ଅନୁବାଦ ଗଳ୍ପ : ଗୁଳ୍ମ


ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୯ 

ମୂଳ ପଞ୍ଜାବୀ: କୁଲୱନ୍ତ ସିଂହ ଭିର୍କ 

ଏଇଟା ହେଲା ପାକିସ୍ତାନର ଘଟଣା । ପାକିସ୍ତାନ ବିଷୟର ଘଟଣା । ସେତେବେଳକୁ ପାକିସ୍ତାନ ମାତ୍ର ତିନି ଚାରିମାସ ହେବ ନୂଆକରି ସୃଷ୍ଟି ହୋଇଥାଏ । ସେଠାକାର ସବୁ ସହର,ବଜାର ଭାଙ୍ଗିରୁଜି ଯାଇଥାଏ । କେମିତି ପରିତ୍ୟକ୍ତ ଦିଶୁଥାଏ । ପ୍ରତି ପୁଲିସ ଥାନା ଆଗରେ କୁଢ଼ କୁଢ଼ ଜିନିଷ ଗଦା ହୋଇଥାଏ । ସବୁପ୍ରକାର ଜିନିଷ ଟ୍ରଙ୍କ୍‌, ଖଟ, ପଲଙ୍କ, ଷ୍ଟୁଲ୍‌, ଟେବୁଲ୍ ଚେୟାର, ସୋଫାସେଟ୍‌, ଆଲମିରା, ଫଟୋ ଆଲବମ ଇତ୍ୟାଦି, ଇତ୍ୟାଦି । ସେସବୁ ଆସବାବ ପତ୍ର ଯେଉଁଠି ରହିବା କଥା ସେସବୁ ସ୍ଥାନରୁ ଲୁଟ୍ ହୋଇ ଆସିଥାଏ । କେଉଁଠୁ ବୁହା ହୋଇ ଆସିଥାଏ ଓ ଥାନା ଆଗରେ କିମ୍ବା ସହରର ଚୌକମାନଙ୍କରେ ପର୍ବତ ପ୍ରମାଣେ ଗଦା ହୋଇଥାଏ । ସେସବୁ ଦାମୀ ଆସବାବପତ୍ରକୁ ଏପରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବାର ଦେଖିଲେ ବି ଆଶ୍ଚର୍ଯ୍ୟ ଲାଗୁଥାଏ । ହୁଏତ କିଛି ଦିନ ପୂର୍ବରୁ ସେସବୁ ଆସବାବ ପତ୍ର ସଯତ୍ନରେ ଘରମାନଙ୍କରେ ସଜାହୋଇ ରହିଥିଲା । ପ୍ରତି ଗୃହକର୍ତ୍ତା ସେମାନଙ୍କ ବିଷୟରେ ଚିନ୍ତା କରୁଥିବେ, ଚେୟାରଟି ଠିକ ସ୍ଥାନରେ ପଡ଼ିଛି କି ନାହିଁ, ଫଟୋଟା ସିଧାହୋଇ ଟଙ୍ଗା ହୋଇଛି ନା ନାହିଁ । ଯଦି ସେସବୁ ଠିକ୍‌ଭାବେ ପଡ଼ିନଥିବ କି ଟଙ୍ଗା ହୋଇନଥିବ ତା’ହେଲେ ତାହା ଘରର ସୌନ୍ଦର୍ଯ୍ୟକୁ ଠିକ୍ ଭାବେ ବୃଦ୍ଧି କରିବାରେ ସହାୟକ ହେବନାର୍ହି । ଏବେ ସେସବୁ ପରିତ୍ୟକ୍ତ ଓ ଅଯତ୍ନ ସହକାରେ ରାସ୍ତା କଡ଼ରେ ଜମା ହୋଇଛି ।

ଘରର କଂସାବାସନ, ଗରାକୁଣ୍ଡ, ଆଲମିରା, ଖଟପଲଙ୍କ, ଅନେକ ଗଳିକନ୍ଦି ଦେଇ ବୁଲିସାରିବା ପରେ ଆସି ଥାନା ଆଗରେ କି ଛକ ଜାଗାରେ ପଡ଼ିଥିଲା । ସେସବୁ ଆସବାବପତ୍ର ଉପରେ ଏପେ ଧୂଳିର ମୋଟା ଆସ୍ତରଣ ବସି ସାରିଥିଲା । ତାକୁ କେହି ଝାଡ଼ି ସଫା କରୁନଥିଲେ କି ତା’ଆଡ଼େ ମୁହଁ ଫେରେଇ ଚାହୁଁନଥିଲେ । କାରଣ ସେସବୁକୁ କେହି ବ୍ୟବହାର କରୁନଥିଲେ । ଗଲା କେଇମାସ ଧରି ସସବୁ ଜିନିଷକୁ କେହି ଛୁଇଁ ସୁଦ୍ଧା ନଥିଲେ । ପାକିସ୍ତାନର ସହରବଜାର ଠାରୁ ଆରମ୍ଭ କରି ଗାଁଗଣ୍ଡା ପର୍ଯ୍ୟନ୍ତ ସବୁକିଛି ପରିତ୍ୟକ୍ତ ଜନମାନବଶୂନ୍ୟ ଲାଗୁଥିଲା । ଯେଉଁସବୁ ଦରଭଙ୍ଗା ଓ ଅଧାଜଳା ଘରମାନ ମୁଣ୍ଡ ଟେକି ରହିଥିଲେ । ସେଥିରେ ଏବେ ସୀମା ଆରପଟୁ ଶରଣାର୍ଥୀ ସାଜି ଆସିଥିବା ଅସହାୟ ଲୋକମାନେ ବସବାସ କରିବାକୁ ଆରମ୍ଭ କରିଥିଲେ ।

