Latest Odisha News

BREAKING NEWS

କବିତା : କୁଆଁର ପୁନେଇଁ ଚାନ୍ଦ

ପ୍ରିୟମ୍ୱଦା ସାମଲ 

ଶେଷ ଆଶ୍ବିନରେ ଆଦ୍ଯ କାର୍ତ୍ତିକରେ
ଆସଇ କୁମାର ପୂର୍ଣ୍ଣିମା
କୁଆଁରୀକନ୍ଯାର ଭାରି ମନଖୁସି
ପୂଜିବ ଆଜ ସେ ଚନ୍ଦ୍ରମା।

ପ୍ରାତଃ ସ୍ନାନସାରି ନବବସ୍ତ୍ର ପିନ୍ଧି
ପୂଜଇ ଦେବୀ ବ୍ରୁନ୍ଦାବତୀ
ସାଇ ସାଇ ବୁଲି ଫୁଲ ହାର ଗୁନ୍ଥି
ଗୀତଗାଇ ମନ ହରନ୍ତି।

ପ୍ରଦୋଷ ସମୟେ ଚାନ୍ଦକୁ ଚାହିଁ ସେ
କରିବ ପୂଜା ଅର୍ଚ୍ଚନା
ଖଇ ଆଞ୍ଜୁଳିରେ ନୈବେଦ୍ଯ ସମର୍ପି
ମନ ହୁଏ ଆନମନା ।

କଦଳୀ ନଡିଆ ଖଇଛେନା ଭୋଗ
ଥାଳିରେ ଚାନ୍ଦ ତିଆରି
ଧୂପ ଦୀପ ନୈବେଦ୍ଯେ ମନାସେ ମନେ
ପାଉ ପତି ଚାନ୍ଦ ପରି।

କୁମାର ପୁନେଇଁ ଜହ୍ନଗୋ ଗୀତରେ
ଗାଁ ଦାଣ୍ତ ହୁଏ ଉଲ୍ଲସିତା
ପୁଚି ବାଗୁଡ଼ି ଖେଳରେ ମାତିଥାନ୍ତି
ଗାଁର କୁମାରୀ ଦୁହିତା।

ବାରମାସରେ ତେର ପରବ ଯେ
ଆମ ସଂସ୍କୃତିର ଗାଥା
କୁମାର ପୁନେଇଁ ଭାରିତ ସୁନ୍ଦର
କହେ କୁଆଁରୀ ମନକଥା।

ପଟିଆ, ଭୁବନେଶ୍ୱର

Comments are closed.