ଅନୁବାଦ ଗଳ୍ପ : ଶରଣାର୍ଥୀ
ହିନ୍ଦୀ ଓ ଇଂରାଜୀ ଭାଷାରେ ଗଳ୍ପ ଓ ଉପନ୍ୟାସ ରଚନାରେ ରାଜ୍ ଗିଲଙ୍କର ବେଶ୍ ସୁଖ୍ୟାତି ରହିଛି । ସ୍ୱାଧୀନୋତ୍ତର ହିନ୍ଦୀ ସାହିତ୍ୟରେ ସେ ସାହିତ୍ୟ ରଚନା କ୍ଷେତ୍ରରେ ନିଜକୁ ସୁପ୍ରତିଷ୍ଠିତ କରିଛନ୍ତି । ଦେଶ ବିଭାଜନର ସାମାଜିକ ଓ ମନସ୍ତାତ୍ତ୍ୱିକ ପ୍ରଭାବ କିଭଳି ଲକ୍ଷ ଲକ୍ଷ ଲୋକଙ୍କକୁ ପ୍ରଭାବିତ କରିଥିଲା ଏହା ଉପରେ ତାଙ୍କର ଗଳ୍ପଗୁଡ଼ିକ ପାଠକମାନଙ୍କୁ ବିମୁଗ୍ଧ କରିଥାଏ ।
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୨
ମୂଳ ଇଂରାଜୀ: ରାଜ ଗିଲ
ଆମେ କୁଆଡ଼େ ଯାଉଛୁ? ସେଠାରେ କେତେବେଳେ ପହଞ୍ଚିବା ?
ପିଲାଟି ନିଜ ବାପାକୁ ଏଇ ପ୍ରଶ୍ନ ବାରମ୍ବାର ପଚାରୁଥିଲା ଓ ଗୋଡ଼ ଘୋଷାରି ଘୋଷାରି ଆଗକୁ ଚାଲୁଥିଲା । ସେ ଇଲାକାଟି ଥିଲା ଲୁଣାମାଟିର ଅଞ୍ଚଳ ।
‘ଆରେ, ଭାବିନେ ଯେ ଆମେ ପହଞ୍ଚି ସାରିଲୁଣି । ତୁ ମୋଟେ ବ୍ୟସ୍ତ ହେବା ଦରକାର ନାହିଁ ।’ ବାପା ଆଶ୍ୱାସନା ବାଣୀ ଶୁଣାଉଥିଲେ ।
‘ତୁମେ ତ ସବୁବେଳେ ଏମିତି କଥା କୁହ’, ପିଲାଟି ଅଭିଯୋଗ କଲାଭଳି କହିଲା ।
:‘ମୁଁ କ’ଣ ମିଛ କଥା କହେ?’
‘ହଁ, ଖାଲି ଏଇ କଥା ।’ ପିଲାଟି ଟିକିଏ ଆଗେଇ ଆସି ହଠାତ୍ ଠିଆ ହୋଇଗଲା ।
ବାପା ତା’ର ଆଗେଇଗଲେ । କିନ୍ତୁ ପିଲାଟି ସେଇଠି ଠିଆହୋଇ ରହିଲା । ପ୍ରାୟ କୋଡ଼ିଏ ଗଜ ପର୍ଯ୍ୟନ୍ତ ଆଗେଇଯିବା ପରେ ବାପାଙ୍କ ଖିଆଲ ହେଲା ଯେ ପୁଅ ବୋଧହୁଏ ତାଙ୍କ ପଛରେ ଆସୁ ନାହିଁ । ବାପା ଦେଖିଲେ ଯେ ପିଲାଟି ଚଲାବାଟ ମଝିରେ ହିଁ ଠିଆହୋଇ ବୁଢ଼ା ଆଙ୍ଗୁଳିରେ ମାଟି କୋରୁଛି । ବାପା ତା’ପାଖକୁ ଫେରିଗଲେ । ତାକୁ କୁଣ୍ଢେଇ ପକାଇଲେ । ପଚାରିଲେ, ‘ଆରେ ବାପା! ତୁ ତ ସାହସୀ ପିଲା । ବର୍ତ୍ତମାନ ତୋର ହେଲା କ’ଣ?’ ପୁଅର କାନ୍ଧ ଚାପିଦେଇ ପୁଣି କହିଲେ, ‘ଦେଖ୍ ତୁ ତ ଏତେ ଦୂର ଆସିଗଲୁଣି । ଜାଣୁ, କେତେ ଦୂର ଆସିଲୁଣି? ତା’ପରେ ନିଜ ଆଙ୍ଗୁଳିରେ ଗଣିବାର ଭଙ୍ଗୀ କରି ସେ କହିଲେ, ତିନିଶହ ପଚାଶ ମାଇଲ । ନା,ନା, ତା’ଠୁ ବି ଅଧିକ ହେବ । ପ୍ରାୟ ଚାରିଶ’ ମାଇଲ । କ’ଣ ବୁଝିଲୁ?’
