Latest Odisha News

BREAKING NEWS

ଅନୁବାଦ ଗଳ୍ପ : ମାନବିକତାର ସିପାହୀ

୧୯୨୫ ମସିହାରେ ରାୱଲପିଣ୍ଡିଠାରେ ମହୀନ୍ଦର ସିଂହ ଶରନା ଜନ୍ମଗ୍ରହଣ କରିଥିଲେ । ଦେଶ ସ୍ୱାଧୀନତା ହାସଲ କରିବା ପରେ ତାଙ୍କ ପରିବାର ବେଶ୍‍ ବିପଜ୍ଜନକ ପରିସ୍ଥିତିରେ ଭାରତ ସ୍ଥାନାନ୍ତରୀତ ହୋଇଥିଲେ । ଏହା ପରେ ସେ ଭାରତୀୟ ଅଡିଟ୍‍ ଓ ଆକାଉଣ୍ଟସଁ ସେବାରେ ଯୋଗ ଦେଇଥିଲେ । ଗଳ୍ପ, କବିତା ନାଟକ ଓ ଉପନ୍ୟାସ ରଚନାରେ ସେ ସିଦ୍ଧହସ୍ତ ଥିଲେ । ‘ପୀରନ ମଲେ ରାହ’, ‘କଳିଙ୍ଗ’, ‘ନୀଲ ଗୁଲାବ’ ଓ ‘ଚମରଉର୍‍’ ତାଙ୍କ ଦ୍ୱାରା ରଚିତ କେତୋଟି ଚର୍ଚ୍ଚିତ ନାଟକ । ଦେଶ ବିଭାଜନ ଉପରେ ସେ ଅନେକ ହୃଦୟସ୍ପର୍ଶୀ ଗଳ୍ପ ରଚନା କରିଛନ୍ତି ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୦ 

ମୂଳ ପଞ୍ଜାବୀ: ମହୀନ୍ଦର ସିଂହ ସରାନା

ଆଜି ପୁଣି ଅଚାନକ ତୁମ କଥା ମନେପଡ଼ିଲା । ଯେତେବେଳେ ତୁମ କଥା ମନେପଡ଼େ, ଇମିତି ଅଚାନକ ମନ ବ୍ୟସ୍ତ ବିବ୍ରତ ହୋଇଯାଏ । ଆଉ ଏଇ ଅଚାନକ ମନେପଡ଼ିବାଟା ବି ଏବେ ନିତିଦିନିଆ ହୋଇଗଲାଣି । କି ଦୁର୍ଦ୍ଦିନ କି ସୁଦିନ, ମୋ ଜୀବନର ନିଦାଘ ଓ ବସନ୍ତ ଉଭୟ ମୁହୂର୍ତ୍ତରେ ତୁମେ ମୋ ସ୍ମୃତିକୁ ଆଚ୍ଛନ୍ନ କରିବସ । ଯେତେବେଳେ ମୋ ଜୀବନର ଗତି କେଉଁ ଏକ ଘାଟି ଅତିକ୍ରମ କରିବା ବେଳେ ଅତିଷ୍ଠ ହୋଇଉଠେ, ଯେତେବେଳେ ମୋ ଆଖି ସାମ୍ନାରେ ସୂର୍ଯ୍ୟମୁଖୀ ଫୁଲମାନ ନାଚିଉଠନ୍ତି, ଯେତେବେଳେ ମୋ ଛୋଟପୁଅ କେଉଁଠି ‘ତର୍କ ପ୍ରତିଯୋଗିତା’ରେ ଜିଣି ଘରକୁ ଫେରେ, ଯେତେବେଳେ ମୋ ଝିଅ କିଛି ଗୋଟିଏ ନୂଆ ଧରଣର ‘ଆଇକେବାନା’ ଡିଜାଇନ କରେ, ଯେତେବେଳେ ମୋ ପତ୍ନୀ ମୋ ସାମ୍‍ନାରେ ମନ ପସନ୍ଦର ମଟର ପଲାଉ ପ୍ଲେଟ୍‍ ଥୋଇ ଶାଢ଼ି କାନିରେ ହାତ ପୋଛେ ଓ ମୋ ଆଡ଼କୁ ଚାହିଁ ମୁରୁକି ହସେ, ତୁମ କଥା ମୋର ଭାରି ମନେପଡ଼େ । ତୁମରି କଥା ମୋ ମନ ଭିତରେ ଓ ବାହାରେ ଆସି ବାରମ୍ବାର ଧକ୍କା ଖାଏ ।

