ଦେବାଶିଷ ଦାଶ
କାଦୁଆ ନଈକୂଳ,
ଖସଡା ବାଟ,
ଯେତେ ସଳଖି ଚାଲିବାକୁ ଚେଷ୍ଟା କଲେ ବି
ଖସି ଯାଉଛି ପାଦ ।
ଥରେ ପଡିଗଲେ
ଏଇଠି ଅକାତକାତ ଜଳ,
ତା’ପରେ କେତେ ଛାଟୁଥିବି ଗୋଡ଼ହାତ
କେତେ କରୁଥିବି ଦୁର୍ବାର ପ୍ରୟାସ
ପୁଣି ଛୁଇଁବାକୁ ମାଟି ।
କେତେ ଦିନ ଆଉ ଚାଲିଥିବ
ଏଇ ଛାଇ ଆଲୁଅର ଖେଳ !
ଆରକୂଳରେ
ଯେଉଁଠି ଆକାଶ ଆଉଜି ପଡ଼ିଛି
ମାଟିର ବୁକୁରେ,
ଶୁଣିଛି, ସେଇଠି କୁଆଡ଼େ
ଘଞ୍ଚ ସବୁଜ ବନାନୀ
ଚିକମିକ୍ ଆଲୁଅ ।
ତା’ହେଲେ
ଉଠିବି କି ମୁଣ୍ଡିଆ ଉପରକୁ ?
ଆକ୍ତାମାକ୍ତା ଅଳିନ୍ଦ ଭିତରୁ
ପାଦରେ ଆଡ଼େଇ ଦେଇ ଯାବତୀୟ ଦ୍ବିଧା ।
ସାଉଁଟିବି ସାମର୍ଥ୍ଯ
ଜୁଟେଇବି ସାହସ
ମାରିବି କି ଲମ୍ଫ ମାରୁତୀଙ୍କ ପରି !
ଆରପଟେ ସେଇ ବନସ୍ତରେ
ମିଳିଯିବ କି ବିଶଲ୍ୟକରଣୀ,
ଜୀଇଁ ଯିବା ପାଇଁ ଅବଶିଷ୍ଟ ଆୟୁଷ ।
Comments are closed.