ଭୁବନେଶ୍ୱର: ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗ । ୩୮ ଜଣ ଚାକିରି ଆଶାୟୀଙ୍କଠାରୁ କୋଟିଏ ୪୭ ଲକ୍ଷ ଟଙ୍କାର ଠକେଇର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଏହି ଘଟଣାରେ ଦୁଇ ଜଣ ନକଲି ଅଫିସରଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବୈକୁଣ୍ଠନାଥ ନାଏକ ଓ ଭୀମସେନ ମହାରଣା । ଆଉ ଦୁଇ ଜଣ ଫେରାର୍ ଅଛନ୍ତି ।
୨୦୧୩ରେ ପୋଲିସ ସର୍ଭିସ ପରୀକ୍ଷାରେ ଚାକିରି କରାଇ ଦେବାକୁ କହି ଏମାନେ ୩୮ ଜଣ ଆଶାୟୀଙ୍କଠାରୁ କୋଟିଏ ୪୭ ଲକ୍ଷ ଟଙ୍କା ଠକେଇ କରିଥିଲେ । ଠକେଇର ଶିକାର ହୋଇଥିବା ଜଣେ ଆଶାୟୀ ବାଦଲ କୁମାର ରାଉଳଙ୍କ ଅଭିଯୋଗ ଆଧାରରେ ଦୁଇ ଅଭିଯୁକ୍ତଙ୍କ ହାତରେ ହାଡ଼କଡ଼ି ପିନ୍ଧାଇଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ।
ବୈକୁଣ୍ଠନାଥ ନାଏକ ନିଜକୁ ଗୃହ ବିଭାଗରେ ଆସିଷ୍ଟାଣ୍ଟ ସେକସନ୍ ଅଫିସର ଓ ଭୀମସେନ ମହାରଣା ନିଜକୁ ଗୃହ ବିଭାଗର ବରିଷ୍ଠ ଅଧିକାରୀର ପରିଚୟ ଦେଇଥିଲେ । ଅନ୍ୟ ଦୁଇ ଜଣ ସିନିଅର ଅଫିସରଙ୍କ ସହ ଯୋଗାଯୋଗରେ ଥିବା କହି ଚାକାରି ଆଶାୟୀଙ୍କ ବିଶ୍ୱାସ ଜିତିଥିଲେ ।
ଗୃହ ବିଭାଗରେ ଚାକିରି କରୁଥିବା ନେଇ ମିଛ ପରିଚୟ ପ୍ରମାଣପତ୍ର ବି ଦେଖାଇଥିଲେ ଅଭିଯୁକ୍ତ । ଜଣ ପିଛା ୫-୬ ଲକ୍ଷ ଟଙ୍କା ଦାବି କରିଥିଲେ । ୨୦୨୦ ମେ ମାସରୁ ନଭେମ୍ବର ମାସ ଭିତରେ ଅଭିଯୁକ୍ତ ବିଭିନ୍ନ ଚାକିରି ଆଶାୟୀଙ୍କ ପାଖରୁ ୧ କୋଟି ୪୭ ଲକ୍ଷ ଟଙ୍କା ହାତେଇଥିଲେ । ଆକାଉଣ୍ଟ ଓ କ୍ୟାସ ଆକାରରେ ନେଇଥିଲେ ଟଙ୍କା । ଭୀମସେନା ମହାରଣା ଉଚ୍ଚ ଶିକ୍ଷା ବିଭାଗରୁ ସିନିୟର ଗ୍ରେଡ୍ ରେକର୍ଡର ଭାବରେ ଅବସର ଗ୍ରହଣ କରିଛନ୍ତି ।
ରେଡ୍ ବେଳେ ବୈକୁଣ୍ଠନାଥ ନାଏକଙ୍କ ପାଖରୁ ବହୁ ନକଲି କାଗଜପତ୍ର ଜବତ ହୋଇଛି । ୧୨ଟି ଏଟିଏମ୍, ଫେକ୍ ଆଇଡି କାର୍ଡ ଜବତ କରିଛି କ୍ରାଇମବ୍ରାଞ୍ଚ । ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । ଫେରାର ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । କେହି ଏମାନଙ୍କ ଠକେଇର ଶିକାର ହୋଇଥିଲେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିବାକୁ କୁହାଯାଇଛି ।
Comments are closed.