ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୬
ଏବେ ଆରମ୍ଭ ହେଲା ବେଦ ,ଉପନିଷଦ ପଢା। ମାନନୀୟା ଶନ୍ନୋଦେବୀଙ୍କ ସହ ଯୋଗାଯୋଗ କରି ମାଆ ସବୁଦିନ ନେଇ ଯାଉଥିଲେ ତାଙ୍କ ପାଖକୁ। ସେ ବଡସୁନ୍ଦର ଭାବରେ ମୋ’ର ଜ୍ଞାନ ପରୀକ୍ଷା କରିନେଲେ। ବୁଝି ପାରିଲେ ମୋ’ ଆଧାରଶକ୍ତିକୁ। ସେଇ ଅନୁସାରେ ପଢାଇଲେ। ବେଦର ଭାଷା କିଛି ଅଲଗା।ଉପନିଷଦର କଥା ଗୂଢ ତଥା ମିଠା। ଅନେକ ଗପସହ ଭେଟ ହେଲା। ଅନେକ ନୀତିନିୟମ ଜାଣିଲି।କି କୃତଜ୍ଞତା ପ୍ରତ୍ୟେକ ଦରକାରୀ ଜିନିଷକୁ ଜଣେଇ ମଣିଷ ନିଜର ସହନଶୀଳତାକୁ ପରିପ୍ରକାଶ କରିବା ସହିତ ଗର୍ବ ରହିତ ହୋଇଛି।ନିରହଙ୍କାର ହୋଇ ଶାଶ୍ବତଙ୍କ ସହ ପରମ ଆନନ୍ଦରେ ନିମଜ୍ଜିତ ହୋଇଚି। ସାମାଜିକ ଶୃଙ୍ଖଳାଜ୍ଞାନ ପାଇଚି।ପାଇଚି ଜୀବନକୁ ସେସବୁଥିରେ। ଜୀବନର କଥାତ ସବୁଠି , ମନୋଜ୍ଞ ଭାବରେ ରହିଛି। ସେ ଶିଖେଇଲେ ଯଜ୍ଞ। ଶିଖେଇଲେ ଅନେକ କିଛି ବୈଦିକ ରୀତିନୀତି।
ହିନ୍ଦୀ ତ ସ୍କୁଲରେ ପଢିଥିଲି। ବଙ୍ଗଳା ସହ ସାକ୍ଷାତ ହେଲା। ମାଆଙ୍କର ପ୍ରଚେଷ୍ଟା ଫଳରେ ବିଶେଷ କଷ୍ଟ ନ ହୋଇ ଏ ଦୁଇ ଭାଷାରେ ପଢାଲେଖା ଓ କୁହାବୋଲା ହୋଇପାରିଲା। ଏତେ ବ୍ୟସ୍ତତା ଭିତରେ ମାଆ ମୋ’ ପାଇଁ ବିଶେଷ ଭାବରେ ସମୟ ଦେଉଥିଲେ। ଧ୍ୟାନ ଠିକ୍ ଭାବରେ ରଖିଥିଲେ। ତା’ସହିତ ନିଜର ଓ ପିଲାଙ୍କର ଯତ୍ନ ନେଉଥିଲେ ପରମ ଆନନ୍ଦରେ।
ବିଭିନ୍ନ ଧର୍ମ ଶାସ୍ତ୍ର ସହିତ ଭାଷା ସାହିତ୍ୟ ପଢି ବିଚାର କରିପାରୁଥିଲି। କୋରାନ, ବାଇବେଲ, ଆଭେସ୍ତା, ତ୍ରିପିଟକ,ବେଦ, ଗୀତା,ଭାଗବତ , ସାଂଖ୍ଯ, ଯୋଗ ,ଦର୍ଶନ ତଥା ବିଭିନ୍ନ ଭାଷ୍ୟକାରଙ୍କ ବିଭିନ୍ନ କଥା ପଢି ଏତିକି ଜାଣିଲି,ସବୁଥିରେ ବଞ୍ଚିବାର କଥା,ଜୀବନର କଥା ରହିଛି।ମାନବବାଦର ଜୟଗାନହିଁ ହୋଇଛି ସବୁଠି । ଭାଷା,ସ୍ଥାନ, କାଳ, ପାତ୍ର ଅନୁସାରେ ଅନେକ ବିଭିନ୍ନତା ସତ୍ତ୍ବେ ଆମେ ଏକ।ସାରା ପୃଥିବୀ ଏକ।