ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୨

ଦ୍ରୁତ ପରିବର୍ତ୍ତନ ସହ ଖାପ ଖୁଏଇ ଧାଇଁବାକୁ ମନ ଓ ଦେହରେ ଅମାପ ଶକ୍ତି ସାମର୍ଥ୍ୟ ସହ ଦୃଢତାକୁ ଆପଣେଇ, ନିଷ୍ଠାକୁ ଜାବୋଡି, ବିଚାର ବିମର୍ଶ ନିଜ ସହିତ ବାରମ୍ବାର କରି ହାତେ ମାପି ଅଧ ଇଞ୍ଚ ଚାଲିବାକୁ ହେବ ଏବେ। ଯୁଗ ପରିବର୍ତ୍ତନ ଏମିତି ହୁଏ। ଖାପଖୁଆଇ ଆଗକୁ ଆଗେଇନେଲେ ଭଲ ,ନହଲେ ପଛୁଆ ପଛୁଆ ହୋଇ ସାରାଜୀବନ ହାହୁତାଶକୁ କାନିରେ ବାନ୍ଧ ,କି ପକେଟରେ ରଖ ,ସମୟ ପରୁୱା କରିବନି ଜମା।

ଅମୃତା, ଚନ୍ଦ୍ରା, ଜବା,ତିଥି ଇତ୍ୟାଦିଙ୍କର ବ୍ୟକ୍ତିତ୍ବର ବିକାଶ ସହିତ ସମୟ ସହ ପରିପକ୍ୱତା ଦରକାର। ସେଇଥିପାଇଁ ମୁଁ ସଦା ଯତ୍ନ ନିଏ ଏମାନଙ୍କର।କ୍ବେଷ୍ଟର କ୍ଲବରେ ଅଲଗା ଅଲଗା ସମୟରେ ଏମାନଙ୍କୁ ଡାକି ସ୍ବତନ୍ତ୍ର ତାଲିମ ଦେବାକୁ ପଡେ। ସେମାନଙ୍କ ଅଜାଣତରେ ସେମାନଙ୍କ ବୋଧଜ୍ଞାନ ବଢେ।ପରିବର୍ତ୍ତିତ ଏଇ ସତ୍ତା ଆଗାମୀ କାଲିକୁ ଗଢିବ ମନ ପ୍ରାଣ ଦେଇ। ଏମାନେ ସତରେ ଅନନ୍ୟା ନିଜ ନିଜ କ୍ଷେତ୍ରରେ। ବୁଷ୍ଟିଂ ଦରକାର ପଡେ ଯାହା ବେଳେବେଳେ।ଆଉ ଟିକିଏ ଚମକିବେ, ଆଉଟିକିଏ ଉଜ୍ଜଳିଉଠିବେ ଏ ହୀରାମାନେ।

ସମତାଳରେ ଆଉ କିଛି ଜଣ ଗଢି ହେଉଛନ୍ତି ଏବେ।ନହଲେ ତ ହବନି। ବହୁତ ଦରକାର ଏଭଳି ସୁଶୃଙ୍ଖଳ ଯୁବତୀ । ଏଇମାନେ ଝପଟି ଯିବେ ଜୀବନର ରଣାଙ୍ଗନକୁ, ଆଉ ଜାଣିବେ ଜୀବନଯୁଦ୍ଧକୁ, ଜିଣିବେ ନିଶ୍ଚୟ । ଡରିବେନି କୌଣସି ପ୍ରତିକୂଳ ପରିସ୍ଥିତିକୁ। ସମ୍ମାନରସହ ବଞ୍ଚିବେ ସାମାଜିକ ବ୍ୟବସ୍ଥା ସହିତ। ଦଳ ପରେ ଦଳ ରହିଲେ ସିନା ଉପଯୁକ୍ତ କାମ ହୋଇପାରିବ। ଡକ୍ଟର ଦେବିକାଙ୍କ ସହ କି ଅମୃତ ବେଳାରେ ଦେଖା ହେଲା ଯେ ପାଦ ଏବେ ଆଗକୁ ଆଗକୁ ଅନେକ ଆଗକୁ ଆଗେଇ ନେଉଚି।ଧନ୍ୟବାଦ ଦେଉଚି ସମୟକୁ। ମୁଁ ଓ ଆଉ କେତେଜଣ ତାଙ୍କୁ ଦେବିକା ଡାକୁ ଶ୍ରଦ୍ଧାରେ।ମଣିଷ ନୁହଁନ୍ତି ସେ ଦେବୀଟିଏ। ସବୁ ପ୍ରକାର ସାତ୍ତ୍ଵିକ ଗୁଣର ଅଧିକାରିଣୀ।