ଇଏ ତ ହେଲା ମୋଟା ହିସାବ । ଏସବୁ କଥା ଶୁଣି ପିଲାଟି ଓଠ କାମୁଡ଼ି ପକାଇଲା । ଅନେକ ନିର୍ଜନ ପ୍ରାନ୍ତର ସୀମାହୀନ ଉଚ୍ଚନୀଚ କ୍ଷେତବାଟ ଅତିକ୍ରମ କରି ବାପା ଚାଲି ଆସିଛନ୍ତି । ବାପାଙ୍କ ମନ ଭିତରେ ଥିଲା ଅନିଶ୍ଚିତତା ଓ ସେ ଉଦାସ ହୋଇ ପଡ଼ିଥିଲେ । ଆଉ କେତେ ଦୂର ଗଲେ ଜନବସତି ପଡ଼ିବ, ତାହା ସେ ଅନୁମାନ କରିପାରୁ ନ ଥିଲେ । ପୁଅକୁ ସେ କ’ଣ କହି ସାନ୍ତ୍ୱନା ଦେବେ, ତାହା ମଧ୍ୟ ବୁଝିପାରୁ ନ ଥିଲେ । ସେ ଜାଣିଥିଲେ ଯେ ପୁଅ ଥକି ପଡ଼ିଛି, ସକାଳ ପହରୁ ସେମାନେ ବରାବର ଚାଲିବାରେ ଲାଗିଛନ୍ତି । ଏଥର ମାତ୍ର ସେ ଗୋଟିଏ ସ୍ଥାନରେ ବସି ଥକ୍କା ମେଣ୍ଟାଇଥିଲେ, ମାତ୍ର ଅଧ ଘଣ୍ଟା ପାଇଁ । ତା’ପରେ ବି ସେ ନିରବଚ୍ଛିନ୍ନ ଭାବେ ଦୁଇ ଘଣ୍ଟା ଧରି ଚାଲିବାରେ ଲାଗିଛନ୍ତି । ସେ ପୁଅକୁ କାନ୍ଧରେ ବସାଇ ନେଲେ ଓ ତା’ପରେ ପୁଣି ଆଗକୁ ଚାଲିବାକୁ ଲାଗିଲେ ।
ପୁଅକୁ କାନ୍ଧରେ ବସାଇ ସେ ତା’ର ପାଦକୁ ଚାହିଁଲେ । ଜଙ୍ଗଲ ଘାସ ଓ ବଣବୁଦାର କଣ୍ଟା ତା’ ପାଦକୁ କ୍ଷତାକ୍ତ କରି ପକାଇଛି । କେତୋଟି ସ୍ଥାନରେ ଆଞ୍ଚୁଡ଼ି ହୋଇଥିଲା ଓ ରକ୍ତ ବି ଜମି ଆସିଥିଲା । ନିଜ ଅଜାଣତରେ ହିଁ ସେ ପୁଅର ସେହି ଆଞ୍ଚୁଡ଼ା ଦାଗକୁ ଆଉଁଶିବାରେ ଲାଗିଲେ ।
ଢେର୍ ସମୟ ବିତିଗଲା । ଏମିତି ବାଟ ଚାଲୁଚାଲୁ ପୁଅର ଗୋଡ଼ ତାଙ୍କର ଯେଉଁ ସ୍ଥାନକୁ ସ୍ପର୍ଶ କରୁଥିଲା, ସେଠାରେ ସେ ଏକ ପ୍ରକାର ଯନ୍ତ୍ରଣା ଅନୁଭବ କଲେ । ଏବେ ଖୁବ୍ ଗରମ ଲାଗୁଥିଲା ଓ ତାଙ୍କ ଦେହରୁ ଗମଗମ ଝାଳ ବୋହି ପଡ଼ୁଥିଲା । ସେ ବାଧ୍ୟ ହୋଇ ପୁଅକୁ ନିଜର ଅନ୍ୟ କାନ୍ଧରେ ବସାଇନେଲେ । ଏଣିକି ତାଙ୍କ ଚାଲି ମଧ୍ୟ ଧିମେଇଗଲା । ତେବେ ପୁଅକୁ କାନ୍ଧରେ ବସାଇ ସେ କୌଣସି ମତେ ଆଗକୁ ପାହୁଣ୍ଡ ବଢ଼ାଇ ଚାଲିଥିଲେ ।
ଏତିକିବେଳେ ବିସ୍ତୀର୍ଣ୍ଣ ପାଟ ମଧ୍ୟରେ ଦେଖାଗଲା ଗୋଟାଏ ବିରାଟ ଗଛ । ପିଲାଟି ଖୁସିହୋଇ କହିଲା, ‘ବାପା, ଗୋଟିଏ ଗଛ ଦିଶୁଛି ।’
ବାପା ପୁଅକୁ କାନ୍ଧରୁ ଓହ୍ନଲାଇଦେଲେ । କହିଲେ, ‘ଏଣିକି ତୁ ନିଜେ ନିଜେ ଚାଲ ।’ ସେ କ୍ଳାନ୍ତି ଦୂର କରିବାପାଇଁ ଟିକିଏ ଭିଡ଼ିମୋଡ଼ି ହେଲେ ।
:‘ବାପା, ସେହି ଗାଆଁରେ ପହଞ୍ଚିବା ପରେ ଆମେ କ’ଣ କାହା ଘରେ ରହିବା?’
