Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୪ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରକଟ ହେବାର ଠିକ ପୂର୍ଵରୁ ନୀଳାଚଳରେ ନୀଳମାଧବ ପୂଜିତ ହେଉଥିଲେ କିନ୍ତୁ ଅତ୍ୟନ୍ତ ଗୋପନୀୟ ଭାବରେ କେବଳ ଦେବତା ଓ ଶବର ରାଜା ବିଶ୍ୱାବସୁ ହିଁ ପ୍ରଭୁଙ୍କର ପୂଜାର ଅଧିକାରୀ ଥିଲେ। ସେ ସମୟରେ ତାଙ୍କର ବିଜେ ସ୍ଥଳି ଅତ୍ୟନ୍ତ ବିପଦ ସଂକୁଳ ଓ ଅଗମ୍ୟ ଥିଲା। ସ୍କନ୍ଦ ପୁରାଣ ଅନୁସାରେ ନୀଳାଚଳ ର ମଧ୍ୟ ସ୍ଥଳରେ ନୀଳଗିରି ପର୍ବତ ଓ ଏହି ପର୍ବତ ର ଠିକ ମଧ୍ୟସ୍ଥଳରେ ଅକ୍ଷୟବଟ (ବର୍ତ୍ତମାନ କଳ୍ପବଟ ), ତାହାର ବାୟୁ କୋଣରେ ରୋହିଣୀକୁଣ୍ଡ (ଏକ କ୍ଷୁଦ୍ର ଜଳାଶୟ )ନିକଟରେ, ନିକୁଞ୍ଜ ରେ ନୀଳମାଧଵ ବିରାଜିତ ଥିଲେ।ଯଥା “ରୋହିଣ୍ୟlଖ୍ୟଂ ମହାତୀର୍ଥଂ କାରଣଂ
ସର୍ବପାଥସାମ, ଅତ୍ର ସ୍ନାତ୍ଵା ନରୋ ଯାତି ବୈକୁଣ୍ଠଭବନଂ ଦ୍ଵିଜ, ଏତସ୍ୟ ପୂର୍ବଭାଗେ ଅସୌ କଳ୍ପସ୍ଥାୟୀ ବଟୋ ମହାନ, ଛାୟାଂ ଯସ୍ୟ ସମlକ୍ରମ୍ୟ ବ୍ରହ୍ମ ହତ୍ୟାଂ ବ୍ୟପୋହତି, ଏତୟୋରନ୍ତରେ ବ୍ରହ୍ମନ ନିକୁଞ୍ଜାଭ୍ୟାନ୍ତର ସ୍ଥିତମ, ପଶ୍ୟ ସାକ୍ଷାଜଗନ୍ନାଥଂ ବେଦାନ୍ତ ପ୍ରତି ପାଦିତମ. (ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡ )। ଏହିଠାରେ ମନରେ ପ୍ରଶ୍ନ ଆଶେ ଯଦି ବେଦାନ୍ତ ପ୍ରତି ପାଦିତ ଠାକୁର ଜଗନ୍ନାଥ ବୋଲି ବର୍ଣ୍ଣନା ମିଳୁଛି, ତେବେ କଣ ଜଗନ୍ନାଥ, ନୀଳମାଧବଙ୍କ ବହୁପୂର୍ବରୁ ପ୍ରକାଶିତ?