ଡାକ୍ତରୀ ପାଠ ପଢିବା ପରେ ମୋର ମନୋସ୍ତାତ୍ତ୍ତିକ ହେବାଟା ବେଶି ପସନ୍ଦ କରୁନଥିଲେ କେତେଜଣ । ଲାଗୁଥିଲା ସେମାନେ ପାଗଳ ନହଲେ ମୁଁ ପାଗଳ। ହଁ ଆମେ ସମସ୍ତେ ଅଳ୍ପେ ବହୁତେ ପାଗଳ।ପାଗଳପଣ ନରହିଲେ କୋଉ ଆଗେଇହୁଏ ଯେ ! ଆଉ ପାଗଳପଣ ସକାରାତ୍ମକ ହେଲେ ଉନ୍ନତି ଅବଶ୍ୟମ୍ଭାବୀ।

ରଞ୍ଜୁର ସ୍ବତନ୍ତ୍ରଭାବରେ ଦେଖାଶୁଣା ଦରକାର ପଡୁଛି ଏବେ।ବିଭିନ୍ନ ଥେରାପି ଚାଲିଚି । ଯେତେଶୀଘ୍ର ହେଉ ସେ ଫେରିଯାଉ ତା’ ପୂର୍ବ ମାନସିକସ୍ଥିତିକୁ।ଘର ତା’ର ଉଜ୍ଜ୍ବଳି ଉଠୁ,ଅମା ଅନ୍ଧାର ଉଭେଇଯାଇ ଜହ୍ନରାତି ଆସୁ ସବୁଦିନକୁ।

ଗଙ୍ଗା ଯମୁନା କଲୋନୀରେ ଦିନକୁ ଦିନ ବିଶେଷଭାବରେ କାମ ପଡୁଛି । ନିତିଦିନ ଅନେକ ଚିହ୍ନା ଅଚିହ୍ନାଙ୍କ ମନ ପଢା, ଟିଭିରେ କହିବା ପାଇଁ ବିଷୟବସ୍ତୁ ଚୟନ,ଆଉ ତା ପାଇଁ ପ୍ରସ୍ତୁତି , ….ସବୁ ମିଶିଲେ ଜୀବନ। ଘର ପରିବାରକୁ ପୁଣି ଦେବାକୁ ପଡେ ସମୟ, ଏମାନେ ପରା ଖୁଣ୍ଟ କି ବାଡ ଭଳି ଛିଡାହୁଅନ୍ତି ସମୟ ଅସମୟରେ।ଏମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଓ ପ୍ରେମ ମୋ’ର ରହିଛି, ରହିବ ।ଆଉ ନିଜ ପାଇଁ ସମୟ…। ମିଳେନି ସେମିତି କିଛି।ନିଃଶ୍ବାସରେ ଚାଲେ ଜପ,ମାନସରେ ପୂଜାପାଆନ୍ତି ଠାକୁର।ସମସ୍ତଙ୍କ ପାଇଁ ଯେଉଁ ସମୟ ଦିଏ ସେଥିରୁ ନିଜପାଇଁ ମିଳିଯାଏ ଖୋରାକ।

ଗତକାଲି କେତେ କେତେ କଥା କି ସୁନ୍ଦର ବଖାଣିଦେଇଗଲେ କ୍ବେଷ୍ଟର କ୍ଲବରେ ।ଗୋଟେଇ ନେବାକୁ ହୁଏ ସେଇଠୁ ଜୀବନକୁ।ଅନାବିଳ ସ୍ନେହ ମୁଁ ସାଇତିଚି ସମସ୍ତଙ୍କ ପାଇଁ। ଅଜାଡି ଦେଉଚି,ପାତ୍ର କି ଅପାତ୍ର ଆଉ ଦିଶୁନି କିଛି। ଦିଶୁଛି ସବୁଠି ଜଣେ ବିରାଜମାନ।କ୍ଷମା କରିଦେଉଚି ସେଇଥିପାଇଁ ସମସ୍ତ କଣ୍ଟାଝଣ୍ଟା ,ବାଧାବିଘ୍ନକୁ।ଯିଏ ଯାହାର ଧର୍ମ ନିଭେଇବେ ଏ ଧରାରେ।କଣ୍ଟା ଫୋଡିହବ, ନିଆଁ ପୋଡିଦବ, ପାଣି ଉପରୁ ତଳକୁ ବୋହିବ ଏସବୁ ସେମାନଙ୍କର ଧର୍ମ।ଛାଡୁ ନାହାଁନ୍ତି ଯଦି ବସ୍ତୁ ବିଶେଷ, ଏ ମଣିଷ ଛାଡିବ କାହିଁକି ତା ଧର୍ମ  ମଣିଷପଣିଆକୁ?ଧରି ରଖ ବୋଲି ବୁଝାଇବାକୁ ପଡୁଚି ବିଭିନ୍ନ ଭାବରେ , ବାରମ୍ବାର।

