ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୧
ଖୋଜିବା ଜାରି ରହିଲା ମୋର।ଅଧାପାଠରୁ ବନ୍ଦ ରହିଥିବା ବାଳୁଙ୍ଗା ଭିତରୁ ଧାନ ଖୋଜିଲି। ମିଳିଲେ କିଛି ସତ,ବାଳୁଙ୍ଗାବି ରହିଲେ ତା’ ସହିତ । ସେଇମାନଙ୍କୁ ସନ୍ଧ୍ୟାରେ ପଢେଇଲି ଓ ପରୀକ୍ଷା ଦେବାପାଇଁ ଉସକେଇଲି। ଜମା ସହଜ ନଥିଲା ଏ କାମ।ପାଠକୁ ଡରୁଥିବା ପିଲେ ଛୁଟିନେଲେ ଯେ ନେଲେ,ବାକି ଜଣେ ଅଧେ ଆଗ୍ରହ ଦେଖାଇଲେ।ଗପସହିତ ପାଠ ,କାମ ସହିତ ପାଠ , ମଜାରେ ମଜାରେ ପାଠ … ମାତ୍ର ଜଣେ ପିଲା ପାସ କରିଗଲା ମାଟ୍ରିକ। ଖୁସିତ ଖୁସି… ଆତ୍ମସନ୍ତୋଷ ମିଳିଲା … ନାଚିଗଲି ଏକା ଏକା ଅଗଣାରେ।
ଏଥର କିନ୍ତୁ କିଛି ଝିଅଙ୍କୁ ଖୋଜି ରାଜି କରେଇଲି।ବୁଝେଇଲି… ଚଖେଇଲି .. ପାଠର ମଜା।ଚାକିରି କର କି ନକର ପାଠ ପଢ, ଆଗକୁ ବଢ…।ନିଜେ ରୋଜଗାରକ୍ଷମ ହେବା ସହିତ ପାରିବାରିକ ତଥା ସାମାଜିକ ଆର୍ଥିକ ସ୍ଥିତିକୁ ସୁଦୃଢ଼ କର….ଏକଥା କେତେ ପ୍ରକାର ଉଦାହରଣ, ଗପସହିତ ,କେବେ ରାସ୍ତାରେ ନାଟକ କରି ବୁଝେଇଲି।ଅନେକ ହସିଲେ, ଥଟ୍ଟାମଜା କଲେ …ପଛକୁ ଫେରିବାର ନଥିଲା ମୋ’ର କି ଶୁଣି ପ୍ରତିକ୍ରିୟା ପ୍ରକାଶ କରିବାର ନଥିଲା ।ଏଇ କାମରୁ କିଛି ମିଳୁକି ନମିଳୁ ପେଟେ ଖୁସି ମିଳୁଥିଲା।
ବେଳେ ବେଳେ ଲାଗେ ମାଆ ଡାକୁଚି ଅମୃତା …କେବେ ଲାଗେ ବାପା ଡାକୁଚନ୍ତି ଅମୁ …। କାହିଁକି ଏମିତି ହୁଏ…।କେହି ନଥାନ୍ତି ଅଥଚ … ଡାକ … ଭାରିହୋଇଯାଏ ଗଳା।
ଏକା ସହିତ ଆରମ୍ଭ ହେଲା ବହୁମୁଖୀ କାର୍ଯ୍ୟକଳାପ। ପୋଖରୀ ଖୋଳା, ବାଡ ବେଢା,ମାଛ ଚାଷ,ମହୁ,କୁକୁଡା ଚାଷ, ପରିବା ସହିତ ଫୁଲ,ଫଳବଗିଚା… ଏକରକମ ଧାଁ ଦୌଡର ବେଳ। ଚବିଶ ଗୁଣନ ସାତରେ ତାଳ ପକେଇ ନାଚିବା ବେଳ….ଏକଲା ଚଲୋ..ନା, ନା, ସାଥିରେ ନେଇ ଚାଲ…।
ନୂଆ ଜୀବନର ନୂଆ ଢଙ୍ଗରେ ସୂତ୍ରପାତ ।ଦିନେ ନାକ ଟେକୁଥିବା, ଅପଶବ୍ଦରେ ଅସନ୍ତୋଷ ପ୍ରକାଶ କରୁଥିବା ଲୋକେ ଉତ୍ସାହିତ କଲେ।ଆଗେଇ ଆସିଲେ ସହଯୋଗ ପାଇଁ। ତଥାପି କେତେକ ପଛପଟେ ବିରକ୍ତ ହେଉଥିଲେ… ମୁଷ୍ଟିମେୟ ଥିଲେ ସେମାନେ।