:‘ହଁ, ବୋଧହୁଏ ଆମେ ଥକ୍କା ମେଣ୍ଟାଇବା ଲାଗି ସେଠାରେ କିଛି ସମୟ ପାଇଁ ରହିପାରିବା । କିନ୍ତୁ ସେ ଗାଆଁ ବିଷୟରେ ତ ମୋର କିଛି ଧାରଣା ନାହିଁ । କେମିତି ଜାଗା, କିଏ କହିବ?’
: ଆଚ୍ଛା ବାପା, ଆମେ ଆମ ଗାଆଁ ଛାଡ଼ି ଆସିଲେ କାହିଁକି?
ପୁଅର ଏଭଳି ପ୍ରଶ୍ନ ଶୁଣି ବାପା କୌଣସି ଉତ୍ତର ଦେଲେ ନାହିଁ । ସମ୍ପୂର୍ଣ୍ଣ ନୀରବଭାବେ ସେ ଆଗକୁ ଚାଲୁଥାଆନ୍ତି । ତେବେ ପିଲାଟି ଲକ୍ଷ୍ୟକଲା ଯେ ତାଙ୍କ ହାତମୁଠା ଟାଣ ହୋଇଯାଇଛି । ସେ ଅବା ପୁଅକୁ ଏ ପ୍ରଶ୍ନର କି ଉତ୍ତର ଦେବେ? ନିଜ ଗ୍ରାମକୁ ସେ କାହିଁକି ଛାଡ଼ିଲେ, ତାହା ସେ ଏ ଅବୋଧ ଶିଶୁକୁ କେମିତି ଜଣାଇବେ? ସେ କିପରି ଅବା କହିଲେ ଯେ ସେ ଖୁସିରେ ଗାଆଁ ଛାଡ଼ି ନାହାନ୍ତି । ଦେଶ ଭାଗ ଭାଗ ହୋଇ ବଣ୍ଟା ହୋଇଯାଇଛି । ଏକଥାରୁ ଅବା ପୁଅ ବୁଝିବ କ’ଣ? ଏଇ ବିଭାଜନ କଥା ଚିନ୍ତା କରି କରି ସେ ତ ନିଜେ ତାହା ବୁଝିପାରୁ ନ ଥିଲେ ।
ସେଦିନ ହଠାତ୍ ସେ ଶୁଣିଲେ ଯେ ଦେଶ ଭାଗ ଭାଗ ହୋଇଯାଇଛି ଏବଂ ଯେଉଁ ସ୍ଥାନରେ ସେ ପୀଢ଼ି ପୀଢ଼ି ଧରି ବସବାସ କରି ରହି ଆସୁଥିଲେ, ତା’ ସହିତ ତାଙ୍କର ଆଉ କୌଣସି ସମ୍ପର୍କ ରହିବ ନାହିଁ । ତାଙ୍କ ପକ୍ଷରେ ଏଭଳି ଅବସ୍ଥା ଥିଲା ଏକ ଗୋଲକଧନ୍ଦା । ସେ ମହାଚିନ୍ତାରେ ପଡ଼ି ଯାଇଥିଲେ । ଏଇ ଗାଆଁରେ ସେ ଓ ତାଙ୍କର ପୂର୍ବଜମାନେ ପୁରୁଷ ପୁରୁଷ ଧରି ରହି ଆସୁଥିଲେ । ସେମାନଙ୍କ ଯାହା ସମ୍ପତ୍ତିବାଡ଼ି ଥିଲା ଇଂରେଜ ସରକାର ବି ତାକୁ ସ୍ୱୀକାର କରିଥିଲେ । କିନ୍ତୁ କି ବେଳ ଏବେ
ପଡ଼ିଛି କେଜାଣି! କାହାରି କିଛି ନାହିଁ ! ଯାହା ବି ଅଛି, ତାକୁ ଯିଏ ଜୋର ଜବରଦସ୍ତ ଦଖଲ କରିନେଲା, ସେ ହେଲା ତା’ର ମାଲିକ! ଏଥିରେ କୋର୍ଟ, କଚେରି କିମ୍ବା ପୁଲିସ କିଛି କରିପାରୁ ନାହାନ୍ତି । ଯାହାକୁ ଇଚ୍ଛା ତାକୁ ଖତମ୍ କରିଦିଅ । ଜଣେ ଦି’ଜଣ ନୁହଁ, ଦରକାର ପଡ଼ିଲେ ସାରା ଗାଆଁକୁ ଉଡ଼େଇଦିଅ । ଘରଦ୍ୱାର ବି ଲୁଟି ନିଅ । ଟିକିଏ ହେଲେ ଏଥିରେ କେହି ଦୁଃଖ କରୁ ନାହିଁ । କ’ଣ ଯେ ହେଉଛି ! ଆଇନକାନୁନ ତ ନାହିଁ, ଧର୍ମକର୍ମ, ମାନବିକତା ବି ଲୋପ ପାଇସାରିଛି! ଯେଉଁଠି ସେମାନେ ଏତେଦିନ ଧରି ଏକତ୍ର ରହିଆସୁଥିଲେ, ସେଠାରୁ ସେମାନଙ୍କୁ ଜବରଦସ୍ତ ବିତାଡ଼ିତ କରି ଦିଆଯାଇଛି ।