ନିଜ ଭିତରେ ଖୁସି ଆସିବ ଆଉ ସେଇଟା ପ୍ରସାରିତ ହେବ ଜଣକ ପରେ ଜଣକୁ।ଶ୍ରଦ୍ଧା ଓ ମଣିଷପଣିଆ ଛଡା ଆଉ ଅଛି ବା କ’ଣ? ସେଇଥିରେ ଉପଚାର ହୁଏ ବିଭିନ୍ନ ଭାବରେ। ମିଷ୍ଟର ଡି’ସୁଜାଙ୍କ ଏକମାତ୍ର ପୁଅ ଅତ୍ୟଧିକ ଗେହ୍ଲା ଆଉ ଟଙ୍କା ପାଇ ପାଦ କୋଉ ପୃଥିବୀରେ ଥାପିଥିଲା, ତା’କୁ ତ ପୁଣି ଫେରେଇ ଆଣୁଚି ଆମର ସେଇ କ୍ଲବ। ସମସ୍ତଙ୍କ ଅକୁଣ୍ଠ ସାହାଯ୍ୟ ଫଳରେ ପିଲାଟି ଧିରେ ଧିରେ ଠିକ୍ ହେଉଚି। ପୁଣି ଫେରିବ ଜୀବନର ରାସ୍ତାକୁ। ଖାଲି ଏତିକି ଯେ କିଛି ବ୍ୟବହାରିକ ଜ୍ଞାନରହିତ ମଣିଷ ମନେ ପକେଇ ନଦିଅନ୍ତୁ ତାକୁ,ତାର ଅପକର୍ମକୁ। ଆଉ ଟିକିଏ ଦରକାର ତାକୁ ଧୈର୍ଯ୍ୟ ଓ ସହନଶୀଳତା। ସେ ପାରିବ…ସେ ନିଜଭୁଲ, ନିଜ ନିନ୍ଦା ଶୁଣି ଦମ୍ଭର ସହ ସହିବ ଓ ବଖାଣି ପାରିବ ଅବାଟର କଥା। ସତରେ ଆମକୁ କେତେ ପ୍ରକାର ଜିନିଷ ଦେଖାଏ ଏ ଜୀବନ!ଅମଣିଆଙ୍କୁ ବଶ କରିବାର ଏକମାତ୍ର ଉପାୟ ସେଇଠି ଅଛି।

ଦିବ୍ୟ ଆନନ୍ଦର ଧାରା ବହିଯାଉଚି ଅବିରାମ। ଧରିବାକୁ ଶକ୍ତି କାହିଁ ମୋ’ର..।ଚବିଶଘଣ୍ଟାରେ ଯେଉଁ କେତୋଟି ମୂହୁର୍ତ୍ତ ପାଏ ସାଉଁଟି ନିଏ ସେସବୁ…ଆଉ ହରିଯାଏ ଦୁଃଖ, ଶୋକ, ବିଷାଦ, ଆତୁରତା …ଉଭେଇଯାଏ ଅଳନ୍ଦୁ ମନରୁ। ଉଜୁଡା କ୍ଷେତରେ ଖେଳିଯାଏ ଶ୍ରଦ୍ଧା ସବୁଜିମା। ବାତ୍ୟା ବିଧ୍ବସ୍ତ ଅଞ୍ଚଳରେ ଅଙ୍କୁରୋଦ୍ଗମ ହୁଏ ଭଲପାଇବା…ମେଘୁଆ ଆକାଶ ତଳୁ ଫକକିନା ଡେଇଁ ପଡନ୍ତି ବାଳସୂର୍ଯ୍ୟ।ନୂତନ ଉପତ୍ୟକାରେ ନୂଆ ପ୍ରଜାତିର ନମୂନା …। ଆଶା ସମ୍ଭାବନାର ଯମୁନା। ‘ଡକ୍ଟର ବସା, ଆଜି ଘରକୁ ଯିବାକୁ ମନ ନାହିଁ କି?’ ଡକ୍ଟର ଦେବିକାଙ୍କ ମିଠା ତଥା କଡା ସ୍ବର ଶୁଣିବା ପରେ ପ୍ରକୃତିସ୍ଥ ହେଲି ।