Latest Odisha News

BREAKING NEWS

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା, ଏସପି ମାପିଚୁପି ବୟାନ ରଖୁଛନ୍ତି କି ?

ପୁରୀ: ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ପୁରୀ ଏସପି କନଓ୍ୱର ବିଶାଲ ସିଂଙ୍କ ବୟାନ ଏବେ ପ୍ରସଙ୍ଗକୁ ଜଟିଳ କରିଛି । ଏସପି କହିଛନ୍ତି, ଅଭିଯୁକ୍ତ ଜେ. ମହାପାତ୍ର ସ୍ୱୀକାର କରିଛନ୍ତି ତାଙ୍କ ଦୋଷ । ସେ ମନ୍ଦିର ବୁଲିବାକୁ ଆସିଥିଲେ, ଏହି ସମୟରେ ତାଙ୍କୁ ଭଲ ଲାଗିଲାନି ତେଣୁ ସେ ଚୁଲି ଭାଙ୍ଗିଦେଲେ । ଏସପି ପ୍ରତିକ୍ରିୟା ରଖିବା ବେଳେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ ଅଭିଯୁକ୍ତକୁ କଣ ଭଲ ଲାଗିଲାନି ? ଏସପି କିନ୍ତୁ ଏହି ପ୍ରଶ୍ନକୁ ଏଡାଇ ଦେଇଥିଲେ । ତଦନ୍ତ ଚାଲିଛି ସମ୍ପୂର୍ଣ୍ଣ ତଦନ୍ତ ପରେ ସବୁ ଜଣାପଡିବ ବୋଲି କହିଥିଲେ।

କାହିଁକି ଏସପିଙ୍କ ବୟାନ ପ୍ରସଙ୍ଗକୁ ଜଟିଳ କଲା?

ଏହା ଏକ ସାଧାରଣ କଥା ପୁଲିସ ଆଗରେ ଜଣେ ଭୁଲ ସ୍ୱୀକାର କରୁଛି ମାନେ ତଦନ୍ତ ଅଧିକାରୀ ନିଶ୍ଚୟ ପଚାରିଥିବେ କେଉଁଟା ଭଲ ଲାଗିଲାନି? ଯେଉଁଥିପାଇଁ ସେ  ଏପରି ଏକ କାଣ୍ଡ ଭିଆଇଲେ। କିନ୍ତୁ ଏସପି ଏହାର ଜବାବ ରଖିନାହାନ୍ତି।

ସେହିପରି ଅଭିଯୁକ୍ତ ଏତେ ରାତି ଯାଏ କେମିତି ଥିଲେ, ମନ୍ଦିର ଭିତରକୁ ଯିବାବେଳେ ଚେକିଂ ରହୁଥିବାରୁ ସେ କୌଣସି ଧାରୁଆ ଅସ୍ତ୍ର ନେଇପାରିବେ ନାହିଁ । କିନ୍ତୁ ଅଭିଯୁକ୍ତ ବିଳମ୍ବିତ ରାତି ଯାଏ କେମିତି ରହିଲା ଆଉ ପୁଲିସ ଦେଖିପାରିଲାନି କେମିତି? ସେହିପରି ରୋଷ ଘରେ ୪୦ରୁ ଅଧିକ ଚୁଲି କିପରି ଜଣେ ଭାଙ୍ଗିଲା ତାର ଉତ୍ତର ମଧ୍ୟ ଏସପି ସ୍ପଷ୍ଟ କରିନାହାନ୍ତି। କିନ୍ତୁ ଯିଏ ସତ ସ୍ୱୀକାର କରିଛି ସିଏ କେମିତି ଭାଙ୍ଗିଲା ନିଶ୍ଚିତ ଭାବେ କହିଥିବେ । ହେଲେ ଏସପି ଏହାର ଉତ୍ତର ମଧ୍ୟ ଦେଇ ନାହାନ୍ତି । କେବଳ ଗୋଟିଏ ଧାଡିରେ କହିଛନ୍ତି, ତଦନ୍ତ ଚାଲିଛି ।

ଏସପି କାହିଁକି ମାପିଚୁପି ବୟାନ ଦେଇପାରନ୍ତି?