ଆଜି ବି ଠିକ୍‍ ସେଇଆ ହେଲା । ମୋ ଝିଅ ଘର ସାମ୍ନା ଲନରେ ବସି ଭାରି ମଜା ମଜା ହସକଥା ଶୁଣାଇ ଚାଲିଥାଏ । ମୋ ପତ୍ନୀ ଓ ପୁଅ ବି ଥାଆନ୍ତି । ଆମେ ସମସ୍ତେ ତା’ ହସକଥା ଶୁଣି ହସି ହସି ଫାଟି ପଡ଼ୁଥାଉ । ତା’ ପାଖରେ ସତେ କି ହସର ଗୋଟିଏ ଅସରନ୍ତି ପେଡ଼ି ଥିଲା! ଡାକ୍ତର, ଓକିଲ,ପତି-ପତ୍ନୀ, ଡ୍ରାଇଭର ଆଦି ସମସ୍ତଙ୍କ ବିଷୟରେ ହସକଥା । ଏତିକିବେଳେ ମୋ ଝିଅ ଡ୍ରାଇଭରକୁ ନେଇ ଗୁଲି ଆରମ୍ଭ କରି ଦେଇଥାଏ । ମୋ ପୁଅ ଓ ସ୍ତ୍ରୀ ସେ ଗୁଲି ଶୁଣିବାରେ ବ୍ୟସ୍ତ ଥାଆନ୍ତି । ଅଚାନକ ମୋ ଦି’ଆଖି ଲୁହ ଛଳଛଳ ହୋଇଗଲା । ମୁଁ ଲନ୍‍ରୁ ଉଠି ସିଧା ଚାଲିଲି ମୋ ବେଡ୍‍ରୁମ୍‍ ଆଡ଼େ । ପଛରେ ମୋ ଝିଅର ଆବାଜ ମୋ କାନରେ ପଡ଼ୁଥାଏ- ‘ମୁଁ ବାଜି ଲଗଉଚି, ବାପା ନିଶ୍ଚୟ କିଛି ଗପ ଲେଖିବା ଲାଗି ରୁମକୁ ଯାଉଛନ୍ତି ।’

ପ୍ରକୃତରେ ମୁଁ କିଛି ଗପ ଲେଖିବା ଲାଗି ଲନରୁ ଉଠି ଆସି ନଥିଲି । କିନ୍ତୁ ମୋ ଝିଅର କଥା ମୋ ଭିତରେ ତୁମରି କାହାଣୀର ବୀଜଟିକୁ ପୁଣି ପୋତିଦେଲା । ମୁଁ ଆଜି ତୁମରି କାହାଣୀଟି ଲେଖିଲେ କ୍ଷତି କ’ଣ? ଏଇ କାହାଣୀ ତ ତୁମରି ସ୍ମୃତିରେ ଗଲା ଚାଳିଶ ବର୍ଷ ହେଲା ମୋ ଭିତରେ ସଦା ସର୍ବଦା ଜୀଇଁରହିଚି ।

୧୯୪୭ ମସିହା ସେପ୍ଟେମ୍ବର ମାସର ସେଇ ବାଦଲଢଙ୍କା ଶୀତ ସକାଳର ସ୍ମୃତି ମୋ ମନ ଭିତରକୁ ହଠାତ୍‍ ପଶି ଆସିଲା । ସେତେବେଳେ ଆମେ ସବୁ ତୁମରି ଲରିରେ ବସିଥାଉ ଯାତ୍ରୀ ହୋଇ । ଆଉ ଡ୍ରାଇଭର ସିଟରେ ତୁମେ ବସି ଆଇନାରେ ନିଜ ମୁହଁ ଦେଖୁଥାଅ ଓ ଠେକା ଭିଡ଼ୁଥାଅ ।

