ସୁକାନ୍ତ ପଣ୍ଡା
ହିନ୍ଦୁ ଧର୍ମୀୟ ପରମ୍ପରାରେ ରଥଯାତ୍ରା ଏକ ଅନନ୍ୟ ଉତ୍ସବ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସାରା ବିଶ୍ବର ଏକ ପ୍ରମୁଖ ଲୋକପ୍ରିୟ ଧର୍ମୀୟ ଉତ୍ସବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମ ଦେଶର ଅନେକ ଭାଗରେ ବିଶେଷତଃ ଦକ୍ଷିଣାଞ୍ଚଳ ରାଜ୍ୟ ମାନଙ୍କର ଅନେକ ମନ୍ଦିର ମାନଙ୍କରେ ରଥଯାତ୍ରା ପରମ୍ପରା ରହିଛି ।
ଓଡ଼ିଶାରେ ଉଭୟ ବୈଷ୍ଣବ ଓ ଶୈବ ଧର୍ମର ପ୍ରାଧାନ୍ୟ ରହିଛି। ଅଶୋକାଷ୍ଟମୀ ରଥଯାତ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରେ ଏକ ପ୍ରମୁଖ ଉତ୍ସବ। ଅଶୋକାଷ୍ଟମୀ ରଥଯାତ୍ରା ଏକାମ୍ରକ୍ଷେତ୍ର ସହିତ ଖୋର୍ଦ୍ଧା ଜିଲ୍ଲା କପିଳେଶ୍ବରପୁରରେ ମଧ୍ୟ ଆଡମ୍ବର ସହକାରେ ପାଳନ କରାଯାଇଥାଏ।
ଚୈତ୍ର ଶୁକ୍ଲ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ସେ ଦିନ ବଲ୍ଲଭ ଧୂପ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ଚଳନ୍ତି ପ୍ରତିମା ଶ୍ରୀଚନ୍ଦ୍ରଶେଖର, ଶ୍ରୀଦୋଳଗୋବିନ୍ଦ ଓ ଦେବୀ ଭୁବନେଶ୍ବରୀ ମୁଖ୍ୟ ମନ୍ଦିରରେ ମହାପ୍ରଭୁଙ୍କ ଭେଟ ଆଳତୀ ପରେ ଆଜ୍ଞାମାଳ ନେଇ ପହଣ୍ଡି ବିଜେ କରନ୍ତି । ନାଟମଣ୍ଡପର ଦକ୍ଷିଣ ଦ୍ବାରଠାରେ ବିଭିଷଣ ଆଳତୀ ପରେ ବିଗ୍ରହ ତ୍ରୟ ଗୋଟିଏ ଥର ମନ୍ଦିର ପରିକ୍ରମା କରନ୍ତି । ବାଇଶ ପାହାଚରୁ ଓହ୍ଲାଇବା ପରେ ସିଦ୍ଧି ବିନାୟକ ସମ୍ମୁଖରେ ମହାପ୍ରଭୁଙ୍କ ପକ୍ଷରୁ ନଡ଼ିଆ ଭଙ୍ଗା ଯାଇଥାଏ । ଘଣ୍ଟା, ଘଣ୍ଟ, ବାଦ୍ୟ ଓ ନୃତ୍ୟର ତାଳେ ତାଳେ ପହଣ୍ଡି ବିଜେ କରି ରଥଖଳାରେ ପହଞ୍ଚିବା ପରେ ମହାପ୍ରଭୁ ତିନି ଥର ରଥ ପରିକ୍ରମା କରିଥାନ୍ତି । ତତ୍ପରେ ଚାରମାଳ ଆରୋହଣ କରି ରଥ ଉପରେ ପୁଣି ତିନି ଥର ପରିକ୍ରମା କରି ସିହାଂସନରେ ଉପବେଶନ କରନ୍ତି । ପରେ ପରେ ଠାକୁରମାନଙ୍କୁ ଫୁଲ ଟାହିଆ ଲାଗି କରାଯାଇଥାଏ ।