ବେକାର ବସୁଥିବା ଯୁବପିଢି ଅସାମାଜିକତାଠାରୁ ସମ୍ପର୍କକାଟି ରୋଜଗାର କ୍ଷମ ହେଲେ।ନିଜ ନିଜର ଦକ୍ଷତା ଅନୁସାରେ କାମ ବାଣ୍ଟି ନେଉଥିଲେ। ପାଠ ପଢେଇବା ବେଳେ କହିଥିବା କଥାସବୁ କାମରେ କରି ଦେଖେଇଦେଉଥିଲେ ସେମାନେ।ମନମୁତାବକ ହୋଇଆସୁଥିଲା ସବୁ।
ସରକାରୀ ପ୍ରୋତ୍ସାହନ ମିଳୁଥିଲା ସମୟ ଅନୁସାରେ। କିଛି କିଛି ପିଲାଙ୍କୁ ନେଇ ଆରମ୍ଭ ହେଲା ଡକ୍ଟର ବସା ଆଣ୍ଟିଙ୍କ ଶିବିର।ଉତ୍ସାହିତ ହେଉଥିଲେ ଆମ ପିଲାଏ। ଆଖପାଖର ଗାଁ ଏଥର ମିଶିଲେ ଆମ ସହିତ। ବଡ ଆକାରରେ ଆରମ୍ଭ ହେଲାସବୁ।
ଗୋପାଳନ ଉପରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଲାଗିପଡିଲି। ବିଜ୍ଞାନ ସହିତ ଯୋଡିହୋଇ ଆଧୁନିକ ଶୈଳୀରେ ନିଜକୁ ଅପଡେଟ କରୁଥିଲି।କ୍ଷୀର, ଦହି,ଘିଅ,ରାବିଡି, ଛେନାସହ ଗୋବର ଖତ ଉପରେ ଗବେଷଣା ଜାରିରହିଲା। କେମିତି କଣ କଲେ ପାଣି ଧାରଣର କ୍ଷମତା ରଖିବ ଖତ, ପାଣି ଅପଚୟ ହେବନି କି ଗଛର କ୍ଷତି ହେବନି, ଏହାରି ଉପରେ କାମ ଆଗେଇଲା।ଜୈବିକ ସାର ପ୍ରୟୋଗ କରି ଚାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ କ୍ଷୁଦ୍ର ଚେଷ୍ଟା ଥିଲା …. ।
ଗୁଣବତ୍ତା ଉପରେ ଦୃଷ୍ଟି ଦେଇ କାମକୁ ଆଗେଇ ନେଉଥିଲି।ଅକ୍ଳାନ୍ତ ପରିଶ୍ରମ କେତେବେଳେ ଆଗେଇ ନେଉଥିଲା ତ କେତେବେଳେ ସ୍ଥିର ରଖୁଥିଲା।ପୁଣି କେତେବେଳେ ପଛକୁ ଭିଡୁଥିଲା। ଧିରେ ଧିରେ ଆମର ନିଷ୍ଠା, ଧୈର୍ଯ୍ୟ, ଫଳରେ ଲୋକପ୍ରିୟତା ହାସଲ ହେଉଥିଲା ଯଦିଓ ପରିଶ୍ରମ ତୁଳନାରେ ସେସବୁ ନଗଣ୍ୟ ଥିଲା।ନିଜକୁ ବୁଝେଇ ପରିସ୍ଥିତି ସହ ଖାପଖୁଆଇ ଚାଲୁଥିଲି ସମସ୍ତଙ୍କୁନେଇ।
ବଜାର ଉପରେ ଯେତିକି ଦଖଲଥିଲା ସେତିକିରୁ ଜାଣୁଥିଲି ସଚ୍ଚୋଟତା ଓ ଉଚ୍ଚଗୁଣାତ୍ମକ ମାନ ଆମକୁ ଦୀର୍ଘଜୀବି କରାଇବ।ନିଶ୍ଚୟ ଆମ ଜିନିଷ ଲୋକଙ୍କୁ ଭଲ ଲାଗିବ।ନାକ ଟେକୁଥିବା ଝିଅକୁ ଦିନେ ଆଦର ମିଳିବ।ଅନନ୍ତ ଅପେକ୍ଷାର ସମୟ …।ମାଆ ଓ ବାପା ଆସନ୍ତେନି ଟିକିଏ ଏ ସମୟରେ।ତାଙ୍କ ଏକବାଗିଆ ଝିଅ ଅଣଚାଷ ବୁହାଇ ଧାଉଁଥିବାବେଳେ ଆଦରରେ ଆଉଁସି ଦିଅନ୍ତେନି … ! ( କ୍ରମଶଃ )
Comments are closed.