ଲରି ବାହାରେ ବାଦଲଭରା ଆକାଶ ଓ ସକାଳର ଶୀତୁଆ ପବନ । ଲରି ଭିତରେ ଆମେମାନେ ଭୟରେ ଡରି ରହିଥିବା କେଇଟି ମଣିଷ । ସମସ୍ତେ ଆତଙ୍କିତ ହୋଇ ନିଜ ନିଜ ସିଟରେ ବସି ରହିଥାଉ ନୀରବରେ । କାହାରି ମୁହଁରୁ କଥା ପଦେ ସୁଦ୍ଧା ବାହାରୁ ନ ଥାଏ । ସମସ୍ତେ ଚାହିଁଥାଆନ୍ତି ବିସ୍ମୟରେ ତୁମରିଆଡ଼କୁ । ତୁମ ମୁହଁରେ ଗଠନ ମୋତେ ମନ୍ତ୍ରମୁଗ୍ଧ କରି ଦେଇଥାଏ । ତୁମର ନାକର ଗଠନରୁ ମୁଁ ତୁମ ଚେହେରାରେ ପଠାନୀ, ଆଫଗାନୀ ଓ ୟୁନାନୀର ସୌମ୍ୟ ଚେହେରାଟିଏ ହିଁ ଦେଖିବାକୁ ପାଉଥିଲି । ଏଇସବୁ ସୌନ୍ଦର୍ଯ୍ୟର ସମାହାର ତୁମ ମୁହଁରେ ଏଭଳି ସୁନ୍ଦର ଭାବେ ଘଟିଥିଲା ଯେ ମୁଁ ଏକାଲୟରେ ସତେକି ତାକୁ ପିଇ ଯାଉଥିଲି! ହଠାତ୍‍ କିଏ କହି ଉଠିଲା, ‘ଦେଖ୍‍, ଆଗରୁ ଯାଇଥିବା ଲରି କେମିତି ଫେରି ଆସିଛି ।’

ଆମେ ସଭିଏଁ ମୁହଁ ବୁଲେଇ ଚାହିଁଲୁ । ସତକୁ ସତ ଆମ ଲରିନ ଆଗରୁ ଯାଇଥିବା ଲରିଟି ଲେଉଟି ଆସିଛି । ସେଥିରେ ଥିବା ସବୁ ଯାତ୍ରୀଙ୍କ ପିଣ୍ଡରେ ପ୍ରାଣ ନ ଥିବା ଭଳି ଲାଗୁଥିଲା ।ମୁହଁରୁ କଥା ବି ବାହାରୁ ନ ଥାଏ । ଆଗ ଲରିର ମୁସଲମାନ ଡ୍ରାଇଭର ହାତ ହଲେଇ ସମସ୍ତଙ୍କୁ କହିବାକୁ ଲାଗିଥାଏ ରାଓଲପିଣ୍ଡିରୁ ଶ୍ରୀନଗର ଯାଇଥିବା ରାସ୍ତାରେ ଏବେ ଗଣ୍ଡଗୋଳକାରୀମାନେ ପହଞ୍ଚି ଲୁଟମାର୍‍ ଆରମ୍ଭ କରିଦେଲେଣି । ଘୋଡ଼ାଗଳି ପାଖରେ ସେମାନେ ତାଙ୍କ ଲରି ଉପରକୁ ଗୁଳି ଚଳେଇଥିଲେ ଓ ଗାଡ଼ିର ଟାୟାର ପମ୍ପଚର୍‍ କରିବା ଲାଗି ଉଦ୍ୟମ କରିଥିଲେ । ହେଲେ ସେ କେମିତି ସାହସ ନ ହରାଇ ଲରିକୁ ପଛୁଆ ଗିଅର ପକେଇ ପ୍ରାୟ ଛଅ ଫର୍ଲଙ୍ଗ ବାଟ ନେଇଆସି ଲୋକମାନଙ୍କ ଜୀବନ ବଞ୍ଚେଇଥିଲା, ଇତ୍ୟାଦି ଇତ୍ୟାଦି… ।

