ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୪
କୁମାର ଚାଲିଯିବା ପରେ ଅନେକ ରାତି ଯାଏଁ ବୈଭବ ଏକୁଟିଆ ଅଫିସ୍ରେ ବସିରହିଲା । ଏତେ ହିୟୁଜ୍ ଏମାଉଣ୍ଟ ଟ୍ରାନ୍ସଫର୍ କରି ଆଲିଆ ଗାୟବ । ଯାହାବି ହେଇଛି, ଖୁବ୍ ଚତୁରତାର ସହ । ଏକାଉଣ୍ଟିଙ୍ଗ୍ ସେ ବୁଝୁଥିଲା ଯେତେବେଳେ, ଏ ସବୁ ଅତି ସହଜରେ କରିନେଇଛି । ବିଲ୍କୁଲ୍ ବିଶ୍ୱାସ ହେଉନି ।
ଏତେ ବଡ଼ ବିଶ୍ୱାସଘାତ! ପୁଣି ଆଲିଆ କରି ପାରେ! ଅବଶ୍ୟ ଧରା ପଡିସାରିଲାଣି । କିନ୍ତୁ କିଛି ଆକ୍ସନ ନେବା ଆଗରୁ ତା’ ସହ ଥରେ ମିଟ୍ କରିବା ଜରୁରୀ । କିଛି ଇମ୍ପୋଣ୍ଟାଣ୍ଡ ଡ଼କ୍ୟୁମେଡଣ୍ଟସ୍ ତା’ ପାଖରେ ରହିଯାଇଛି । କିଛି ମିସ୍ ୟୁଜ୍ କରିବା ଆଗରୁ ସେ ସବୁ ତା’ଠାରୁ ଫେରେଇ ଆଣିବାକୁ ପଡ଼ିବ ।
ସେ ନିଜ ଦିମାଗ୍ରେ ଜୋର୍ ଦେଲା । ସିଙ୍ଗାପୁରରେ ଥିବା ବେଳେ ଖୁବ୍ ବିଶ୍ୱାସଭାଜନ ହେଇ ସେ ତା’ର ପାସ୍ୱାଡ଼ ନେଇ ଲାପ୍ଟପ୍ରେ କାମ କରୁଥିଲା । ସେ ମଧ୍ୟ ଖୁବ୍ ଭରସାର ସହ ଦେଇଥିଲା । ଏମିତି ବି ଅଧା ସମୟ ସେମାନେ କୋଉ ହୋସରେ ରହୁଥିଲେ କି ! ଏତେ ବଡ ଭୁଲ ତାର ଆଗରୁ କେବେବି ହୋଇନି । ଯାହା ବି ହେଉ, ଆଲିଆ ସହ ଥରେ ଭେଟ
ହେବା ଜରୁରୀ ।
କୁମାରକୁ ଦେଖି ୱାର୍କସ୍ ମାନେ ହୋ ହୋ ହେଲେ । ସେ ଯାହା ଅନୁମାନ କରୁଥିଲା ସେୟା । ସେମାନେ କାମ ବନ୍ଦ କରି ବସିଛନ୍ତି । ଦରମା ନ’ ମିଳିଲେ ହଡ଼ତାଲ୍ କରିବେ । ତାଙ୍କ ୟୁନିଅନ୍ ଲିଡ଼ର ଓ ମ୍ୟାନେଜରକୁ ଡାକି ଭିତରେ ମିଟିଙ୍ଗ୍ କଲା । କୌଣସି ସମାଧାନର ପନ୍ଥା ଦେଖାଗଲା ନାହିଁ । ଦରମା ନ’ ପାଇଲା ଯାଏଁ କର୍ମଚାରୀ କମ୍ପାନୀର କୌଣସି କଣ୍ଡିସନ୍ରେ ରାଜି ହେବେ ନାହିଁ । ବହୁତ ହେଇଗଲା । ବାଶ୍ । କୁମାର ନିରାଶ ହେଲ।।
ସେଇଠୁ ବାହାରି ଆସି ସାଇଟ୍ ଉପରକୁ ଗଲା । କନଷ୍ଟ୍ରକସନ୍ କାମ ବନ୍ଦ ପଡ଼ିଛି । ସବୁ କିଛି ଅସ୍ତବ୍ୟସ୍ତ । ତା’ ମୁଣ୍ଡକୁ କିଛି ବି ପଶୁନି । ଆଉ ଯାହା ତା’ କାନରେ ପଡ଼ିଲା, ସେ କାହାକୁ ନା’ କହି ପାରିବ, ନା ସହି ହୋଉଛି ।
Comments are closed.