ଓଡ଼ିଶାରେ ଓର୍ ଖୋଳିବାକୁ ଓଏମଡିସିକୁ ସୁପ୍ରିମକୋର୍ଟ ଦେଲେ ଅନୁମତି, କହିଲେ ଅନ୍ତତଃ ସରକାରୀ ପାଣ୍ଠିକୁ ଆସିବ ରାଜସ୍ୱ
‘କମନ କଜ୍’ ନାମକ ଏକ ଏନଜିଓ ୨୦୧୪ ମସିହାରେ ଓଡ଼ିଶାରେ ହେଉଥିବା ଖଣି ଦୁର୍ନୀତିକୁ ବିଷୟ କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ପିଟିସନ ଦାଖଲ କରିଥିଲା ସରକାରୀ କମ୍ପାନୀ ଦେଇଛି ମାତ୍ରାଧିକ ଜରିମନା
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଓଡ଼ିଶା ମିନେରାଲସ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡକୁ (ଓଏମଡିସି) ଓର୍ ଉତୋଳନ କରିବାକୁ ଅନୁମତି ଦେଇଛନ୍ତି । ଓଏମଡିସି ଦ୍ୱାରା ଦାଖଲ ଏକ ଆବେଦନ ପତ୍ରକୁ ବିଚାରକୁ ନେଇ ଏହି ରାୟ ଶୁଣାଇଛନ୍ତି । ବେଲକୁଣ୍ଡି ଆଇରନ ଓର୍ ମାଇନ ଏବଂ ବଗେଇବୁରୁ ମାଇନ୍ସରୁ ଖଣିଜ ଉତୋଳନ କରିବାକୁ ଓଏମଡିସି ଏହି ଆବେଦନ ଦାଖଲ କରିଥିଲା ।
ମୁଖ୍ୟ ବିଚାରପତି ଜଷ୍ଟିସ ଏନଭି ରମଣା, ଜଷ୍ଟିସ କ୍ରିଷ୍ଣା ମୁରାରି ଏବଂ ଜଷ୍ଟିସ ହିମା କୋହଲିଙ୍କ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରୁଥିଲେ ।
‘କମନ କଜ୍’ ନାମକ ଏକ ଏନଜିଓ ୨୦୧୪ ମସିହାରେ ଓଡ଼ିଶାରେ ହେଉଥିବା ଖଣି ଦୁର୍ନୀତିକୁ ବିଷୟ କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ପିଟିସନ ଦାଖଲ କରିଥିଲା । ଜଙ୍ଗଲ ଓ ପରିବେଶ ନୀତି ଏବଂ ସ୍ଥାନୀୟ ଆଦିବାସୀ ଓ ଗ୍ରାମବାସୀଙ୍କ ଅଧିକାରକୁ ଅବମାନନା କରୁଥିବା ଅଭିଯୋଗରେ ଏହି ପିଟିସନ ଦାଖଲ ହୋଇଥିଲା ।
ଓଏମଡିସି ଖଣିଜ ଓର୍ ଉତୋଳନ ଅନୁମତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଯାହା ଉପରୋକ୍ତ ପିଟିସନର ପ୍ରତିକ୍ରିୟା ଅଂଶବିଶେଷ ।
ପିଟିସନରଙ୍କ ପକ୍ଷରୁ ମାମଲା ଲଢୁଥିଲେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ । ପ୍ରଶାନ୍ତ ଯୁକ୍ତି ରଖିଥିଲେ ଯେ, ଅନେକ କମ୍ପାନୀ ସଂପୃକ୍ତ ଖଣି ଅଞ୍ଚଳରୁ ଖାଦାନ ସକାଶେ ଆବେଦନ କରିଛନ୍ତି । କୋର୍ଟ ଏନେଇ ଏକ କେନ୍ଦ୍ରୀୟ କମିଟି ଗଠନ କରି ତାହା ଯାଞ୍ଚ କରନ୍ତୁ । ଗଚ୍ଛିତ ଖଣିଜ ଆଇନସିଦ୍ଧତା ଯାଞ୍ଚ କରିବାର ଆବଶ୍ୟକତା ଅଛି ବୋଲି କୋର୍ଟଙ୍କୁ କହିଥଲେ ପ୍ରଶାନ୍ତ ।
କୋର୍ଟ କହିଥିଲେ, ଆବେଦନ କରିଥିବା କମ୍ପାନୀ ଏକ ସରକାରୀ ଅଟେ । ଏହାର ଉତ୍ତରରେ ପ୍ରଶାନ୍ତ କହିଥିଲେ ଯେ, ସରକାରୀ କମ୍ପାନୀକୁ ମଧ୍ୟ ମାତ୍ରାଧିକ ଜରିମନା ଦେବାକୁ ପଡ଼ିଛି । ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ କହିଥିଲେ, ଯେଉଁଠି ଅନଧିକୃତ ଥିଲା । କେବଳ ସେଠାରେ ଜରିମନା ଦିଆଯାଇଛି ।
ପୁନଶ୍ଚ କୋର୍ଟ କହିଥିଲେ ଯେ, ଆମେ ଘରୋଇ କମ୍ପାନୀକୁ ଉତୋଳନ ପାଇଁ ଅନୁମତି ଦେଇଛୁ । ଏଠି ଆବେଦନ କରିଥିବା କମ୍ପାନୀ ହେଉଛି ସରକାରୀ । ଏଠି ଅନୁମତି ନ ଦେବା ଉଚିତ୍ ହେବନି । ସରକାରୀ କମ୍ପାନୀ ହୋଇଥିବାରୁ ସରକାରଙ୍କ ପାଣ୍ଠିକୁ ଅନ୍ତତଃ ରାଜସ୍ୱ ଆସିବ ବୋଲି କୋର୍ଟ କହିଥିଲେ । ପ୍ରଶାନ୍ତ କୋର୍ଟଙ୍କ ମତ ସହ ରାଜି ହୋଇଥିଲେ । ପରେ କୋର୍ଟ ଓଏମଡିସିକୁ ଓର୍ ଖୋଳିବା ପାଇଁ ଅନୁମତି ମିଳିଥିଲା ।