ହେଲେ ଆଗ ଲରିର ଯେଉଁ ଯାତ୍ରୀମାନେ ପ୍ରାଣ ବଞ୍ଚେଇ ଫେରି ଆସିଥିଲେ ବୋଲି ସେମାନେ ଯେ ଖୁସିଥିଲେ ତାହା ନୁହେଁ । କାହିଁକିନା ସେମାନଙ୍କୁ ଭଲଭାବେ ଜଣାଥିଲା ଯେ ମୃତ୍ୟୁ ମୁହଁରୁ ଫେରି ଆସିଥିଲେ ସୁଦ୍ଧା ମୃତ୍ୟୁ ସେମାନଙ୍କ ପାଇଁ ପଛରେ ଯେମିତି ଅପେକ୍ଷା କରି ବସିଥିଲା । ରାଓଲପିଣ୍ଡିରୁ ଖସି ହିନ୍ଦୁସ୍ତାନ ବା ପାଇଁ ଯେତେ ରାସ୍ତା ଥିଲା ଏବେ ସେସବୁ ବନ୍ଦ୍‍ । ଝେଲମ୍‍ ଆଉ ୱାଜିରାବାଦଠାରୁ ବାହାରି ହିନ୍ଦୁସ୍ତାନ ଯାଉଥିବା ଯାନବାହନଗୁଡ଼ିକ ଉପରେ ହାଣକାଟ ଓ ଲୁଟତରାଜ ଆରମ୍ଭ ହୋଇସାରିଥିଲା । ଗଲା ଦଶଦିନ ଭିତରେ କେଉଁ ଗୋଟିଏ ହେଲେ ଗାଡ଼ି ଲାହୋରରୁ ବାହାରି ଅମୃତସରରେ ଆକ୍ରମଣ ବିନା ପହଞ୍ଚି ନ ଥିଲା । ଆଉ ଏବେ ତ ଗାଡ଼ିସବୁ ଚାଲିବା ପୂରା ବନ୍ଦ୍‍ ହୋଇସାରିଥିଲା । ଶ୍ରୀନଗରକୁ ଯାଇଥିବା ପାହାଡ଼ିଆ ରାସ୍ତାରେ ସମ୍ଭବତଃ କିଛି ଗଣ୍ଡଗୋଳ ଘଟୁ ନ ଥାଇପାରେ ବୋଲି ଯେଉଁ ଶେଷ ଆଶା ଟିକକ ଥିଲା, ସେଦିନ ସକାଳେ ଖବର ମିଳିଥିଲା ଯେ ସେ ରାସ୍ତାସାରା ବି ଲୋକମାନେ ଲୁଟମାର୍‍ ଆରମ୍ଭ କରି ଦେଇଥିଲେ । ଶେଷ ଆଶା ବି ମଉଳିଗଲା । ସମସ୍ତେ

ଏବେ କିଂକର୍ତ୍ତବ୍ୟବିମୂଢ଼ ହୋଇ ବସି ରହିଥିଲେ । ୟା’ଭିତରେ ସହରରେ ବି ଦଙ୍ଗାଗୋଳ, ହାଣକାଟ, ଲୁଟମାର ଆରମ୍ଭ ହୋଇଯାଇଥିଲା । ଜଣ ଜଣ କରି ସମସ୍ତେ ମରିବେ । ଏବେ ହିନ୍ଦୁସ୍ତାନରେ ପହଞ୍ଚିବାର ଆଉ କୌଣସି ସମ୍ଭାବନା ଦେଖାଯାଉ ନଥିଲା । ଏତିକିବେଳେ ତୁମେ ଲରିର ଡ୍ରାଇଭର ସିଟ୍‍ରୁ ମୁହଁ ବୁଲେଇ ଥରେ ଆମ ସମସ୍ତଙ୍କ ଆଡ଼କୁ ଚାହିଁଲ । ସମସ୍ତଙ୍କ ମାନସିକ ଦୁର୍ଦଶାକୁ ବୁଝିଲ । ଆମମାନଙ୍କ ଆଖିରେ ଫୁଟି ଉଠୁଥିବା ନିରାଶାକୁ ଠିକ୍‍ଭାବେ ପଢ଼ିପାରିଲ । ମୁଁ ମୋ ସହଯାତ୍ରୀଙ୍କ ଆଡ଼େ ଓ ତୁମ ମୁହଁକୁ ମଝିରେ ମଝିରେ ଥରେ ଚାହିଁ ଦେଉଥାଏ । ହଠାତ୍‍ ତୁମ ଆଖିରେ ସତେକି ଆଶାର ପ୍ରଦୀପ ଦପ୍‍ ଦପ୍‍ ହୋଇ ଜଳିଉଠିଲା । ଆଉ ତୁମେ କହିଲ, ‘ମୁଁ ତୁମମାନଙ୍କୁ ନିରାପଦରେ ଶ୍ରୀନଗରରେ ପହଞ୍ଚାଇବି । କୁହ, ତୁମେସବୁ ଯିବାଲାଗି ପ୍ରସ୍ତୁତ ଅଛ ତ?’