ସେସବୁ ଲୋକମାନେ ଅଧିକାଂଶ ସମୟ ସେମାନଙ୍କ ଦାଣ୍ଡଦୁଆର ମୁହଁରେ ବସି ରହନ୍ତି ଓ ବାହାର ଦୁନିଆକୁ ଚାହିଁ ରହିଥାନ୍ତି । ସେମାନଙ୍କ ଆଖିରେ ଦୁଃଖ ଓ ହତାଶା ଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଥାଏ । ଏବଂ ସେମାନେ ଯେତେବେଳେ ବାହାରକୁ ବାହାରୁଥିଲେ, ସେମାନେ ଭୟ ଓ ସନ୍ତର୍ପଣରେ ପାଦ ପକାଉଥିଲେ । ଲାଗୁଥିଲା, ସେମାନେ ନିଜ ଦେଶରେ ନୁହେଁ, କେଉଁ ଏକ ଅପରିଚିତ ଭୂଇଁରେ ଚାଲୁଛନ୍ତି । ଏପରି ଏକ ବିଚିତ୍ର ସମୟରେ ଅବ୍ୟବସ୍ଥିତ ପରିସ୍ଥିତିରେ କେବଳ ଯାହା ଧରିତ୍ରୀ ସ୍ଥିର ହୋଇ ରହିଥିଲା । ଆଉ ସବୁକିଛି ଓଲଟପାଲଟ ଘଟି ସାରିଥିଲା ।

ଶରଣାର୍ଥୀମାନେ, ଯେଉଁମାନେ ସେମାନଙ୍କ ନିଜ ଭିଟାମାଟିରୁ ନିଜ ଜନ୍ମଭୂମିରୁ ଉଦବାସ୍ତୁ ହୋଇ ଯାଇଥିଲେ, ବଳପୂର୍ବକ ବିତାଡ଼ିତ
ହୋଇଥିଲେ, ସେମାନେ ଗୋଟି ବିପଦପୂର୍ଣ୍ଣ ସ୍ଥାନରୁ ଅନ୍ୟ ଗୋଟିଏ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀତ ହେବାକୁ ବାଧ୍ୟ ହୋଇଥିଲେ ।
ଯେତେବେଳେ ସେମାନଙ୍କୁ ସୀମାନ୍ତର ୱାଘା ଶରଣାର୍ଥୀ ଶିବିରରୁ ବଳପୂର୍ବକ ବିତାଡ଼ିତ କରାଗଲା, ସେମାନେ ଗୋଟିଏ ତାଲୁକରୁ
ଅନ୍ୟ ଗୋଟିଏ ତାଲୁକକୁ, ଗୋଟିଏ ଗାଁରୁ ଅନ୍ୟ ଗୋଟିଏ ଗାଁକୁ ଘୂରିଚାଲିଲେ । ଶେଷରେ କେଉଁଠି ନା କେଉଁଠି ଭଙ୍ଗା ଦଦରା
ଘରଟିଏ ଦେଖି ମୁଣ୍ଡ ଗୁଞ୍ଜି ନେଉଥିଲେ ।

ଆଉ ଯେଉଁମାନଙ୍କୁ ସେମାନଙ୍କ ଘରୁ ଘରୁ ବିତାଡ଼ିତ କରାଯାଇନଥିଲା, ସେମାନେ ନିଜ ଘରେ ରହି ସୁଦ୍ଧା ସବୁକିଛି ହରାଇବା ପରି ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଥିଲେ । ସାରା ସମ୍ପ୍ରଦାୟ ବିପର୍ଯ୍ୟସ୍ତ ହୋଇ ସାରିଥିଲେ । ବନ୍ଧୁବାନ୍ଧବ, ପ୍ରିୟାପ୍ରୀତି, ଆତ୍ମୀୟ ସ୍ୱଜନ ସମସ୍ତଙ୍କୁ ସେମାନେ ହରାଇଥିଲେ । ପରସ୍ପରଠାରୁ ବିଚ୍ଛିନ୍ନ  ହୋଇଯାଇଥିଲେ । ମାଲିକମାନେ ସେମାନଙ୍କ କଳକାରଖାନା ଛାଡ଼ି  ପଳାଇଥିଲେ, ଶ୍ରମିକମାନେ ସେମାନଙ୍କ ଚାକିରୀବାକିରୀ ଛାଡ଼ି ଚାଲି ଯାଇଥିଲେ । ଏବେ ଚାରିଆଡ଼େ ନୂଆ ଓ ଅପରିଚିତ ମୁହଁସବୁ
ଦେଖିବାକୁ ମିଳୁଥିଲା । ସ୍ଥାନୀୟ ଲୋକମାନଙ୍କ ଠାରୁ ଅପରିଚିତ ଲୋକମାନଙ୍କ ଚାଣିଚଳଣ, ରଙ୍ଗଢ଼ଙ୍ଗ, ବେଶଭୂଷା, ସବୁକିଛି ଅଲଗା
ଥିଲା । ସେମାନେ ଅସହାୟ ଓ ନିଃଶ୍ୱ ପରି ଜଣାପଡ଼ୁଥିଲେ । ପୁଣି ସ୍ଥାନୀୟ ବାସିନ୍ଦାମାନଙ୍କ ରୀତିନୀତିକୁ ଗ୍ରହଣ କରିନେବା ଭଳି ମାନସିକତା ସେମାନଙ୍କର ନଥିଲା । ଏପରିକି ସେମାନେ ସେସବୁ ପରମ୍ପରାକୁ ବୁଝି ସୁଦ୍ଧା ପାରୁନଥିଲେ ।

ସେମାନଙ୍କ ରୀତିନୀତି ସହ ଖାପ ଖୁଆଇ ନପାରି ଓ ସେମାନଙ୍କ ବିଶ୍ୱାସଭାଜନ ହେଇନପାରି, ସେମାନେ ଶ୍ରଦ୍ଧା ଓ ସମ୍ମାନରେ
ସଲାମ-ୱାଲେକମ୍ ବୋଲି ସୁଦ୍ଧା କହିପାରୁନଥିଲେ କି ସେମାନଙ୍କ ପାଖରେ ବସି ପାରୁନଥିଲେ । ଦୁଃଖସୁଖ ହୋଇପାରୁନଥିଲେ । କାହାକୁ ଯଦି କିଏ କିଛି ପଚାରେ, ତେମେ ସେ କେବଳ ତା’ମୁହଁକୁ ବଲବଲ କରି ଚାହେଁ ।

