ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଗଳ୍ପ , କବିତା , ଶିଶୁ ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଥିବା ସୁଷମା ପରିଜା ଏକ ନିଆରା ବ୍ୟକ୍ତିତ୍ୱ । ତାଙ୍କ ରଚନାରେ ଥାଏ । ଅନୁଭବ ଓ ଅନୁଭୂତିର କଥା , ସମାଜର ରୀତି ନୀତି , ଓଡ଼ିଶାର ପରମ୍ପରା, ପର୍ବ ପର୍ବାଣି ତଥା ସାମାଜିକ ଜୀବନର କଥା ଅତି ସାଧାରଣ ଘଟଣାରୁ ଜୀବନର ମୂଲ୍ୟବୋଧ ଖୋଜୁଥିବା ତାଙ୍କ ଗଳ୍ପର ଧାରା ସବୁବେଳେ ବାନ୍ଧିରଖେ ପାଠକଙ୍କ ହୃଦୟକୁ । ନିଜର ସାହିତ୍ୟ ସାଧନାସହ ସେ ସବୁବେଳେ ନୂଆ ପୀଢ଼ିର ଲେଖକ , ଲେଖିକାଙ୍କୁ ମଧ୍ୟ ସାହିତ୍ୟ ପ୍ରତି ସମର୍ପିତ ହେବାକୁ ପ୍ରେରିତ କରିଥାନ୍ତି ।
ତାଙ୍କ ରଚିତ ପ୍ରତିବଦ୍ଧ , ପରିପୂର୍ଣ୍ଣା , କାନାଡ଼ା ଡାଏରୀ, କ୍ଳାନ୍ତ ଅପରାହ୍ନ, ବର୍ଣ୍ଣାଳୀ ପ୍ରଭୃତି ପୁସ୍ତକ ସାଉଁଟିଛି ବିପୁଳ ପାଠକୀୟତା । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଏବଂ ସମ୍ବର୍ଦ୍ଧିତା ।
ଲେଖିକା ସୁଷମା ପରିଜାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ
ସାହିତ୍ୟ ପ୍ରତି କେମିତି ଆକର୍ଷିତ ହେଲେ ?
ସାହିତ୍ୟ ପ୍ରତି ଆକର୍ଷଣ ପିଲା ଦିନରୁ। ବୋଧହୁଏ ସେଇଟି ଉତ୍ତରାଧିକାରୀ ସୂତ୍ରରେ ବୋଉଠାରୁ ମିଳିଛି।ବହୁତ ପଢେ ସେ । ମୋ’ ଜନ୍ମ ହେବା ପୂର୍ବରୁ ସେ ଗାଆଁରେ ରହୁଥିଲା ତା’ ଶାଶୁମାନଙ୍କ ପାଖରେ। ବଡବୋଉ ଠାରୁ ଶୁଣିଛି ଯେ ସେ ପଢିବ ବୋଲି ବାବା ତା’କୁ କଟକରୁ ବହୁତ ବହିପତ୍ର କିଣିନେଇ ଦେଉଥିଲେ। ସେଇଥିରେ ଗଢି ଉଠିଥିଲା ଆମ ଗାଆଁ ଘରେ ଗୋଟେ ଛୋଟ ଲାଇବ୍ରେରୀ । ଗାଆଁର ସବୁ ପାଠ ପଢୁଆ ଲୋକେ ଆମ ଘରକୁ ଆସୁଥିଲେ ସେଇ ବହି ସବୁ ପଢିବାକୁ । ମୋ’ର ଆଗ୍ରହ ତ ଥିଲା। ପିଲାବେଳେ ଜହ୍ନ ମାମୁଁ, ମନ ପବନ, ପ୍ରଜାତନ୍ତ୍ରର ମୀନାବଜାର ଇତ୍ୟାଦି ପଢୁଥିଲି, ହେଲେ ମୋ’ ଲେଖା ଲେଖିର ମୂଳଦୁଆ ପଡିଥିଲା କଟକର ମ୍ୟୁନିସିପାଲ୍ ଗାର୍ଲସ୍ ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢିବା ପରେ ।
