Latest Odisha News

BREAKING NEWS

କବିତା : ପୂର୍ଣ୍ଣମୀ ରାତି

ଦେବୀ ପ୍ରସନ୍ନ ନନ୍ଦ

ଶାନ୍ତ ଶୀତଳ ପୂର୍ଣ୍ଣମୀ ରାତିରେ
କେହିଜଣେ ସବାର ହୁଏ ମୋ ଭିତରେ
ତ କିଛି ଦିବ୍ଯଶକ୍ତି ଜାଗ୍ରତ ହୁଏ
ମୁଁ ଉଡିବୁଲେ ଉଲମ୍ବ ମୁଦ୍ରାରେ।

ମତେ ଲାଗେ ଅନନ୍ତ ଆକାଶ ମୋ ହାତମୁଠାରେ ,
ଅନାୟାସେ ଛୁଁଇଯାଏ ଗ୍ରହରୁ ଗ୍ରହାନ୍ତର
ଉଲ୍ଲସିତ ହୁଏ ମଧୁର ଆଘାତରେ
କୁନି କୁନି ତାରାମାନଙ୍କର ।

ତାରାମାନେ ଭାରି ଭଲ
ରାତିକ ଜୀବନ ଜୀଇଁବାକୁ
ହେଉଥାନ୍ତି କେଡେ କଲବଲ,
ଅସଲ ଉଦ୍ଦେଶ୍ଯ ମୋର ରହେ ଯେ ଗୋପନ
ଅହଂକାରୀ ଜହ୍ନର ସାନ୍ନିଧ୍ୟପାଇଁ
କରିଛି ମୁଁ ଶତତ ମନନ ।
ଜହ୍ନ ନାମେ ମନଗଢା ଅପବାଦ ,
ତାଙ୍କ ଆଗେ ଯେତେ ମୁଁ ବଖାଣେ
ସବୁ ହୁଏ ନିରର୍ଥକ,
ନିରୀହ ତାରାଗଣ ଚାହିଁଥାନ୍ତି ଜୁଳୁଜୁଳୁ
ସେମାନେ ପା ଜହ୍ନର ପୁରୁଣା ସ୍ତାବକ !
ଆଉ ମୁଁ ପାପଗ୍ରସ୍ତ ପ୍ରତାରକ ।

ମନର କ୍ଷୋଭଟିକ ଏବେ କହିଦିଏ
ଜହ୍ନ ଟିକେ ତା’ପାଶେ ଡାକନ୍ତାନି ମୋତେ !
ଆଶ୍ଲେଷ ତ ମୋ ପାଇଁ ଦୁର୍ବାର ସପନ
ଖାଲି ଟିକେ ଛୁଇଁ ଦ୍ୟନ୍ତି ତା’କୁ
ଦିବ୍ଯ ଜ୍ବାଳା ହ୍ବନ୍ତା ପ୍ରଶମନ ,
ଅନୂଢ଼ା ଯୁବତୀ ପରି ତା’ଦେହରେ
ଖେଳିଯାନ୍ତା ଅପୂର୍ବ କମ୍ପନ ।

ବ୍ଯର୍ଥ ଅଭିଳାଷ ପାଇଁ ରାତିହୁଏ ଛୋଟ
ଥମିଯାଏ ରାତି ଶେଷେ ମନର ଉଚ୍ଚାଟ
ଲୀଳାଖେଳା ସରିଆସେ ମାୟାବୀ ରାତିର
ସ୍ବପ୍ନ ମୋର ଲାଗେ ସତେ କେଡେ ଅବାନ୍ତର
ବାହୁଡନ୍ତି ତାରାପଲ ହୁଅନ୍ତି ଅଦୃଶ୍ଯ
ରହିଯାଏ ମୋ ମନରେ ଦିବ୍ଯ ଅବସୋସ
ଜହ୍ନ ଯାଏ ତା’ବାଟରେ ପଶ୍ଚିମ ଦିଗନ୍ତ
ଅପେକ୍ଷିତ ଆଉ ଏକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ।

Leave A Reply

Your email address will not be published.