ଗାଁଠାରୁ ସହର ପର୍ଯ୍ୟନ୍ତ ଏ ଲୋକମାନେ ସବୁ ସ୍ଥାନର ପରମ୍ପରାକୁ ଓଲଟପାଲଟ କରି ଦେଇଥିଲେ । ତା’ର ମୂଳଦୁଆ ଦୋହଲାଇ ଦେଇଥିଲେ । ଏପରିକି ବୟସ୍କ୍ ଲୋକମମାନେ ସୁଦ୍ଧା ନିଜକୁ ନିଆରା ମଣିବାକୁ ଆରମ୍ଭ କରିଥିଲେ । ସତେ ଯେମିତି ସେମାନେ ଏ ଇଲାକାର ଲୋକ ନୁହନ୍ତି! ଯେଉଁ ସ୍ଥାନରେ ସେମାନେ ଜନ୍ମ ହୋଇଛନ୍ତି, ଛୋଟରୁ ବଡ଼ ହୋଇଛନ୍ତି, ସେ ସ୍ଥାନ ଆଉ ସେମାନଙ୍କର ହୋଇ ନାହିଁ । ପୁରୁଣା ଘରଦ୍ୱାରସବୁ ଏବେ ଅଚିହ୍ନା, ଅଜଣା ଲୋକମାନଙ୍କ ଦ୍ୱାରା ଅଧିକୃତ ହୋଇସାରିଥିଲା । ସେମାନଙ୍କ ଗାଁଗଣ୍ଡା କି ସହର ନିକଟଦେଇ ଯେଉଁ ନଈନାଳ ବହି ଯାଉଥିଲା, ସେସବୁ ଏବେ ଅପବିତ୍ର ହୋଇ ଯାଇଥିଲା । ସତକୁ ସତ ସେମାନେ ଆଉ ନଈଘାଟରେ ବସି ସେମାନଙ୍କ ନିତିଦିନିଆ ସ୍ନାନଶୌଚାଦି କର୍ମ କରିପାରୁନଥିଲେ । କାରଣ, ମାସ ମାସ ଧରି ସେ ପାଣି ରକ୍ତରେ ଲାଲ ପାଟି ଯାଇଥିଲା । ରକ୍ତମିଶା ପାଣି ସାଙ୍ଗକୁ ଅପରିଚିତ ଲୋକଙ୍କ ଶବମାନ ସେଥିରେ ଭାସିବାରେ ଲାଗିଥିଲା । କାହାର ମୁଣ୍ଡ ନାହିଁ ତ ଆଉ କାହାର ହାତଗୋଡ଼ ନାହିଁ । କାହାର ପେଟରେ ଛୁରୀଭୁଷାଯାଇଛି ତ ଆଉ କେଉଁ ମହିଳାର ଛାତିରୁ ତା ବକ୍ଷୋଜକୁ କାଟି ଦିଆଯାଇଛି । ଆଃ! କି ବିଭତ୍ସ ସେ ଦୃଶ୍ୟ!

ସ୍ଥାନୀୟ ଲୋକମାନେ ତ ଏକଥା ଦେଖି ସେ ଅପରିଚିତ ଲୋକମାନଙ୍କୁ ସେ ପାଣିରେ ଗାଧୋଇବାକୁ ବାରଣ କରିଥିଲେ । ପ୍ରତି ଗାଁ, ପ୍ରତି ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ଇଥିଲା । ସବୁକିଛି ଓଟଲପାଲଟ ହୋଇଯାଇଥିଲା । ଜୀବନର ସେଇ ପୁରୁଣା ସ୍ୱାଭାବିକ ଖିଅଟିକୁ ଖୋଜି ପାଇବାକୁ ସମସ୍ତେ ଯଥାସାଧ୍ୟ ଚେଷ୍ଟା କରୁଥିଲେ । ପୁଣି ନିଜର ଉଜୁଡ଼ା ସଂସାର, ଘରଦ୍ୱାରାକୁ ସଜାଡ଼ିବାକୁ ଲାଗି ପଡ଼ିଥିଲେ ।

ଜାଠ ଯୁବକଟିଏ ହତାଶାର ଦୀର୍ଘଶ୍ୱାସଟିଏ ଛାଡ଼ି ତା’ର ବୁଢ଼ାବାପକୁ ଚାହିଁ କହିଲା, ‘ଏ ଦେଶଟା ଛାରଖାର ହୋଇଗଲା!’ ତା’ ଆଖି ଆଗରେ କେବଳ ଧ୍ୱଂସର ଚିତ୍ର ହିଁ ଭାସି ଉଠୁଥିଲା । ବୁଢ଼ାବାପ ପୁଅକୁ ଆଶ୍ୱାସନା ଦେଇ କହୁଥିଲା, ‘ନା, କିଛି ଉଜୁଡ଼ି ଯାଇନି । ମନଦୁଃଖ କରିବାର କିଛି ଦରକାର ନାହିଁ । ଘଟଣାଟିକୁ ଭଲଭାବେ ଦେଖ୍‌, ପୁଅ । ଏ ସଂସାରର ସବୁ ଲୋକ ତ ସଦାବେଳେ ଚାହାଁନ୍ତି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ବୁଲିଯିବା ପାଇଁ । ଆଉ ଯେଉଁଠି ମଣିଷକୁ ଶାନ୍ତି ମିଳେ, ସେ ସେଇଠି ଘରଦ୍ୱାର କରି ରହିଯାଏ । ଦେଖିବୁ, ଦିନ କେଇଟାରେ ସବୁକିଛି ପୁଣି ସ୍ୱାଭାବିକ ହୋଇଯିବ । ସମସ୍ତେ ପୁଣି ସବୁ ଦୁଃଖକଷ୍ଟକୁ ଭୁଲିଯିବେ ।’

‘ଇଏ କେବଳ କହିବା କଥା,ବାପା! ଏତେସବୁ ଉଜୁଡା ଲୋକ, ଗରିବ ଲୋକ କେଉଁଠି ରହିବେ କହିଲ? ପାଟିକୁ ଭାତଗୁଣ୍ଡାଟିଏ
ନେବାକୁ ସୁଦ୍ଧା ସେମାନଙ୍କ ଦେହରେ ଜୁ ନାହିଁ ।’

‘ମନ ଦୁଃଖ କରନା ପୁଅ । ସବୁ ଉଜୁଡ଼ିଗଲା ପରି ଲାଗୁଚି । ଆଚ୍ଛା, ସେ ବାଡ଼ପଡ଼ର ଅନାବନା ଗଛଲତାକୁ ଦେଖୁଚୁ?