ଏହାର ଉତ୍ତର ନିଶ୍ଟିତ ଭାବରେ “ହଁ ଶ୍ରୀଜଗନ୍ନାଥ ସୃଷ୍ଟି ପୂର୍ବରୁ ପ୍ରକାଶିତ “।

ଆପଣମାନଙ୍କ ସନ୍ଦେହ ମୋଚନ ପାଇଁ ପୁଣି ଥରେ କହୁଛି ଶ୍ରୀଜଗନ୍ନାଥ କେବଳ ପ୍ରତିମା (ବିଗ୍ରହ )ସ୍ୱରୂପରେ ନୁହଁନ୍ତି, ପରଂବ୍ରହ୍ମ ସ୍ୱରୂପରେ ବିରାଟ ପୁରୁଷ ଭାବରେ ଏ ସମଗ୍ର ସୃଷ୍ଟି ରେ ବିରାଜିତ ଥିଲେ, ବିରାଜିତ ଅଛନ୍ତି ଓ କାଳ କାଳକୁ ବିରାଜମାନ ଥିବେ । ଅବଶ୍ୟ ଏବେ ଆକାର ପ୍ରକାର ଓ ଉପାସନାର ଧାରା କିଛି କିଛି ପରିବର୍ତ୍ତନ ହୋଇଛି। ଯୋଜନ ଯୋଜନ ପରିବ୍ୟାପ୍ତ ଅକ୍ଷୟବଟ (ଯାହା ମହାପ୍ରଳୟରେ ମଧ୍ୟ କ୍ଷୟ ହୋଇ ନଥିଲା )ଏବେ ସୀମିତ ପରିସୀମା ର କଳ୍ପବଟ। ପାତାଳ ସ୍ପର୍ଶୀ ରୋହିଣୀ କୁଣ୍ଡ (ଯାହାର ଜଳ ପ୍ଲାବିତ ହୋଇ ପ୍ରଳୟ ରଚୁଥିଲା)ଏବେ ସାଧାରଣ କୁଣ୍ଡର ରୁପ ଧାରଣ କରିଛି । ସେହିପରି ନିକୁଞ୍ଜ ଯାଗାରେ ରତ୍ନବେଦିରେ ବିରାଟ ପୁରୁଷ ଅଦ୍ଭୁତ ରୁପ ଧାରଣ କରି ଲୀଳା କରୁଛନ୍ତି। ସବୁ ସେ ପରଂବ୍ରହ୍ମଙ୍କ ଲୀଳାମାଧୁରୀ
ତାହା ନହେଲେ ଅତ୍ୟନ୍ତ ଗୋପନୀୟ ଭାବେ ପୂଜିତ ପ୍ରଭୁ ନୀଳମାଧବଙ୍କ ଅବସ୍ଥିତି ଯମରାଜଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତା କାହିଁକି, ସ୍ଵ-ବାକ୍ୟ ରକ୍ଷା କରି ପ୍ରଭୂ ଅନ୍ତର୍ନିହିତ ହୁଅନ୍ତେ କାହିଁକି ଏବଂ ମହୋଦଧିରେ ବ୍ରହ୍ମ ଦାରୁର ପ୍ରକାଶ ଓ ଚତୁର୍ଦ୍ଧl ମୂର୍ତ୍ତି ନିର୍ମାଣ ସହ ଅପୂର୍ବ ସ୍ୱରୂପରେ ଶ୍ରୀଜଗନ୍ନାଥଙ୍କ ନୀଳାଚଳରେ ପୂଜନ ସବୁ ତ ଏକ ଲୀଳାର ଅଂଶ ବିଶେଷ।

ସେହି ସ୍କନ୍ଦ ପୁରାଣ ପରା କହିଛି ସହସ୍ର ବର୍ଷର ଅଭ୍ୟାସ ଦ୍ୱାରା ଭକ୍ତ ଗୁହା ନୀବାସୀ ନୀଳମାଧବ ହୁଅନ୍ତୁ ବା ନୀଳକନ୍ଦର ବାସୀ ଶ୍ରୀଜଗନ୍ନାଥ ହୁଅନ୍ତୁ ତାଙ୍କର କୃପା ମିଳେ ଓ ସଠିକ ଭକ୍ତି ଭାବର ପରିପ୍ରକାଶ ଘଟେ। ଯଥା “ସହସ୍ର ଜନ୍ମ ସ୍ଵଭ୍ୟାସାଦ ଭକ୍ତି ଭବତି ଭୂପତେ, ନୀଳାଚଳଗୁହାବାସେ ମାଧବେ ଜଗତାଂ ଧରେ “। ତେଣୁ ଏପରି ଭକ୍ତି ର ସାଧନା ଜାରି ରହିଲେ ହିଁ ଆମେ ରହସ୍ୟମୟ ଠାକୁରଙ୍କ ରହସ୍ୟ ବୁଝି ପରିବା। ଏବେ କିନ୍ତୁ ପାର୍ଥନାର ସମୟ.”ନାଥ ତୋ ନିର୍ଗୁଣ ନାମ ଅଟଇ, ମୋହର ମନରୁ ଦଣ୍ଡେ ନଯାଇ “(ଭାବସମୁଦ୍ର, ବଳରାମ ଦାସ )। ଭକ୍ତ ବଳରାମଙ୍କ ପରି ଅହରହ ଶ୍ରୀଜଗନ୍ନାଥ ନାମ ଚିନ୍ତା ଚେତନାରେ ରହୁ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.