ତପନ ମହାପାତ୍ରଙ୍କ ସ୍ମୃତିର ଫରୁଆରୁ….
ଯୋଜନା ଥିଲା ଗୋଟେ ବହି କରିବି । ଯେଉଁଥିରେ ଥିବ ଜନ୍ମ ବା ଜନ୍ମ ପୂର୍ବ କଥାଠାରୁ ଶହେ ବର୍ଷର ଜୀବନ । ଯାହା ବାସ୍ତବ ଜୀବନ ହେଉ ଅବା ସ୍ୱପ୍ନର ଜୀବନ ବା ଭାବନାର ଜୀବନ । ଥାଉ ଶୂନରୁ ଶହେର ଆକଳନ । ଏ କ୍ରମରେ ଲେଖିକାମାନଙ୍କୁ ଖୋଜି ସେମାନଙ୍କ ବୟସ ଅନୁସାରେ ଅନୁରୋଧ କଲି ଜୀବନର ଝାଳ ଝଲକ ଦେବାକୁ । ଯାହା ସାହିତ୍ୟ ଓ ଜୀବନ ଉଭୟ ଲାଗି ଆବଶ୍ୟକତା ରଖୁଥିବ । ମୋ ଯୋଜନା ବେଳକୁ ନବେ ବର୍ଷ ଲେଖିକାଙ୍କ ଖବର ପାଇଲିନି, ଯେଉଁମାନେ ଜୀବନୀ ଲେଖି ନଥିବେ । ଏ ଯୋଜନାରେ ସବୁଠାରୁ ବୟସ୍କା ପୂଣ୍ୟପ୍ରଭା ଦେବୀଙ୍କୁ ଯୋଗାଯୋଗ କଲି । ଯଦିବା ସୂଚନା ଦେଇଥିଲି ପ୍ରଖ୍ୟାତ ଲେଖିକା ବନଜ ଦେବୀଙ୍କ ମାଧ୍ୟମରେ । ଫୋନ ମାଧ୍ୟମରେ ଅନୁରୋଧ କଲି ପୁଣ୍ୟପ୍ରଭା ଦେବୀଙ୍କୁ
-କିଏ ?
-ମୁଁ ତପନ ମହାପାତ୍ର ।
-ଆପଣଙ୍କର ଯେଉଁ ଝିଅ ପାଇଁ ଗପ ‘ଆଇନା’ ପ୍ରତିକାରେ ବାହାରୁଥିଲା ଭାରି ବଢ଼ିଆ ଲାଗୁଥିଲା ସେତେବେଳେ I ତମେ ସେମିତି ଆଉ ଲେଖୁନ କି ?
-ନା ମାଉସୀ । ସେ ଧାରାରେ ଆଉ ଲେଖୁନି ।
-କାହିଁକି ?
