Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୯  

ସନ୍ଧ୍ୟା ହେଉହେଉ କୁମାର ଆସି ହାଜର । ଥାଙ୍କ୍ ଗଡ଼୍ ,ଅରୁ ଏଇଠି । ତା’ ଅନୁମାନ ଠିକ୍ ଥିଲା । କୁମାର ତୁମେ, ଜାଣିଥିଲି ତୁମେ ଦିନେ ଆସିବ ବୋଲି ।
କିନ୍ତୁ ଏତେ ଜଲ୍‌ଦି ବୋଲି ଭାବିନଥିଲି ।
ଜାଣିଥିଲ ? ଥରେ ଖବର ଦେବାକୁ ଉଚିତ ମନେକଲନି । ଏମିତି କାହାକୁ ବି ନ’ ଜଣେଇ ଆସିବାଟା ପିଲାଳିଆମୀ ନୁହେଁ କି?
କୁମାର ସ୍ୱରରେ ହଜାରେ ଅଭିମାନ । ପୁଣି ଗ୍ଲାନି । ବୈଭବ ସାର୍‌ଙ୍କୁ ଅଟକାଇ ପାରିଲାନାହିଁ । ତା’  ସାମ୍ନାରେ ଏତେ ବଡ଼ କମ୍ପାନୀ ଧୂଳାସାତ୍ ହେଇଗଲା । ତାକୁ ତ’ ସାଙ୍ଗେସାଙ୍ଗେ ଅନ୍ୟ କେଉଁଠି ଜବ୍‌ ମିଳିଯିବ, କିନ୍ତୁ ହଜାରେ କର୍ମଚାରୀ ହଠାତ୍ ବେରୋଜଗାର ହେଇଗଲେ । ତା’ଙ୍କ ଭରସା ଭାଙ୍ଗି ଗଲା । “
ମୁଁ ସେତେବେଳେ କିଛି ବି ଭାବିପାରିଲିନାହିଁ । ବାସ୍‌ ଏଠିକି ଚାଲିଆସିଲି । ତୁମେ ଯାହା ପାରିଲ, କଲ କୁମାର । ଗ୍ଲାନି କାହିଁକି? ଯାହା ହବାର ଅଛି, ହୋଉଛି । ଆଗକୁ ବି ସେୟା ହବ ।
ଶୁଣିଲ ତ ହରିଶ୍ କଥ।। କିଏ ଜାଣିଥିଲା ଏମିତି ହବ ବୋଲି! ଆଉ ଏ ନୀରିହ ଶିଶୁକୁ ଦେଖ । କାହାର କିଛି କ୍ଷତି କରିଛି, ନା ତା’ ବୟସ ହେଇଛି!
କିଛି କହିଲା ଓ ଅନେକ କିଛି ଅନ୍ତରରେ ଢୁକିଦେଲା ଅରୁ । ଗମ୍ଭୀର ହେଇଗଲା ।
କୁମାର ଆଶ୍ଚର୍ଯ୍ୟ ଭାବେ ଚାହିଁ ଥାଏ । ହାୱଷ୍ଟ୍ରେଞ୍ଜ! ଗୋଟେ ରାତି ଭିତରେ ଆରାଧ୍ୟାର ମାଇଣ୍ଡସେଟ୍ କେତେ ବଦଳି ଯାଇଛି । ସେ ଭାବିଥିଲା ଇଏ ବେଧହୁଏ ସବୁ ଜାଣିଲାପରେ, ମାନସିକଭାବେ ଭାଙ୍ଗିଯିବେ । କିନ୍ତୁ ଅଦ୍ଭୁତ ଭାବେ ନିଜ ମନକୁ ବୁଝେଇ ଦେଇଛନ୍ତି । ତାଙ୍କ ମନ ଏବେ ଶିଶୁ କେଦାରଠି ।
କେଦାରକୁ ଆଜି ନିଜ ପାଖରେ ଅଟକାଇ ଦେଇଛି ଅରୁ । ସେ ତା’  କୋଳରେ ମଥା ରଖି ସିଙ୍ଗଲ୍ ବେଡ଼୍ ଉପରେ ଶୋଇଯାଇଛି । ଆସିଲା ପରଠାରୁ, ସେଇ ଗୋଟିଏ ଜାଗାରେ ଚୌକି ଉପରେ ବସି ରହିଛି କୁମାର । ହରିଶ୍ ତା’କ୍ୱାଟରକୁ ଚାଲିଗଲା । ସେ ଏବେ ଅସୁସ୍ଥ । ଟିକେ ଶାନ୍ତିରେ ଶୋଉ ।
କୁମାର ଓ ତା’ ଭିତରେ କି ଅଜବ୍ ସମ୍ପର୍କ । ରାତି ସରିଗଲେ ବି ଦୁହିିଁଙ୍କ କଥା ସରିବାର ନା ନାହିଁ । ବୋଧହୁଏ ଭାଷାଠାରୁ ନୀରବତା ହିଁ ଅଧିକ ସକ୍ରିୟ ହେଇ ଉଠୁଛି ।
ତେବେ ତୁମେ କ’ଣ ଡିସାଇଡ଼ କଲ ଅରୁ? ବର୍ତ୍ତମାନ ପରିସ୍ଥିତିରେ ଏମିତି ପ୍ରଶ୍ନ ଅଜିବ୍ ଲାଗୁଛି ସତ !

 

କ୍ରମଶଃ

Leave A Reply

Your email address will not be published.