ସମସ୍ତେ ପଳେଇ ଆସିଛନ୍ତି ନିଜ ଘରଦ୍ୱାର, ପ୍ରିୟ ଭିଟାମାଟିକୁ ଛାଡ଼ି । ସେ ଓ ତାଙ୍କ ପରି ଆହୁରି ଅନେକ । ସେ ମନେମନେ ଭାବୁଥିଲେ, କେଡ଼େ ସହଜ ସତେ ସେମାନଙ୍କ କାମ । ହାତରେ ଗୋଟିଏ ପେନସିଲ ଧରି ମାନଚିତ୍ରରେ ଗାରଟିଏ ପକେଇ ଦିଆଗଲା । ଗୋଟିଏ ନାଁ ଦିଆଗଲା ନୂଆ ଅଞ୍ଚଳର । ପୁଣି କହି ଦିଆଗଲା ସେଇଠି ସେମାନଙ୍କୁ ରହିବାକୁ ହେବ । ଏସବୁ ଦେଖି ସେ ବିଚଳିତ ହୋଇପଡ଼ିଥିଲେ । ଅନ୍ୟ ଲୋକଙ୍କ ପରି ତାଙ୍କୁ ବି ଭୀଷଣ ରାଗ ମାଡ଼ିଥିଲା । କିନ୍ତୁ ବନ୍ଧୁକ ସାମନାରେ ସେ ଅବା କ’ଣ କରିପାରିବେ? ଭୟରେ ସେ ପଳାଇବା ଛଡ଼ା ଅନ୍ୟ କ’ଣ ବିକଳ୍ପ ଥିଲା ତାଙ୍କ ପାଖରେ? କିନ୍ତୁ ନିରୀହ ପିଲାଟିକୁ ଭଲା ସେ ଏସବୁ ବିଷୟରେ କ’ଣ ବୁଝାଇବେ?
‘ଆମେ ଆମ ଗାଆଁ କାହିଁକି ଛାଡ଼ିଲୁ ବାପା? ଆମକୁ କେହି ମାରଧର କରିପାରି ନ ଥାଆନ୍ତେ ।’ ପିଲାଟି ପୁଣି ଥରେ କହିଲା ।
ବାପା କେବଳ ଦାନ୍ତ କଡ଼ମଡ଼ କରୁଥିଲେ । ଉତ୍ତରରେ ସେ କିଛି କହିପାରୁ ନ ଥିଲେ । ‘ମାଆକୁ ସେମାନେ କାହିଁକି ମାରିଦେଲେ ବାପା ? ପିଲାଟି ପୁଣି ପଚାରିଲା କାନ୍ଦକାନ୍ଦ ସ୍ୱରରେ ।
‘ସେମାନେ ପାଗଳ ହୋଇ ଯାଇଥିଲେ ।’ବାପା ପୁଅ ଦେହରେ ସ୍ନେହର ହାତ ଘୂରେଇଆଣି ତାକୁ ସାନ୍ତ୍ୱନା ଦେବାକୁ କହିଲେ ।
ସେଦିନ ସକାଳୁ ଓ ତା’ପୂର୍ବଦିନ ରାତିରୁ ସେମାନଙ୍କ ଦଳ ଉପରେ ଦଳ ଉପରେ ଆକ୍ରମଣ ହୋଇଥିଲା । ସେତେବେଳେ ସେମାନେ ରାବୀ ନଦୀ ଆରପଟେ ଥିଲେ । ତା’ପରେ ସେମାନେ ରାବୀ ପାର ହୋଇ ଏପଟକୁ ଆସିଲେ । ପାରହେବା ଆଗରୁ ଅନ୍ୟ ସମ୍ପ୍ରଦାୟର ଲୋକେ ଅନେକ ଲୋକଙ୍କୁ କାଟି ପକାଇଥିଲେ । ଆଉ ଥରେ ବି ସେମାନଙ୍କ ଦଳ ଉପରେ ଏମିତି ଅତର୍କିତ ଭାବେ ଆକ୍ରମଣ ହୋଇଥିଲା । ତେବେ ସେ ଦୌଡ଼ି ଦୌଡ଼ି କୌଣସିମତେ ନାଳ ଆରପଟେ ଥିବା ଗୋଟିଏ ସୋଠ ଭିତରେ ଲୁଚି ଯାଇଥିଲେ । ଅନାବନା ଗଛଲତାରେ ସେ ସୋଠମୁହଁଟା ଆଚ୍ଛାଦିତ ଥିଲା । ସେଇଠି ସେ ତାଙ୍କ ପତ୍ନୀଙ୍କୁ ଦେଖିଥିଲେ । କିନ୍ତୁ ଡରରେ ସେ କାଠ ହୋଇଯାଇଥିଲା କହିଲେ ଚଳେ । ଏତିକିବେଳେ ଜଣେ ସୈନିକ ଆସି ତାଙ୍କ ପତ୍ନୀଙ୍କ ଛାତିରେ ବନ୍ଧୁକ ଲଗାଇ ଗୁଳି ଚଳେଇଦେଲା । ତା’ପରେ ସବୁ ଶେଷ । ପର ମୁହୂର୍ତ୍ତରେ ସେ ସେଠାରେ ଟଳି ପଡ଼ିଥିଲେ ।
ଏଭଳି ଗୁଳିଚାଳନା ଚାଲିଥିଲା ଅନେକ ରାତି ପର୍ଯ୍ୟନ୍ତ । ପରଦିନ ବି ରହି ରହି ଏମିତି ଗୁଳିବର୍ଷା ହେଉଥିଲା । କିନ୍ତୁ ଏସବୁ ଖାଲି ଆଖିରେ ଦେଖି ସୁଦ୍ଧା ସେ ଗୁମ୍ଫା ବାହାରକୁ ଆସିବାକୁ ସାହସ କୁଳେଇ ପାରି ନ ଥିଲେ । ତା’ପରେ ରାତି ଅନ୍ଧାର ମାଡ଼ି ଆସିଥିଲା । ଧୀରେ ଧୀରେ ସେମାନେ ବାହାରକୁ ଆସିଲେ । ଅନ୍ଧାର ବଢ଼ିଗଲାପରେ ହିଁ ସେମାନେ ସେଠାରୁ ବାହାରି ପାରିଥିଲେ । ଆସିଲାବେଳେ ସେମାନେ ଉଁ ଚୁଁ କିଛି ବି ଶବ୍ଦ କରି ନ ଥିଲେ । ଚୁପ୍ଚାପ୍ ଚାଲି ଆସିଥିଲେ ନଦୀ ପର୍ଯ୍ୟନ୍ତ । ଯେଉଁଠି ନଦୀ ଅଗଭୀର, ସେଇବାଟ ଦେଇ ସେମାନେ ନଦୀ ପାର ହେବାକୁ ଚେଷ୍ଟା କରିଥିଲେ । ତାହା ବି ନିରାପଦ ନ ଥିଲା । ତେବେ ସେଠାରେ ନଦୀ ଏତେ ଗଭୀର ନଥିବାରୁ କୌଣସି ମତେ ସେମାନେ ଆରପଟେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ ।
ସେଦିନ ରାତିସାରା କଟିଥିଲା ରାବୀନଦୀ କୂଳରେ । ବାଲିଗଦା ଉହାଡ଼ରେ ସେମାନେ ଭୟ ଓ ଆତଙ୍କରେ ବସି ରାତିଟା କଟାଇଥିଲେ । ସକାଳ ହେଲା । ସେମାନେ କୁଆଡ଼େ ଯାଉଛନ୍ତି? ଏହା ବି ସେମାନଙ୍କୁ ଜଣା ନ ଥିଲା । ଗଲା ରାତିରେ ଯେଉଁ ଭୟଙ୍କର ହିଂସା ଲାଗିଥିଲା, ସେଥିରୁ କେବଳ ଜୀବନ ବଞ୍ଚାଇବାପାଇଁ ସେମାନେ ଲକ୍ଷ୍ୟହୀନ ଭାବେ ପଳାୟନ କରୁଥିଲେ । ପିଲାଟିର ସେହି ଭୟଙ୍କର ଘଟଣା କଥା ମନେ ପଡ଼ି ଯାଉଥିଲା । ସେ କହିଲା, ‘ସେମାନେ କାହିଁକି ଏମିତି ପାଗଳ ହୋଇଯାଉଛନ୍ତି?’