ପରେ ଚାରି ଚକ ପୂଜା, ଘୋଡା ପୂଜା, ଦିଗପାଳଙ୍କୁ ପୂଜା, ପରେ ରଥରେ ମହାପାତ୍ର ଉପାଧିଧାରୀ ବ୍ରାହ୍ମଣ ସେବାୟତମାନଙ୍କ ଦ୍ବାରା ଚନ୍ଦନ ଛେରା ପକାଯାଇଥାଏ । ଏଠାରେ କିନ୍ତୁ ପହଁରାର ବିଧି ନାହିଁ । ଯାତ୍ରା ସମୟରେ ଶଙ୍କରାଚାର୍ଯ୍ୟ ମଠ ଓ ଗୋପାଳବଲ୍ଲଭ ମଠ ପକ୍ଷରୁ ମହାପ୍ରଭୁଙ୍କ ପଂକ୍ତି ଭୋଗ ଅର୍ପଣ କରାଯାଇଥାଏ । ଲିଙ୍ଗରାଜ ମହାପ୍ରଭୁଙ୍କର ଏହି ଯାତ୍ରା ପଞ୍ଚଦିନାତ୍ମକ । ଚୈତ୍ର ଶୁକ୍ଲ ଦ୍ବାଦଶୀରେ ମହାପ୍ରଭୁ ବାହୁଡା ବିଜେ କରିଥାନ୍ତି ।
ପୌରାଣିକ ମତ ଅନୁଯାୟୀ ବ୍ରହ୍ମାଙ୍କ ବରରେ ବଳିଆନ ତ୍ରିପୁରାଶୁରର ଉତ୍ପାତରେ ସ୍ବର୍ଗ, ମର୍ତ୍ତ୍ୟ ଓ ପାତାଳ ଆତଙ୍କିତ ଅବସ୍ଥାରେ ଥିଲେ । ଦେବତାମାନଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ଭଗବାନ ଶଙ୍କର ତ୍ରିପୁରାଶୁରକୁ ବଧ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ । ରୁଦ୍ର ରୂପରେ ଦେବାତା ମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ରଥ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଲେ । ତଦନୁଯାୟୀ ଦେବତାମାନେ ପୃଥିବୀକୁ ରଥ, ବ୍ରହ୍ମାଙ୍କୁ ସାରଥୀ, ଚାରି ବେଦଙ୍କୁ ଅଶ୍ବ, ଦିଗପାଳଙ୍କୁ ଦ୍ବାରରକ୍ଷୀ, ସୂର୍ଯ୍ୟଚନ୍ଦ୍ରଙ୍କୁ ଚକ୍ର ଓ ବାସୁକୀ ନାଗଙ୍କୁ ଧନୁର ତୁଣୀର କରି ଏହି ଦିବ୍ୟ ରଥକୁ ଭଗବାନ ଶଙ୍କରଙ୍କୁ ଅର୍ପଣ କଲେ । କିନ୍ତୁ ଏ ରଥ ଭଗବାନ ଶଙ୍କରଙ୍କର ରୁଦ୍ର ତେଜକୁ ସହ୍ୟ କରି ନ ପାରି ରସାତଳଗାମୀ ହେଲା । ତତ୍ପରେ ଭଗବାନ ଶଙ୍କର ମହାମାୟାଙ୍କୁ ସ୍ମରଣ କଲେ ଓ ଅଦୃଶ୍ୟ ଭାବରେ ରଥକୁ ରକ୍ଷା କଲେ। ପରେ ଭଗବାନ ଶଙ୍କର ଏହି ଦିବ୍ୟ ରଥ ଆରୋହଣ କରି ତ୍ରିପୁରାଶୁରକୁ ବଧ କରି ସୃଷ୍ଟି ରକ୍ଷା କରିଥିଲେ । ଦେବତାମାନଙ୍କ ତେଜରେ ନିର୍ମିତ ରଥ ଦେବଦଳନ ରଥ ଭାବରେ ପ୍ରସିଦ୍ଧ । ମହାମାୟାଙ୍କ ଶକ୍ତିରେ ପରିପୂର୍ଣ୍ଣ ଏହି ରଥ ରୁକ୍ମ ରଥ ଭାବରେ ପରିଚିତ। ରୁକ୍ମ ଶଦ୍ଦର ଅର୍ଥ ହେଉଛି ସ୍ବର୍ଣ୍ଣ । ପରବର୍ତ୍ତୀ ସମୟରେ ଅପଭ୍ରଶଂ ହୋଇ ଏହା ରୁକୁଣା ରଥ ଭାବରେ ପରିଚିତ ।
