Latest Odisha News

BREAKING NEWS

୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକ କଲ୍ୟାଣ ମାର୍ଗ ଠାରେ ଆୟୋଜିତ ଏକ ଆଲୋଚନା ଅଧିବେଶନରେ ୨୦୨୦ ଏବଂ ୨୦୨୧ ବର୍ଷର ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସହିତ କଥା ହୋଇଛନ୍ତି । ଏହି ଆଲୋଚନା ଅଧିବେଶନ ନାରୀ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗ୍ରହଣ କରାଯାଉଥିବା ନିରନ୍ତର ପଦକ୍ଷେପର ଏକ ପରିଚାୟକ ଥିଲା।

ପୁରସ୍କାର ବିଜେତାମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେମାନେ ସମାଜ ସହିତ ରାଷ୍ଟ୍ର ନିର୍ମାଣ ପାଇଁ ମଧ୍ୟ ଯୋଗଦାନ ଦେଉଛନ୍ତି । ସେମାନଙ୍କ କାର୍ଯ୍ୟରେ ସେବା ଭାବନା ରହିଛି, ଏଥିସହିତ ସେମାନଙ୍କର କାର୍ଯ୍ୟଧାରାରେ ସୃଜନଶୀଳତାର ସ୍ପଷ୍ଟ ପରିପ୍ରକାଶ ଦେଖିବାକୁ ମିଳୁଛି । ସେ ଆହୁରି କହିଥିଲେ ଯେ, ବର୍ତ୍ତମାନ ଏପରି କୌଣସି ଗୋଟିଏ କ୍ଷେତ୍ର ନାହିଁ ଯେଉଁଠି ମହିଳାମାନେ ସେମାନଙ୍କର ଯୋଗଦାନ ଦେଇନାହାନ୍ତି ଏବଂ ଦେଶକୁ ଗୌରବାନ୍ୱିତ କରିନାହାନ୍ତି ।

ସେ ଆହୁରି କହିଥିଲେ ଯେ, ମହିଳାମାନଙ୍କ ମଧ୍ୟରେ ରହିଥିବା ସମ୍ଭାବନାକୁ ସାକାର ରୂପ ଦେବା ଲାଗି ସରକାର ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି । ସରକାର ଏପରି ନୀତି ପ୍ରଣୟନ କରୁଛନ୍ତି ଯାହା ମାଧ୍ୟମରେ ଏପରି ସମ୍ଭାବନାକୁ ଚିହ୍ନଟ କରାଯାଇପାରିବ । ପାରିବାରିକ ସ୍ତରରେ ସବୁ ମହିଳାମାନଙ୍କୁ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ସାମିଲ କରାଯିବା ଗୁରୁତ୍ୱପୂର୍ଣ୍ଣ, ଯାହାଫଳରେ ସେମାନଙ୍କର ଆର୍ଥିକ ସଶକ୍ତିକରଣ ସମ୍ଭବ ହୋଇପାରିବ।

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ‘ସବକା ପ୍ରୟାସ’ ଉପରେ ସରକାର ଜୋର ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, ଭୋକାଲ ଫର ଲୋକାଲ ଭଳି ସରକାରଙ୍କ ପ୍ରୟାସର ସଫଳତା, ମହିଳାମାନଙ୍କର ଯୋଗଦାନ ଉପରେ ନିର୍ଭରଶୀଳ । ଦେଶର ଶୀର୍ଷ ନେତୃତ୍ୱଙ୍କ ସହ କଥା ହେବା ଲାଗି ସେମାନଙ୍କୁ ଏକ ମଞ୍ଚ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପୁରସ୍କାର ବିଜେତାମାନେ ଧନ୍ୟବାଦ ଜଣାଇଥିଲେ ।

ବିଜେତାମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ସୁଯୋଗ ପାଇବା ଏବଂ ତାଙ୍କ ସହିତ କଥା ହେବା ଦ୍ୱାରା ସେମାନଙ୍କ ସ୍ୱପ୍ନ ସାକାର ହେବା ଭଳି ଅନୁଭବ ହେଉଛି । ସେମାନେ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରିଥିଲେ ଯାହା ସେମାନଙ୍କ ପ୍ରୟାସରେ ଖୁବ୍‌ ଅଧିକ ସହାୟକ ହୋଇଛି । ପୁରସ୍କାର ବିଜେତାମାନେ ବର୍ତ୍ତମାନ ସୁଦ୍ଧା ନିଜର ଯାତ୍ରା ଏବଂ ସେମାନଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ କଥା ହୋଇଥିଲେ । ସେମାନେ ନିଜ କାର୍ଯ୍ୟ କ୍ଷେତ୍ର ସମ୍ପର୍କରେ କେତେକ ପରାମର୍ଶ ଏବଂ ସୂଚନା ଦେଇଥିଲେ ।

Comments are closed.