ଜଣେ ମୁସଲମାନ ଡ୍ରାଇଭର ମୁହଁରୁ ଏଭଳି ସାହସର ବାଣୀ ଶୁଣି ଲରିରେ ବସିଥିବା ସବୁ ଶିଖ୍‍ ଓ ହିନ୍ଦୁ ଯାତ୍ରୀମାନଙ୍କ ମନ ଯେମିତି ମୁହୂର୍ତ୍ତକ ଭିତରେ ନିର୍ଭୀକତାରେ ଭରି ଉଠିଲା । ସେମାନେ ସମସ୍ତେ ଯିବାଲାଗି ପ୍ରସ୍ତୁତ ଥିଲେ । ସେମାନଙ୍କ ନିକଟରେ ଆଉ କୌଣସି ବିକଳ୍ପ ବି ନ ଥିଲା । ଆଗ ଲରିର ଡ୍ରାଇଭର ତୁମକୁ ବାରଣ କରି କହୁଥିଲା, ‘ହୁସେନ୍‍, ଯା’ନା । ନିଜ ଜୀବନକୁ ବାଜି ଲଗାନା’ । ଘରେ ତୋର ବୁଢ଼ୀମା’ ଓ ଅଭିଆଡ଼ୀ ଭଉଣୀ ଅଛନ୍ତି । ସେମାନଙ୍କ କଥା ଥରେ ଚିନ୍ତାକରି ଦେଖ୍‍ ।’ କିନ୍ତୁ ସେଦିନ ତୁମେ କାହାରି କଥା ଶୁଣି ନ ଥିଲ ଓ ଲରିର ଏକ୍ସିଲେଟର ଦବାଇଥିଲ । ଗାଡ଼ି ଚାଲିଥିଲା ଆଗକୁ, ହିନ୍ଦୁସ୍ତାନ ଅଭିମୁଖେ । ନୂର୍‍ପୁରା, କୋହିମରା, ନଥିଆଗଳି, ଘୋଡ଼ାଗଳିକୁ ପଛରେ ପକାଇ ଲରି ଦୌଡ଼ୁଥିଲା ଆଗକୁ । ସେପର୍ଯ୍ୟନ୍ତ କୌଣସି ଅଘଟଣ ଘଟି ନ ଥିଲା । ତଥାପି ଆମେ ସମସ୍ତେ ବସିଥାଉ ତଟସ୍ଥ ହୋଇ । କେତେବେଳେ ଯେ କିଛି ଘଟିବ, ସେକଥା କିଏ କହିବ?

ଘୋଡ଼ାଗଳିଠାରୁ କୋହାଲା ପଚିଶ ମାଇଲ ଦୂର । କୋହାଲାଠାରୁ ଝେଲମ୍‍ ନଈ ପାର ହେବାକୁ ପଡ଼ିବ । ସେଠାରେ ନଈ ଉପରେ ପୋଲ ତିଆରି କାମ ସରିଥିଲା । ପୋଲର ଏପଟ ପାକିସ୍ତାନ ଆଉ ସେପଟ କାଶ୍ମୀର । ଦେଶ ବିଭାଜନ ଘଟିବା ପରେ ଏବେ ନୂଆକରି ଏଇ ନଦୀ ସୀମାଟି ସୃଷ୍ଟି ହୋଇଛି । ପୋଲ ପାର ହୋଇ କାଶ୍ମୀର ରାଜ୍ୟରେ ପ୍ରବେଶ । ଘୋଡ଼ାଗଳିରୁ କୋହାଲା ପର୍ଯ୍ୟନ୍ତ ରାସ୍ତା ଖାଲି ପାହାଡ଼ିଆ ଆଉ ଗଡ଼ାଣିଆ । ସେତେବେଳେ ଆମ ଲରିର ସ୍ପିଡ୍‍ ବେଶ୍‍ ଅଧିକ ଥାଏ । ହେଲେ ଆମ ସମସ୍ତଙ୍କ ମନର ଅବସ୍ଥା ଯାହା ଥାଏ ତାହା କେବଳ ତୁମ ଛଡ଼ା ଆଉ କେହି ଜାଣିପାରି ନ ଥିଲେ । ଆମ ମନରେ କେବଳ ଗୋଟିଏ ପ୍ରଶ୍ନ ଉଠୁଥାଏ- ସତରେ କ’ଣ ଅସଇ ପୋଲ ପାରିହୋଇ ଆମେ ଭାରତରେ ପାଦ ଥାପି ଆଶ୍ୱସ୍ତିର ନିଃଶ୍ୱାସ ମାରିପାରିବୁ ନା ଏଇ ନିର୍ଦ୍ଦୟ ଆକାଶ ତଳେ ପାହାଡ଼ଘେରା ନିର୍ଜନ ରାସ୍ତାରେ ଲୁଟେରାମାନଙ୍କ ହାତରେ ପ୍ରାଣଦେଇ ଚିଲ ଶାଗୁଣାଙ୍କ ଖାଦ୍ୟ ହେବୁ? ଚଳନ୍ତା ଲରିରେ ସ୍ତବ୍ଧ ହୋଇ ବସି ସବୁ ଯାତ୍ରା ଏକା ଲୟରେ ଚାହିଁ ଥାଆନ୍ତି ରାସ୍ତାକଡ଼ର ମାଇଲ ଖୁଣ୍ଟଗୁଡ଼ିକୁ । ଗୋଟିକ ପରେ ଗୋଟିଏ ମାଇଲ ଖୁଣ୍ଟ ସୂଚାଇ ଦେଉଥାଏ ମାଇଲଟିଏ ଅତିକ୍ରମ ହେବାର ସୂଚନା ।