ଏ ତ ଗଲା ରଥର ଉତ୍ପତ୍ତି କଥା, ଏବେ ଯାତ୍ରା ବିଷୟରେ ଆଲୋଚନା କରିବା ।
ତ୍ରେତୟା ଯୁଗରେ ଭଗବାନ ରାମଚନ୍ଦ୍ର ରାବଣକୁ ବଧ କରିବା ପରେ ବ୍ରହ୍ମ ହତ୍ୟା ଦୋଷରୁ ମୁକ୍ତି ପାଇଁ କୁଳଗୁରୁ ବଶିଷ୍ଟଙ୍କ ପରାମର୍ଶ କ୍ରମେ ଏକାମ୍ରକ୍ଷେତ୍ରକୁ ପରିବାର ସହ ଆସିଥିଲେ । ଏଠାରେ ରାମେଶ୍ବର ଲିଙ୍ଗ ପ୍ରତିଷ୍ଠା କରି ମହାପ୍ରଭୁଙ୍କ ପୂଜା ଆରାଧନା କରିଥିଲେ । ଶ୍ରୀରାମଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ରଥାରୁଢ ହୋଇ ରାମେଶ୍ବର କ୍ଷେତ୍ରକୁ ଆସିବା ପାଇଁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ପ୍ରତିଶୃତି ଦେଇଥିଲେ । ତଦତୁଯାୟୀ ଏହି ଯାତ୍ରା ପ୍ରତି ବର୍ଷ ଅନୁଷ୍ଠିତ ହୋଇ ଆସୁଅଛି । ରାମେଶ୍ବର ମନ୍ଦିରରେପାଞ୍ଚ ଦିନ ରହଣୀ ସମୟରେ ଜାତି ଧର୍ମ ନିର୍ବିଶେଷରେ ବିନା ପ୍ରତିବନ୍ଧକରେ ସମସ୍ତେ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି ।
ଏବେ ଆସିବା ରଥ ନିର୍ମାଣ :
ଶ୍ରୀ ପଞ୍ଚମୀ ଦିନ ଅଶୋକାଷ୍ଟମୀ ଯାତ୍ରା ନିମନ୍ତେ ରଥ ପ୍ରସ୍ତୁତି କାମ ଆରମ୍ଭ ହୋଇଥାଏ । ରଥ ନିମନ୍ତେ କାଠ ଦଶପଲ୍ଲା ଓ ନୟାଗଡ ଜଙ୍ଗଲରୁ ଆସିଥାଏ। ମାଘ ସପ୍ତମୀ ଦିନ ଟଙ୍କପାଣୀ ରୋଡସ୍ଥିତ ଭାସ୍କରେଶ୍ବର ମନ୍ଦିରକୁ ଯାତ୍ରା କରିଥାନ୍ତି । ସେହି ମନ୍ଦିରର ଆକାର ରଥ ପରି ଅଟେ ଏବଂ ସେହି ମନ୍ଦିରର ମାପ ଅନୁଯାୟୀ ରଥ ନିର୍ମାଣ କରାଯାଇଥାଏ । ରୁକୁଣା ରଥର ଉଚ୍ଚତା ୪୫ ଫୁଟ । ଚକର ଉଚ୍ଚତା ୮ ଫୁଟ । ଏହି ରଥର ୪ ଗୋଟି ଚକ ଥାଏ । ଅନ୍ୟ ରଥ ପରି ଏ ରଥର ଚକ ଶଗଡ ଚକ ରପି ନୁହେଁ । ଏହା ସମ୍ପୂର୍ଣ୍ଣ ନିଦା ଅଟେ । ଚକ ପାଇଁ ଆମ୍ବ କାଠ ବ୍ୟବହାର କରାଯାଇଥାଏ ଏବଂ ତେନ୍ତୁଳି କାଠରେ ଅଖ ତିଆରି