ୍ୟ ଅନେକ ଜିନିଷ ଉତ୍ପାଦନ କରିବାରେ ଲାଗିଥାଏ। ଶିବଙ୍କର ପ୍ରିୟ ପ୍ରସାଦ ହିସାବରେ ଏହାର ଧାର୍ମିକ ଭିତ୍ତି ତ ରହିଛି। ଇଂରେଜ ମାନେ ସିନା ଏଲୋପାଥି ଚିକିତ୍ସାକୁ ଆଖିରେ ରଖି ଏହି ମହୌଷଧିକୁ ନିଷିଦ୍ଧ ଘୋଷିତ କଲେ, ହେଲେ ଏବେ ଏହାର ଭଲ ଦିଗକୁ ବିଚାର କରି ଏହାର ଆଂଶିକ ବ୍ୟବହାର ବୈଧ କରିବାକୁ ସେହି ବିଶାରଦ ମାନଙ୍କର ମତ। ଅନେକ ଦେଶ ଔଷଧ ହିସାବରେ ବ୍ୟବହାର ଓ ପ୍ରୟୋଗ ପାଇଁ, ଏମିତିକି ମନୋରଞ୍ଜନ ପାଇଁ ଗଞ୍ଜେଇ ଉପରୁ କଟକଣା ଉଠାଇ ସାରିଲେଣି। କେତେକଙ୍କ ମତରେ ଭାରତ ମଧ୍ୟ ଏହି ପୁରୁଣା କଟକଣା ବିଷୟରେ ପୁନର୍ବିଚାର କରିବାର ସମୟ ଆସିଯାଇଛି। ଆଉ ଓଡ଼ିଶା ଏହି ନିଶାଦ୍ରବ୍ୟ ସମ୍ପର୍କୀୟ ଅନେକ ବାଦ ବିସମ୍ବାଦ ଭିତରକୁ ବାରମ୍ବାର ଟାଣି ହୋଇ ଆସୁଥିବାରୁ ଓଡ଼ିଶା ସରକାର ଏହି ପୁନର୍ମୂଲ୍ୟାୟନ ଆରମ୍ଭ କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେବା ଉଚିତ।
Comments are closed.