ଏବେ କୋହାଲା ଆଉ ମାତ୍ର ସତର ମାଇଲ ରହିଲା । ଆଉ ଥିଲା ଥିଲା, ଅଚାନକ ଆସିଲା ଗୁଳିଚାଳନାର ଆବାଜ ।

ଆମେମାନେ ତଟସ୍ଥ ହୋଇ ଚାହିଁ ଦେଖିଲୁ ତୁମ ବାମ ହାତ ବାହୁରୁ ଧାର ଧାର ଲହୁ ବୋହିବାରେ ଲାଗିଛି । ସେକଥା ମୋର ଏବେ ବି କାଲି ଭଳି ମନେପଡ଼ୁଛି । ମୋର ଠିକ୍‍ ପଛ ସିଟ୍‍ରେ ବସିଥାଏ ପ୍ରୀତମ୍‍ ସିଂହ ସୋଢ଼ୀ । ରାଓଲପିଣ୍ଡି ସିଂହସଭା ଦାତବ୍ୟ ଚିକିତ୍ସାଳୟର କମ୍ପାଉଣ୍ଡର । ସେ ହଠାତ୍‍ ତା’ସିଟରୁ ଉଠିଲା । ତୁମ ହାତର କ୍ଷତ ବେଶ୍‍ ଗଭୀର ଥିଲା । ତୁମ ବାହୁର କିଛି ମାଂସପେଶୀ ଭେଦି ଗୁଳିଟି କାଚଝର୍କା ଦେଇ ବାହାରି ଯାଇଥିଲା ଅନ୍ୟ ଦିଗରେ । ପ୍ରୀତମ୍‍ ସିଂହ ନିଜ ବ୍ୟାଗରୁ ପ୍ରାଥମିକ ଚିକିତ୍ସା ଉପକରଣ ବାହାର କରି ତୁମ ହାତରେ ପଟି ବାନ୍ଧିଦେଲା । ହେଲେ ପଟି ବାନ୍ଧିଲାବେଳେ ସୁଦ୍ଧା ତୁମ ହାତମୁଠା ଷ୍ଟିଅରିଂ ଉପରୁ ସାମାନ୍ୟ ବି କୋହଳ ହୋଇ ନ ଥିଲା । ହାତରୁ ବେଶ୍‍ ରକ୍ତ ବୋହିଥିଲା । କିନ୍ତୁ ସେଥିପାଇଁ ତୁମର ଯେମିତି ତିଳେହେଲେ ଶଙ୍କା ନ ଥିଲା । ତୁମ ନିର୍ଭୀକ ଆଖିର କଳା ଚମକ ଟିକିଏ ହେଲେ ମଳିନ ପଡ଼ି ନ ଥିଲା । ଯେପରିକି କର୍ତ୍ତବ୍ୟ ଓ ପ୍ରତିଜ୍ଞା ତୁମ ସାମ୍ନାରେ ଥିଲା ଏକମାତ୍ର ଲକ୍ଷ୍ୟ ।

କୋହାଲା ଆଉ ମାତ୍ର ଥିଲା ବାର ମାଇଲ୍‍ ଦୂର । ଏତିକିବେଳେ ପୁଣି ଆସିଲା ଗୁଳିର ଆବାଜ । ଆତଙ୍କିତ ହୋଇ ଆମେ ଚାରିଆଡ଼କୁ ଚାହିଁଲୁ । ଗାଡ଼ି ପଛରେ ପ୍ରାୟ କୋଡ଼ିଏ ଗଜ ଦୂରରେ ଚାରିଜଣ ଲୁଟେରା ରାଇଫଲ ଧରି ଯମଦୂତ ପରି ଠିଆ ହୋଇଥିଲେ । ସେମାନେ ଲରିର ଟାୟାରକୁ ଲକ୍ଷ୍ୟକରି ଗୁଳି ଚଳାଇ ଚାଲିଥାଆନ୍ତି । ‘ତୁମ ଭିତରୁ କାହାକୁ ଡ଼୍ରାଇଭିଂ ଆସେ? ତୁମେ ସଡ଼କ ଉପରେ ଦ୍ରୁତ ଗତିରେ ଗାଡ଼ି ଚଳାଉ ଚଳାଉ ପଚାରିଥିଲ । ‘ଯଦି କେହି ଜାଣିଥାଅ, ଆସ । ଏ ରାସ୍ତାରେ ଗାଡ଼ି ଚଳେଇବାକୁ ମୋର ଭରସା ପୂରୁନି । ଶୀଘ୍ର ଆସ । ଷ୍ଟିଅରିଂ ସମ୍ଭାଳ ।’