କରାଯାଇଥାଏ । ଏତଦ୍ବ୍ୟତୀତ ରଥ ନିର୍ମାଣରେ କୁମ୍ଭି, ଶିମିଳି, ବେଲ, ମହି, ଶାଳ, କନଶି ଆଦି କାଠ ମଧ୍ୟ ବ୍ୟବହାର କରାଯାଇଥାଏ । ଅନ୍ୟ ରଥ ପରି ରୁକୁଣା ରଥରେ ବ୍ରେକ୍ ବ୍ୟବସ୍ଥା ନାହିଁ । ରଥର ଗତିକୁ ନିୟନ୍ତ୍ରଣ କରିବା ପାଇଁ ବେଲ କାଠରେ ନିର୍ମିତ ଖରଡା ବ୍ୟବହାର କରାଯାଇଥାଏ । ଏହା ଉପରେ ଜଡା ତେଲ ମାରି ଚିକ୍କଣ ରଖାଯାଇଥାଏ । ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଭୋଇ ସେବାୟତମାନେ ଖରଡାକୁ ବ୍ୟବହାର କରି ରଥକୁ ନିୟନ୍ତ୍ରଣ କରିବା ସହ ରଥର ମୋଡ ମଧ୍ୟ ପରିବର୍ତ୍ତନ କରିଥାନ୍ତି । ରଥ ନିମନ୍ତେ କତା ଦଉଡା, କତା ନିଗମ ତରଫରୁ ଯୋଗାଇ ଦିଆଯାଇଥାଏ ।
ଆଶୋକାଷ୍ଟମୀ ପୂର୍ବ ଦିନ ନେତ୍ର ଉତ୍ସବ ଅନୁଷ୍ଠିତ ହୋଇଥାଏ। କ୍ଷେତ୍ରବାସୀ ପୁରୋହିତ ବ୍ରାହ୍ମଣମାନଙ୍କ ଦ୍ବାରା ମରିଚି କୁଣ୍ଡ ଜଳରେ ରଥ ପ୍ରତିଷ୍ଠା କରାଯାଇଥାଏ। ପରେ ଗୋଟିଏ ମାଠିଆ ପାଣି ପୁଣି ଥରେ ମରିଚି କୁଣ୍ଡରେ ପକାଯାଇଥାଏ । ଏହି ପାଣିରେ ସ୍ନାନ କଲେ ବନ୍ଧ୍ୟା ନାରୀ ସନ୍ତାନବତୀ ହୋଇଥାନ୍ତି ବୋଲି ବିଶ୍ବାସ କରାଯାଇଥାଏ । ରଥ ପ୍ରତିଷ୍ଠା ପରେ ରଥର ପଛ ପଟେ ସିଡ଼ି ଲଗାଯାଏ ଏବଂ ସେହି ବାଟ ଦେଇ ପଞ୍ଚବକ୍ତ୍ର ଆସି ରଥ କାର୍ଯ୍ୟ ନିରୀକ୍ଷଣ କରି ପୁଣି ମନ୍ଦିରକୁ ଫେରିଯାଇଥାନ୍ତି ।
ରଥଯାତ୍ରା ଦିନ ମହାପ୍ରଭୁ ଉତ୍ତର ଦିଗକୁ ଯାତ୍ରା କରି ରାମେଶ୍ବର ମନ୍ଦିରରେ ପହଞ୍ଚିଥାନ୍ତି । ବାହୁଡା ଦିନ ଦକ୍ଷିଣାମୁଖୀ ହୋଇ ଯାତ୍ରା କରି ସ୍ବମନ୍ଦିରକୁ ଫେରିଥାନ୍ତି । ଫେରିବା ପହଣ୍ଡି ସମୟରେ ମଧ୍ୟ ବିଭିଷଣ ଆଳତୀ ନୀତି ଅନୁଷ୍ଠିତ ହୋଇଥାଏ । ବାହୁଡା଼ ଦିନ ବାଟରେ ବିଭିନ୍ନ ନିଯୋଗ ଓ ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ରଥରେ ଅଧର ପଣା ଲାଗି କରାଯାଇଥାଏ ।