– ଗୋଟେ ପରୀକ୍ଷାନିରୀକ୍ଷା କରି ଧାରାଟେ ଜଣାଇବାକୁ ଚାହୁଁଥିଲି । ଶିଶୁ ସାହିତ୍ୟକୁ ଗୋଟେ ଭିନ୍ନ ରୂପରେ ଦେଖାଇବା ଲାଗି । ଯାହାକୁ ପଢ଼ିଲେ ପିଲାଟିଏ ଯେମିତି ତା’ ନିଜକୁ ଦେଖି ପାରିବ । ବଣି, ପାରା, କାଉ, ଠେକୁଆ ପିଲାଙ୍କ ଲାଗି ସବୁ ଲେଖାଯାଉ ତାଙ୍କ ପାଇଁ ଆଉ ଏ କଥା ବି ଲେଖା ଯାଉ ତାଙ୍କ ସ୍କୁଲ ବ୍ୟାଗ, ବସ, ଟିଫିନ ବକ୍ସ, ସାଙ୍ଗ ସାଥି ମାନଙ୍କୁ ନେଇ । ଯାହାକୁ ପଢି ବସିଲେ ପିଲା ଖୁସି ହୋଇ ଯିବ । ଜଣେ କିଛି ଲେଖିବାର ଆଗ୍ରହ ଆସିବ । ସେ ଗପକୁ ନେଇ ” ଝିଅ ଠାରୁ ଉଧାର ଆଣି” ବହିଟିଏ କରିଛି I ବହିଟା ବି ସଂସ୍କୃତରେ ଅନୁବାଦ ହୋଇ ବେଶ ପାଠକୀୟତା ପାଉଛି । ତେଣୁ ଆଉ ଲେଖୁନି
– ସେଇଟା କ’ଣ କେବଳ ପିଲାଙ୍କ ପାଇଁ ତାହାତ ବଡ଼ ମଣିଷଙ୍କ ପାଇଁ ବି ବହୁତ ଭଲ ।
-ଆଜ୍ଞା, ଆଜ୍ଞା । ଏବେ ମୁଁ ଚାହୁଁଛି ଆପଣ କିଛି ଲେଖନ୍ତୁ । ନିଜ ଜୀବନୀକୁ ନେଇ ।
– ମୁଁ ତ କିଛି ଲେଖି ପାରୁନି । ଗପ କବିତା କିଛି ବି । ଖାଲି ଏକପଦୀ କବିତା ଯାହା ଫେସ୍ବୁକରେ ଦେଉଛି । ନୋହିଲେ ଆଉ କିଛି ଲେଖି ପାରୁନି । ସ୍ପଂଡିଲିଟସ ବି ବାହାରିଛି ବେକ ହଲାଇ ପାରୁନି । ପାଞ୍ଚ ବର୍ଷ ହେଲାଣି କାଗଜରେ କ’ଣ କମ୍ପୁଟରରେ ବି କବିତାଟିଏ ଲେଖି ପାରୁନି । ଶୋଇକରି ମୋବାଇଲରେ ଯାହା ଦି’ଧାଡ଼ି ଲେଖି ମନ ବୁଝାଉଛି ସିନା ଲେଖି ପାରୁନି ।
– ହଁ ଯେ ମାଉସୀ, ଆପଣ ସେମିତି ଅଳ୍ପ ଅଳ୍ପ ଲେଖି କିଛି ଦେଉନାହାନ୍ତି ଅଶିରୁ ନବେ ବର୍ଷକୁ ନେଇ ।
-ହା..ହା..ଅଶୀରୁ ନବେ ବର୍ଷ ? କେମିତି ଲେଖିବି ? ଏକପଦୀ ସିନା ଅଶି କି ନବେ ଶବ୍ଦରେ ଲେଖି ଦେଉଛି ଏ ବୟସକୁ କେମିତି ଲେଖିବି ? ବେଶୀ କେହି ବାଧ୍ୟ କଲେ ସେମିତି କବିତା ଦେଇଦେଉଛି କିନ୍ତୁ ଆଉ ଲେଖି ପାରୁନି ।
– ବନଜ ମାଉସୀ ପରା ମୋତେ କହିଲେ, ମୁଁ ବାଧ୍ୟ କଲେ ଆପଣ ଲେଖି ଦେବେ ।