ଏ ପ୍ରଶ୍ନର ଉତ୍ତର ଭଲା ବାପା କ’ଣ ଦେଇପାରିବେ? ତଥାପି ଉତ୍ତର ଦେଲେ, ‘ମୁଁ ଜାଣିନି । ହେଲେ ସେମାନେ ଖାଲି ପାଗଳ ହୋଇଯାଉଛନ୍ତି ।’
ସେମାନେ ଆଉ କିଛି ବାଟ ଚାଲିଚାଲି ଆସିବା ପରେ ଗୋଟିଏ ବଗିଚା ପାଖରେ ପହଞ୍ଚିଲେ । ସେଠାରେ ଥିଲା ଗୋଟିଏ କବର ଓ ତା’ପାଖକୁ ଲାଗି ଛୋଟ ଛୋଟ ଇଟାରେ ତିଆରି ପୁରୁଣା ଢାଞ୍ଚାର ଗୋଟିଏ କୋଠରି । ଚାରିକଡ଼େ ବିସ୍ତୀର୍ଣ୍ଣ କ୍ଷେତ । କିନ୍ତୁ ଲୋକବାକ କେହି କୁଆଡେ ଦୃଶ୍ୟ ହେଉ ନ ଥିଲେ । ମନେ ହେଉଥିଲା ତାହା ଏକ କବରଖାନା ହୋଇଥିବ । କେବଳ ଗୋଟିଏ ଛୋଟ ଷଣ୍ଢ ଛଡ଼ା ଆଉ କାହାରି ଚିହ୍ନବର୍ଣ୍ଣ ସେ ସ୍ଥାନରେ ନ ଥିଲା । ଆଖୁ ଓ କପା ଫସଲସବୁ କ୍ଷେତରେ ହିଁ ଉଜୁଡ଼ି ଯାଇଥିଲା । ଗୋରୁଗାଈ ଚରାଚରି କରି ସେସବୁକୁ ଦଳିଚକଟି ପକାଇଥିଲେ ।
‘ଆରେ … ଏ ତ ଭାରତର ଉର୍ବର କ୍ଷେତ । ଏଥିରେ ବେଶ୍ ଭଲ ଫସଲ ହେଉଥିବ ।’ ବାପା କହିଲେ । ପିଲାଟି ପଚାରିଲା, ‘ଏବେ ତ ଏ କ୍ଷେତ କାହାରି ହୋଇ ରହି ନ ଥିବ । ଆଗରୁ ତ ୟା’ର ମାଲିକ କେହି ଥିବ?’
ସେମାନେ କିଛି ସମୟ ପରେ ସେଇ କ୍ଷେତ ଭିତର ଦେଇ ଆଗକୁ ବଢ଼ିଥିଲେ ଓ ସାମ୍ନା ଗାଆଁ ନିକଟରେ ପହଞ୍ଚିଥିଲେ । ଗାଆଁଟାସାରା ଯେମିତି ଖାଁ ଖାଁ କରୁଥିଲା କାହାର କେଉଁଠି ସୋର୍ ଶବ୍ଦ ନ ଥିଲା । ଅନେକ ଘରର ଛାତ ନ ଥିଲା । ଅଧିକାଂଶ ଘରେ ନିଆଁ ଲାଗି କାନ୍ଥସବୁ କଳା ପଡ଼ିଯାଇଥିଲା । ବାସ୍ତବିକ୍ ଗାଆଁଟା ଏକ ପ୍ରେତପୁରୀ ଭଳି ଲାଗୁଥିଲା! ସେମାନେ ସେଇ ଅଦ୍ଭୁତ ପ୍ରେତପୁରୀକୁ ଚାହିଁ ରହିଥିଲେ ଅନେକ କ୍ଷଣ ଧରି । ଏତିକିବେଳେ ପିଲାଟାକୁ ଭାରି ଶୋଷ ମାଡ଼ିଲା । ସେ କେନାଲ କୂଳକୁ ଆଗେଇଲା । କିନ୍ତୁ ସେଠାରେ ସେ ଯାହା ଦେଖିଲା ସେଥିରେ ତା’ପିଳେହି ପାଣି ହୋଇଗଲା । ଏଣେ ତେଣେ ବିକ୍ଷିପ୍ତ ଭାବେ ଶବ ସବୁ ପଡ଼ି ରହିଥିଲା । ଏତେ ଲୋକଙ୍କ ମୃତଦେହ ସେ ଆଗରୁ କେବେ ଦେଖିନଥିଲା । କେଇଟା ଶବଙ୍କ ଆଖି ମେଲା ଥିଲା । ସେସବୁ ଆଖି କଳା କଳା ଦିଶୁଥିଲା ଓ ମୁହଁ ବିକୃତଭାବେ ଫୁଲି ଯାଇଥିଲା । କେନାଲ ପାଣିରେ ମୁହଁମାଡ଼ି ଭାସୁଥିଲା ସାମରିକ ପୋଷାକ ପିନ୍ଧା କେଇଟା ଲୋକଙ୍କ ଶବ । ପ୍ରାଣ ବିକଳରେ ପିଲାଟି ସେଠାରୁ ଦୌଡ଼ି ପଳାଇ ଆସିଥିଲା । ଫେରିବା ପରେ ହିଁ ସେ ଶୁଣିଲା ଗୋଟିଏ ଜିପ୍ର ଘଁ ଘଁ ଶବ୍ଦ । ଜିପ୍ଟା ଧୂଳି ଉଡ଼େଇ ଆଗେଇ ଆସୁଥିଲା । ସେଥିରେ ଖାକି ପୋଷାକ ଓ ଲାଲ ଟୋପି ପିନ୍ଧା କେତେଜଣ ସୈନିକ ବସିଥିଲେ । ସେମାନେ ଜିପ୍ରୁ ତଳକୁ ଖପାଖପ୍ ଡେଇଁପଡ଼ିଲେ । ଜଣେ ସୈନିକ ହଠାତ୍ ନିଜ ବନ୍ଧୁକ ଉଠାଇ ଗୁଳି ଚଳେଇଲା ।
ଗୁଳିଚାଳନା ଦେଖି ପିଲାଟି ଏତେ ମାତ୍ରାରେ ଡରିଗଲା ଯେ ଗୋଟିଏ ପଥର ମୁଣ୍ଡିଆ ପଛକଡ଼କୁ ଘୁଞ୍ଚି ଯାଇ ସେ ନିଜକୁ ଲୁଚେଇନେଲା । ସେ ଶୁଣିପାରିଲା ସୈନିକମାନଙ୍କ କଠୋର ଆବାଜ । ସତେ ଯେପରି କିଏ କାହାକୁ ହୁକୁମ୍ ଦେଉଛି! ତା’ପରେ ଅତି ନିକଟରୁ ଶୁଣାଗଲା ଲୁହାକଣ୍ଟା ଲଗା ଭାରି ବୁଟ୍ର ଆବାଜ । ପିଲାଟି ଭାବିଲା, ତା’ମୁଣ୍ଡ ପାଖରେ ହିଁ ସେ ଆବାଜ ବନ୍ଦ୍ ହୋଇଗଲା!
ଏ କୁତ୍ତାଟା ବି ଆଜି ଶେଷ ହୋଇଗଲା । କେହି ଜଣେ ଘୃଣାଭରା ସ୍ୱରରେ କହିବାର ସେ ଶୁଣିପାରିଲା । ଏତିକିବେଳେ କେନାଲ ପାଣିରେ କୌଣସି ଗୋଟିଏ ଭାରି ବସ୍ତୁ ଧପାସ୍ କରି ପଡ଼ିବାର ଶବ୍ଦ ଶୁଣାଗଲା । ପିଲାଟିର ପିଠିରେ ଆସି ପାଣିଛିଟା କେଇବୁନ୍ଦା ପଡ଼ିଲା । ସେ ନିଜ ନିଃଶ୍ୱାସପ୍ରଶ୍ୱାସ ବନ୍ଦ୍ କରି ପଥର ସନ୍ଧିରେ ନିଜକୁ ଲୁଚେଇବାକୁ ଚେଷ୍ଟା କରୁଥିଲା । ପୁଣି ଥରେ ସେମିତି କର୍କଶ ଗଳାରେ ଆଦେଶ ଦେବାର ଶବ୍ଦ ତା’କାନରେ ପଡ଼ିଲା । ଆଉ ତା’ପରେ ପରେ ଜିପ୍ ଘୂରିବାର ଶବ୍ଦ । ଜିପ୍ଟି ପୁଣି ଥରେ ଧୂଳି ଉଡ଼େଇ ଚାଲିଯିବାର କିଛି ସମୟ ପରେ ପିଲାଟି ମୁଣ୍ଡଟେକି ଚାହିଁବାର ସାହସ କୁଳେଇଲା । ତା’ପରେ ସେ ଆଗେଇଗଲା ସେଇ ବେଞ୍ଚ୍ ଆଡ଼କୁ, ଯେଉଁଠି କିଛି ସମୟ ପୂର୍ବରୁ ସେ ନିଜ ବାପାଙ୍କ ସାଙ୍ଗରେ ବସିଥିଲା । ଦେ ଦେଖିଲା ସେଠାରେ ତା’ର ବାପା ନଥିଲେ । ବେଞ୍ଚ୍ ଖାଲି । ପାଦତଳ ମାଟିରେ ଚକଡ଼ାଏ ତାଜା ରକ୍ତ । ସେ ରକ୍ତକୁ ସେ ନିଜ ଆଙ୍ଗୁଳିରେ ଟିକିଏ ଛୁଇଁଦେଲା, ରକ୍ତ ତଥାପି ଉଷୁମ ଲାଗୁଥିଲା । ସେ କ’ଣ କରିବ କିଛି ଭାବିପାରୁ ନ ଥିଲା । ଏଥର ସେ ପୁଣି ସେଇ କେନାଲ ଆଡ଼କୁ ଦୌଡ଼ିଗଲା । କେନାଲ ପାଣିରେ ପଶିଯାଇ ଶବଗୁଡ଼ିକୁ ଆଡ଼େଇ ସେ କିଛି ଖୋଜି ଚାଲିଲା ।