ତୁମେ ଚିତ୍କାର ଛାଡ଼ିଲ । ‘କୋହାଲା ପର୍ଯ୍ୟନ୍ତ ଗଡ଼ାଣିଆ ରାସ୍ତା । ବ୍ରେକ୍‍ ଉପରେ କେବଳ ପାଦ ରଖିଲେ ଗାଡ଼ି ଚାଲିବ । ତୁମକୁ ବାହେ ଗୁରୁଙ୍କ ରାଣ, ଏଠାରୁ କୋହାଲା ଭିତରେ କେଉଁଠି ହେଲେ ଗାଡ଼ି ଅଟକାଇବ ନାହିଁ ।’ତୁମେ କହି ଚାଲିଥିଲ । ଆଉ ତା’ପରେ ତୁମେ ଷ୍ଟିଅରିଂ ଛାଡ଼ି ସମଶେର୍‍ ସିଂହ ପାଖକୁ ଲାଗିଆସି କହିଥିଲ, ‘ସର୍ଦାରଜୀ, ତୁମ ପାଖରେ ଥିବା ତଲବାରଟି ମୋତେ ଦିଅ । କିଛି ବୁଝି ନ ପାରି ସୁଦ୍ଧା ସର୍ଦାର ସମଶେର୍‍ ସିଂହ ବିନା ଦ୍ୱିଧାରେ ତୁମ ହାତକୁ ତା’ର କୃପାଣଟିକୁ ବଢ଼େଇ ଦେଇଥିଲା । କୃପାଣଟିକୁ ସମଶେର ସିଂହ ହାତରୁ ଝିଙ୍କିନେଇ ତୁମେ ‘ଖୁଦା ହାଫିଜ୍‍’ କହି ଡ଼େଇଁ ପଡ଼ିଥିଲ ଚଳନ୍ତା ଲରି ଉପରୁ ରାସ୍ତାକଡ଼କୁ ।

ଆମେ ତଳକୁ ଝୁଙ୍କିପଡ଼ି ଚାହିଁଥିଲୁ ତୁମକୁ । ରାସ୍ତାକଡ଼ରେ କଣ୍ଟା ମିଶା ଲଟାଝଟା ଭିତରେ ତୁମେ ତଳକୁ ଖସି ପଡ଼ିଥିଲ । ହାତରେ ତୁମର ଚିକ୍‍ ଚିକ୍‍ କରୁଥିଲା ଉନ୍ମୁକ୍ତ କୃପାଣ । ଦିନେ ଏଇ କୃପାଣ ଗୁରୁ ଗୋବିନ୍ଦ ସିଂହ ଅର୍ପଣ କରିଥିଲେ ଖାଲ୍‍ସାମାନଙ୍କୁ, ନିରୀହ ଅସହାୟ ଲୋକମାନଙ୍କୁ ରକ୍ଷା କରିବା ପାଇଁ । ସେଦିନର ସେଇ କୃପାଣ ତୁମ ହାତରେ ବେଶ୍‍ ଶୋଭା ପାଉଥିଲା । କାହିଁକି ନା ସେଇ ତଲବାରଟି ଥିଲା ମାନବିକତାର ପ୍ରତୀକ, ଆଉ ତୁମେ ଥିଲ ତା’ର ରକ୍ଷାକାରୀ ସିପାହି । ଇତି ମଧ୍ୟରେ ଲୁଟେରାମାନେ ପୁଣି ତିନି ରାଉଣ୍ଡ ଗୁଳି ଫୁଟାଇଥିଲେ ଲରି ଟାୟାରକୁ ଲକ୍ଷ୍ୟକରି । ହେଲେ ତାହା ଲକ୍ଷ୍ୟଭେଦ କରିପାରି ନ ଥିଲା । ତା’ପରେ ଗୁଳିଚାଳନା ବନ୍ଦ୍‍ ହୋଇଯାଇଥିଲା । ଆମେ ସମସ୍ତେ ପଛକୁ ଫେରି ଚାହିଁ ଲକ୍ଷ୍ୟ କରିଥିଲୁ । ପଛରେ ତୁମର ସେ ଚକମକ କରୁଥିବା କୃପାଣ ଲୁଣ୍ଠନକାରୀମାନଙ୍କ ଭିତରେ ଆତଙ୍କ ଖେଳାଇ ଦେଇଥାଏ । ଲରି ଆମର ସେତେବେଳକୁ ବହୁତ ଦୂରକୁ ଚାଲି ଯାଇଥାଏ ।

