Latest Odisha News

BREAKING NEWS

ଦେଉଳ ଦେହରେ କ୍ଷୁଦ୍ର ଦେଉଳ (୧)

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”

ଶ୍ରୀବତ୍ସ ଖଣ୍ଡଶାଳ ଭାବେ ନାମିତ ଶ୍ରୀମନ୍ଦିରର ବିମାନ ଆପାଦମସ୍ତକ କାରୁକାର୍ଯ୍ୟମଣ୍ଡିତ ହୋଇ ଶୋଭା ପାଉଅଛି । କଳିଙ୍ଗ ଶୈଳୀର ଏହି ବିଶାଳ ସ୍ଥାପତ୍ୟରେ ଶିଳ୍ପୀମାନେ ପାରମ୍ପରିକ ଜ୍ଞାନ କୌଶଳ ଅବଲମ୍ବନରେ ଖଞ୍ଜି ଦେଇଛନ୍ତି କେତେ ପ୍ରକାର ନକ୍ସାର ଉପାଂଶ । କେଉଁଠି ଅତି ସୂକ୍ଷ୍ମ ତ ପୁଣି କେଉଁଠି ଦୁଇ ଉଦ୍‌ଗତ ପଗର ସନ୍ଧିସ୍ଥଳରେ ବୃହତ ଅବୟବ । ଆହୁରି ସ୍ଥାପତ୍ୟର ଉତ୍କର୍ଷ ମଧ୍ୟରେ ରହିଛି ଅନେକ ଅପେକ୍ଷାକୃତ କ୍ଷୁଦ୍ରାକାର ଦେଉଳ ସଦୃଶ ଅଙ୍ଗବିଶେଷ । ଏଗୁଡ଼ିକ ଦେଉଳ
ଦେହରେ ଅଳଙ୍କରଣକୁ ଆହୁରି ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ଶିଳ୍ପୀଙ୍କର ମାନସ ପ୍ରସୂତ ଶୈଳ୍ପିକ ପରାକାଷ୍ଠା ପ୍ରଦିପାଦିତ କରିଥାଏ ।

ଶାସ୍ତ୍ରୀୟ ବିଧି ଅନୁସାରେ ରେଖ ଦେଉଳର ଚତୁଃପାଶ୍ୱର୍ର ବାଡ଼ରେ ବିଭିନ୍ନ ଦେବଦେବୀଙ୍କ କ୍ଷୁଦ୍ର ବିଗ୍ରହ ସ୍ଥାନ ପାଇଥାଏ । ଶ୍ରୀଜଗନ୍ନାଥ ମନ୍ଦିର ବିମାନର ବାଡ଼ରେ ଦୁଇଟି ସ୍ତରରେ ଦଶ ଅବତାର ଓ ଅଷ୍ଟ ଦିଗପାଳଙ୍କ ସହିତ ଅନ୍ୟ ଦେବଦେବୀଙ୍କ ବିଗ୍ରହ ସ୍ଥାନୀତ । ଉକ୍ତ ବିଗ୍ରହମାନେ ବାଡ଼ର ପ୍ରତି ପାଶ୍ୱର୍ରେ ଅନୁରଥପଗ ଓ କନିକ ପଗରେ ଦୁଇ ମୂର୍ତ୍ତି ଲେଖାଁଏ ରହିଛନ୍ତି । ବାଡ଼ର ତଳ ବରଣ୍ଡ ଓ ଉପର ବରଣ୍ଡରେ ପର୍ଯ୍ୟାୟ କ୍ରମେ ଏହି ବିଗ୍ରହମାନଙ୍କ ଆସ୍ଥାନର ନକ୍ସା ମଧ୍ୟ ସ୍ୱତନ୍ତ୍ର । ତଳ ବରଣ୍ଡରେ ରହିଥିବା ଆସ୍ଥାନଗୁଡ଼ିକ ଖାଖରାମୁଣ୍ଡି ହୋଇଥିବା ବେଳେ ଉପର ବରଣ୍ଡର ଆସ୍ଥାନଗୁଡ଼ିକ ପୀଢ଼ମୁଣ୍ଡି ରୂପେ ପରିଚିତ । ଏହି ଆସ୍ଥାନ ବା ମୁଣ୍ଡିଗୁଡ଼ିକ ଗୋଟିଏ ଗୋଟିଏ କ୍ଷୁଦ୍ର ମନ୍ଦିରର ସାଦୃଶ୍ୟ ବହନ କରନ୍ତି ।

