ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୮
ଆଜି ବୈଭବ ୱାସ୍ରୁମ୍ରେ ଥିଲା ବେଳେ ତାଙ୍କ ଫୋନ ରିଙ୍ଗ୍ ହେଲା । ହୋଉ । ସେ ଆସିଲେ ରିସିଭ୍ କରିବେ । ପୁଣି ରିଙ୍ଗ୍ । କଣ୍ଟିନ୍ୟୁସଲି କିଏ ଫୋନ୍ କରୁଛି । ଯଦି ଜଣେ ରିସିଭ୍ କରୁନାହିଁ ତ ସେ ନିହାତି ବ୍ୟସ୍ତ ଥିବ, ଏତିକି ଜାଣିପାରୁନାହିଁ? କିଏ ସେ?
ଏଥର ବିରକ୍ତ ହେଇ ଆରାଧ୍ୟା ୱାସ୍ରୁମ୍ ବାହାରେ ଯାଇ ଡାକିଲା ।
ତୁମ ଫୋନ୍
ବୈଭବ ସାୱାର୍ ତଳେ ନିଜକୁ ଭିଜାଉଥିବେ । ପାଣି ଶବ୍ଦରେ କିଛି ଶୁଣାଯିବ ନାହିଁ । ସେ ବି କି ଅଜବ୍ ଲୋକ, ଯିଏ ଫୋନ୍
କରୁଛି କରୁ । ସେ ଆସିଲେ ବଳେ ଦେଖିବେ ।
ପାଞ୍ଚ ମିନିଟ୍ ଯାଇଛି କି ନା, ପୁଣି ଫୋନ୍ । ଏଥର ସେ ନିଜେ ଉଠିଗଲା । ସେଇ ଭିତରେ ଫୋନ୍ କଟିଗଲା ।
ପନ୍ଦରଟା ମିସ୍ଡ କଲ! ମେସେଜ୍ ଓ ମେଲ୍ ସୋ କରୁଛି ସ୍କ୍ରି ଉପରେ ।
ତାଙ୍କ ଫୋନ୍ ସବୁବେଳେ ଲକ୍ । ଫିଙ୍ଗର୍ ପ୍ରିଣ୍ଟ ।
ଦେଖତ , ତୁମ ଫୋନ୍ ଲଗାତାର ବାଜୁଥିଲା ।
ସେ ଚୁଟିରୁ ପାଣି ଝଡାଝଡି କଲେ । ଅଣ୍ଟାରେ ଟାୱଲ ଗୁଡ଼େଇ ଗଣ୍ଠି କରୁକରୁ ଫୋନ ଚେକ୍ କଲେ ।
ଅନ୍ ନୋନ୍ ନମ୍ବର । ଛାଡ଼, ଯାହାର ଦର୍କାର, ସେ ଆଉ ଥରେ କରିବ ।
ତାଙ୍କ ମିଞ୍ଜାସ୍ ଗରମ ରହୁଛି ଆଜିକାଲି । ଆରାଧ୍ୟା ଚୁପ୍ରହିଲା ।
ସାର୍ଟଟା ଦେହରେ ଗଳେଇ ସାରି କଫି କପ୍ରୁ ଗୋଟେ ସିପ୍ ନେଉନେଉ ମେଲ୍ ଓ ମେସେଜ ଚେକ୍ କଲେ ।
ମଣିଷ କେତେବେଳେ ଏମିତି ରିଆକ୍ଟ କରେ! ଭୟଙ୍କର କିଛି ସାମ୍ନାରେ ଦେଖିଲେ । ବୈଭବଙ୍କ କପାଳରେ ବିନ୍ଦୁବିନ୍ଦୁ ଝାଳ । ତାଙ୍କ ବ୍ୟସ୍ତତା ସ୍ପଷ୍ଟ ବାରିହେଇ ପଡୁଛି ।
ଆରାଧ୍ୟାର ସାହସ ହେଲା ନାହିଁ ପଚାରିବାକୁ, କିଏ ଫୋନ୍ କିଏ କରିଥିଲା? କାହା ମେସେଜ୍?
ବୈଭବ ବେଶ୍ ଗମ୍ଭୀର ହେଇ ଚଟ୍ କରି ବାହାରି ଗଲେ । ସେ ବାଲକୋନିକୁ ଦୌଡ଼ି ଯାଇ ଦେଖେ ତ’ ତାଙ୍କ ଗାଡ଼ି ଯାଇ କାହିଁ
କେତେ ଦୂର ପାଇଲାଣି ।
କ୍ରମଶଃ
Comments are closed.