ଏହି ଘଟଣାରେ ଜେଟିପିର କିଛି ପୁଲିସ କର୍ମଚାରୀ ନିଲମ୍ବିତ ହୋଇସାରିଛନ୍ତି। ଅଭିଯୁକ୍ତକୁ ଜେଟିପିର ଅଧିକାରୀ ମନ୍ଦିର ବାହାରେ ଛାଡିଥିବା ଖବର ରହିଛି । ତେଣୁ ଚୁଲି ଭାଙ୍ଗିବା ଘଟଣାରେ ଏବଂ ରାତିରେ ଅଭିଯୁକ୍ତ ମନ୍ଦିର ଭିତରେ ରହିବା ପଛରେ ଜେଟିପି ଅଧିକାରୀଙ୍କ ସହଯୋଗ ରହିଥାଇପାରେ ବୋଲି ସନ୍ଦେହ ଉପୁଜିଛି । ଆଉ ମନ୍ଦିର ପ୍ରଶାସନ ବଦନାମ ହୋଇଯିବା ଭୟରେ ଏସପି ମାପିଚୁପି ମନ୍ତବ୍ୟ ରଖୁଛନ୍ତି କି ?

ଅଭିଯୁକ୍ତ କେମିତି ଧରାପଡିଲା?

ଗତକାଲି ଅଭିଯୁକ୍ତ ଜେ. ମହାପାତ୍ରଙ୍କୁ ପୁରୀ ପୁଲିସ ଗିରଫ କରିଥିଲା। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ। ବୟସ ୩୦ ବର୍ଷ। ଅଭିଯୁକ୍ତ ଶ୍ରୀମନ୍ଦିରର ଚୁଲି ଭାଙ୍ଗିଥିବା କଥାକୁ ସ୍ୱୀକାର କରିଥିବା ଏସପି କହିଛନ୍ତି। ଆଜି କୋର୍ଟରେ ହାଜର କରିବା ପରେ ଆବଶ୍ୟକ ନିୟମ ଅନୁଯାୟୀ ଦଣ୍ଡବିଧାନ ହେବେ କରାଯିବ ବୋଲି ଏସପି କହିଛନ୍ତି।

ଏସପି କହିଛନ୍ତି ସିସିଟିଭି ଆଧାରରେ ସମ୍ପୃକ୍ତ ସନ୍ଦିଗ୍ଧ ଧରାପଡ଼ିଛନ୍ତି । ଅଭିଯୁକ୍ତ ଜଣଙ୍କ ମନ୍ଦିରରୁ ବାହାରି ଯିବା ପରେ ସମୁଦ୍ର କୂଳକୁ ଯାଇ ଗାଧୋଇଥିଲେ । ଏହାପରେ ରେଲଓ୍ୱେ ଷ୍ଟେସନ ଆସିଥିଲେ। ଏହିଠାରୁ ସେ ଟ୍ରେନ ଯୋଗେ ଜଟଣିରେ ଓହ୍ଲାଇଥିଲେ। ପୁଲିସ ଅଧିକାରୀ ଷ୍ଟେସନରେ ପହଞ୍ଚି ଯାଞ୍ଚ କରିଥିଲେ। ଏହି ସମୟରେ ସିସିଟିଭି ଫୁଟେଜକୁ ଦେଖାଇଥିଲେ। ଷ୍ଚେସନରେ ଉପସ୍ଥିତ ଥିବା ଜଣେ ଅଧିକାରୀ ଫଟୋ ଦେଖି ସ୍ପଷ୍ଚ କରିଥିଲେ ବ୍ୟକ୍ତି ଜଣଙ୍କ ଷ୍ଟେସନ ଆସିଥିଲେ। ଏହାପରେ ପୁଲିସ ପୁରୀରୁ ୧୦ଟି ଷ୍ଟେସନ ଉପରେ ତଦନ୍ତ ଆରମ୍ଭ କରିଥିଲା। ପରେ  ଅଭିଯୁକ୍ତକୁ ସ୍ଥାନୀୟ ପୁଲିସ ସାହାଯ୍ୟରେ ଜଟଣୀରୁ ଗିରଫ କରାଯାଇଛି ବୋଲି ଏସପି କହିଛନ୍ତି।  ତଦନ୍ତ ଚାଲିଥିବାରୁ ସମ୍ପୂର୍ଣ୍ଣ ପରିଚୟ ଗୋପନ ରଖାଯାଇଥିବା ପୁରୀ ଏସ୍‌ପି ସୂଚନା ଦେଇଛନ୍ତି ।

Comments are closed.