ମୁଁ ଜାଣେନା, ସେଦିନ ତୁମର ଅବସ୍ଥା ଶେଷରେ କ’ଣ ହେଲା । ତୁମେ ଥିଲ ମାତ୍ର ଜଣେ; ଆଉ ସେମାନେ ଥିଲେ ଚାରିଜଣ । କିଏ ଜାଣେ, ରାସ୍ତାକଡ଼ ଲଟାବୁଦା ଭିତରେ ଆଉ କେତେଜଣ ଲୁଟେରା ଲୁଚି ରହି ନ ଥିବେ ବୋଲି! ସେମାନଙ୍କ ପାଖରେ ଆହୁରି କେତେ ମାରଣାସ୍ତ୍ର ନ ଥିବ! ହେଲେ ତୁମେ ଚଳନ୍ତା ଲରି ଉପରୁ ଡେଇଁପଡ଼ିବାବେଳେ ମୁଁ ମନେ ମନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲି- ହେ ପ୍ରଭୁ! ତୁମର ଏଇ ବୀର ସନ୍ତାନକୁ ରକ୍ଷା କରିବାରେ ସହାୟକ ହୁଅ । ମୋ ଭଳି ଜଣେ ଭୀରୁର ସବୁ ପରମାୟୁ ତୁମଠାରେ ଯୋଡ଼ି ହୋଇଯାଉ ।’ କେବଳ ଭଗବାନଙ୍କୁ ଜଣା, ସେଦିନ ମୋ ପ୍ରାର୍ଥନା ତାଙ୍କ ନିକଟରେପହଞ୍ଚି ଥିଲା କି ନାହିଁ । ସେମାନେ ତୁମକୁ ମାରି ପକାଇଥିଲେ ନା ତୁମେ ପ୍ରାଣ ବଞ୍ଚାଇ ପାରିଥିଲ । ତୁମ ମା’ କିପରି ଥିଲେ, ତୁମ ଭଉଣୀ କିପରି ଅବସ୍ଥାରେ ଥିଲା, ସେ ଖବର ମୁଁ ଆଜି ପର୍ଯ୍ୟନ୍ତ ଜାଣିପାରି ନାହିଁ । କିନ୍ତୁ ତୁମ ସ୍ମୃତି ବାରମ୍ବାର ମୋ ମନକୁ ଆନ୍ଦୋଳିତ କରି ଆସିଛି । ଏଇ ବିତେଇଥିବା ବର୍ଷମାନଙ୍କରେ ସୁଖବେଳେ, ଦୁଃଖବେଳେ, ସଦାବେଳେ ତୁମେ ମୋ ମନକୁ ଆଚ୍ଛନ୍ନ କରିଆସିଛ । କାରଣ, ମୋ ଜୀବନର ସୁଖଦୁଃଖ ସବୁ ତୁମରି ଦାନ, ସବୁକିଛି କେବଳ ତୁମରି ଦୟାର ଫଳ । ସେଥିଲାଗି ଯେବେ ବି ତୁମ କଥା ମନକୁ ଆସେ, ମୋ ଅଜାଣତରେ ମନ ଭିତରେ କେଉଁ ଏକ କୋଣରେ ତୁମ ଲାଗି ଭଗବାନଙ୍କ ପାଖରେ ପ୍ରାର୍ଥନାର ଦୀପଟିଏ ଜଳିଉଠେ । ଭଗବାନ ତୁମକୁ ଶତ ପରମାୟୁ ଦିଅନ୍ତୁ । ଜୀବନର ସବୁ ସୁଖ, ସବୁ ଶାନ୍ତି ତୁମକୁ ପ୍ରାପ୍ତ ହେଉ । ତୁମେ ଦୁନିଆର ଯେଉଁ କୋଣରେ ଥାଅ ନା କାହିଁକି, ତୁମ ନାମରେ ମୁଁ ମାନବିକତାକୁ ବିନମ୍ର ପ୍ରଣତି ଜଣାଉଛି ।

ଅନୁସୃଜନ: ସୁଭାଷ ଶତପଥୀ
ମୋ:୯୭୭୬୪୯୭୭୩୩ 

Leave A Reply

Your email address will not be published.