 

ମୁଣ୍ଡିଗୁଡ଼ିକର ମସ୍ତକଭାଗ ପୀଢ଼ ଶୈଳୀର ହୋଇଥିଲେ ‘ପୀଢ଼ମୁଣ୍ଡି’, ଖାଖରା ଶୈଳୀର ହୋଇଥିଲେ (ଖାଖରାମୁଣ୍ଡି) ତଥା ମସ୍ତକରେ ବଜ୍ରମସ୍ତକ ସଦୃଶ କୌଣସି ନକ୍ସା ଥିଲେ ତାହାକୁ ‘ବଜ୍ରମୁଣ୍ଡି’ କୁହାଯାଏ । ଏହା ବ୍ୟତିତ କେତେକ ମିଶ୍ରିତ ମୁଣ୍ଡି ମଧ୍ୟ ରହିଥିବାର ଦେଖାଯାଏ । ସାଧାରଣତଃ ଏହି ମୁଣ୍ଡିଗୁଡ଼ିକର ଗଠନ ତ୍ରିରଥ ଶୈଳୀର ହୋଇ ମନ୍ଦିରର ଅନ୍ୟ ସ୍ଥାପତ୍ୟ ସହିତ ସନ୍ତୁଳନ ରକ୍ଷା କରିଥାଏ । ମଧ୍ୟଭାଗର ଗଭୀରତା ପାଶ୍ୱର୍ଭାଗ ଅପେକ୍ଷା ଅଧିକ ହୋଇଥିବାରୁ ଆସୀନ ଦେବବିଗ୍ରହ ସ୍ଥାପନା ପାଇଁ ସୁଯୋଗ ସୃଷ୍ଟି ହୋଇଥାଏ । ଏହାର ପୀଠ ସମତଳ ଓ ଦୁଇପାଶ୍ୱର୍ର ବନ୍ଧନାରେ ଡାଳି ଲତା ଇତ୍ୟାଦି ଉତ୍କୀର୍ଣ୍ଣ ହୋଇଥାଏ ।

ଖାଖରାମୁଣ୍ଡି :- ଖାଖରାମୁଣ୍ଡିର ସ୍ଥାପତ୍ୟକୁ ଅନୁଶୀଳନ କଲାବେଳେ ଭୁବନେଶ୍ୱରସ୍ଥିତ ରଥଦାଣ୍ଡର ପାଶ୍ୱର୍ରେ ଥିବା ବୋଇତାଳ ମନ୍ଦିରର ନକ୍ସାକୁ ଦୃଷ୍ଟି ଦେବାକୁ ହୁଏ । ଏହି ମନ୍ଦିରର ଅନ୍ୟ ନାମ ଖାଖରା ଦେଉଳ ଅଟେ । ଏହାର ମସ୍ତକର ଶୈଳୀ ସ୍ୱତନ୍ତ୍ର । ଏଥିରେ ଅଳାଁ ବେଢ଼ା ରହିନଥାଏ ଓ ତା’ ସ୍ଥାନରେ ପୂର୍ବରୁ ପଶ୍ଚିମକୁ ଏକ ଅର୍ଦ୍ଧବୃତ୍ତାକର ନଳ ସଦୃଶ ଗଠନ ହୋଇ ତହିଁରେ ଅନ୍ୟ ଦୁଇ ପାଶ୍ୱର୍ ସାମାନ୍ୟ ତୀର୍ଯ୍ୟକ ଭାବେ କଟାଯାଇଥାଏ । ନିମ୍ନଭାଗ ଅନ୍ୟ ମୁଣ୍ଡିଗୁଡ଼ିକ ସହିତ ସାମଞ୍ଜସ୍ୟ ରକ୍ଷା କରିଥାଏ । ଶ୍ରୀମନ୍ଦିରରେ ବିମାନବାଡ଼ରେ ଥିବା ତଳ ବରଣ୍ଡରେ ରହିଥିବା ଖାଖରାମୁଣ୍ଡିର ଉଚ୍ଚତା ପ୍ରାୟ ୬ ଫୁଟ । ଏହାର ମସ୍ତକ ଉନ୍ନତ କାରୁକାର୍ଯ୍ୟମଣ୍ଡିତ । ମଧ୍ୟ ଭାଗରେ ଥିବା ଖୋପରେ ବିିଭିନ୍ନ ଦେବଦେବୀଙ୍କ ଆସ୍ଥାନ ରହିଛି । ଆହୁରି ଜଗମୋହନର ଉତ୍ତର ପାଶ୍ୱର୍ରେ ଥିବା ଭଣ୍ଡାର ଘରର ପୀଠର ବାହ୍ୟଭାଗ ଯାହା ପାଟ ଅଗଣାରେ ଦୃଶୀଭୂତ ହୁଏ ସେଥିରେ ଅନେକ ପ୍ରକାରର ଖାଖରାମୁଣ୍ଡି ଉତ୍କୀର୍ଣ୍ଣ ହୋଇଛି । ସେଠାରେ ଏବେ ଭକ୍ତମାନେ ଦୀପ ଜାଳିବା ପାଇଁ ବ୍ୟବସ୍ଥା କରାଯାଇଛି ।