ସେଠାରେ ଆମର ଇଂରାଜୀ ଗୁରୁମା’ ଥିଲେ କଳ୍ପନା ବିଶ୍ୱାସ । ପ୍ରତିଦିନ କ୍ଲାସ୍ ଆରମ୍ଭରେ ଗଳ୍ପଟିଏ କହନ୍ତି ଆମମାନଙ୍କୁ । ଖୁବ୍ ସୁନ୍ଦର କହିବାର ଶୈଳୀ ତାଙ୍କର । ଗଳ୍ପଟିଏ କହିସାରି ଆମକୁ କହିବେ “ ତୁମେମାନେ ଚାହିଁଲେ ମଧ୍ୟ ଏମିତି ଗଳ୍ପ, କବିତା ସବୁ ଲେଖି ପାରିବ। ସେଇଠି ମୋ’ ମନରେ ଆଗ୍ରହ ଆସିଲା ଲେଖିବାକୁ । ସେଇ କ୍ଲାସରେ ମୋ’ର ଆହୁରି ଅନେକ ସହପାଠିନୀମାନେ ମଧ୍ୟ ଆଗ୍ରହୀ ହେଲେ ଲେଖିବା ପାଇଁ । ସ୍କୁଲର ବାର୍ଷିକ ମୁଖପତ୍ରରେ ଲେଖା ଦେଲୁ। ମୁଁ ସପ୍ତମରେ ପଢିବା ବେଳକୁ ଆରମ୍ଭ ହେଲା ଆମର ଶ୍ରେଣୀର ହାତଲେଖା ପତ୍ରିକା “ ଅଳକା “ । ଗଳ୍ପ ହେଉ ବା କବିତା , ପ୍ରଥମେ କାଗଜରେ ଲେଖି କଳ୍ପନା ଗୁରୁମା’ଙ୍କୁ ଦେଉ। ସିଏ ସବୁ ପଢନ୍ତି, ପ୍ରଧାନ ଶିକ୍ଷୟତ୍ରୀ ଏବଂ ଅନ୍ୟ ଶିକ୍ଷୟତ୍ରୀମାନଙ୍କ ସହ ଆଲୋଚନା କରି ଚୟନ କରନ୍ତି ଲେଖାସବୁ। ସେଗୁଡିକ ଆମ ଶ୍ରେଣୀରେ ସୁନ୍ଦର ହସ୍ତାକ୍ଷର ଥିବା ପିଲାମାନଙ୍କୁ ଦିଆଯାଏ ଗୋଟିଏ ଚାରିନମ୍ବରିଆ ବାଇଣ୍ଡିଙ୍ଗ୍ ଖାତାରେ ଉତ୍ତାରି ଦେବା ପାଇଁ ।
ତା’ପରେ ସେଇ ଖାତାଟି ମାଗାଜିନ୍ ହୋଇ ଘୁରି ବୁଲେ ଶ୍ରେଣୀରୁ ଶ୍ରେଣୀ । ସମସ୍ତେ ପଢିବା ପରେ ଶ୍ରେଷ୍ଠ ବିବେଚିତ ଲେଖିକାଙ୍କୁ ପ୍ରଧାନ ଶିକ୍ଷୟତ୍ରୀ ଠାରୁ କଲମଟିଏ ପୁରସ୍କାର ମିଳେ। ପ୍ରତି ମାସରେ ବାହାରେ ସେ ପତ୍ରିକା । ସେଇଠି ଦିନେ ମୋ’ର “ବୋଉ” ଶୀର୍ଷକ କବିତା ଟିଏ ଗୁରୁମା’ ପଠାଇଦେଲେ ପ୍ରଜାତନ୍ତ୍ରକୁ। ମୀନାବଜାରରେ ବାହାରିଥିଲା କବିତା ଟି। ମୋ’ ମନ ଆନନ୍ଦରେ ନାଚି ଉଠିଲା । ଖୁବ୍ ଖୁସି ହୋଇଥିଲେ ସ୍କୁଲରେ ସମସ୍ତେ । ମତେ ସେଇ ପୃଷ୍ଠାଟି ଦେଇ ପଠାଇଦେଲେ ଘରେ ସମସ୍ତଙ୍କୁ ଦେଖାଇବା ପାଇଁ । ବାବା, ବୋଉ ବହୁତ ଖୁସି ହେଲେ। ସେଇଥିଲା ମୋ’ର ଛାପା କାଗଜରେ ପ୍ରଥମ ପଦପାତ । ତା’ପରେ ଆଉ ପଛକୁ ଫେରି ଚାହିଁନାହିଁ ମୁଁ । ଅବଶ୍ୟ ବାହାଘର ପରେ ଶାଶୁଘରେ ଯୌଥ ପରିବାର, ଚାକିରୀ, ପିଲାମାନଙ୍କ ଜଞ୍ଜାଳରେ କିଛି ସମୟ ଧମକେଇ ଯାଇଥିଲା ମୋ’ର ଲେଖନୀ, ଯାହା ଚାକିରୀରୁ ଅବସର ନେବା ପରେ ଏବେ ପୁଣି ଚଳଚଞ୍ଚଳ ହୋଇଉଠିଛି । ଏହା ଈଶ୍ବରଙ୍କ କୃପା ବୋଲି ମୁଁ ମନେକରେ।
ଗଳ୍ପ , କବିତା , ଆଲେଖ୍ୟ, ଶିଶୁ ସାହିତ୍ୟ ସବୁ ବିଭାଗରେ ଆପଣ ଲେଖାଲେଖି କରନ୍ତି । ତେବେ ଆତ୍ମତୃପ୍ତି କେଉଁଠି ?
ହଁ , ସାହିତ୍ୟର ସବୁ ବିଭାଗରେ କିଛି କିଛି ଲେଖାଲେଖି କରିଥାଏ ମୁଁ, ହେଲେ ସ୍ୱଭାବତଃ ମୁଁ ଜଣେ ଗାଳ୍ପିକା। ଗଳ୍ପ ହିଁ ମୋ’ର ପ୍ରଥମ ପସନ୍ଦ, ସେଇଥିରେ ଆତ୍ମତୃପ୍ତି ମିଳେ ମୋତେ ।
ପ୍ରତ୍ୟେକ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?
ଠିକ୍ କଥା କହିଛନ୍ତି , ପ୍ରତ୍ୟେକ ଲେଖକ ନିଜେ ନିଜର ସମୀକ୍ଷକ । ତାହା ହେବା ମଧ୍ୟ ଜରୁରୀ, କାରଣ ନିଜର ଲେଖାଟିକୁ ବାରମ୍ବାର ପଢିଲେ ସେଥିରେ ନିଜର ଦୋଷ ତ୍ରୁଟି ତ ଜାଣି ହୁଏ, ଅଧିକନ୍ତୁ କେଉଁ କେଉଁ ଦିଗରେ ପରିମାର୍ଜିତ କରା ଯାଇ ପାରିବ ତାହା ମଧ୍ୟ ବୁଝିହୁଏ। ମୋ’ର ସବୁ ଗଳ୍ପ ଗୁଡିକ ପ୍ରାୟ ସାଧାରଣ ଜୀବନର ପୃଷ୍ଠଭୂମି ଉପରେ ଆଧାରିତ । ସେଥିପାଇଁ ବେଳେ ବେଳେ ଭାବେ ଆଧୁନିକ ଜୀବନ ଶୈଳୀ ଉପରେ କିଛି ଲେଖିଲେ ଭଲ ହୁଅନ୍ତା, ହେଲେ ପାରେ ନାହିଁ , କାରଣ ମୁଁ ନିମ୍ନ ମଧ୍ୟବିତ୍ତ ପରିବାରର ଝିଅ ଆଉ ବୋହୂ, ଆଧୁନିକ ଜୀବନ ବିଷୟରେ ମୋ’ର କୌଣସି ଧାରଣା ହିଁ ନାହିଁ । ଆହୁରି ମଧ୍ୟ ମୋ’ର ଦୁଃଖ ହୁଏ ଯେ ଗଳ୍ପଗୁଡିକ ଲେଖୁ ଲେଖୁ ଦୀର୍ଘ ହୋଇଯାଏ , ମୋ’ର ଭାବନା ଉପରେ ନିୟନ୍ତ୍ରଣ ରହେ ନାହିଁ । ସେଥିପାଇଁ ଏବେ ଅଣୁ ଗଳ୍ପ ଲେଖିବା ପାଇଁ ଚେଷ୍ଟା କରୁଛି।
ଆପଣଙ୍କ ରଚିତ ‘କାନାଡ଼ା ଡାଏରୀ’ ବିପୁଳ ଭାବରେ ପାଠକୀୟ ଆଦୃତି ସାଉଁଟିଛି । ପୁସ୍ତକଟିର ଏପରି ନାମକରଣର ତାତ୍ପର୍ଯ୍ୟ କଣ ?