ଯେତେବେଳେ ହଳକରି ଚାରା ଲାଗ ସମୟ ଆସିବ, କୃଷିକାରୀ ସେସବୁକୁ ମୂଳ ସହ ଓପାଡ଼ି ଫୋପାଡ଼ିଦିଏ । କିନ୍ତୁ ଦେଖିବୁ, କେଇ ଅସରା ବର୍ଷା ପରେ ପୁଣି ସେ ଅନାବନା ଗଛ ସେଠାରେ ଭରପୂର ହୋଇଯାଇଥିବ । ମାସେ, ପନ୍ଦରଦିନ ପରେ ଲାଗିବ, ସେ କ୍ଷେତରେ ହଳ ହୋଇନଥିଲା କି ସେଥିରୁ ଘାସଲତା ଓପଡ଼ା ଯାଇନଥିଲା ।’

ବୁଢ଼ା ଜାଠ ଯାହା କହୁଥିଲା, ତା’କଥାରେ ଅବଶ୍ୟ କିଛିଟା ସତ ଥିଲା । ଉଦବାସ୍ତୁ ଲୋକମାନେ ଛୋଟ ଖଣ୍ଡେ  ଘରଡ଼ିହ ପାଇ ଥଇଥାନ ହୋଇଗଲେ । ଯେତିକି ମିଳିଲା ସେତିକିରେ ସନ୍ତୁଷ୍ଟ ହେଲେ । ସେଇ ଛୋଟ ଜାଗାଟି ଚାରିକଡ଼େ କାନ୍ଥ ବୁଲେଇ ନିଜର ପାଚିରୀ ଉଠାଇ ନେଲେ । ରାସ୍ତାକଡ଼ରେ ମାଟି ଖୋଳି ଚୁଲି ପକାଇଲେ । ଏପରିକି ସବୁ କାମ ସାରି ଖଟିଆଖଣ୍ଡେ ପକାଇ, ତା’ଉପରେ ବସି ହୁକା ଟାଣିବାକୁ ବି ସମୟ ପାଇଲେ । କିଛି ଲୋକ ତ ସେମାନଙ୍କ ମନରୁ ଅତୀତର ସବୁ ଦୁଃଖକଷ୍ଟ ଓ ଏପରି ଅପରିଚିତ ସ୍ଥାନର ସବୁ ଅସୁବିଧାକୁ ଭୁଲି ସାରିଥିଲେ!

ଏବେ କେତେବେଳେ କେମିତି ଯଦି ସ୍ଥାନୀୟ ତହସିଲଦାର କି ଅନ୍ୟ କୌଣସି ସରକାରୀ ହାକିମ ବୁଲିଆସନ୍ତି, ତେବେ ସେମାନଙ୍କ ଭିତରୁ
କେଇଜଣ, ନିଜକୁ ଗାଁ ମୁଖିଆ ବୋଲି ପରିଚିତ କରାଇବାକୁ ରୀତିମତ ପ୍ରତିଯୋଗିତା  ଆରମ୍ଭ କରିଦେଇଥାନ୍ତି । ନିଜ ଜାତିର କି
ଇଲାକାର ସବୁ ଶେଳକଙ୍କ ଦୁଃଖକଷ୍ଟ କଥା କହି ସେମାନେ କିପରି ଥଇଥାନ ହୋଇପାରିବେ, ସେକଥା କହି ସେମାନେ ତହସିଲଦାର କି ଅନ୍ୟ ହାକିମଙ୍କ ଆଗରେ ଗୁହାରିର ଏକ ଲମ୍ବାଫର୍ଦ୍ଦ ପେଶ୍ କରନ୍ତି । ଅଫିସିରଙ୍କ ଆଗରେ ପାଟିତୁଣ୍ଡ ନକରି ଧୈର୍ଯ୍ୟଧରି ବସି ରହିବା ସକାଶେ ସମସ୍ତଙ୍କୁ ଆକଟ କରନ୍ତି । ମଝିରେ ମଝିରେ ଆଦେଶ ଦେଲାପରି କହନ୍ତି, ‘ଜଣ ଜଣକରି ହଜୁରଙ୍କ ଆଗରେ ଗୁହାରି କୁହ, ଏକାସାଙ୍ଗରେ ନୁହେଁ ।’ ପୁଣି ସରକାରୀ ଅଫିସର ଯେପରି ସେମାନଙ୍କ ଇଲାକାରୁ ଭୋକଉପାସରେ ଫେରି ନଯା’ନ୍ତି ସେ ବନ୍ଦୋବସ୍ତ ବି ସେମାନେ କରନ୍ତି । ଏଇପରି ଭାବେ ନିଜ ପ୍ରତିବେଶୀଙ୍କ ଉପରେ ନେତୃତ୍ୱ ଜାହିର କରି, ସେମାନେ ହାକିମହୁକୁମାଙ୍କ ପ୍ରିୟଭାଜନ ବି ହେବାକୁ ଚେଷ୍ଟା କରିଥାନ୍ତି ।

