ହାରଜିତ୍
ନବଜ୍ୟୋତି ରାୟ
ବାଜିଲାଣି ରଣ ଦୁନ୍ଦୁଭି ସଖୀ ଜାଣିନାହୁଁକି
ସତକହ ମହୋତ୍ସବରେ ତୋର ଭାଗ ନାହିଁକି ?
କି କହିବି ତୋତେ ସଖୀରେ ବଡ ଗହନ କଥା
ବୁଝି ପାରୁନି ମୁଁ କାହିଁକି ମୋର ଘୂରାଏ ମଥା
କେଡେ କଠିନ ଏ କରମ
ଜାଣି ପାରୁନାହିଁ ଯାହାକୁ ବାଛିବି
ସିଏ ଦକ୍ଷିଣ ନା ବାମ
ସବୁଠୁ ପୁରୁଣା କହି ଯିଏ ବଢେଇଛି ହାତ
ଚେତନା ତାହାର ହେଇଛି ପଥର
ଜଣାନାହିଁ କେବେ କେଉଁ ଭଗୀରଥ ଆସି
କରିବ ତାକୁ ଶାପମୁକ୍ତ !
ବିଶ୍ୱବିଦ୍ୟାଳୟ ଡିଗ୍ରୀ ସହ ସବୁବେଳେ
ବାମ ପଟେ ଚାଲୁଥିବା ଯାତ୍ରୀମାନେ
ଏବେ ଦୁଇ ଆଖି ବୁଜି ଚାଲୁଛନ୍ତି ବାଟ
ନିଆଁ ଥାଉ ନଥାଉ ଚାରିଆଡେ ଧୂଆଁ ଧୂଆଁ କହି
କରନ୍ତି ହଟଚମଟ !
ସବୁ ସମାନ, କେହି ଭିନ୍ନ ନୁହେଁ କହୁଥିବା
କ,ଖ,ଗ ମାନଙ୍କୁ ସବୁ ଦିଶେ ସମାନ
ଯେବେ କାଜୁଭଜା ସହ
ମିଳିଯାଏ କିଛି ପାନୀୟ ରଙ୍ଗୀନ
ଡାଉଁଆଙ୍କ କଥା କହନାଲୋ ସଖୀ
କିଏ କଣ ଖାଇବ, କେମିତି ରହିବ
କାହାକୁ ପୂଜିବ ଏସବୁ ଏମାନଙ୍କ ଦିନରାତି ଚିନ୍ତା
କହିଲୁ, ଏତେ ଅସହଣି କଣ ଠିକ୍ କଥା
ତହିଁରେ ପୁଣି ଏମାନଙ୍କ
ପୁଞ୍ଜିପତିଙ୍କ ସହ ଭାବ
କିଏ ଅବା କାହିଁକି ସହନ୍ତା !
ତଥାପି ଏ ମାଟିର ପାଣି ପବନ ଭୋଗିଛି
କେମିତି ଭୁଲିବି ନିଜର ଦାୟିତ୍ୱ
ସାନ, ତହିଁରୁ ସାନ, ସବୁଠୁ ସାନ
ବଡ, ସବୁଠାରୁ ବଡ଼ ପ୍ରସ୍ତାବିତମାନଙ୍କ ମଧ୍ୟରୁ
ବାଛିବି ଯୋଗ୍ୟ ନିୟାମକ
ସେଇଠି ମାରିବି ମୋହର
ନଚେତ୍ ରହିଯିବ ଅବସୋସ
ଦେଶଗଢଣରେ ଛୋଟ
ଭାଗିଦାରୀ ରହିଲାନି ମୋର
ଭାବୁଛୁକି ଭରମ ଏ ମୋ ମନର
ମୁଁ ଜାଣେଲୋ ସଖୀ
ଗଣତନ୍ତ୍ରର କୁଆଁରାବଠୁ ଏଯାଏ
ଏଠି ହାରିନାହାନ୍ତି କୌଣସି ଦଳ
ବା ନିୟାମକ
କେବଳ ହାରିଛି ଜନତା ଏ ଦେଶର !