ଭୁବନେଶ୍ୱର: ଭାରତୀୟ ଇଲେକ୍ଟ୍ରିକ୍ ମୋଟର ଯାନ ନିର୍ମାଣ କମ୍ପାନୀ ଭାଜିରାନୀ ଅଟୋମୋଟିଭ ଲଂଚ କଲା ଦେଶର ଦୃତତ୍ତମ ସିଙ୍ଗଲ୍ ସିଟର୍ ଇଲେକ୍ଟ୍ରିକ୍ ହାଇପର୍ କାର ଇକୋଙ୍କ । ସ୍ପେସ୍ ସିପ୍ ଭଳି ମଡେଲରେ ନିର୍ମିତ ଏହି କାରର ଓଜନ ମାତ୍ର ୭୩୮ କି.ଗ୍ରା ରହିଛି । ଭାରତୀୟ ପୁରାଣ ଅନୁଯାୟୀ ଇକୋଙ୍କର ଅର୍ଥ ଆଧ୍ୟାତ୍ମିକ ଆଲୋକର ପ୍ରାରମ୍ଭ । ଖାସ ଏହି କାରଣରୁ କାରକୁ କିଛି ଏଭଳି ଭାବେ ନାମିତ କରାଯାଇଛି ।
ଏହି କାର ପାଇଁ ଭାଜିରାନୀ ଅଟୋମୋଟିଭ କମ୍ପାନୀ ପାରମ୍ପରିକ ଲିକ୍ୱିଡ୍ କୁଲିଂ ଟେକ୍ନିକ୍ର ବ୍ୟବହାର କରିନାହିଁ । ବରଂ ଗାଡିରେ ଲାଗିଥିବା ଶକ୍ତିଶାଳୀ ବ୍ୟାଟେରୀକୁ ବାୟୁ ଜରିଆରେ ଥଣ୍ଡା କରିବା ପାଇଁ ଡିକୋ ନାମକ କୌଶଳର ବ୍ୟବହାର କରାଯାଇଛି । ଖାସ ଏହି କୌଶଳ ପାଇଁ ଇକୋଙ୍କ ହାଲକା, ଦୃତ, ନିରାପଦ ଓ ସ୍ୱଳ୍ପ ବ୍ୟୟ ସମ୍ପନ୍ନ ଗାଡି ରୂପେ ପରିଗଣିତ ହୋଇଛି ।
ଗାଡିର ଓଜନ କମାଇବା ପାଇଁ କାରଟିକୁ ସମ୍ପୁ୍ର୍ଣ୍ଣ ଭାବେ କାର୍ବନ୍ ଫାଇବରରେ ନିର୍ମିତ କରାଯାଇଛି । କାରର ଅଗ୍ରଭାଗ ଦୁଇଟି ଚକ ଆଖିକୁ ଦେଖାଯାଉଥିବାବେଳେ ପଛ ଦୁଇଟି ଚକକୁ ଘୋଡାଇ ରଖାଯାଇଛି । ୭୨୨ ହର୍ସ ପାୱାର୍ ଉତ୍ପନ୍ନ କରୁଥିବା ଏହି କାରକୁ ଇନ୍ଦୋରର ନାକ୍ସଟ୍ରାକ୍ସ ହାଇ ସ୍ପିଡ୍ ଭେଇକିଲ୍ ଟେଷ୍ଟିଂ ଫେସିଲିଟିରେ ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣରେ ଏହି ହାଇପର୍ କାର ସର୍ବାଧିକ ୩୦୯ କି.ମି ପ୍ରତି ଘଣ୍ଟା ବେଗରେ ଚାଲିଥିଲା । ସେହିଭଳି ମାତ୍ର ୨.୫୪ ସେକେଣ୍ଡରେ ଶୂନରୁ ୧୦୦ କି.ମି ପ୍ରତି ଘଣ୍ଟା ବେଗ ଧରିଥିଲା ।
ଏହି ହାଇପର କାରକୁ କିଛି ବଛାବଛା ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରିବା ଲାଗି ଭାଜିରାନୀ କମ୍ପାନୀ ଯୋଜନା କରିଛି । ଏହାର ଦାମ୍ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନି । ତେବେ ଏହାର ନିର୍ମାଣ ସଂଖ୍ୟା ସୀମିତ ରହିବ ବୋଲି କମ୍ପାନୀର ଫାଉଣ୍ଡର୍ ତଥା ସିଇଓ ଚଙ୍କି ଭାଜିରାନୀ ପ୍ରକାଶ କରିଥିଲେ ।