ଏପରି ଲୋକ ସଦାବେଳେ ଆମକୁ ଆଶ୍ୱାସନା ଦିଅନ୍ତି, ସମସ୍ୟା ଯେତେ ବଡ଼ ହେଉ ପଛେ,ବିପର୍ଯ୍ୟୟ ଯେତେ ପୀଡ଼ାଦାୟକ ହୋଇଥାଉନା କାହିଁକି, ମଣିଷର ମନକୁ କେହି କେବେ ଦବାଇ ପାରିବନାହିଁ । ଏମିତି ଏକ ଗାଁକୁ ମୁଁ ଗସ୍ତରେ ଯାଇଥାଏ । ଭାରତ ସରକାର ମୋତେ ସେଠାରେ ସମନ୍ୱୟ ରକ୍ଷାକାରୀ ଅଧିକାରୀ ଭାବେ ନିଯୁକ୍ତ କରିଥାନ୍ତି । ମୋର କାମ ହେଲା, ଯେଉଁ ସ୍ତ୍ରୀଲୋକ କି ପିଲାମାନଙ୍କୁ ଜୋର ଜବରଦସ୍ତ ଅଟକ ରଖାଯାଇଛି, ସେମାନଙ୍କୁ ଖୋଜି ବାହାର କରିବା; ଯେଉଁ ପରିବାରମାନଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଇସଲାମ ଧର୍ମରେ ଦୀକ୍ଷିତ କରାଯାଇଛି, ସେମାନଙ୍କ ଠାବକରିବା ଓ ସେମାନେ କିଭରି ଭାରତକୁ ନିରାପଦରେ ଲେଉଟି ପାରିବେ ସେ ବ୍ୟବସ୍ଥା କରିବା । ମୋତେ ଏ କାର୍ଯ୍ୟରେ ସାହାଯ୍ୟ କରିବା ଲାଗି ଭାରତୀୟ ସେନାର ଗୋଟିଏ ୟୁନିଟ ଓ ପାକିସ୍ତାନର ସ୍ୱତନ୍ତ୍ର ପୁଲିସ ବାହିନୀର କେଇଜଣ ଅଫିସରଙ୍କୁ ମୋ ଦାୟିତ୍ୱରେ ରଖାଯାଇଥାଏ ।

ଏଭଳି ଅଟକ ରହିଥିବା ସ୍ତ୍ରୀଲୋକ ଓ ପିଲାମାନଙ୍କୁ ଖୋଜିପାଇବା ଓ ସେମାନଙ୍କୁ ଉଦ୍ଧାର କରିବା ବେଶ୍ ଜଟିଳ କାର୍ଯ୍ୟ । ଅବଶ୍ୟ ବେଳେବେଳେ କିଛି ମହିଳା ଓ ପିଲା ସହଜରେ ମିଳି ଯାଉଥିଲେ । କିନ୍ତୁ ବେଳେବେଳେ ଏପରି ହୁଏ ଯେ ଅକ୍ଳାନ୍ତ ପରିଶ୍ରମ ଓ ଖୋଜ ଖବର ପରେ ସୁଦ୍ଧା ସେମାନଙ୍କର କୌଣସି ପତ୍ତା ମିଳେନି । କିଏ କାହାକୁ ଲୁଚାଇ ରଖିଛି, କେଉଁଠି ଲୁଚାଇ ରଖିଛି, କିଛି ଟେର୍‌
ମିଳେନି । ଯଦି କୌଣସି ସୂତ୍ରରୁ ଖବର ମିଳୁଥିଲା ଯେ ଅମୁକ ସ୍ଥାନରେ ଅମୁକ ଲୋକ କୌଣସି ଜଣେ ମହିଳାଙ୍କୁ ଜୋର ଜବରଦସ୍ତ ଲୁଚାଇ ରଖିଛି, ସେତେବେଳେ ଯାଇ ପାକିସ୍ତାନୀ ପୁଲିସ ଏପରି ଉଦ୍ଧାର କାର୍ଯ୍ୟରେ ସହାୟତା କରୁଥିଲେ । କିନ୍ତୁ ସେମାନେ ଏପରି ଲୋକଙ୍କ ପତ୍ତା  , ଠିକଣା କିଛି ହେଲେ ଆମକୁ ଦେଉନଥିଲେ । ସେମାନେ ଯେତେବେଳେ ପ୍ରକୃତ ପକ୍ଷେ ଆମକୁ ସାହାଯ୍ୟ କରୁଥିଲେ, ଉଦ୍ଧାର କାର୍ଯ୍ୟଟି ବେଶ୍‌ ସହଜସାଧ୍ୟ ହେଉଥିଲା ।

ଏମିତି ଜଣେ ଅପହୃତ ମହିଳାଙ୍କ ଖବର ମୋତେ ମିଳିଥିଲା । ସ୍ଥାନୀୟ ଥାନାଦାରବାବୁ ମୋତେ ସେ ମହିଳାଙ୍କ୍ ଠିକଣା ଦେଇଥିଲେ । ସେ ମୋତେ ଆହୁରି କହିଥିଲେ ଯେ ସେ ମହିଳାଜଣକ ଥିଲେ ସେଇ ଗାଁର ନମ୍ବରଦାର (ମୁଖିଆ)ଙ୍କ ପତ୍ନୀ । ଆମେ ଯେଉଁ ଗାଁକୁ ଯିବାର ଥିଲା ସେଠାକୁ କୌଣସି ପକ୍କା ରାସ୍ତା ନଥିଲା । ଦୀର୍ଘ ସମୟ ଧରି ଆମକୁ କ୍ଷେତ, ଅନାବନା ଘାସଲତାପୂର୍ଣ୍ଣ ଇଲାକାଦେଇ ସେଠାକୁ ଯାତ୍ରା କରିବାକୁ ପଡ଼ଇଥିଲା । ଶେଷରେ ଆମେ ଯାଇ ସେଇ ଗାଁରେ ପହଞ୍ଚିଥିଲୁ । ସେଠାରେ ପହଞ୍ଚିଲା ପରେ ଗାଁର ମୁଖିଆ ଓ ଅନ୍ୟ ଲୋକମାନେ ଆମକୁ ଯଥାରୀତି ସ୍ୱାଗତ କଲେ ଓ ଆମ କଥା ଶୁଣି ସାହାଯ୍ୟ କରିବାକୁ ଆଗେଇ ଆସିଲେ । ସେତେବେଳେ ପାକିସ୍ତାନରେ ସରକାରୀ ହାକିମମାନଙ୍କ ହାତରେ ଅଖଣ୍ଡ କ୍ଷମତା ଥିଲା । ଯେତେବେଳେ ଥାନାବାବୁ ଅପହୃତା ମହିଳାଟି ବିଷୟରେ ଗାଁ ଲୋକଙ୍କୁ କହିଲେ, ଗାଁର ଚୌଧୁରୀ ତତକ୍ଷଣାତ୍ ସ୍ତ୍ରୀଲୋକଟିକୁ ଅଟକ ରଖାଯାଇଥିବା ଘରଟିକୁ ଆମକୁ ଦେଖେଇଦେଲେ ।

