ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୨
ମଣିଷ କାହିଁକି ପଢେ ଦର୍ଶନ ଶାସ୍ତ୍ର….ଜୀବନକୁ ଭଲପାଇବା ପାଇଁ ନା ବୀତସ୍ପୃହ ହେବାପାଇଁ ଯେ ! କାହିଁକି ବୁଝିପାରେ ମଣିଷର ମନକୁ …କାହିଁକି ବୁଝେଇପାରେ ନିଜକୁ। ଅଥଚ ଅନେକେ ବୁଝିପାରନ୍ତିନି ତା’କୁ।ତା’ନିଜର ବୋଲି କିଛି ନା କିଛି ଆବଶ୍ୟକତା ନାହିଁ କି…ଅଳ୍ପରେ ସନ୍ତୁଷ୍ଟ ରହେ ନା ପରିତୃପ୍ତମନ ସହ ସବୁବେଳେ ଯୁଦ୍ଧ…
ଜୀବନର ଅର୍ଥ କଣ? କେଉଁଠି ଥାଏ ଜୀବନ…କେମିତି ଥାଏ..। ଅନିଶ୍ଚିତ ଭବିଷ୍ୟତକୁ ନେଇ ଏତେ ଭାବନା କାହିଁକି …ହଜାରେ କାମର ଚାପ ନେଇ ଜୀଇଁବାର ମାନେ କ’ଣ ଯେ…।ମାଆ ସତରେ ଅବୁଝା ..କାହିଁକି …ହରେଇସାରିଲାଣି ସବୁ..ତଥାପି ବୁଝିପାରୁନି କି ବୁଝିବାକୁ ଚେଷ୍ଟା କରୁନି…।କେତେ ଆଉ ଅପେକ୍ଷା କରିବ ମଣିଷ ..କେତେ ଭରସା ରଖିବ।ଧୈର୍ଯ୍ୟ ଦୀପରେ ଆଉ ତେଲ ନାହିଁ …କ୍ଷଣିକରେ ସରିଯିବ …ଅନ୍ଧକାର …ମହାନ୍ଧକାରକୁ ନେଇ ଆଗାମୀ ସମୟ ସହ ….. ଯୁଝିବ ନା ହଜିବ …।
ବାପା ସହିପାରିଲେନି ବୋଲି ଚାଲିଗଲେ।ବ୍ୟକ୍ତ କରିବାକୁ ସମୟ ନଥିଲା। ନଥିଲାବି ଧ୍ରୁବକି ଉତ୍ତମଙ୍କ ଭଳି ହେବାକୁ … ।ଏକୁଟିଆ ତ ସେଇଦିନୁ। ମାଆ ତା’ ପୃଥିବୀରେ ଆଉ ମୁଁ ମୋ’ ଅକ୍ଷପଥରେ…ନିଃସଙ୍ଗ ପଦାତିକ …।
ବଦଳିବ ବଦଳିବ ବୋଲି କିଛି କାହିଁ ବଦଳୁନି ତ….। କିଛି ଚିରସ୍ଥାୟୀ ନୁହେଁ..ଭଙ୍ଗୁର ଜୀବନସହ ସାଲିସକରି ଚାଲିଥାଅ..।ତଥାପି ଗତିପଥରେ କେତେ ନା କେତେ ବାଧାବିଘ୍ନ , ସତେ…ଏତେ..।କିଏ ଟଙ୍କା ଖୋଜୁଚି ତ କିଏ ମଣିଷ …ଖୋଜୁଥିବା ଚିଜ ମିଳିବନିବୋଲି ଜାଣିଲେବି ଖୋଜିବା ଜାରି ରହୁଚି …।ଖୋଜ…ଖୋଜ…କର ଅପେକ୍ଷା …ତଥାପି ବଞ୍ଚିବାକୁ ହବ ଏସବୁ ସହିତ। ହସିବ ନା କାନ୍ଦିବ…ଅବୁଝାଙ୍କୁ ନେଇ।
ପଦ୍ମ ଫୁଟୁ କି ପାରିଜାତ …ଫୁଲତ ଫୁଟିବ।ଘେନିଲେ ଘେନ ଜୀବନକୁ ହସିହସି ନହେଲେବି ଦିନଯାଇ ରାତି ଆସିବ।ସମୟ ବଦଳୁଥିବ।ତାରିଖ ବଦଳୁଥିବ…ଆମେ ବଦଳିପାରୁନା କାହିଁକି…।କାହିଁକି ଏତେସବୁ କଥା ମୁଣ୍ଡରେ ପଶେ…ମନରୁ ଧୋଇଯାଆନ୍ତାନି ନିଶ୍ଚିହ୍ନ ମନ…ଆଃ ପରିଷ୍କାର ସତ୍ତା ..।
