Latest Odisha News

ବୌଦ୍ଧ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବୌଦ୍ଧ ଜିଲ୍ଲାରେ ସ୍ବାସ୍ଥ୍ୟସେବାରେ ବିପ୍ଲବ । ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୩ ଲକ୍ଷ ୭୨ ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୧୯ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ବୌଦ୍ଧ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଜିଲ୍ଲା ପାଇଁ ୪୮୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲାର ପ୍ରାକୃତିକ ପରିବେଶର ବହୁତ ପ୍ରଶଂସା କରିଥିଲେ । ବୌଦ୍ଧରେ ପର୍ଯ୍ୟଟନର ବିକାଶ ପାଇଁ ଥିବା ବିପୁଳ ସୁଯୋଗକୁ ଉପଯୋଗ କରାଯିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦ କୋଟି ଟଙ୍କାରେ ନନ୍ଦନ ବନ ସଫାରୀ କରାଯିବ । ଯାହାଦ୍ବାରା ଇକୋ-ଟୁରିଜିମ୍‌ର ବିକାଶ ସହିତ ଜିଲ୍ଲାର ୪୦୦ ପରିବାରକୁ ରୋଜଗାର ମିଳିବ । ସେହିପରି ୪ କୋଟି ଟଙ୍କାରେ ୩୭ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ବୋଲି ସେ କହିଥିଲେ ।

ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି । କାର୍ଡ ଖଣ୍ଡିଏ ଧରି ସେମାନେ ପୁରା ପରିବାର ପାଇଁ ସବୁଠାରୁ ଭଲ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏହା ବାସ୍ତବରେ ସେମାନଙ୍କୁ ସଶକ୍ତ କରିଛି । ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଉପକୃତ ହେବେ । ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, ବିଧାୟକ ପ୍ରଦୀପ କୁମାର ଅମାତ ଓ ବିଧାୟକ ମହିଧର ରଣା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.