ଗୋଟିଏ ପ୍ରଶସ୍ତ ଖୋଲା ପଡ଼ିଆ କଡ଼କୁ ଲାଗି ସେ ଘରଟି ଥିଲା । ଥାନାବାବୁ ଓ ଗାଁର ଅନ୍ୟ ଲୋକମାନେ ବାହାରେ ଅପେକ୍ଷା କରି ରହିଲେ । ମୁଁ ଏକୁଟିଆ ସ୍ତ୍ରୀଲୋକଟିକୁ ଭେଟିବାକୁ ଘର ଭିତରକୁ ଗଲି । ତିନିମହଲା ଘର । ଇଟା ମାଟିରେ ତିଆରି । ଅଗଣାର ଗୋଟିଏ କଡ଼କୁ ଲାଗି ଛୋଟିଆ କୋଠରୀଟିଏ । ତା’ରି ଭିତରେ କେଇଖଣ୍ଡ ସିଲଭର ଥାଳି,ଗିନା ଓ ଗ୍ଲାସ ଓ ଗୋଟିଏ କୋଣକୁ କିଛି ଜାଳେଣି କାଠ । ଆରପଟକୁ ଖଣ୍ଡେ ସଉପ ଓ ସାମାନ୍ୟ କିଛି ଆସବାବପତ୍ର । ସ୍ତ୍ରୀଲୋକଟି ଖଟ ଉପରେ ଶୋଇ ରହିଥିଲା । ଗଲା କେଇଦିନ ଧରି ସେ ଅସୁସ୍ଥ ଥିଲା । ତା’ର ଗୋଟିଏ ହାତରେ ପଟି ବନ୍ଧା ହୋଇଥିଲା । ଲାଗୁଥିଲା ଯେପରି ଗୋଟିଏ ବଥ ଉଠି ବାତି ଯାଇଛି! ଦେଖିବାକୁ କ୍ଷୀଣ ଓ ଦୁର୍ବଳ ଶରୀର । କଥା କହିଲେ ଭଲଭାବେ ଶୁଭୁନଥିଏ । ସେଇ ଖଟ ପାଖକୁ ଲାଗି ପଡ଼ିଥିବା ଆଉ ଖଣ୍ଡେ ଖଟ ଉପରେ ମୁଁ ବସି ପଡ଼ିଲି ଓ ତାଙ୍କୁ ପଚାରିଲି- ‘କେମିତି ଅଛ?’ ‘ଗଲା କେଇଦିନ ହେଲା ମୋ ଦେହରୁ ତାତି ଓହ୍ଲାଉନାହିଁ ।’ ସେ ଉତ୍ତର ଦେଲେ ।

‘ତୁମର ଦେଖାଶୁଣା କରିବା ଲାଗି କ’ଣ କେହି ମହିଳା ଏଠାରେ ନାହାନ୍ତି?’

‘ନା, ଏଠି ମୋର କେହି ସମ୍ପର୍କୀୟ ଲୋକ ନାହାନ୍ତି । ମୁଁ କାହାକୁ ବି ଚିହ୍ନେନି ।’

ଇତି ପୂର୍ବରୁ ମୁଁ ଅନେକ ଅପହୃତା ମହିଳାଙ୍କୁ ଭେଟିଥିଲି । କିନ୍ତୁ ଏ ମହିଳାଜଣଙ୍କ କଥା ଓ ପରିସ୍ଥିତିକୁ ମୁକାବିଲା କରିବାର ଢଙ୍ଗ
ମୋତେ ବିସ୍ମିତ କଲା । ଅନ୍ୟ ମହିଳାମାନେ କେହି ଏପରି ଏକୁଟିଆ ରହୁନଥିଲେ । ସେମାନଙ୍କୁ ସଦାବେଳେ କେହି ନା କେହି ଜଗି ରହୁଥିଲେ । ପୁଣି ସେମାନଙ୍କୁ କିଛି ଲୋକ କାହାର ଭଉଣୀ କିମ୍ବା କାହାର ପତ୍ନୀ ବୋଲି ଦାବି କରୁଥିଲେ । ମୋତେ ଏପରି ମହିଳାମାନଙ୍କୁ ଏକୁଟିଆ ଭେଟିବାରୁ ସୁଯୋଗ ବି ଦିଆଯାଉନଥିଲା । କିନ୍ତୁ ଏ ମହିଳା ଜଣଙ୍କୁ ଭେଟିବା ପରେ ମୋତେ ଲାଗିଲା ଯେ ସେ ଏ ଘରେ ସମ୍ପୂର୍ଣ୍ଣ ଏକାକୀ ରହୁଥିଲେ । ଯେପରିକି ତାଙ୍କୁ ନିଜ ଭାଗ୍ୟ ଉପରେ ଛାଡ଼ି ଦିଆଯାଇଥିଲା । ଅଥଚ ଅତୀତରେ ଗାଁ ଲୋକମାନେ ତାଙ୍କୁ ସାହାଯ୍ୟ କରିଥିଲେ । ସେତେବେଳକୁ ମୁଁ ଖବର ନେଇ ସାରିଥିଲି, କିପରି ତାଙ୍କ ଗାଁର ଅନ୍ୟ ଲୋକମାନଙ୍କୁ ଓ ତାଙ୍କ ନିଜ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ହତ୍ୟା କରାଯାଇଥିଲା ।  ସେଇ କଥାକୁ ବାରମ୍ବାର ପଚାରି ତାଙ୍କ ମନର ଦୁଃଖକୁ ଆଉ ବଢ଼ାଇବାକୁ ମୁଁ ଚାହୁଁନଥିଲି । ଏବେ ତାଙ୍କ ନିଜ ଅବସ୍ଥା ଦେଖି ମୋତେ ଅଧିକ ବିବ୍ରତ ଲାଗୁଥିଲା ।

କିଛି ସମୟର ନୀରବତା ପରେ ମୁଁ ତାଙ୍କୁ ପଚାରିଲି, ‘ତୁମେ ଏଠାରେ କେତେଦିନ ହେଲା ରହିଆସୁଛ?’

