Latest Odisha News

BREAKING NEWS

[ଭିଡ଼ିଓ] ବିଜୟାଦଶମୀରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ: ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ ।  ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ବା ବିଜୟାଦଶମୀ । ମହାପ୍ରଭୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ ହୋଇଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ ନୂଆ ଲୁଗା,୩୨ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ଲାଗି ପରେ ମହାପ୍ରଭୁଙ୍କୁ ସୁନାବେଶରେ ଆଭୂଷଣ କରାଯାଇଥିଲା ।

ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିଥିଲେ ।  ଏହି ଅବସରରେ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ମଧ୍ୟ କରାଯାଇଥିଲା । ଏହି ବେଶରେ ପାଞ୍ଚଖଣ୍ଡ ଆଜ୍ଞାମାଳ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା ।

ସକାଳଧୂପ ସରିବା ପରେ ଆୟୁଧ ମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯାଇଥିଲା । ମେକାପ ତିନଟି ରୂପାଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳ ମୁଷଳ, ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡକୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ ଚକ୍ର ଆୟୁଧ ଲାଗି କରିଥିଲେ । ପରେ ମଦନମୋହନ ଓ ରାମକୃଷ୍ଣ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ମହାଖଳାକୁ ବିଜେ କରିଥିଲେ ।

ସେଠାରେ ଆରତୀ ବଢିବା ପରେ ମଦନ ମୋହନଙ୍କ ସହ ଦୁର୍ଗାମାଧବ ସିଂହାସନକୁ ବିଜେ କରିଥିଲେ । ସେଠାରେ ତିନି ବାଡ଼ରେ ମଙ୍ଗଳାର୍ପଣ କରାଯାଇଥିଲା । ଏହି ଅବସରରେ ଜଗନ୍ନାଥ ବଲ୍ଲଭ ମଠରେ ଠାକୁରଙ୍କୁ ପ୍ରସାଦ ଲାଗି ଓ ବନ୍ଦାପନା କରାଯାଇଥିଲା | ଏହାପରେ ଠାକୁର ମାନେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ । …

ଆସନ୍ତାକାଲି ଶ୍ରୀମନ୍ଦିରରେ ଏକାଦଶୀ ନୀତି ଯୋଗୁଁ ମହାଦୀପ ଉଠିବା ପରେ ଗୋଷାଣି ମାନେ ଶୋଭାଯାତ୍ରାରେ ଦେବୀଘାଟ ଅଭିମୁଖେ ବାହାରିବେ । ଭଷାଣୀ ପାଇଁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ୧୪୪ ଧାରା ଜାରି କରାଯାଇଛି । ଶ୍ରୀକ୍ଷେତ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.