Latest Odisha News

ବନ୍ଧୁକ ମୁନରେ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍, ପୋଲିସର ତଦନ୍ତ ଜାରି

ଭଦ୍ରକ: ପୁଣି ଲୁଟିଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନ ସୁଦର୍ଶନପୁରରୁ ଲୁଟ୍ ହୋଇଛି। ମାଛ ହାଟ ଛକରେ ଜଣେ ସୁନା ଦୋକାନୀଙ୍କଠାରୁ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ସୂଚନା ଅନୁସାରେ, ଚକାଡ଼ୋଳା ସୁନା ଦୋକାନର ତାପସ କୁମାର ସାହୁ ରବିବାର ରାତିରେ ଦୋକାନ ବନ୍ଦ କରି ବ୍ୟାଗରେ ସୁନା ଗହଣା ନେଇ ଘରକୁ ଫେରୁଥିଲେ। ହଠାତ୍ ଏହି ସମୟରେ ତିନି ଜଣ ଯୁବକ ଏକ ବାଇକରେ ଆସିଥିଲେ। ବନ୍ଧୁକ ଦେଖାଇ ଗୁଳି ଫୁଟାଇ ତାପସଙ୍କଠାରୁ ସୁନା ଗହଣା ବ୍ୟାଗକୁ ଝାମ୍ପି ନେଇ ପଳାଇଥିଲେ। ତେବେ ଆଜି ସକାଳୁ ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଗୁଳି ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ସେହିପରି ପଦ୍ମପୁର ବଜାରରେ ଥିବା କରୁଣାକର ସେଠୀଙ୍କ ହାର୍ଡ଼ୱେୟାର ଦୋକାନରୁ ଲୁଟ୍ ହୋଇଛି। ଦୋକାନ ତାଲା ଭାଙ୍ଗି ୫୦ ହଜାରରୁ ଅଧିକ ଟଙ୍କାର ଜିନିଷ ଚୋରୀ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଉଭୟ ତାପସ କୁମାର ସାହୁ ଓ କରୁଣାକର ସେଠୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି ରଖିଛି।

Comments are closed.