ସଜୀବ ଓ ନିର୍ଜୀବ ଏକ।ଜଗଦୀଶ ଚନ୍ଦ୍ର ପଦାର୍ଥ ବିଜ୍ଞାନରେ ଏ କଥା କହିଛନ୍ତି। ଏ ରହସ୍ୟ ବୁଝିପାରିବା ପାଇଁ ସାଧନା ଓ ନିଷ୍ଠା ଦରକାର। ଧୈର୍ଯ୍ୟ ଓ ବିଶ୍ବାସ ଦରକାର।ଆମେ ଅବୁଝା, ଅଜବ…।ନିଜର ଅହଂକୁ ଜାହିର କରିବାରେ ବ୍ୟସ୍ତ। ତଥାପି ଅପେକ୍ଷା ରଖୁ ଅନିତ୍ୟ ସଂସାରର ସୁଖକୁ। ମୁଁ ସେଭଳି ବ୍ୟକ୍ତିତ୍ବଙ୍କୁ ଅଜ୍ଞ କହି ପ୍ରଭୁଙ୍କୁ ପ୍ରାର୍ଥନା କରେ କ୍ଷମା କରିଦେବାକୁ। ନିହାତି ନୀରିହ ସେମାନେ। ବୁଝିନାହାଁନ୍ତି ବୋଲି ଆତ୍ମବଡିମା ଦେଖାଇ ହୁଅନ୍ତି। ଥରେ ବୁଝିଗଲେ ନୀରବି ଯିବେନି କି..।ନୀରବତାର ଭାଷା କାହୁଁ ବୁଝିବେ ସେଭଳି ବ୍ୟକ୍ତି !
ଦଶ ବର୍ଷ ବିତିଗଲା। ଯୁଗଟିଏ ଚାଲିଗଲା। ଅକ୍ଳାନ୍ତ ପରିଶ୍ରମ ମୋ’ର ଆଉ ମାଆଙ୍କର ଅଦମ୍ୟ ଉତ୍ସାହ କୋଉଠି ନେଇ ପହଞ୍ଚେଇଲା । ଏବେ ଚବିଶଘଣ୍ଟା ନିଅଣ୍ଟ ପଡେ ମୋତେ।ଭାବିବାକୁ କିଛି ନଥାଏ ଆଉ ମୋ’ ପାଖରେ।ପିଲାମାନଙ୍କ ମାଆ ଥିଲି କେବଳ ନାମକୁ ମାତ୍ର।ଏଇ ମାଆହିଁ ଥିଲେ ମୋର ଓ ମୋ’ ପିଲାଙ୍କର ମାଆ।ସମସ୍ତ ପ୍ରକାର ଯତ୍ନ ନେଇ ପାରୁଥିଲେ।କୋଟିକୋଟି ପ୍ରଣାମ ଢାଳେ ମୁଁ ତାଙ୍କ ପାଦରେ।
ଏଗାର ଚାଲିଲା। ଏବର୍ଷଟି ଏକାନ୍ତ ଭାବରେ ମୋ’ର।ନୂଆ ନୂଆ ପ୍ରକ୍ରିୟା ସହିତ ନୂଆ ନୂଆ ଅନୁଭୂତି ଆଉ କିଛି ଦର୍ଶନ ମିଶି ନୂଆ ଆଭାରେ ବିକଶିତ ତନୁମନ।ଗୃହୀ ବି ସନ୍ନ୍ୟାସୀ ହୋଇପାରେ ! ଆଉ ସାଧାରଣ ଅସାଧାରଣରେ ରୂପାନ୍ତରିତ ହୋଇଯାଏ … ।ଏକ ମହାଜାଗତିକ ଶକ୍ତି ସହ ପରିପୂର୍ଣ୍ଣ ଆତ୍ମସମର୍ପଣ ….ଭାଷାରହିତ ଦିବ୍ୟ ଉପଲବ୍ଧି। ଆଖିଥାଇ ଅନ୍ଧ, ପାଟିଥାଇ ନିର୍ବାକ…ଭାବନା ରହିତ ଏକାତ୍ମପ୍ରାଣ।ଏହାହିଁ କଣ ସମାଧି ଅବସ୍ଥା …।ନିଜ ଭିତରେ ସମାହିତ ମୁଁ।ଏଇ ଭାବ ଘାରିଯାଏ …ଅନେକ ସମୟ ରହେ। ସେତେବେଳେ ଏକ ଅନିର୍ବଚନୀୟ ଆନନ୍ଦ ଢେଉଖେଳେ ମନରେ।ତାଙ୍କ ଦିଆ ସଂସାରକୁ ଦେଖେ ଅନାସକ୍ତ ଆଖିରେ।