Latest Odisha News

BREAKING NEWS

ଭାଷା ଭାଗବତ : ସ୍ବରୁଚି, ସ୍ବଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୩ 

ଭାଷାରେ ବହୁ ଶବ୍ଦ ଅଛି
ସ୍ବରୁଚି ଜାଣି ନେଉଁ ବାଛି
କେଉଁଟି ଶୁଦ୍ଧ କି ଅଶୁଦ୍ଧ
ବୁଝିବା ରୂପଗତ ଭେଦ

ଭାଷା ମାତ୍ରକେ ଆଂଚଳିକ
କଥା ମାତ୍ରକେ ସାମୟିକ
ସ୍ଥାନ ଓ କାଳ ଅନୁଯାୟୀ
କିଛି ବି ନୁହେ ଚିରସ୍ଥାୟୀ

ଯେ କହେ କିଂବା ଲେଖେ ଭିନ୍ନ
ତାହାକୁ କରିଦେଲେ ନ୍ୟୂନ
ବଢ଼େନି କାହାର ସମ୍ମାନ
ଏହା ଭାଷାର ବଡ଼ ଗୁଣ

ତୁ, ତୁମେ ସହିତ ଆପଣ
ଭାଷାର ଏହି ଶବ୍ଦମାନ
ସୂଚାଂତି ପାତର ଅଂତର
ନାହିଁ ଏହାର ପ୍ରତିକାର

‘ ଶୁଣ୍‌, ଶୁଣ,ଶୁଣଂତୁ ‘ ବିଭେଦ
ରକ୍ଷା କରିବା ନିରାପଦ
ଭାଷା ନ କରୁ ମାନହାନି
ଏ ସାମାଜିକ ଭେଦ ଜାଣି

ବୟସ, ଶିକ୍ଷା ବ୍ୟବଧାନ
ଥିଲେ ହେଁ ସଭିଏଁ ସମାନ
ଭାଷାକୁ କରଂତି ଆଦର
ତେଣୁ ବଢ଼ାଂତି ବ୍ୟବହାର

ସମାର୍ଥକ ଶବ୍ଦର ଘର
ସ୍ବଭାଷା ଅଟଇ ଆମର
ହୁଏନି କେବେ ଶବ୍ଦାଭାବ
ଯାହା କହିବା, ତାହା ହେବ

ଜଣ କହିଲେ ଗଣ ବୁଝେ
କିଏ ବା ଶବ୍ଦ ଋଣ ସୁଝେ
କରିଲେ ଶବ୍ଦ ବ୍ୟବହାର
ଉନ୍ନତି ହୁଏ ସ୍ବଭାଷାର

ଅଶୁଣା ଅଦେଖା ଭାଷାର
ସ୍ଥିତି ତ ମନରେ କାହାର
ରହିବା ଯେଣୁ ଅସଂଭବ
ନିଜ କର୍ତବ୍ୟ ନିଜେ ଭାବ

ନ କହି, ନ ଲେଖିଲେ କେହି
ଭାଷାଟେ ପାରେନାହିଁ ରହି
କେବଳ ଅତୀତର କୀର୍ତି
ସଂଭାଳେ ନାହଁ ପରିସ୍ଥିତି

ଚଳଂତା ଜୀବନର କଥା
ଅଟେ ପ୍ରକୃତ ଭାଷା ସତ୍ତା
ଭାଂଗିଲେ ନିଜ ନିରବତା
ଭାଷା ଉପରେ ବଢ଼େ ଆସ୍ଥା

ଅଂଶର ଅଧିକାରୀ ହୋଇ
ପୂର୍ଣର ଦାୟିତ୍ବ ମୁଂଡାଇ
ଯେ କହେ ବଡ଼ ବଡ଼ କଥା
ଶୁଣାଏ ମନ ଅସ୍ଥିରତା

ଭାଷାର ଶବ୍ଦ ସରୋବର
ଅଟଇ ସବୁ ଭାଷୀଂକର
ଯଦି କୌଣସି ଜଣେ ବ୍ୟକ୍ତି
ଦାବି କରେ ତା ପ୍ରତିପତ୍ତି

ସେ ହୁଏ ଉପେକ୍ଷାର ପାତ୍ର
ଅଚଷା ରଖେ ଭାଷାକ୍ଷେତ୍ର
ଦେଖେନି ଫିଟାଇ ତା ନେତ୍ର
ସ୍ବଭାଷା ଅତୀବ ବିଚିତ୍ର

ଏହି ବୈଚିତ୍ର୍ୟମୟ ଭାଷା
ଭାଷୀଂକଠାରୁ କରେ ଆଶା
ସଭିଏଁ କହି ଆଉ ଲେଖି
ରଖଂତୁ ମାନ ଧ୍ବଜା ଟେକି

ଭାଷାର ଏ ଅଳି ମାଗୁଣି
ଯିଏ ପାରୁନି ଏବେ ଶୁଣି
ସିଏ କିପରି ଗୁଣୀ ଜ୍ଞାନୀ
ଲୋକେ ଅଛଂତି ସବୁ ଜାଣି

 

Leave A Reply

Your email address will not be published.