-ହା..ହା….ତମ ବନଜ ମାଉସୀଠୁ ମୁଁ ତିନି ବର୍ଷ ବଡ଼ । ମୋତେ ବୟାଅଶୀ । ତେଣୁ ସେ କହିଲେ କ’ଣ ତମେ କହିଲେ କ’ଣ ? ମୁଁ ତ ପାରୁନି । ମୋ ପିଲାଙ୍କ ବହି ଦଶଟାକୁ ଏକାଠି କରି ପ୍ରକାଶକ ଜଣେ ମୋ ପାଖକୁ ପଠାଇଛନ୍ତି ଯେ ମୁଁ ଦେଖି ପାରୁନି, କରେକସନ କରି ପାରୁନି । ତିନି ଶହ ପୃଷ୍ଠା ଦେଇଛନ୍ତି ଆଉ ଦେଢ଼ ଶହ ପୃଷ୍ଠା ପୁଣି ଦେବେ । ଲେଖିବି କ’ଣ ? ଫ୍ଲାଟ ହୋଇ ଶୋଇଲେ ଆଖିକୁ ଦିଶୁନି । ବସି ଦେଖିଲେ ବେକ ବିନ୍ଧୁଛି । ଲେଖିବି କେମିତି ଯେ ? ଆଉ ପାରୁନି ।
-ଆପଣ କିଛି ଗୋଟେ ଲେଖନ୍ତୁ । ପିଲା ଦିନ କିମ୍ବା ଅଶୀରୁ ନବେ । ଯାହା ମନକୁ ଆସୁଛି । ଯେଉଁ କବିତା ଲେଖିଛନ୍ତି ପିଲାଙ୍କ ପାଇଁ ହେଉ କି ବୟସ୍କଙ୍କ ଲାଗି ସେଥିରୁ କିଛି ଖଞ୍ଜି କିଛି ବି ଗୋଟେ । ଆପଣ ଲେଖିବେନି ଲେଖିବେ କିଏ ? ଏବେ ତ ବୟାଅଶୀ ହେଲାଣି ଆଉ ଆଠ ଦଶ ବର୍ଷର ଭାବନା ନେଇ କିଛି ଯୋଡ଼ିବେ । ଲେଖି ହେବନି କାହିଁକି ?
-ନା’ ବାପା ଆଉ ଲେଖି ହେବନି I ତମେ ଏବେ କ’ଣ ଲେଖୁଛ କୋଉଥିରେ ଦେଉଛ କହ ।
– ବେଶୀ ଲେଖି ପାରୁନି । ଏବେ ଗୋଟେ ବହି କରିଛି “ପଦ୍ମଜ ପାଳଙ୍କ ସର୍ଜନ ଜୀବନୀ ” । କେବେ କେମିତି ଗପ ।
-ଯାହା ଲେଖିବା କଥା ଲେଖି ପକା ବାପା । ନୋହିଲେ ଆଉ ଲେଖି ପାରିବନି । ମୋ ବୟସ ପର୍ଯ୍ୟନ୍ତ ବଞ୍ଚିଲେ ବି ତେବେ ଲେଖିତ ପାରିବନି, ଭାବି ବି ପାରିବନି ।
– ପାରିବିନି କାହିଁକି ? କିନ୍ତୁ ମୁଁ ବଞ୍ଚିଲେ ତ ? ନୋହିଲେ ଆପଣଙ୍କୁ ଦେଖି ଆମେ ଉତ୍ସାହିତ ହେଉଛୁ । ଲେଖି ହେବନି କାହିଁକି ? ଆପଣ କୁହନ୍ତୁ ମାଉସୀ କୋଉ ବୟସ ଲେଖିବେ ? ସାତ ଆଠ ବର୍ଷ ପିଲାଙ୍କୁ ନେଇ କି ଏବେ ଯେଉଁ କବିତା ଲେଖୁଛନ୍ତି ସେଥିରୁ କିଛି ଦେଇ ଅଳ୍ପ କିଛି ବି ହେଉ ।
– ହଁ କବିତା କାହିଁ ? ମଉସା ଯେଉଁ ଚାଲିଗଲେ ତାଙ୍କୁ ନେଇ କିଛି କବିତା ଲେଖିଛି ।