ମୋ’କଥା ସବୁଦିନେ ଏମିତି। ରଞ୍ଜୁର କିଏ ଅଛି ମନକୁ ବୁଝିବାକୁ …।ରୋକଠୋକ କଥା।କେହି ବୁଝନ୍ତିନି ଠିକ୍ ଭାବରେ କି ଭଲ ପାଆନ୍ତି ନି ନିଜର ଭାବି।ମୁଁ କଣ ଫୋଟକା ନା ବମ୍।ଏତେ ଡର ମୋତେ…ମୋ’ କଥାକୁ…ଏତେ ପେଞ୍ଚରେ ଥାଏ କିଏ…।ଦୁର୍ବଳିଆମାନେ ଗଳାବାଟ ଖୋଜନ୍ତି …।
ଆଧ୍ୟାତ୍ମିକ ଚିନ୍ତାଚେତନା ଆମକୁ ଯେଉଁଭଳି ସମୃଦ୍ଧ କରେ,ତାହାହିଁ ଜୀବନର ଲକ୍ଷ୍ୟ ଭଳି କାହିଁକି ଅନୁଭୂତ ହୁଏ।ନିରାନନ୍ଦର ଶୁଖିଲା ବାଲିରେ ଚିର ଆନନ୍ଦର ଧାରା ସଂଜୀବିତ କରାଏ…ନିତ୍ୟ ବର୍ଷାର ଧାରା ଖେଳେ….।ଚାତକଟିଏ ହୋଇଗଲେ ହେବ।ସେଇ ଅମୃତ ଏକାନ୍ତ କାମ୍ୟ। ଆସୁ ଯିଏ ଆସୁଚି ମୋ’ ସହିତ, ନହେଲେ ବି ଏକଲା ଚାଲିବି।କେବେ ସମତଳ, କଙ୍କରିଳକେବେ ଏ ଜୀବନର ରାସ୍ତା ….ସବୁ ଜାଣି କରତି ଦେଉଚ ଫାଳଫାଳକରି।ସହିଯାଉଚି ନିର୍ବିକାରରେ ବୋଲି, କେବେ ଜଣେ କେହି ତ ସମଦୁଃଖୀ ….କି ନିଷ୍ଠୁର ଆଚରଣ ..। ପଚାର ନିଜକୁ।ଯାହା କରୁଚ ସବୁ ଠିକ୍ କରୁଚ ତ….ତର୍ଜମା କର ନିଜକୁ।ବହୁତ ହେଲା ,ଆଉ ନୁହେଁ। ଏବେ ଏକ ତ ଲଣ୍ଡନ ଯିବି ନହେଲେ ମୁଁ ଯାହା ତାହାହିଁ ରହିବି।ବହୁତ ଖେଳିଲ….ଆଉ ନୁହଁ …ନା ନୁହଁ।
ସମୟ ତୁ ରହିବୁନି ଜାଣିଚି…ତୁ ତୋ’ ନିଜରବି ନୁହଁ।କାହା ସହ ତୋର ସମ୍ପର୍କ ଥାଏ କି କେବେ, କିଏ ଏମିତି ଗଢିଚିଯେ …ମୁଁ ଏକୁଟିଆ ବୋଲି ଭାବି ଆଉ ପାଇବି କଣ ଯେ…। ଭାବୁକତା ନୁହେଁ ମ କାମରେ କରିଦେଖାଇବା ବେଳ ଏଇଟା।
ପିଲାମାନଙ୍କ ସହ କେତେ ସୁନ୍ଦର ମୋ’ କ୍ଲାସ ଚାଲେ।ବୁଝେଇପାରେ।ହସେଇପାରେ।ଭୁଲେଇପାରେ।ଅଥଚ ନିଜ ବେଳକୁ ଦରକାର ପଡେ ଡକ୍ଟର ବସାଙ୍କୁ ନହଲେ କ୍ବେଷ୍ଟର କ୍ଲବର ଯୋଗମାୟାଙ୍କୁ ।କାହିଁକି ମୁଁ ନିଜପାଖରେ ହାରିଯାଏ …ଶରଣ ନିଏ…ନା ଆଉ ନୁହେଁ ..ଆଉ ନୁହେଁ …ଆଜିଠାରୁ ନବଜନ୍ମ…। ( କ୍ରମଶଃ )
Comments are closed.