 

ପୀଢ଼ମୁଣ୍ଡି :- ପୀତ ଦେଉଳ ସଦୃଶ ମସ୍ତକ ବିଶିଷ୍ଟ ଏହି ଶ୍ରୀମନ୍ଦିର ସ୍ଥାପତ୍ୟରେ ବହୁଳ ଭାବରେ ରହିଥିବାର ଦେଖାଯାଏ । ପ୍ରବେଶ ପଥର ଦୁଇ ପାଶ୍ୱର୍ରେ ଦ୍ୱାରପାଳଙ୍କ ଆସ୍ଥାନ ମଧ୍ୟ ଏହି ପୀଢ଼ମୁଣ୍ଡି ମଧ୍ୟରେ ରହିଥାଏ । ବିମାନର ବାଡ଼ରେ ଉପର ଜଙ୍ଘାରେ ରହିଥିବା ପୀତମୁଣ୍ଡି ସଂଖ୍ୟା ସମୁଦାୟ ଷୋହଳଗୋଟି, ଉଚ୍ଚତା ପ୍ରାୟ ଛଅଫୁଟ । ଉପର ଭାଗରେ ତିନିଗୋଟି ପୀଢ଼ ସହିତ ତଦୁର୍ଦ୍ଧରେ ଅର୍ଦ୍ଧଗୋଲାକାର ଅଳାଁ ରହିଅଛି । ତଳଜଙ୍ଘାରେ ଥିବା ଖାଖରାମୁଣ୍ଡି ସହିତ ଉଲମ୍ବ ଭାବରେ ଉପର ଜଙ୍ଘାରେ ଏହି ପୀଢ଼ମୁଣ୍ଡି ଗୁଡ଼ିକ ଶ୍ରୀମନ୍ଦିର ବାଡ଼ରେ ସଫଳ ଶୈଳ୍ପିକ ରୂପାୟନ ।

ବଜ୍ରମୁଣ୍ଡି :- ଶ୍ରୀମନ୍ଦିରର ପୀଠ ଓ ପାଭାଗର ଅନେକ ଅଂଶରେ ବଜ୍ରମୁଣ୍ଡିମାନ ଖୋଦିତ ହୋଇଥିବାର ମଧ୍ୟ ଦେଖାଯାଏ । ବିଶେଷ କରି ବିିଭିନ୍ନ ସ୍ଥାନରେ ଉଲମ୍ବ ଭାବରେ ଥିବା ବନ୍ଧନାର ନିମ୍ନଦେଶରେ ଏହି ବଜ୍ରମୁଣ୍ଡିମାନ ରହିଅଛି । ଏଗୁଡ଼ିକର ମସ୍ତକ ମନ୍ଦିରଗଣ୍ଡିର ରାହାପାଗରେ ଥିବା ବିଶାଳ ବଜ୍ରମସ୍ତକର କ୍ଷୁଦ୍ର ସଂସ୍କରଣ ବୋଲି ଜଣାଯାଏ । ଏହାର ଗଠନରେ ମଧ୍ୟଭାଗରେ ଏକ କୁମ୍ଭ ସଦୃଶ ବୃତ୍ତାକାର ନକ୍ସା ରହି ସେଥିରୁ ଦୁଇପାଶ୍ୱର୍ରେ ଡାଳିଲତା ଇତ୍ୟାଦି ଉଦ୍‌ଗତ ହୋଇ ନିମ୍ନକୁ ଝୁଲିଆସିଥାଏ ।

କ୍ରମଶଃ….

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Leave A Reply

Your email address will not be published.