‘ଏ ଗାଁ ଧ୍ୱଂସ ହେବା ଦିନଠାରୁ ।’

‘ତୁମକୁ ଏ ରୋଷେଇ ସରଞ୍ଜାମସବୁ ଦେଲା କିଏ?’

‘ଆପଣ ସତରେ ଭାରି ସରଳ ଓ ବୋକା ।’

ମୁଁ ତାଙ୍କ କଥାର ଉଦ୍ଦେଶ୍ୟ ବୁଝିପାରିଲି । ସେ ଏଠାରେ ଏକୁଟିଆ ରହୁନଥିଲେ ।ଏବଂ ଏ ଘରର କୌଣସି ଆସବାବପତ୍ର ତାଙ୍କର ନୁହେଁ।
କିନ୍ତୁ ଏ ଘରର ମାଲିକ, ଯିଏ ଏସବୁ ଆସବାବପତ୍ରର ମାଲିକ ଓ ଏବେ ଏ ଭଦ୍ରମହିଳାଙ୍କର ମାଲିକ, ସେ ସେଠାରେ ନଥିଲେ । ହୁଏତ ଆମେ ଆସିବା ଖବର ପାଇ କୁଆଡ଼େ ପାର ହୋଇଯାଇଥିଲା ।

ମୋ ଲାଗି ଏସବୁ କଥା ଲେଖିବା କେଡ଼େ ସହଜ! କିନନ୍ତୁ ସେତେବେଳେ ମୁଁ ସେଠାରେ ଯାହା ଦେଖିଥିଲି ଓ ଶୁଣିଥିଲି ସେଥିରେ ସମ୍ପୂର୍ଣ୍ଣ
ଆଶ୍ଚର୍ଯ୍ୟ ହୋଇଯାଇଥିଲି । ସ୍ଥାନୀୟ ପୁଲିସ ଓ ଗ୍ରାମବାସୀମାନଙ୍କ ସହଯୋଗ ଦେଖି ମଣିଷ ଜାତି ଉପରେ ମୋ ମନରେ ଯେଉଁ ସାମାନ୍ୟ ଆସ୍ଥା ଓ ବିଶ୍ୱାସ ଥିଲା, ସେତକ ଉଭେଇ ଯାଇଥିଲା । ଜୀବନର ସେଇ ନିଚ୍ଛକ ଓ ନଗ୍ନ ବାସ୍ତବତାକୁ ମୁଁ ବିବେକ ଓ ବୁଦ୍ଧିର ସହ ସାମ୍ନା କରିପାରି ନଥିଲି । ସେଇ ଇଟାମାଟିର କୋଠାଘରଟିର ଗୋଟିଏ କୋଠରୀରେ ଅନ୍ୟ ଜଣେ ଲୋକର ପତ୍ନୀ ଅସହାୟ ଭାବେ ପଡ଼ି ରହିଥିଲା । ତାକୁ ସେଠାରେ ଜୋର ଜବରଦସ୍ତ ରଖାଯାଇଥିଲା । ମୋ ସାମ୍ନାରେ ସେ ଖଟ ଉପରେ ଶୋଇ ରହିଥିଲା । ମଣିଷ ପ୍ରତି ମଣିଷ ମନରେ ଥିବା ଘୃଣାର କି ଭୟଙ୍କର ଓ ବିଭତ୍ସ ସେ ରୂପ! ଅବରୁଦ୍ଧ ହୋଇ, ଅତ୍ୟଚାରିତ ହୋଇ, ଆତଙ୍କିତ ଅବସ୍ଥାରେ ସେ ମହିଳାଟି ନୀରବ ନିଶ୍ଚଳ ଭାବେ ଶୋଇ ରହିଥିଲା ।

ତା’ନିଜ ଜାତିର, ସମ୍ପ୍ରଦାୟର ଅବା ଧର୍ମର କି ଗ୍ରାମର କେହି ତା’ନିକଟରେ ନଥିଲେ । କେହି ଜଣେ ଆତ୍ମୀୟ ତା’ପାଖରେ ନଥିଲେ । କେହିଜଣେ ନିଜର ଆତ୍ମୀୟ ବୋଲି କହିଲେ ସୁଦ୍ଧା ସେ ସେକଥାକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥିଲେ । ପାକିସ୍ତାନ ଭଳି ଏତେବଡ଼ ଦେଶରୁ ତାଙ୍କୁ ଭଲା କିଏ ଉଦ୍ଧାର କରିପାରିବ? ତେଣୁ ସେ ମୁକ୍ତିର ଆଶାକୁ ନିଜ ମନରୁ ସମ୍ପୂର୍ଣ୍ଣ ପୋଛି ଦେଇଥିଲେ । ଏପରି କଥା ସ୍ୱପ୍ନରେ ଭାବିବା ମଧ୍ୟ ବୋକାମୀ ହେବ ବୋଲି ସେ ଭାବୁଥିଲେ । ତାଙ୍କ ଶରୀର ଏପରି କ୍ଷୀଣ ଓ ଅସୁସ୍ଥ ଥିଲାଯେ ଯେପରି ଅବସ୍ଥାରେ ତାଙ୍କୁ ଭାରତ ନେଇ ଯିବାର ପ୍ରଶ୍ନ ହିଁ ଉଠୁନଥିଲା । ଭୀଷଣ ଶୀତ ସାଙ୍ଗକୁ ସ୍ତ୍ରୀଲୋକଟି ଦେହରେ ଅସମ୍ଭବ ଜ୍ୱର । ତା’ଛଡ଼ା, ଗାଁ ଲୋକମାନେ ଆଉଥରେ ତାଙ୍କୁ ଆମ ନଜରରୁ ଲୁଚାଇ ରଖିବାର ସୁଯୋଗ ପାଇନଥିଲେ । ସେମାନେ ଭଲରୂପେ ଜାଣିଥିଲେ ଯେ ଆମେ ସେମାନଙ୍କୁ ତାଙ୍କ ସମ୍ପର୍କରେ ଜାଣିବା ଲାଗି ଆବଶ୍ୟକ ହେଲେ ବଳ ପ୍ରୟୋଗ କରିପାରୁ ।

