Latest Odisha News

ମମିତା ମେହେର ହତ୍ୟାକାଣ୍ଡ ଘଟଣା: ଜୋର୍ ଧରିଲା ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି ପ୍ରଦେଶ କଂଗ୍ରେସ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ବିଜେଡ଼ି ସରକାରର ବହୁ ନେତା ଓ ଅଧିକାରୀଙ୍କ ବିବାଦୀୟ ସଂପର୍କରେ ତଥ୍ୟ ପ୍ରମାଣ କଂଗ୍ରେସ ଗଣମାଧ୍ୟମ ସାମନାରେ ରଖିଛି ।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ କିଭଳି ଅପବ୍ୟୟ ହେଉଥିଲା ତାହାର ହିସାବ ରଖିଛନ୍ତି । ଗୋବିନ୍ଦ ସାହୁଙ୍କ ଘରୋଇ ଶିକ୍ଷାନୁଷ୍ଠାନରେ ଅପବ୍ୟୟ ହେଉଥିଲା ତାହାର ହିସାବ ରଖିଛନ୍ତି । ସିଏଜିଙ୍କ ରିପୋର୍ଟ ଅନୁଯାୟୀ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥ ଯାହାକି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବିନିଯୋଗ ହେବା କଥା, ସେ ଅର୍ଥକୁ ବାଟମାରଣା କରାଯାଇଛି । ଗୋବିନ୍ଦ ସାହୁର ଘରୋଇ ଶିକ୍ଷାନୁଷ୍ଠାନରେ ଖର୍ଚ୍ଚ କରାଯାଇଛି ।

ପଂଚାୟତ ରାଜ ବିଭାଗର ଏଭଳି ବେଆଇନ ନିଷ୍ପତି ଉପରେ ଘୋର ଆପତି ମଧ୍ୟ ଉଠାଇଛନ୍ତି ସି.ଏ.ଜି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଅର୍ଥକୁ ମହାଲିଙ୍ଗ ଘରୋଇ କଲେଜର ଲେଡିଜ ହଷ୍ଟେଲର ଲନ୍ ତିଆରି କରିବାର ଖର୍ଚ୍ଚ କରାଯାଉଥିଲା କିଭଳି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ।
କେବଳ ପଂଚାୟତ ରାଜ ବିଭାଗ ଅର୍ଥ ନୁହେଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କୋଟି କୋଟି ଟଙ୍କା ମଧ୍ୟ ଗୋବିନ୍ଦ ସାହୁର ଘରୋଇ ଶିକ୍ଷାନୁଷ୍ଠାନରେ କିଭଳି ଖର୍ଚ୍ଚ ହେଉଥିଲା? ଏହା ପଛରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର ସୁପାରିଶ ହିଁ ମୂଳ କାରଣ ବୋଲି ଅଭିଯୋଗ କରିଛନ୍ତି ସତ୍ୟ ପ୍ରକାଶ ନାୟକ ।

ଦିବ୍ୟ ଶଙ୍କର ମିଶ୍ରଙ୍କ ଫୋନ୍‌ର କଲ ରେକର୍ଡ ସାର୍ବଜନୀନ କଲେ ଗୋବିନ୍ଦ ସାହୁଙ୍କୁ ସୁରକ୍ଷା ଦେବାପାଇଁ ମନ୍ତ୍ରୀ ନିଜର ପଦ ଓ ଗାରିମାର ଅପବ୍ୟବହାର କରିଛନ୍ତି ତାହା ସ୍ପଷ୍ଟ ହୋଇଯିବ । ତେଣୁ ତୁରନ୍ତ ଦିବ୍ୟଶଙ୍କରଙ୍କୁ ନବୀନବାବୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରନ୍ତୁ ବୋଲି ସତ୍ୟ ନାୟକ ଦାବି କରିଛନ୍ତି ।

Comments are closed.