ବୀତସ୍ପୃହ ମନ ସବୁଥିରେ। ଘର ଦ୍ବାର, ଲୁଗାପଟା, ଖାଇବା, ବୁଲିବା ଏସବୁ ଆଉ ଭଲ ଲାଗେନି କି ଯୋଡି ଯାଏନି ମୋ’ ସହିତ।ନା ହଜିଗଲେ, ନା ଭାଜିଗଲେ, ନା ଜଳିଗଲେ, ନା ଭାସିଗଲେ ନିର୍ବିକାର ରହେ ମନ।ଆନନ୍ଦର ଧାରା ବହୁଥିଲା ଚିରସ୍ରୋତା ସ୍ରୋତସ୍ବିନୀର ନୀଳବେଣୀ ଜଳଧାରପରି ଧାରଧାର ହୋଇ।ଜଗତକଲ୍ୟାଣର କଥା ମନକୁ ଆସେ।ଇଚ୍ଛା ହୁଏ ନିଜସ୍ବ ଅନୁଭବକୁ କହିଦେବା ପାଇଁ ଜଗତଜନଙ୍କ ଆଗରେ।
ନିଜ ଇଚ୍ଛାରେ ପଢିଲି ଉର୍ଦ୍ଦୁ, ପାର୍ସୀ, ଅହମିୟା,ମୈଥିଳୀ,ଫ୍ରେଞ୍ଚ…ଅନେକ ଭାଷାସହିତ ଭେଟିଲି ଜୀବନକୁ ବିଭିନ୍ନ ଭାବରେ।ସମୃଦ୍ଧ ହେଉଥିଲି ପ୍ରାଣରେ ହୃଦୟରେ ,ଭିକାରୀ ହେଉଥିଲି ରାଗ,ଲୋଭ,ମୋହରୁ….।
: ଯୋଗମାୟା ଆଜିଠାରୁ ତୁ ,ମାଆ କହିଲେ ବେଶ ଗମ୍ଭୀର,ହସହସ ଓ ଆତ୍ମୀୟତାରସହ।
ନିର୍ବିକାରରେ ଗ୍ରହଣକଲି ,ହସଟିଏ ଦେଇ। ନାମରେ କ’ଣ ଥାଏ ଯେ! ମାଠିମୁଠି ମାଆ ଆଉ ସମୟ ଗଢିଦେଲେ ଶିଉଳି ଶୈବାଳିନୀକୁ ଯୋଗମାୟାରେ, ମନେ ମନେ ଏତିକି କହିଲି।
:କହ ତୋ’ କଥା ଏଥର
: କି କଥା
: ପଢିଥିବା, ଶିଖିଥିବା , ନିଜକଥା .. ଆରମ୍ଭ ହେଲା କହିବା ପ୍ରତିଦିନ।
କ୍ବେଷ୍ଟର କ୍ଲବ, ଅନୁସନ୍ଧିତ୍ସୁମାନଙ୍କୁ ନେଇ ଗଢାଯାଇଥିବା ଅନୁଷ୍ଠାନରେ ଯୋଗମାୟା ସବୁଦିନ କିଛି କିଛି ଅନୁଭୂତି, ଦର୍ଶନ, ଶାସ୍ତ୍ର, ଉପନିଷଦୀୟ ଗଳ୍ପ କହିଲା। ବିଭିନ୍ନ ଭାଷାରେ କହିଲା। ବୟସ ଅନୁସାରେ ଶ୍ରେଣୀ ବିଭକ୍ତ ହୋଇଥିବା ପୁଣି, ମାନସିକସ୍ଥିତି ଅନୁସାରେ ବିଭକ୍ତ ହୋଇଥିବା ମଣିଷମାନଙ୍କୁ ନେଇ କହିବାକୁ ହୁଏ ଜୀବନର କଥା। ବଞ୍ଚିବାର କଥା …ଆହା କହୁକହୁ ନୀରବିଯାଏ କେବେ ନିଜ ଭିତରେ।କେହି ଜଣେ ତାଗିଦକରନ୍ତି…। ପୁଣି ଆରମ୍ଭ ହୁଏ ନୂଆ ଭାବରେ। କି ସୁନ୍ଦର ସେ ସମୟ ! ଯୁକ୍ତ ହୋଇଯାଏ ସତ୍ତା …ମଧୁର ହୋଇଯାଏ ପରିବେଶ…ଷଡରିପୁ ,ପଞ୍ଚ ତନମାତ୍ରା …ଛିନଭିନ୍ …ହୃଦୟ ତନ୍ତ୍ରୀରେ ନିନାଦିତ ହୁଏ ମହାମନ୍ତ୍ର…। (କ୍ରମଶଃ)
Comments are closed.