ପୁରୀ ପରି ଏକାମ୍ରକ୍ଷେତ୍ରରେ ମଧ୍ୟ ରଥଯାତ୍ରା ସମୟରେ ଶିବପାର୍ବତୀଙ୍କ ମଧ୍ୟରେ ମାନ ଅଭିମାନର ପରମ୍ପରା ରହିଛି । ରଥଯାତ୍ରାର ତୃତୀୟ ଦିନ ଚୈତ୍ର ଶୁକ୍ଲ ଦଶମୀ ତିଥିର ସନ୍ଧ୍ୟା ଧୂପ ପରେ ଦେବୀ ପାର୍ବତୀ ପଟୁଆର ସହକାରେ ମହାପ୍ରଭୁଙ୍କୁ ଭେଟିବା ପାଇଁ ରାମେଶ୍ବର ମନ୍ଦିରକୁ ଯାଇଥାନ୍ତି । ସେଠାରେ ମନ୍ଦିର ବାହାରେ ଆଡପ ମଣ୍ଡପରେ ପାଲିଙ୍କିରେ ବସିଥିବା ଅବସ୍ଥାରେ ଉଭୟଙ୍କ ମଧ୍ୟରେ ପୂଜାପଣ୍ଡା ସେବାୟତଙ୍କ ଜରିଆରେ ବଚନିକା ହୁଏ ଏବଂ ମହାପ୍ରଭୁ ଶୀଘ୍ର ଫେରିବା ପାଇଁ ପ୍ରତିଶୃତି ଦିଅନ୍ତି । ଭେଟ ଆଳତୀ ପରେ ଫେରିବା ବାଟରେ ଦେବୀ ପାର୍ବତୀ ଅଭିମାନରେ ରଥକୁ ଭାଙ୍ଗି କ୍ଷିପ୍ର ଗତିରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ରୁକୁଣା ରଥ ଯେହେତୁ ଦକ୍ଷିଣ ମୋଡ କରାଯାଏ ନାହିଁ, ତେଣୁ ରୁକୁଣା ରଥ ଅଣଲେଉଟା ବୋଲି କୁହାଯାଏ । ଦେବୀ ପାର୍ବତୀ ଫେରିବା ପରେ ପରଦିନ ରଥର ଘୋଡା ଓ ସିଂହାସନ ପରିବର୍ତ୍ତନ କରାଯାଇ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି କରାଯାଏ ।
ବାହୁଡା ଦିନ ରଥ ବଢେଇବାଙ୍କର ଭାରତୀ ମଠ ନିକଟରେ ପହଞ୍ଚିବା ପରେ ଦେବୀ ପାର୍ବତୀ ପଟୁଆର ସହକାରେ ରଥ ନିକଟକୁ ଆସନ୍ତି । ଆଜ୍ଞାମାଳ ନେଇ ରଥ ପରିକ୍ରମା କରି ମନ୍ଦିରକୁ ଫେରିଯାଇ ମନ୍ଦିର ପାଚେରୀରେ ଉତ୍ତର-ପୂର୍ବ କୋଣରେ ଥିବା ଚାହାଣି ମଣ୍ଡପରେ ମହାପ୍ରଭୁଙ୍କ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି । ଅଧରପଣା ପରେ ମହାପ୍ରଭୁ ରଥରୁ ଅବତରଣ କରିବା ସମୟରେ ଦେବୀ ଚାହାଣୀ ମଣ୍ଡପରୁ ଯାଇ ମୁଖ୍ୟ ମନ୍ଦିରର ଗର୍ଭଗୃହକୁ ଭିତର ପଟୁ ରୁଦ୍ଧ କରିଦିଅନ୍ତି । ମହାପ୍ରଭୁ ପହଞ୍ଚିବା ପରେ ଦ୍ବାର ନିକଟରେ ଉଭୟ ପକ୍ଷରୁ ପୂଜାପଣ୍ଡା ସେବାୟତ ପକ୍ଷରୁ ବଚନିକା ହୁଏ ଏବଂ ଚନ୍ଦନ ଯାତ୍ରାରେ ଯିବାର ପ୍ରତିଶୃତି ଆଦାୟ ପରେ ଦେବୀ ଦ୍ବାର ଖୋଲନ୍ତି ଏବଂ ଭେଟ ଆଳତୀ ହୋଇ ମାନ ଅଭିମାନର ପରମ୍ପରା ଶେଷ ହୋଇଥାଏ ।
Comments are closed.