-ସେ କବିତାକୁ ନେଇ କିଛି ଲେଖୁନାହାନ୍ତି ? ଏଥିରେ ଆପଣ ରହିବେନି ମୋତେ କ’ଣ ଭଲ ଲାଗିବ ? ଆମେ ତ ଚାହୁଁଛୁ ଆପଣ ଶହେ ବର୍ଷ ବଞ୍ଚନ୍ତୁ । ଆଉ ଲେଖନ୍ତୁ ।
– ହା….ହା…ଭଗବାନ ଭଗବାନ … ନବେ ବର୍ଷରେ ମଉସା ଚାଲିଗଲେ । ଅବଶ୍ୟ ଗଲାବେଳେ ତାଙ୍କୁ କିଛି କଷ୍ଟ ହୋଇନି । ହାର୍ଟ ଫେଲ ହୋଇଗଲା । ଚାଲିଗଲେ । କଷ୍ଟ କରି ବଂଚିବା ଅପେକ୍ଷା ଜଲଦି ଚାଲିଯିବା ଭଲ ।
-ଆପଣ ଯେମିତି କହୁଛନ୍ତି ସେମିତି ଲେଖୁ ନାହାନ୍ତି। ଆପଣ ଅଶୀରୁ ନବେ ଲେଖିଲେ ମନୋରମା ମହାପାତ୍ରଙ୍କୁ କହିବି ନବେରୁ ଶହେ ଲେଖିବାକୁ ।
– ସେ ଲେଖୁଛନ୍ତି ? ତେବେ ସବୁ ଲେଖିକାମାନେ ।
-ଆଜ୍ଞା ..ଆଜ୍ଞା….ମୁଁ ଚାହୁଁଛି ଶୂନରୁ ଶହେ । ନାରୀ ଜୀବନର ସମ୍ପୂର୍ଣ ଜୀବନୀ । ତାହା ବାସ୍ତବରେ ହେଉ ବା ଭାବନାରେ ହେଉ । ହଉ ମୁଁ ରଖୁଛି ମାଉସୀ …ଦି ଚାରି ଦିନ ପରେ ଫୋନ କରି ହଇରାଣ କରିବି ।
– ହଉ ହଉ …ମୁଁ ଯେଉଁଟା କରେକସନ କରୁଛି ସାରି ଦିଏ ।
-ହଁ ମାଉସୀ ସାରନ୍ତୁ । କିନ୍ତୁ ମୁଁ ଯେମିତି ନିରାଶ ହେବିନି ।
– ଦେଖାଯାଉ !
କିଛି ଦିନ ପରେ ଲେଖାଟି ପାଇଲି । ହାତ ଅକ୍ଷରରେ । ସେ ଲେଖିଛନ୍ତି ମୋ ସମ୍ପାଦିତ ବହି ” ଏନ୍ତୁଡ଼ିରୁ ଏପର୍ଯ୍ୟନ୍ତ” ରେ ଅଶୀ ବର୍ଷରୁ ନବେ ବର୍ଷର ଜୀବନ । ଆଜି ସେ ଜୀବିତ ନାହାନ୍ତି କିନ୍ତୁ ତାଙ୍କର ଭାବନା ଅବିକଳ ଏକ ସ୍ରୋତ ହୋଇ ବହି ଚାଲିବ । ସେ ଭାବନା ତାଙ୍କର ପଢ଼ି ପାରିବେ ଉକ୍ତ ବହିରୁ । ବାଲକୋନୀରେ ବସିଥିବା ବେଳେ ।
ଆଜି ବିଧି ନିର୍ଦ୍ଦେଶରେ ଏ କଥା ଲେଖି ବସିବା ବେଳେ ଲାଗୁଛି ସେ ଏବେ ବି ବସିଛନ୍ତି ବାଲକୋନୀରେ । ଚାହିଁଛନ୍ତି ଏକ ଦିବ୍ୟ ଦୃଷ୍ଟିରେ । ସେ ଦୃଷ୍ଟିରେ କେବଳ ସାହିତ୍ୟ ….ସାହିତ୍ୟ…ସାହିତ୍ୟ ।
ଶ୍ରୀ ବିହାର ଖୋର୍ଦ୍ଧା, ୭୫୨୦୫୫
ମୋ : ୭୦୭୭୧୯୪୯୮୬
Comments are closed.