Latest Odisha News

ହକି ଇଣ୍ଡିଆର ମୁଖ୍ୟ ନରିନ୍ଦର ବାତ୍ରାଙ୍କ ବିରୋଧରେ ତଦନ୍ତ କରୁଛି ସିବିଆଇ, ଅଭିଯୋଗ କ’ଣ ?

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଏବଂ ହକି ଇଣ୍ଡିଆ (ଏଚ୍ଆଇ)ର କିଛି ଅଧିକାରୀଙ୍କ ବିରୋଧରେ ସିବିଆଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏହି ପୂର୍ବତନ ଏଚଆଇ ସଭାପତିଙ୍କ ବିରୋଧରେ ରହିଛି ଦୁର୍ନୀତି ଅଭିଯୋଗ । ବ୍ୟକ୍ତିଗତ ଲାଭ ପାଇଁ ନରିନ୍ଦର ଧ୍ରୁବ ବାତ୍ରା ହକି ଇଣ୍ଡିଆର ପ୍ରାୟ ୩୫ ଲକ୍ଷ ଟଙ୍କାର ଏକ ପାଣ୍ଠିକୁ ନିଜ ନାଁକୁ ଟ୍ରାନସଫର କରିଥିବା ଅଭିଯୋଗ ରହିଛି। ସିବିଆଇ ବାତ୍ରାଙ୍କୁ ଖୁବଶୀଘ୍ର ପଚରାଉଚରା କରିବାକୁ ଡାକିପାରେ ବୋଲି ସୂଚନା ରହିଛି ।

ଅଲିମ୍ପିଆନ୍ ତଥା ୧୯୭୫ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ଅସଲମ ଶେର୍ ଖାନ୍ କହିଛନ୍ତି, ବାତ୍ରା ଏଫ୍ଆଇଏଚ୍ ମୁଖ୍ୟ ହୋଇଥିବାରୁ ହକି ଇଣ୍ଡିଆର ପରିଚାଳନାରେ ତାଙ୍କର ସ୍ୱାର୍ଥକୁ ଦର୍ଶାଉଛି । ସେ ଏଫ୍ଆଇଏଚର ସଭାପତି ଅଛନ୍ତି ଏବଂ ଏହି ପଦବୀରେ ଥିବାରୁ ସେ କୌଣସି ଜାତୀୟ ମହାସଂଘର କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ।

୨୦୧୬ରେ ବାତ୍ରା ପ୍ରଥମ ଏସୀୟ ଭାବେ ଏଫଆଇଏଚ୍ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଗତବର୍ଷ ମେ’ ମାସରେ ବେଲଜିୟମ ହକି ମହାସଂଘର ମୁଖ୍ୟ ମାର୍ଚ କୁଡ୍ରୋନଙ୍କୁ ମାତ୍ର ଦୁଇଟି ଭୋଟରେ ହରାଇ ସେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିଲେ। ଆଇଓଏର ମୁଖ୍ୟ ଭାବେ ୨୦୨୪ ପର୍ଯ୍ୟନ୍ତ ତାଙ୍କର ଅବଧି ରହିଛି।

Comments are closed.