ସେଇସବୁ ଶବମାନଙ୍କ ଭିତରେ ଥିଲା ଏକ ତାଜା ଶବ । ଶବଟିର ମୁହଁ ଥିଲା ଉପରକୁ । ତା’ଦାଢ଼ି ପାଣିରେ ଭାସୁଥିବାର ଦେଖାଯାଉଥିଲ । ପାଟି ମେଲା ହୋଇଯାଇଥିଲା । ଛାତିର ବାମପଟକୁ ଗୋଟିଏ କଣା ଓ ସେହି କଣାରୁ ଏବେ ବି ତାଜା ରକ୍ତ ବାହରି ଆସୁଥିଲା । ପିଲାଟି ସେ କଣାକୁ ଟିକିଏ ଛୁଇଁବାକୁ ଚେଷ୍ଟା କରୁଥିଲା । କିନ୍ତୁ ସେ ଭୟଙ୍କର ପରିବେଶ ଓ ଦୃଶ୍ୟ ତାକୁ ଏକପ୍ରକାର ଛାନିଆ କରି ଦେଇଥିଲା । ସେ ଯନ୍ତ୍ରବତ୍ କେନାଲରୁ ଉପରକୁ ଉଠିଆସିଲା । ସେ ପୁଣି ଫେରିଆସିଲା ସେଇ ବେଞ୍ଚ୍ ନିକଟକୁ । ବେଞ୍ଚ୍ ଉପରେ ବସି ସେ ରକ୍ତର ଲାଲ ଚକଡ଼ାକୁ ନିରେଖି ଚାହିଁରହିଲା । ପୁଣି ଥରେ ଆଙ୍ଗୁଳିମାରି ସେ ରକ୍ତକୁ ଛୁଇଁଲା । ତଥାପି ଉଷ୍ମ ଲାଗୁଥିଲା ସେ ରକ୍ତ । ସେ ଠିଆ ହୋଇପଡ଼ିଲା । ତା’ଚାରିକଡ଼େ ସତେକି ମୃତ୍ୟୁର ନୀରବତା ବିରାଜମାନ କରୁଥିଲା । କେହି କେଉଁଠି ଦୃଶ୍ୟ ହେଉ ନ ଥିଲେ । ତା’ବାପା ସେଠାରେ ନ ଥିଲେ । ଆଉଥରେ ସେ ଥମ୍କରି ବସିପଡ଼ିଲା ବେଞ୍ଚଟି ଉପରେ । ତା’ର ହାତ ମୁଠା ମୁଠା ହୋଇ ଯାଉଥିଲା । ଦାନ୍ତ କଡ଼ମଡ଼ ହେଉଥିଲା । ସେ ମନେ ମନେ ସ୍ଥିର କରିନେଲା, ସେ ଆଉ କାନ୍ଦିବନି । କିନ୍ତୁ ଏବେ ସେ ନିଶ୍ଚଳ ମୂର୍ତ୍ତିଟିଏ ପରି ବସି ରହିଥିଲା । ଆଖିରେ ଥିଲା ଲୁହ ଓ ସେଇ ପଲକହୀନ ଆଖିଡୋଳାରେ ଢଳଢଳ ବାଜୁଥିବା ଲୁହରେ ଜମାଟ ବାନ୍ଧି ରହିଥିଲା କ୍ରୋଧ ଓ ତିକ୍ତତା । ସତେ ଯେମିତି ତା’ ଦେହଟା ଜମାଟ ବାନ୍ଧିଯାଇଛି!
ରକ୍ତମନ୍ଦାଟା ଧୀରେ ଜମାଟ ବାନ୍ଧୁଥିଲା । ରାତି ଆସିଗଲା । ରାତିର ଅନ୍ଧାର ଭିତରେ ସେ ଅନୁଭବ କରୁଥିଲା ମଣିଷ କୁକର୍ମର ଘୋର କାଳିମା ।
ଅନୁସୃଜନ: ସୁଭାଷ ଶତପଥୀ
ମୋ:୯୭୭୬୪୯୭୭୩୩
Comments are closed.