‘ଠିକ୍ ଅଛି,ବିବି । ମୁଁ ପୁଣି କେବେ ଆସିବି ।’ମୋର ଏପରି କହିବାର ଅର୍ଥ ହେଲା, ଆଉ କେଇଦିନ ପରେ ମୁଁ ଆସି ତାଙ୍କୁ ସେଠାରୁ
ନେଇଯିବି । ସେ କିନ୍ତୁ ମୋ କଥାକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥିଲେ । କାରଣ, ତାଙ୍କ ଏଠାରୁ ମୁକ୍ତି ପାଇବା ଅସମ୍ଭବ ବୋଲି ସେ
ନିଶ୍ଚିତ ଥିଲେ ।

ତେଣୁ ସେ ପଚାରିଲେ, ‘ତୁମେ କ’ଣ ଯାଉଛ? ଦୟାକରି ଆଉ କିଛି ସମୟ ରୁହ । ମୁଁ ଆପଣଙ୍କୁ କିଛି କହିବାକୁ ଚାହେଁ । ମୋ କଥାକୁ
ମନଧ୍ୟାନ ଦେଇ ଶୁଣ ।’

ମୁଁ ପୁଣି ଖଟ ଉପରେ ବସିପଡ଼ିଲି । ସେ କହିଚାଲିଲେ, ‘ମୁଁ ଆପଣଙ୍କୁ ଗୋଟିଏ ସାହାଯ୍ୟ ମାଗିବି । ଆପଣ ମୋତେ ସାହାଯ୍ୟ କରିବେ? ମୋ ଲାଗି ଆପଣଙ୍କୁ ଗୋଟିଏ କାମ କରିବାକୁ ପଡ଼ିବ ।’

‘କି କାମ?’

‘ଆପଣ ହେଲେ ମୋର ଶିଖ୍ ଭାଇ । ମୁଁ ବି ଦିନେ ଶିଖ୍ ଥିଲି । ଏବେ ମୁଁ ମୁସଲମାନ । ଏବେ ଦୁନିଆରେ କେହି ଜଣେ ନାହାନ୍ତି ଯାହାଙ୍କୁ ମୁଁ ମୋ ନିଜର ଆତ୍ମୀୟ ବୋଲି କହିପାରିବି । ମୁଁ ବଡ଼ ଅସୁବିଧାରେ ପଡ଼ିଯାଇଛି । ଆପଣ ମୋତେ ସାହାଯ୍ୟ କରିପାରିବେ । ଏଇ ପାଖ
ଗାଁରେ ମୋର ଜଣେ ନଣନ୍ଦ ରହନ୍ତି । ଯୁବତୀ ଝିଅଟା । କେଇଟା ବଦମାସ ଲୋକ ତାକୁ ଜୋର ଜବରଦସ୍ତ ଅଟକ ରଖିଛନ୍ତି । ତା’ ଉପରେ ପାଶବିକ ଅତ୍ୟାଚାର କରିନଥିବେ ସେକଥା କିଏ କହିବ? ଆମ ଗାଁ ଉପରେ ଆକ୍ରମଣ କଲାବେଳେ ସେମାନେ ମୋ ନଣନ୍ଦକୁ ଉଠାଇ ନେଇଥିଲେ । ମୋତେ ଦୟାକରି ଏତିକି ସାହାଯ୍ୟ କରନ୍ତୁ,ଭାଇ । ମୋ ନଣନ୍ଦକୁ ସେମାନଙ୍କ କବଳରୁ ଉଦ୍ଧାର କରନ୍ତୁ ।’

ଏଥର ଦୀର୍ଘଶ୍ୱାସଟିଏ ଛାଡ଼ି ସେ ପୁଣି କହିଚାଲିଲେ, ‘ଆପଣଙ୍କ କଥା ତ ସମସ୍ତେ ମାନୁଛନ୍ତି । ଏପରିକି ପାକିସ୍ତାନୀ ପୁଲିସ ବି ଆପଣଙ୍କ
ନିର୍ଦ୍ଦେଶ ଅନୁସାରେ କାମ କରୁଛି । ତାକୁ ମୋ କଥା କହିବ । ମୁଁ ତା’ର ବଡ଼ ଭାଉଜ । ପିଲାଟିଦିନୁ ମୁଁ ତାକୁ କୋଳେଇ କାଖେଇ
ମୋ ଝିଅ ଭଳି ବଢ଼େଇଥିଲି । ସିଏ ଯଦି ମୋ ପାଖରେ ଆସି ରହିବାକୁ ରାଜିହୁଏ, ତା’ହେଲେ ତା’ଲାଗି ମୁଁ ଭଲ ବରଟିଏ ଯୋଗାଡ଼ କରିଦେବି । ତାକୁ ଦେଖିେ ମୋ ଦେହ ବି ଆପେ ଭଲ ହୋଇଯିବ । ମୋ ମନ ବି ଭଲ ଲାଗିବ । ତା’ଛଡ଼ା ମୋ ନିଜର ବୋଲି କେହି ଜଣେ ଏ ଦୁନିଆରେ ଅଛି ବୋଲି ମୁଁ କହିପାରିବି ।’

ଜାଠବୁଢ଼ାଟି ଯାହା କହିଥିଲା ମୋର ସେ କଥା ମନେପଡ଼ିଲା: ‘ଏ ଅନାବନା ଘାସଲତା ଗୁଳ୍ମକୁ ଦେଖ । ଯେତେବେଳେ ଧାନରୁଆ ଋତୁ
ଆସିଯିବ, କୃଷିକାରୀ ଆସି ଜମିରେ ହଳ କରିବ, ଏସବୁ ଗୁଳ୍ମ ମୂଳ  ସହ ଓପାଡ଼ି ଫୋପାଡ଼ି ହୋଇଯିବ । କିନ୍ତୁ ମାତ୍ର କେଇଟା ଦିନପରେ ସେ ଗୁଳ୍ମ ପୁଣି ଥରେ ସେଇଠି ଜନ୍ମନେବ । ମାସେ ପରେ ଲାଗିବ, ଯେମିତି ଏ କ୍ଷେତରେ କେହି ହଳ ସୁଦ୍ଧା କରିନାହାନ୍ତି!’

ଋୂପାନ୍ତରଣ: ସୁଭାଷ ଶତପଥୀ