ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୨
ପ୍ରତ୍ୟେକ ଲୋକ ନିଜ ଭଳି
ଜିଇଁ ସଂସାରେ ଥାଂତି ଚଳି
କେ ଖାଏ ଛେନା ସରପୁଳି
ଆଉ କେ ମୁଢ଼ି ବା ଚକୁଳି
କେ ରହେ ପୈତୃକ ଭବନେ
ଆଉ କେ ଜନହୀନ ବନେ
କେ ଶୁଏ ନରମ ଗଦିରେ
ଆଉ କେ ଶୁଖିଲା ନଦୀରେ
ସଭିଏଁ ହେବେ ସର୍ବସମ
ଭାବନା ନୁହଇ ଉତ୍ତମ
ଏପରି ଅଳୀକ କଳ୍ପନା
ଯୋଗୁଁ ମଣିଷ ଦୁଃଖମନା
ସମସ୍ତେ ଏକା ଭଳି କଥା
କହିବେ, ଭାବିଲେ ଅଯଥା
ବଢ଼ଇ ନିଜ ମୁଂଡ ବଥା
ଜାତ ହୁଅଇ ଅସ୍ଥିରତା
ଭାଷାର ପ୍ରକାର ଓ ସ୍ତର
ଭିନ୍ନତା କଲେ ଅସ୍ବୀକାର
ଚିଂତକ ସଦା ମ୍ରିୟମାଣ
ରହିଲେ ହୁଏ ହଇରାଣ
କରିଲେ ଔଚିତ୍ୟ ବିଧାନ
ସବୁଠି ତାର ପ୍ରଚଳନ
କଦାପି ହୁଏନି ସଂଭବ
ଅଚିରେ ତୁଟେ ସବୁ ଦଂଭ
ଜ୍ଞାନୀଏ ଦେଲେ ବି ଆଦେଶ
ଲୋକେ ନୁହଂତି ତାଂକ ଦାସ
କରିବେ ନିଶ୍ଚୟ ପାଳନ
ଏହି ବିଚାର ଭିତ୍ତିହୀନ
ଯାହାର ଯେମିତି ଦକ୍ଷତା
ତଦନୁସାରେ କହି କଥା
ସୁଖରେ ଯାଉଥାଂତି ଚଳି
ଅଲୋଡ଼ା ତାଂକ ସହ କଳି
ଜ୍ଞାନକୁ କରିଲେ ଆୟୁଧ
ଅଜ୍ଞାନ ସଂଗେ ବାକ୍ୟ ଯୁଦ୍ଧ
କରିବା ପାଇଁ ଯିଏ ବାଧ୍ୟ
ତା କାର୍ଯକଳାପ ଅବୋଧ୍ୟ
ଗ୍ରହଣଶୀଳ ସହିଷ୍ଣୁତା
ଶିଷ୍ଟାଚରଣ ହିଁ ସଭ୍ୟତା
ରକ୍ଷା କରିଲେ ଜନଗଣ
ସଂସ୍କୃତି ପାଏ ସଂରକ୍ଷଣ
ଭାଷା ବି ସଂସ୍କୃତିର ଅଂଗ
ଏଣୁ ଏ ଆଲୋଚ୍ୟ ପ୍ରସଂଗ
ଭାଷାରେ ଭାଷା କଥା କହି
ଅଧିକ କରିପାରେନାହିଁ
ଭାଷାର ପ୍ରୟୋଗ ଚଳନ
ନ କଲେ ଆଦୌ ନିୟଂତ୍ରଣ
ବଢ଼ଂତା ହୋଇ ବହୁରୂପୀ
ଶୀଘ୍ର ପାରଂତା ଆପେ ବ୍ୟାପି
ଭାଷା ତ ଭାବର ମାଧ୍ୟମ
ଭାବନା ହୋଇଲେ ଉତ୍ତମ
ଭାଷାର ତ୍ରୁଟି ଓ ବିଚ୍ୟୁତି
କରିପାରେନି ବେଶି କ୍ଷତି
ଅବ୍ୟବହୃତ ହେଲେ ଭାଷା
ବଢ଼ିପାରିବନାହିଁ ଆଶା
ଏହା ହିଁ ପ୍ରଧାନ ସମସ୍ୟା
ସମାଧାନ ଲୋଡ଼ା ସହସା
Comments are closed.