ମୋ’ର ବଡପୁଅ ଦୁଇହଜାର ବାଆର ମସିହାରୁ ତା’ର ପରିବାର ଧରି ରହୁଛି କାନାଡାରେ । ଦୁଇ ହଜାର ଉଣେଇଶି ମସିହାରେ ଆମ ବାପ ମା’ ଦୁହିଁଙ୍କୁ ସେମାନଙ୍କ ପାଖକୁ ନେଇଥିଲା। ସେ ଦେଶର ଭୌଗଳିକ ସ୍ଥିତି , ପ୍ରାକୃତିକ ସୌନ୍ଦର୍ଯ୍ୟ, ସେଠାକାର ଜନ ଜୀବନ ମୋତେ ଏତେ ପ୍ରଭାବିତ କଲା ଯେ ସେଠାରେ ରହଣୀ କାଳର ମୁଁ ପ୍ରାୟ ପ୍ରତ୍ୟେକ ଦିନ ମୁଁ ଦେଖିଥିବା ଦୃଶ୍ୟ ଏବଂ ମୋ’ର ଅନୁଭୂତିକୁ ଫେସ୍ବୁକ୍ ବନ୍ଧୁ ମାନଙ୍କୁ ବାଣ୍ଟିଥିଲି । ସମସ୍ତ ବନ୍ଧୁମାନଙ୍କୁ ତାହା ଖୁବ୍ ଭଲ ଲାଗିଥିଲା । ସେମାନଙ୍କ ଅନୁରୋଧ ସର୍ବୋପରି ମୋ’ ବଡପୁଅ, ବୋହୂଙ୍କ ଅନୁରୋଧ ରହିଲା ସେଇ ଅନୁଭୂତିକୁ ବହିଟିଏ କରି ସବୁଦିନ ପାଇଁ ସାଇତି ରଖିବା ପାଇଁ । ସେଇଥିରୁ ଜନ୍ମ ନେଲା “ ମୋ’ କାନାଡା ଡାଏରୀ “। ଆନ୍ତରିକ ଧନ୍ୟବାଦ ସହିତ କୃତଜ୍ଞତା ଜଣାଉଛି ଇଭେଣ୍ଟସ୍ ପ୍ରକାଶନୀର ପ୍ରକାଶକ ପ୍ରକଶ ମହାପାତ୍ର ଏବଂ ତାଙ୍କ ସହଧର୍ମିଣୀ ବେବିନା ରଥଙ୍କୁ ସେଇ ବହିଟି ସୁନ୍ଦର ଭାବରେ ପ୍ରସ୍ତୁତ କରି ପାଠକମାନଙ୍କୁ ସମର୍ପିତ କରିଛନ୍ତି ।
ଆପଣ ଅନେକ ପୁସ୍ତକର ମଧ୍ୟ ସମୀକ୍ଷା କରିଛନ୍ତି । ତେବେ ଜଣେ ସମୀକ୍ଷକର ଦୃଷ୍ଟିଭଙ୍ଗୀ କିପରି ହେବ ଆବଶ୍ୟକ ବୋଲି ଆପଣ ଭାବନ୍ତି ?
ମୋ’ ମତରେ ଜଣେ ସମୀକ୍ଷକ ସବୁବେଳେ ନିରପେକ୍ଷ ହେବା ଜରୁରୀ। ମୁହଁ ଚାହାଁ ରହିଲେ ପୁସ୍ତକଟିର ପ୍ରକୃତ ସମୀକ୍ଷା ହୋଇ ପାରେ ନାହିଁ । ଲେଖକର ଉପସ୍ଥାପନା ଶୈଳୀ, ଲେଖାର ଅନ୍ତଃସ୍ୱର, ଶବ୍ଦ ସଂଯୋଜନାର ସଠିକ୍ ସମୀକ୍ଷା କରିବା ଦରକାର। ଯିଏ ବନ୍ଧୁର ଭଲ କାମକୁ ପ୍ରଶଂସା କରିବା ସହ ଦୋଷ ତ୍ରୁଟିକୁ ଦର୍ଶାଇଥାଏ ସିଏ ହିଁ ପ୍ରକୃତ ବନ୍ଧୁ ।
ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?
ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ ନିଶ୍ଚିତ ଭାବରେ ପ୍ରଭାବିତ କରେ। କାରଣ ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ସ୍କୁଲରେ ସଠିକ ଅଙ୍କଟିଏ କଷି ହେଡ୍ ସାରଙ୍କ ପାଖରୁ ପିଠି ଥାପୁଡା ପାଇବା ସଦୃଶ। ଏହା ଲେଖକକୁ ପ୍ରୋତ୍ସାହିତ କରିଥାଏ ଆହୁରି ଭଲ ଲେଖିବା ପାଇଁ । ଲେଖକର ଦାୟିତ୍ବବୋଧକୁ ବଢାଇଥାଏ । କିନ୍ତୁ କିଛି କିଛି ମଣିଷଙ୍କର ଆଜିକାଲି ଏସବୁ କିଣାବିକା ବେପାର । ମୁହଁ ନଖୋଲିବା ହିଁ ଶ୍ରେୟସ୍କର ।
ଓଡ଼ିଆ ସାହିତ୍ୟରେ ନାରୀ ଲେଖିକାଙ୍କର ପ୍ରଭାବ କିପରି ? ସାମାଜିକ ଚାପରେ ଲେଖିକାମାନେ ବେଳେ ବେଳେ ଦ୍ବନ୍ଦରେ ରହନ୍ତି କି ?
ଓଡ଼ିଆ ସାହିତ୍ୟରେ ନାରୀ ଲେଖିକାମାନଙ୍କର ପ୍ରଭାବ ଯୁଗେ ଯୁଗେ ରହିଛି। ସେ ଦିନର କୁନ୍ତଳା କୁମାରୀ ସାବତ , ବିଦ୍ୟୁତ ପ୍ରଭା ଦେବୀ , ମନୋରମା ମହାପାତ୍ରଙ୍କଠାରୁ ଆରମ୍ଭ କରି ଆଜିର ପ୍ରତିଭା ରାୟ, ଗାୟତ୍ରୀ ବସୁମଲ୍ଲିକ, ଶକୁନ୍ତଳା ବଳିଆରସିଂ , ଗାୟତ୍ରୀ ସରାଫ, ବନଜ ଦେବୀ, ବିଦ୍ୟୁତଲତା ଦାସ, ପଦ୍ମଜା ଶରଣ, ମିରିନା ମହାନ୍ତି, ଏବଂ ନୂଆ ପିଢିର ଗାଳ୍ପିକା ଚିନ୍ମୟୀ ବାରିକ୍, ସୌମ୍ଯା ଶୁଭଦର୍ଶିନୀ, ଗାୟତ୍ରୀ ଦାସ ଇତ୍ୟାଦି ଇତ୍ୟାଦି ଅନେକ ସଫଳ ସ୍ରଷ୍ଟା ମାନେ ସମୃଦ୍ଧ କରିଛନ୍ତି ଆମର ବାଣୀ ଭଣ୍ଡାରକୁ। ଆଉ ରହିଲା ନାରୀ ଲେଖିକାମାନଙ୍କ ଉପରେ ସାମାଜିକ ଚାପର କଥା, ତାହା ରହିବା ସ୍ୱାଭାବିକ । ଓଡ଼ିଶାର ରକ୍ଷଣଶୀଳ ସମାଜରେ ଆଜି ମଧ୍ୟ ଶୃଙ୍ଗାର ରସ ଗୋଟିଏ “ ନାହିଁ ନାହିଁ ର ଇଲାକା” । ଲେଖିବା ବେଳେ ଖୁବ୍ ଭାବିଚିନ୍ତି ନିଜର ସୀମାରେଖା ନିର୍ଦ୍ଧାରଣ କରିବାକୁ ପଡିଥାଏ।
ଆପଣଙ୍କ ସୃଷ୍ଟି ସମୂହରେ ଜୀବନ ଦର୍ଶନକୁ ଆପଣ କିପରି ଭାବରେ ରୂପାୟନ କରିଛନ୍ତି ?
