Latest Odisha News

BREAKING NEWS

ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ ପ୍ରଧାନ

ଭୁବନେଶ୍ୱର: ୭ ମାସର ଲମ୍ବା ଚିକିତ୍ସା । ଡାକ୍ତରଙ୍କ ଆପ୍ରାଣ ଚେଷ୍ଟା । କୋଟି କୋଟି ଓଡ଼ିଆଙ୍କ ପ୍ରାର୍ଥନା । ତଥାପି ବଞ୍ଚିପାରିଲାନି ଜୀବନ । ମୃତ୍ୟୁ ସହ ସଂଗ୍ରାମ କରି ହାରିଗଲେ ଅମ୍ରିତ ପ୍ରଧାନ । କରୋନାରେ ସଂକ୍ରମିତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସାରେ ଥିବା ବ୍ରହ୍ମପୁର ବାସୁଦେବପୁର ଅଞ୍ଚଳ ଅମ୍ରିତ ପ୍ରଧାନଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱରରୁ ଏୟାରଲିଫ୍ଟ ପରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ।

କିଛି ଦିନ ତଳେ ଅମ୍ରିତଙ୍କ ଫୁସଫୁସ ପ୍ରତିରୋପଣ କରାଯାଇଥିଲା । ଇକମୋ ଚିକିତ୍ସାରେ ସମ୍ପୂର୍ଣ୍ଣ ସୁସ୍ଥ ନହେବାରୁ ଡାକ୍ତରଙ୍କ ପରାମର୍ଶରେ ତାଙ୍କର ଫୁସଫୁସ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଅମ୍ରିତଙ୍କୁ ହରାଇ ପରିବାରରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଭଉଣୀ କହିଛନ୍ତି, ଫୁସଫୁସ ସଞ୍ଚାଳନ କରୁଥିଲେ ବି ଶରୀରର ଅନ୍ୟ ଅଙ୍ଗ ଅକାମୀ ହେବାକୁ ଲାଗିଥିବା ଡାକ୍ତର କହିଥିଲେ । ଶେଷରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ଅମ୍ରିତ ।
କରୋନା ସଂକ୍ରମିତ ହୋଇଥିଲେ ଅମ୍ରିତ । ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା । ଇକମୋ ଚିକିତ୍ସା ପାଇଁ ତାଙ୍କୁ ନିଆଯାଇଥିଲା ଚେନ୍ନାଇ । ଜୁନ୍ ୩ ତାରିଖରେ ଅମ୍ରିତଙ୍କୁ ଚେନ୍ନାଇକୁ ଏୟାରଲିଫ୍ଟ କରାଯାଇଥିଲା । ଦୀର୍ଘଦିନ ଧରି ଚାଲିଥିଲା ଇକମୋ ଚିକିତ୍ସା । ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ତାଙ୍କର ଟ୍ରାକୋଷ୍ଟମି ଅସ୍ତ୍ରୋପଚାର ବି ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ସହ କଥାବାର୍ତ୍ତା ବି ଆରମ୍ଭ କରିଥିଲେ ଅମ୍ରିତ । କିନ୍ତୁ ଫୁସଫୁସରେ କୌଣସି ଉନ୍ନତି ଦେଖାଦେଇ ନଥିଲା ।

ଅମ୍ରିତଙ୍କ ଚିକିତ୍ସା ପାଇଁ ସାରା ଓଡ଼ିଶା ସହାୟତାର ହାତ ବଢ଼ାଇଥିଲା । ଏପରିକି ଦେଶ ବିଦେଶରୁ ବି ଲୋକ ଚିକିତ୍ସା ପାଇଁ ସହାୟତା କରିଥିଲେ । ତାଙ୍କ ଭଉଣୀ ଓ ସାଙ୍ଗସାଥି ମିଲାପ ଫଣ୍ଡ ରେଜର ଜରିଆରେ ଯୋଗାଡ଼ କରିଥିଲେ ଅର୍ଥ । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚାରିଆଡୁ ଅମ୍ରିତଙ୍କ ପାଇଁ ସହାୟତାର ସୁଅ ଛୁଟିଥିଲା । ଆଶୁ ଆରୋଗ୍ୟ ମନାସି ଥିଲେ ଓଡ଼ିଶାବାସୀ । ସବୁ ଚେଷ୍ଟା ଶେଷରେ ବେକାର ଯାଇଛି । ମୃତ୍ୟୁ ସହ ଲଢ଼ି ଜୀବନ ଯୁଦ୍ଧରେ ହାରିଗଲେ ଅମ୍ରିତ ।

Leave A Reply

Your email address will not be published.