ରାଜଗିର: ଏଠାରେ ଅନୁଷ୍ଠିତ ଜାତୀୟ ସିନିୟର ମହିଳା ରଗବୀ ଚାମ୍ପିୟନଶିପରେ ଓଡିଶା ଚାମ୍ପିୟନ ହୋଇଛି । ୬ ବର୍ଷ ମଧ୍ୟରେ ଓଡିଶା ତୃତୀୟ ଥର ପାଇଁ ଟାଇଟଲ ହାସଲ କରିଛି । ଫାଇନାଲରେ ଓଡିଶା ଗତ ସଂସ୍କରଣର ଚାମ୍ପିୟନ ବିହାରକୁ ୨୭-୦ରେ ସମ୍ପୂର୍ଣ୍ଣ ଏକତରଫା ଭାବେ ପରାଜିତ କରିଛି । ସମସ୍ତ ବିଭାଗରେ ଓଡିଶାର ଖେଳାଳିମାନେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ବିପକ୍ଷ ଦଳକୁ ମ୍ୟାଚରେ ପ୍ରତ୍ୟାବର୍ତନ କରିବା ପାଇଁ କୌଣସି ସୁଯୋଗ ଦେଇ ନ ଥିଲେ ।
ନିର୍ମାଲ୍ୟ ରାଉତ ଓଡିଶା ପକ୍ଷରୁ ସର୍ବାଧିକ ୧୬ ପଂଏଟ ସ୍କୋର କରିଥିଲେ । ତାରୁଲତା ନାଏକ ୧୦ ଓ ପାର୍ବତୀ ହାଁସଦା ୧ ପଂଏଟ ଦଳ ପାଇଁ ହାତେଇଥିଲେ । ପୂର୍ବରୁ ଓଡିଶା ୪୧-୦ରେ ମହାରାଷ୍ଟ୍ରକୁ ହରାଇ ସେମିରେ ଏବଂ ପଶ୍ଚିମବଙ୍ଗକୁ ୩୧-୭ରେ ପରାଜିତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା । ବିହାର ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିବା ବେଳେ ପଶ୍ଚିମବଙ୍ଗ ୨୬-୦ରେ ଦିଲ୍ଲୀକୁ ହରାଇ ବ୍ରୋଞ୍ଜ ମେଡାଲ ହାସଲ କରିଛି ।