ବାପା: ଦୁଇଟି ଗପ
ଜାକିର ଖାନ
– ଡର –
ପିଲାଦିନେ ଶନିବାର ଆସିଗଲା ମାତ୍ରେ ମୋତେ ଡରମାଡେ଼ । ଶନିବାର ଦିନ ବାପା ଗାଁକୁ ଆସନ୍ତି । ଚାକିରି ପାଇଁ ସେ ପ୍ରାୟ ବାହାରେ ରହନ୍ତି ଆଉ ଆମେ ଗାଁରେ । ଶନିବାର ହିଁ ତାଙ୍କ ଆସିବା ପାଳି । ବାପା ଖୁବ୍ ରାଗୀ । ତେଣୁ ଶନିବାର ଆସିଲେ ହିଁ ମୋତେ ଡରମାଡେ଼ । ବାପାଙ୍କ ପାଇଁ ଡର । ହେଇ ବାପା ଆସିଗଲେ କି? ବାପାଙ୍କ ଆସିବାର ଡର ।
ଏବେ ବାପା ପକ୍ଷାଘାତ ପାଇଁ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ । ପ୍ରାୟ କୋମା ଅବସ୍ଥାରେ । ବାପାଙ୍କର ଦିନକୁ ଦିନ କ୍ଷୀଣ ହେବାକୁ ଲାଗିଥିବା ରୂପକୁ ଦେଖିଲେ ଚାରିଆଡ଼ ଅନ୍ଧାର ଦେଖାଯାଏ । ଖାଁ ଖାଁ ଲାଗେ । ମୋର ବୟସ ଯଥେଷ୍ଟ ହୋଇଯାଇଥିବା ସତ୍ତ୍ୱେ କେମିତି ଏକା ଏକା, ଅସହାୟ ଲାଗେ ।
ଏବେ ମୋ ପିଛାରେ ଆଉ ଏକ ଡର ଲାଗିରହିଛି । – ଏଇ ଚାଲିଯିବେ କି? ଏଇ ଚାଲିଯିବେ…! ବାପାଙ୍କ ଚାଲିଯିବାର ଡର ।
ଡର ମୋ ପିଛା କେବେ ବି ଛାଡ଼ିଲାନି ।
ସେବେ ବାପାଙ୍କ ଆସିବାର ଡର । ଆଉ ଏବେ ବାପାଙ୍କ ଚାଲିଯିବାର ଡର ।
– ସମ୍ପର୍କ –
ପିଲାଦିନେ ବାପାଙ୍କ ଆଙ୍ଗୁଠି ଧରି ଧରି ଚାଲୁଥିଲି । ଏବେ ବି ସେ ଆଙ୍ଗୁଠି ଧରି ଚାଲିବା ମୋର ମନେ ଅଛି । ସମୟ ଆଗେଇ ଯାଉଥିଲା । ଆଉ ବାପାଙ୍କ ଆଙ୍ଗୁଠିରୁ ମୋ ପାପୁଲିର ଚାପ କ୍ରମେ ହୁଗୁଳିବାରେ ଲାଗିଲା । ଏମିତି କ୍ରମେ କ୍ରମେ ଦିନେ ମୋର ବାପାଙ୍କ ଆଙ୍ଗୁଠିଧରା ଛାଡ଼ିଗଲା । ମୁଁ ବଡ଼ ହେବାରେ ଲାଗିଲି । ଆଉ ବାପା କ୍ରମେ ବୁଢ଼ା ହେବାରେ ।
ଏମିତିରେ ଦିନେ ସେ ଶଯ୍ୟାଶାୟୀ ହୋଇପଡ଼ିଲେ । ମୋତେ ତାଙ୍କର ସେବା କରିବାକୁ ହେଉଥିଲା । ଯେବେ ବି ତାଙ୍କ ଦେହରେ ହାତ ବୁଲାଇଛି ସେ ମୋ ହାତ ଧରି ପକାଉଥିଲେ, ଆଉ କାନ୍ଦି ଉଠୁଥିଲେ । ମୋତେ ଲାଗୁଥିଲା ଏବେ ବାପା ଗୋଟେ ପିଲା ପାଲଟି ଯାଇଛନ୍ତି ଆଉ ମୋ ଆଙ୍ଗୁଠିଧରି ଜୀବନର ରାସ୍ତାରେ ଚାଲୁଛନ୍ତି । କ୍ରମେ କ୍ରମେ ସେ ଦୁର୍ବଳ ଆଉ ନିସ୍ତେଜ ହେବାରେ ଲାଗିଥିଲେ । ଏବେ ମୋ ଆଙ୍ଗୁଠି ଉପରୁ ତାଙ୍କ ପାପୁଲିର ଚାପ କ୍ରମେ ହୁଗୁଳିବାରେ ଲାଗିଛି । ଏବେ ବାପା ଆଉ ମୋ ହାତ ଧରି ପାରନ୍ତିନି ତ ମୋତେ ଲାଗେ ବାପାଙ୍କର ମୋ ହାତଧରା ଛାଡ଼ିଗଲାଣି ।
ସମସ୍ତେ କୁହନ୍ତି ଯେ ବାପା କ୍ଷୀଣରୁ କ୍ଷୀଣତର ହେବାରେ ଲାଗିଛନ୍ତି, କିନ୍ତୁ କାହାକୁ କେମିତି ବୁଝାଇବି ଯେ ସେ ତ ଦିନକୁ ଦିନ, କ୍ଷଣକୁ କ୍ଷଣ, ପ୍ରତିଟି ମୁହୂର୍ତ୍ତରେ ତାଙ୍କ କାୟା ବିସ୍ତାରିବାରେ ଲାଗିଛନ୍ତି ମୋ ଛାତି ତଳେ । ଆଉ ବେଳେବେଳେ ମୋର ଯୋଉଠି ଦୁକି ଉଠୁଛି ସେଠି ମୁଁ ଗୋଟାଏ ଛୋଟିଆ ଉଷୁମ ଚାପ ଅନୁଭବ କରୁଛି । ଆଉ ସେତେବେଳେ ମୋତେ ସବୁଆଡ଼ୁ ଖାଲି ଗୋଟାଏ ପ୍ରତିଧ୍ୱନି ଶୁଭୁଛି ।
ପ୍ରତିଧ୍ୱନି କହୁଛି ବାପା…ବାପା…ବାପା…!
Comments are closed.