ମୋର ସୃଷ୍ଟିମାନଙ୍କରେ ଅନେକ ଗଳ୍ପ କବିତା ରହିଛି ଏମିତି । ମୋ’ର ଗଳ୍ପ “ ଭାଗ୍ୟର ଖେଳ , ଭିନ୍ନ ଏକ ଅନସୂୟା, ମାନବଧର୍ମ “ ରେ ନାରୀର ଜୀବନରେ ସହନଶୀଳତା, ତ୍ୟାଗ , ସଂହତିର ବର୍ଣ୍ଣନା ରହିଛି। କବିତା ମଧ୍ୟରେ “ ଘଡିଏ ଜୀବନ”, ସଞ୍ଜ ନଇଁବାକୁ ଆଉ ଅଳ୍ପ ବାକି, ହାଟବାହୁଡା, ସ୍ୱପ୍ନର ଘର , ଇତ୍ୟାଦି ଜୀବନର ଜୀବନ ଦର୍ଶନର କଥାକହେ।
ପୁରସ୍କାର ସାହିତ୍ୟ ସୃଷ୍ଟିର ମାପଦଣ୍ଡ ବୋଲି ଆମେ ଭାବିବା ଉଚିତ କି ?
ନା’ ମୋଟେ ନୁହେଁ । କୌଣସି ପୁରସ୍କାରର ପ୍ରଲୋଭନରେ ନପଡି ସ୍ରଷ୍ଟା ତା’ର ସୃଷ୍ଟି କରିଯିବା ଉଚିତ୍ । ଲେଖାଟି ଯଦି ପାଠକର ମନକୁ ଛୁଇଁଲା, ପାଠକୀୟ ଆଦୃତି ଲାଭ କଲା ତାହେଲେ ସେଇ ତା’ର ଶ୍ରେଷ୍ଠ ପୁରସ୍କାର ।
ନୂଆ ଲେଖକଙ୍କୁ କି ବାର୍ତ୍ତା ଦେବେ ?
ନୂଆ ପୀଢ଼ିର ଲେଖକମାନେ ଏବେ ସ୍ୱୟଂ ସମ୍ପୂର୍ଣ୍ଣ । ସେମାନଙ୍କ ପାଖରେ ଟେକନିକାଲ୍ ନଲେଜ୍ ସହିତ ଭାଷାଜ୍ଞାନ ମଧ୍ୟ ରହିଛି। ତେବେ ସେମାନଙ୍କ ମଧ୍ୟରୁ କତିପୟ ଏବେ ବିପଥଗାମୀ। ଅନ୍ୟ ଜଣକର ଲେଖାଟିଏ ନେଇ ନିଜ ନାମ ଦେଇ ଛାପିବାକୁ କୁଣ୍ଠାବୋଧ କରୁ ନାହାଁନ୍ତି, ବୁଝୁନାହାଁନ୍ତି ଯେ ଏହା ମଧ୍ୟ ଏକ ପ୍ରକାର ଚୋରି। କାହାର ଲେଖା ଚୋରି କରି ନିଜ ନାମରେ ଛାପିଦେଲେ କେହି ସ୍ରଷ୍ଟା ହୋଇଯାଆନ୍ତି ନାହିଁ, ଚୋର ଭଳି ସହସ୍ର ମୁଖରେ ନିନ୍ଦିତ ହୁଅନ୍ତି । ତେଣୁ ଏତିକି କହିବି “ହେ ନୂତନ ପୀଢ଼ିର ସ୍ରଷ୍ଟାଗଣ ! ଓଡ଼ିଆ ଭାଷା ଓ ସାହିତ୍ୟର ସମ୍ମାନ ରକ୍ଷା କରିବାକୁ ଉଚ୍ଚମାନର ସାହିତ୍ୟ ସୃଷ୍ଟି କର। ଆମ ପୂର୍ବ ପୁରୁଷଙ୍କ ସଂଗ୍ରାମ ସାର୍ଥକ ହେଉ।“
Comments are closed.